MEllora 950×100

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆନ୍ଦୋଳନରୁ ପଛଘୁଞ୍ଚା ଦେବ ନାହିଁ ଜିଲା ଓକିଲ ସଂଘ

ସମ୍ବଲପୁର: ସୁପ୍ରିମକୋର୍ଟରେ ନିଜର ପକ୍ଷ ରଖିବା ପରେ ମଙ୍ଗଳବାର ସନ୍ଧ୍ୟାରେ ସମ୍ବଲପୁର ପହଞ୍ଚିବା ପରେ ଜିଲା ଓକିଲ ସଂଘର ସଭାପତିଙ୍କ ସମେତ ପ୍ରତିନିଧି ମଣ୍ଡଳକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ପାଇଁ ଅଟଳ ରହିଛି । ଆନ୍ଦୋଳନ ଯୋଗୁଁ ଅଦାଲତର କାର୍ଯ୍ୟ ଦିନ ଦିନ ଧରି ବାଧାପ୍ରାପ୍ତ ହେଉଥିବାରୁ ଓଡିଶା ହାଇକୋର୍ଟ ରେଜିଷ୍ଟାର ଜେନେରାଲ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକାରୀ ସମସ୍ତ ଓକିଲଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ବାର କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟବାର କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଘଟଣାରେ ସମ୍ବଲପୁରରୁ ଓକିଲ ସଂଘର ୫ ଜଣିଆ ପ୍ରତିନିଧି ମଣ୍ଡଳ ପକ୍ଷ ରଖିବା ନିମନ୍ତେ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ । ସଦସ୍ୟ ମାନେ ସମ୍ବଲପୁର ଫେରିବା ପରେ ସଂଘ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯିବା ସହିତ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା । ବୈଠକ ପରେ ଜିଲା ଓକିଲ ସଂଘର ସଭାପତି ତଥା ପଶ୍ଚିମ ଓଡିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସୁରେଶ୍ୱର ମିଶ୍ର କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ମାନ୍ୟବର ସୁପ୍ରିମକୋର୍ଟଙ୍କ କୌଣସି ଲିଖିତ ଆଦେଶ ଆମର ହସ୍ତଗତ ହୋଇ ନାହିଁ । ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ସର୍ବମାନ୍ୟ ଅଟେ । ଏହା ଏହ ଜନ ଆନ୍ଦୋଳନ ଥିବାରୁ ଓକିଲ ସଂଘର ସଦସ୍ୟ ମାନେ ଗିରଫ ହେବା ସହିତ ସେମାନଙ୍କର ଲାଇସେନ୍ସ ସରେଣ୍ଡର କରିଦେବେ, ହେଲେ ହାଇକୋର୍ଟ ବେଞ୍ଚ ଦାବିରେ ପ୍ରତ୍ୟେକ ବୁଧବାର ହେଉଥିବା ଆନ୍ଦୋଳନରୁ ପଛଘୁଞ୍ଚା ଦେବେ ନାହିଁ ବୋଲି କଡା ପ୍ରତିକ୍ରିୟା ଦେଇ ଶ୍ରୀ ମିଶ୍ର କହିଛନ୍ତି ।

ଅପରପକ୍ଷରେ ଆଜି ବୁଧବାର ଥିବାରୁ ସମ୍ବଲପୁରର କିଛି ସ୍ଥାନରେ ୧୪୪ ଧାରା ଲଗାଯିବାର ସମ୍ଭାବନା ଥିବା ବେଳେ ବରିଷ୍ଠ ଆଇନଜୀବୀ ମାନଙ୍କୁ ଆଗରୁ ଅଟକ ରଖିବାର ମଧ୍ୟ ଯୋଜନା ରହିଥିବାର ବିଶ୍ୱସ୍ତସୂତ୍ରରୁ ପ୍ରକାଶ ।ଅଦାଲତର କାର୍ଯ୍ୟ ଯେଭଳି ପ୍ରଭାବିତ ନହୁଏ ସେଥିପ୍ରତି ଦୃଢ଼ ପଦକ୍ଷେପ ନେବାକୁ ଜିଲା ପ୍ରଶାସନକୁ ମାନ୍ୟବର ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ଦେଇଥିବା ବେଳେ ଏ ନେଇ ଜିଲା ପ୍ରଶାସନର ପ୍ରତିକ୍ରିୟା ଜଣାପଡି ନାହିଁ । ଏଣୁ ବୁଧବାର ଆଇନଜୀବୀ ମାନେ ଆନ୍ଦୋଳନ ପାଇଁ ଅଡି ବସିଛନ୍ତି । ପ୍ରଶାସନର ଗତିବିଧି ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବାରୁ ସ୍ଥିତି କଣ ହେବ, ତାକୁ ନେଇ ଏବେ ମଧ୍ୟ ଅସମଞ୍ଜସ୍ୟ ଲାଗି ରହିଛି । ସୂଚନାଯୋଗ୍ୟ ଯେ, ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନିମନ୍ତେ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ ସପ୍ତାହର ପ୍ରତ୍ୟେକ ବୁଧବାର ଅଦାଲତ ସମେତ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ବିଭିନ୍ନ ନାଗରିକ ସଙ୍ଗଠନ ଓ ଓକିଲ ବନ୍ଦ କରୁଛନ୍ତି । ଓକିଲ ସଂଘ ପକ୍ଷରୁ କରାଯାଉଥିବା ଆନ୍ଦୋଳନକୁ ଜିଲାର ପ୍ରାୟ ସମସ୍ତ ସଙ୍ଗଠନ ସମର୍ଥନ କରୁଛନ୍ତି ।

Comments are closed.