ଆଜାଦୀର ଅମୃତ ମହୋତ୍ସବ ପାଳନ କରିବ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ

ସମ୍ବଲପୁର: ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଅର୍ନ୍ତଗତ ଓଡିଶା ସେକ୍ଟରର ସମ୍ବଲପୁର ଗ୍ରୁପ କେନ୍ଦ୍ରର କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଦ୍ୱାରା ଆଗାମୀ ଦିନରେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରାଯିବ। ଆସନ୍ତା ୧୩ ଅଗଷ୍ଟ ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ କେରିପୁ ଦ୍ୱାରା ବିଭିନ୍ନ ପ୍ରକାରର ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଗ୍ରୁପ କମାଣ୍ଡାନ୍ଟ ପ୍ରମୋଦ କୁମାର ସାହୁ କହିଛନ୍ତି। ମଙ୍ଗଳବାର ସେ ଆହୁରୀ କହିଛନ୍ତି ଯେ, କେରିପୁ ବିଶ୍ୱର ସବୁଠାରୁ ବଡ ପାରା ମିଲିଟାରୀ ଫୋର୍ସ ହୋଇଥିବା ବେଳେ ଏହା ଦେଶର ସର୍ବପୁରାତନ ଫୋର୍ସ ଅଟେ। ଏହାର ସ୍ଥାପନାର ୮୨ ବର୍ଷର ବିତି ଯାଇଥିବା ବେଳେ ଦେଶର ଅଭ୍ୟନ୍ତରିଣ ସୁରକ୍ଷା ନିମନ୍ତେ ସମସ୍ତ ଅଞ୍ଚଳରେ ଏହା କାର୍ଯ୍ୟରତ ଅଟେ। ମାତ୍ର ଗୋଟିଏ ବାଟାଲିୟନରୁ ଆରମ୍ଭ ହୋଇଥିବା ଏହି ଫୋର୍ସରେ ଏବେ ୨୪୭ଟି ବାଟାଲିୟନ ଦେଶରେ ନିରନ୍ତର କାର୍ଯ୍ୟରତ ରହିଛନ୍ତି। ବିଗତ ଦିନରେ କରୋନାର ମୁକାବିଲା ନିମନ୍ତେ ମଧ୍ୟ କେରିପୁ ଅଗ୍ରଣୀ ଧାଡିରେ ରହି ନିରନ୍ତର ତାର ଦାୟିତ୍ୱ ନିର୍ବାହ କରି ଆସୁଛି।

କରୋନା ସଙ୍କଟ ସମୟରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ନିମନ୍ତେ ସମସ୍ତେ ସଚେତନ ରହିବା ନିତାନ୍ତ ଆବଶ୍ୟକ ହୋଇଥିବାରୁ ଏହାକୁ ପ୍ରାଧାନ୍ୟ ଦେଇ ଆଗାମୀ ଦିନରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାନ କେରିପୁ ଆୟୋଜିତ କରିବ। ଏହି କ୍ରମରେ ସମ୍ବଲପୁର ଗ୍ରୁପ ୧୨ ବିଏନ ତରଫରୁ ସାମାଜିକ ଦାୟିତ୍ୱ ନିର୍ବାହ ଓ ଫିଟ ଇଣ୍ଡିଆ ଫ୍ରିଡମ ରନ ୨.୦ ଅର୍ନ୍ତଗତ ‘ଫିଟନେଓ କି ଡୋଜ ଆଧା ଘଣ୍ଟା ରୋଜ’ ସକାଶେ ଆସନ୍ତା ୧୩ ତାରିଖରେ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏ ଙ୍କ ସ୍ମାରକୀ ଠାରୁ ମହାନଦୀର ଦ୍ୱିତୀୟ ସେତୁ ପର୍ଯ୍ୟନ୍ତ ସକାଳ ୬ଟାରୁ ୱାକାଥନ, ୧୯ ତାରିଖରେ ସକାଳ ୬ଟାରୁ ଜେଲ ଛକ ସ୍ଥିତ ବୀର ସୁରେନ୍ଦ୍ର ସାଏ ଙ୍କ ସ୍ମାରକୀ ଠାରୁ ମାଁ ସମେଲଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ସାମୁହିକ ଦୌଡ, ଆସନ୍ତା ସେପ୍ଟେମ୍ବର ୭ ତାରିଖ ସକାଳ ୬ଟାରୁ ସମଲେଶ୍ୱରୀ ମନ୍ଦିର ଠାରୁ କମିଶନର କଲୋନୀ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ସାମୁହିକ ଦୌଡ ଏବଂ କମିଶନର କଲୋନୀ ସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରୁ ଅକ୍ଟୋବର ୨ ତାରିଖରେ ସକାଳ ୬ଟାରୁ ଯୋଗ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମରେ ସାଧାରଣ ଜନତା ଭାଗ ନେଇ ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ସଚେତନ ହୋଇ ପାରିବେ। କାର୍ଯ୍ୟକ୍ରମ ଗୁଡିକରେ ଅଞ୍ଚଳର କ୍ରିଡାବିତ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସାମିଲ ହେବା ପାଇଁ ଆମନ୍ତ୍ରଣ କରାଯିବ। ଏଣୁ ଆଗାମୀ ଦିନରେ ଆୟୋଜିତ ହେବାକୁ ଏହି କାର୍ଯ୍ୟକ୍ରମ ଗୁଡିକରେ ଅଧିକରୁ ଅଧିକ ଜନତା ଭାଗ ନେଇ ସୁସ୍ଥ ସ୍ୱାସ୍ଥ୍ୟ ନିମନ୍ତେ ସଚେତନ ହୁଅନ୍ତୁ ବୋଲି କମାଣ୍ଡାନ୍ଟ ସାହୁ କହିଛନ୍ତି। କୋଭିଡ ନିୟମାନୁଯାୟୀ ଏହି ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ପାଳନ କରାଯିବ ବୋଲି କେରିପୁ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.