ପୁଲିସର ଅପରାଧିଙ୍କୁ ଅଭୟଦାନ: ଛୁରା ମାଡରେ ଜଣେ ଆହତ, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ପୁଲିସର ଅପରାଧିଙ୍କୁ ଅଭୟଦାନ ରହିଥିବାରୁ ଏବେ ତାହା ଜନତାଙ୍କ ପାଇଁ ଭାରି ପଡିଛି। ଏକଦା ରାଜ୍ୟରେ ଶାନ୍ତିପ୍ରିୟ ସହର ଭାବରେ ସୁପରିଚିତ ସମ୍ବଲପୁର ସହର ଏବେ ଅପରାଧିକଙ୍କ ଚରାଭୂଇଁ ପାଲଟିଛି। ବିଗତ କିଛି ମାସର ଅପରାଧିକ ଗତିବିଧିକୁ ଲକ୍ଷ୍ୟ କଲେ ପୁଲିସ ଓ ଅପରାଧିଙ୍କ ମଧ୍ୟରେ ସହଭାଗିତାରେ ନିରନ୍ତର ବେଆଇନ କାର୍ଯ୍ୟ ଜାରି ରହିଥିବାର ସ୍ପଷ୍ଟ ପରିଲକ୍ଷିତ ହେଉଛି। ସମ୍ବଲପୁର ପୁଲିସ ଅନେକ ସଙ୍ଗୀନ ମାମଲା ଗୁଡିକରେ ଅପରାଧିଙ୍କ ସୁହାଇଲା ଭଳି କାର୍ଯ୍ୟାନୁଷ୍ଠାନ ନେଇ ରଫା ଦଫା କରି ଦେଉଥିବା ବେଳେ କିନ୍ତୁ ଅପରାଧ ଓ ଅପରାଧି ଙ୍କୁ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାରର ବଳ ଲଗାଉ ନାହିଁ। ଫଳରେ ଦିନକୁ ଦିନ ଅପରାଧି ମାନଙ୍କର ଦୌରାତ୍ମ୍ୟ ସହରରେ ଦିନକୁ ଦିନ ଆତଙ୍କଜନକ ଭାବରେ ବୃଦ୍ଧି ପାଇ ସାରିଛି। କଥା କଥାକେ ଅପହରଣ କରି ମରଣାନ୍ତକ ଆକ୍ରମଣ, ଘର ମଧ୍ୟକୁ ପ୍ରବେଶ କରି ଆକ୍ରମଣ, ଛୁରାମାଡ ଆଦି ଘଟଣା ଘଟି ଚାଲିଥିବା ବେଳେ କିନ୍ତୁ ପୁଲିସ ଅପରାଧି ଙ୍କ ଉପରେ ଲଗାମ ଲଗାଇବାରେ ସମ୍ପୁର୍ଣ୍ଣ ସମ୍ବଲପୁର ପୁଲିସ ବିଫଳ ହୋଇଛି।

ସମ୍ବଲପୁରର ଅତ୍ୟନ୍ତ ସ୍ପର୍ଶକାତର ପୁଲିସ ଥାନା ରୂପେ ପରିଗଣିତ ଧନୁପାଲି ଥାନା ଅଞ୍ଚଳରେ ଛୁରା ମାଡ, ଅପହରଣ, ମରଣାନ୍ତକ ଆକ୍ରମଣ, ନିଶା ଚୋରା ଚାଲାଣ ଆଦି ଘଟଣା ସାମାନ୍ୟ ଘଟଣାରେ ପରିଣତ ହୋଇ ସାରିଲାଣି। ଏହି କ୍ରମରେ ଗୁରୁବାର ସକାଳ ସମୟରେ ସାମାନ୍ୟ କଥାକୁ ନେଇ କୁମ୍ଭାରପଡା ଅଞ୍ଚଳ ନିବାସୀ ମହମ୍ମଦ କୁର୍ବାନ ଙ୍କୁ ମହମ୍ମଦ ସାହିଲ ଓରଫ ଭୋଲୁ ଅଚାନକ ମାଡପିଟ କରିବା ସହିତ ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ କୁର୍ବାନ ଙ୍କ ପିଠି ପଛର ବାମ ପାର୍ଶ୍ବରେ ଗଭୀର ଆଘାତ ଲାଗିଛି। ଘଟଣା ଘଟିବା ପରେ ତୁରନ୍ତ ଗୁରୁତର ଆହତ ଯୁବକ ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତୁରନ୍ତ ତାଙ୍କୁ ବୁର୍ଲା ଭିମସାର କୁ ନିଆଯାଇ ଚିକିତ୍ସା କରାଯାଇଛି। ପରିବାଗବର୍ଗଙ୍କ ଅଭିଯୋଗ ଅନୁଯାୟୀ ଜମିକୁ ନେଇ ବିବାଦ ଚାଲିଥିବା ବେଳେ ଆକ୍ରମଣ କରିଥିବା ଯୁବକ ଦେଖି ନେବେ ବୋଲି ଧମକ ଦେଇଥିବା ବେଳେ ଆଜି ଏହି କାଣ୍ଡ ଭିଆଇଛନ୍ତି। ଏ ନେଇ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ସବୁ ସମୟ ଭଳି ଘଟଣାର ତଦନ୍ତ କରୁଛି ଏବଂ ଅଭିଯୁକ୍ତ ଫେରାର ହୋଇଯାଇଛି।

ସୂଚନାଯୋଗ୍ୟ ଯେ, ଧନୁପାଲି ଥାନାଞ୍ଚଳରେ ପୁଲିସର ଅପରାଧି ମାନଙ୍କୁ ଅଭୟଦାନ ମିଳିଥିବାରୁ ସେମାନେ ଜିଲା ପୁଲିସ ମୁଖ୍ୟାଳୟ ନିକଟରେ ମଧ୍ୟ ଅପରାଧିକ ଗତିବିଧି ଭିଆଇବା ପାଇଁ ପଛଘୁଞ୍ଚା ଦେଉ ନାହାନ୍ତି। ଗତ ୧୫ ତାରିଖରେ ଚାରଭାଟି ଅଞ୍ଚଳରୁ ଜଣେ ଯୁବକ ଙ୍କୁ ତାଙ୍କର ଘର ମଧ୍ୟରୁ ଅପହରଣ କରି ଆଣି ଚାଉଁରପୁର ବ୍ରିଜ ଉପରେ ଜଘନ୍ୟ ଭାବରେ ମରଣାନ୍ତକ ଆକ୍ରମଣ କରି ପୋଲ ତଳକୁ ଫିଙ୍ଗିବାର ଉଦ୍ୟମ କରିଥିବା ବେଳେ ସୌଭାଗ୍ୟବଶତଃ ଉକ୍ତ ଯୁବକ ଗୁରୁତର ଆହତ ହୋଇ ରାସ୍ତା କଡରେ ରହିଯାଇଥିଲେ। ସେହି ଘଟଣାରେ ୭ ଜଣ ଯୁବକ ସଂପୃକ୍ତ ଏବଂ ଏକ ଧଳା ରଙ୍ଗର କାର ରହିଥିବାର ପୁଲିସ ତଦନ୍ତରୁ ଜାଣି ପାରିଥିବା ବେଳେ କିନ୍ତୁ ମାତ୍ର ଦୁଇ ଜଣ ସାଥି ମାନଙ୍କୁ ଧରି ପୁଲିସ ତାର କାମ ସାରିଦେଇଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ୪ ଜଣ ସାଥି ଏବଂ ବ୍ୟବହୃତ କାରକୁ ଧରିବାର ପ୍ରୟାସ ସୁଦ୍ଧା କରୁ ନାହିଁ। ଏଭଳି ସିଂହଭାଗ ସଙ୍ଗୀନ ମାମଲା ଗୁଡିକର ସ୍ଥିତି ଉଣା ଅଧିକେ ସମାନ ରହିଥିବା ଏବଂ ଅପରାଧି ମାନେ ଆରାମରେ ଖସି ଯାଉଥିବାରୁ ସହରରେ ଅପରାଧି ଗ୍ରାଫ ଦିନକୁ ଆଶାତୀତ ଭାବରେ ବୃଦ୍ଧି ପାଇଛି ଏବଂ ତାହା ଥମିବାର ନାମ ନେଉ ନାହିଁ। ଯାହାକି ପୁଲିସର ଅପରାଧିଙ୍କୁ ଅଭୟଦାନ ଦେଇଥିବାର ଭଳି ପ୍ରତୀତ ହେଉଛି ବୋଲି ସହରବାସୀ ଅଭିଯୋଗ କରୁଛନ୍ତି।

Comments are closed.