ନୂଆଁଖାଇ : ସମଲେଇ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇରେ ଶ୍ରଦ୍ଧାଳୁ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତା ୧୧ ତାରିଖ ଶନିବାର ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପୂର୍ବାହ୍ଣରେ ନବାନ୍ନ ଭୋଗ ଲାଗି ପରେ ଅପରାହ୍ଣ ସାଢ଼େ ୧୨ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏ କରୋନା କଟକଣାରେ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ତେବେ, ମନ୍ଦିରକୁ କୌଣସି ପୂଜା ସାମଗ୍ରୀ ନେଇପାରିବେ ନାହିଁ। ଏହାସହିତ ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ଆଲୋକ ଓ ଶବ୍ଦ ବ୍ୟବସ୍ଥାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା କାର୍ୟ୍ୟକ୍ରମ ରହିଛି।
ନୂଆଁଖାଇରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ପରେ ଅଞ୍ଚଳବାସୀ ଘରେ ଘରେ ନବାନ୍ନ ଭକ୍ଷଣ କରିବା ସହ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥାନ୍ତି। ଏହି ତିଥିରେ ମନ୍ଦିରରେ ପ୍ରବଳ ଭିଡ଼ ଜମିଥାଏ। ସଂକ୍ରମଣ ହ୍ରାସ ତଥା କଟକଣା କୋହଳକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ଶ୍ରୀ ଶ୍ରୀ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସକାଶେ ଅପରାହ୍ଣ ସାଢ଼େ ୧୨ରୁ ସନ୍ଧ୍ୟା ସାଢ଼େ ୫ ପର୍ୟ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଥିବା ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ସୂଚନା ଦେଇଛନ୍ତି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସକାଳ ୧୦:୧୫ ମି. ରୁ ୧୦:୨୫ ମି. ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବାକୁ ଲଗ୍ନ ଧାର୍ୟ୍ୟ କରାଯାଇଛି। ମନ୍ଦିର ଭିତରକୁ ଧାଡ଼ିରେ ପ୍ରବେଶ କରିବା ସହ ମୁଖ୍ୟ ଫାଟକରେ ହସ୍ତ ବିଶୋଧନ, ସାମାଜିକ ଦୂରତ୍ବ ତଥା ବାଡ଼ରେ ତୁଣ୍ଡି ପିନ୍ଧି ସମସ୍ତେ ଯିବେ। ଭକ୍ତମାନଙ୍କୁ ଦୀପ, ଧୂପ, ନଡ଼ିଆ, ଭୋଗ ଆଦି ନେବାକୁ ବାରଣ କରାଯାଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ଶିଶୁଙ୍କୁ ମନ୍ଦିରକୁ ନଆସିବାକୁ ସଭାପତି ଶ୍ରୀ ବାବୁ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ ଯେ, କରୋନା ଦ୍ବିତୀୟ ଲହର ପରେ ଗତ ଅଗଷ୍ଟ ୩ ତାରିଖ ତିନି ମାସର ବ୍ୟବଧାନ ପରେ ଶ୍ରଦ୍ଧାଳୁଙ୍କ ପାଇଁ ସମଲେଶ୍ବରୀ ମନ୍ଦିର ଖୋଲିଥିଲା। କରୋନା କଟକଣା ମଧ୍ୟରେ ସକାଳ ସାଢ଼େ ୬ରୁ ସାଢ଼େ ୧୧ ଏବଂ ଅପରାହ୍ଣ ସାଢ଼େ ୩ରୁ ସାଢ଼େ ୫ ପର୍ୟ୍ୟନ୍ତ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ରହିଛି। ସୋମବାର ବିଶୋଧନ ସକାଶେ ମନ୍ଦିର ବନ୍ଦ ରହୁଛି।

ଷୋଡ଼ଶ ଶତାଦ୍ଦୀରେ ନିର୍ମିତ ସମଲେଇଙ୍କ ପୀଠ ଓଡ଼ିଶା ତଥା ପଡ଼ୋଶୀ ଛତିଶଗଡ଼ର ଅନ୍ୟତମ ପ୍ରମୁଖ ତୀର୍ଥ କ୍ଷେତ୍ର। ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରର ବହୁସଂଖ୍ୟକ ଭକ୍ତ ଓ ପର୍ୟ୍ୟଟକ ଏଠାକୁ ଆସିଥାନ୍ତି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ମନ୍ଦିରରେ ଆଲୋକ ଓ ଧ୍ବନି ବ୍ୟବସ୍ଥାକୁ ନୂଆଁଖାଇ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସି ଜରିଆରେ ଉଦ୍‌ଘାଟନ କରିବେ ବୋଲି ମନ୍ଦିର ଟ୍ରଷ୍ଟ ସଭାପତି ଶ୍ରୀ ବାବୁ ସୂଚନା ଦେଇଛନ୍ତି। କୋଣାର୍କ ସୂର୍ୟ୍ୟ ମନ୍ଦିର ଢାଞ୍ଚାରେ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ଏହି ଶୋ ୩୦ ମିନିଟ ଅବଧିର ରହିବ। ମନ୍ଦିର ପରିସରସ୍ଥ ସମଲେଶ୍ବରୀ ଭବନ ସମ୍ମୁଖରେ ଏହାର ପରଦା ବସିଥିବାବେଳେ ଲେଜର୍‌ ଶୋ’ରେ ସମଲେଶ୍ବରୀ ମନ୍ଦିର ଓ ହାତୀଦ୍ବାର ଉପରେ ପ୍ରତିଫଳିତ ହେବ। ମା’ ସମଲେଶ୍ବରୀଙ୍କ ଗାଥା, ସମ୍ବଲପୁର ଇତିହାସ, ସ୍ବାଧୀନତା ସଂଗ୍ରାମ, ସଂସ୍କୃତି ଓ ପରଂପରାକୁ ଆଦିକୁ ନେଇ ଏହାର କଥାବସ୍ତୁ ପ୍ରସ୍ତୁତ କରାଯାଇଛି। ୨୦୧୭ ମସିହାରେ ଏହି ପ୍ରକଳ୍ପ ସକାଶେ ରାଜ୍ୟ ସରକାର ଘୋଷଣା କରିବା ସହ ୭ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରକଳ୍ପ ଦାୟିତ୍ବ ‘ଟ୍ରାଇକଲର୍‌ ଇଣ୍ଡିଆ’ ସଂସ୍ଥାକୁ ଦିଆଯାଇଥିଲା।

Comments are closed.