MEllora 950×100

ହୀରାକୁଦରେ ଇକୋ ରିଟ୍ରିଟ ଉଦଘାଟିତ

ପର୍ଯ୍ୟଟନକୁ ପ୍ରୋତ୍ସାହିତ ପାଇଁ ୩ ମାସ ସୁବ୍ୟବସ୍ଥା

ସମ୍ବଲପୁର  : ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପ ଏବଂ ସ୍ଥାନୀୟ ଦର୍ଶନୀୟସ୍ଥଳ ଗୁଡିକୁ ପ୍ରୋତ୍ସାହିତ କରିବା ନିମନ୍ତେ ୨୦୧୯ ମସିହାରେ ‘ଇକୋ ରିଟ୍ରିଟ’ ଯୋଜାନ ଆରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ସହିତ ପ୍ରଚାର ପ୍ରସାର କରାଯାଇ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଏହି ରିଟ୍ରିଟ କେନ୍ଦ୍ର ଗୁଡିକରେ ଆର୍ନ୍ତଜାତୀୟସ୍ତରର ସୁଖ ଓ ସୁବିଧା ପ୍ରଦାନ କରାଯାଉଛି। ପର୍ଯ୍ୟଟକ ମାନଙ୍କୁ ପ୍ରାକୃତିକ ପରିବେଶ ମଧ୍ୟରେ ଏହି ରିଟ୍ରିଟ କେନ୍ଦ୍ର ଗୁଡିରରେ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଏହି କ୍ରମରେ ରାଜ୍ୟ ସରକାର ଗୁରୁବାର ‘ଇକୋ ରିଟ୍ରିଟ’ ର ୪ର୍ଥ ସଂସ୍କରଣକୁ ଆରମ୍ଭ କରିଛନ୍ତି।

ସମ୍ବଲପୁରର ହୀରାକୁଦ ସମେତ ଭିତରକନିକା, ସାତକୋଶିଆ, ଦାରିଙ୍ଗିବାଡି, ସୋନପୁର ଓ କୋରାପୁଟର ପୁଟସିଲ ଠାରେ ସମୁଦାୟ ୬ଟି ରିଟ୍ରିଟ କେନ୍ଦ୍ର ଗୁଡିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାଷି ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି। ସମ୍ବଲପୁରର ହୀରାକୁଦ ଠାରେ ସକାଳ ୧୧ଟାରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ, ଜିଲାପାଳ ଅନନ୍ୟା ଦାସ, ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧର ଅତିଥି ରୂପେ ଯୋଗ ଦେଇଥିଲେ।

ଏହି ଅବସରରେ ଯୋଗ ଦେଇ ଆରଡିସି ଡ. ଦଳେଇ କହିଛନ୍ତି ଯେ, ସ୍ଥାନୀୟ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ଉଦ୍ୟମର ଏହା ଚତୁର୍ଥ ସଂସ୍କରଣ ଅଟେ। ଏହା ଦ୍ୱାରା ସ୍ଥାନୀୟ ପର୍ଯ୍ୟଟନସ୍ଥଳ ଗୁଡିକର ବିକାଶ ହେବା ସହିତ ବିଦେଶୀ ପର୍ଯ୍ୟଟକ ମାନଙ୍କର ଆଗମନ ଦ୍ୱାରା ଭାବ ବିନିମୟ, କଳା ଓ ସଂସ୍କୃତିର ଆଦାନ ପ୍ରଦାନ ଏବଂ ଆର୍ନ୍ତଜାତୀୟ ସ୍ତରରେ ଓଡିଶାର ପର୍ଯ୍ୟଟନସ୍ଥଳି ଗୁଡିକର ପ୍ରଚାର ପ୍ରସାର ହୋଇ ପାରିବ ବୋଲି ଡ. ଦଳେଇ କହିଛନ୍ତି।

ବିଗତ ୨ ବର୍ଷ ହେବ, ଆମ ମାନଙ୍କ ପାଇଁ ଏହା କାର୍ଯ୍ୟକାରୀ କରିବା କରୋନା ସଙ୍କଟ ପାଇଁ ଅନେକ କଷ୍ଟକର ହୋଇଥିଲା। କିନ୍ତୁ ଚଳିତ ବର୍ଷ ସେଭଳି କିଛି ଅସୁବିଧା ନ ଥିବାରୁ ଆମେ ଅଧିକ ପର୍ଯ୍ୟଟକ ମାନଙ୍କ ଆଗମନ ଆଶା କରୁଛୁ। ଏଭଳି କାର୍ଯ୍ୟକ୍ରମ ପାଇଁ ବେସରକାରୀ ସଂସ୍ଥା ମାନେ ଆଗେଇ ଆସିବା ଉଚିତ। ଏହା ଦ୍ୱାରା ସ୍ଥାନୀୟ କ୍ଷେତ୍ରରେ ନିଯୁକ୍ତି ଓ ବିକାଶ ହେବା ସହିତ ପର୍ଯ୍ୟଟନ କ୍ଷେତ୍ରରେ ରାଜ୍ୟ ଆର୍ନ୍ତଜାତୀୟ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ଜିଲାପାଳ ଅନନ୍ୟା ଦାସ କହିଥିଲେ।

ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗଙ୍କ ଏଭଳି ପ୍ରୋତ୍ସାହନ ଯୋଜନା ଗୁଡିକ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଥିବା ପର୍ଯ୍ୟଟନସ୍ଥଳ ଗୁଡିକ ବିକାଶ ହେବ ଏବଂ ଏହା ଦ୍ୱାରା ସମସ୍ତେ ଉପକୃତ ହୋଇ ପାରିବେ ବୋଲି ଏସପି ବି. ଗଙ୍ଗାଧର କହିଥିଲେ। ଚଳିତ ଥର ହୀରାକୁଦ ଇକୋ ରିଟ୍ରିଟ କେନ୍ଦ୍ରରେ ୨୫ଟି ବିଳାସପୁର୍ଣ୍ଣ ସ୍ୱତନ୍ତ୍ର କଟେଜ ସହିତ ଷ୍ଟାର ହୋଟେଲର ସୁବିଧା କରାଯାଇଛି। ସକାଳର ଜଳଖିଆ ଠାରୁ ରାତ୍ରି ଭୋଜନ ପାଇଁ ସୁସ୍ୱାଦୁ ଖାଦ୍ୟର ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକ ଇକୋ ରିଟ୍ରିଟର ମଜା ନେବା ସହିତ ସ୍ଥାନୀୟ ପର୍ଯ୍ୟଟନସ୍ଥଳ, ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଜଳ କ୍ରିଡାର ମଜା ନେବେ। ଏହି ରିଟ୍ରିଟ କେନ୍ଦ୍ର ଆଗାମୀ ୨୮ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୩ ମାସ ଧରି ଜାରି ରହିବ। ଉଦଘାଟନ କାର୍ଯ୍ୟକ୍ରମରେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ କୁମାର ବଳ, ମହାନଗର ନିଗମ କମିଶନର ପ୍ରଦୀପ ସାହୁ, ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ, ଜିଲା ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝୀ, ଜିଲା ସଂସ୍କୃତି ଅଧିକାରୀ ଦୀପକ କୁଲୁଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.