MEllora 950×100

ସମ୍ବଲପୁର କଚେରି ଛକରେ ପୁଲିସ ଓକିଲ ମୁହାଁମୁହିଁ

ଓକିଲ ମାନଙ୍କ ବିରୋଧ ପ୍ରଦର୍ଶନ: ସୁପ୍ରମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ବିଚାରପତି ମାନେ ଅଦାଲତକୁ ଯାଇପରିଲେନି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଓକିଲ ଓ ପୁଲିସ ମୁହାଁମୁହିଁ  ହୋଇଛନ୍ତି । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ବ ସମୟ ଧରି ବିଚାରପତିମାନେ ରାସ୍ତା ଉପରେ ଠିଆ ରହିଥିଲେ । ବିଚାରପତି ମାନଙ୍କୁ ରାସ୍ତା ଦେବାକୁ ଉଦ୍ୟମ ସମୟରେ କିଛି ସମୟ ପାଇଁ ପୁଲିସ ଓକିଲଙ୍କ ମଧ୍ୟରେ ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା । ଜିଲ୍ଲା ଜଜଙ୍କ ଉପସ୍ଥିତିରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

କୌଣସି ବି ହିସାବରେ ଜଜ୍ ମାନଙ୍କୁ କୋର୍ଟ ପରିସରକୁ ନେବା ପାଇଁ ପ୍ରଶାସନ କରିଥିବା ବ୍ୟବସ୍ଥା ବି କାମ କରିନଥିଲା । ବ୍ୟାପକ ପୁଲିସ ମୁତୟନ  ସତ୍ତ୍ୱେ  ମଧ୍ୟ ନା ଜିଲ୍ଲାପାଳ ଅଫିସ୍ ଯାଇପାରିଲେ ନା ଜଜ୍ ମାନେ କୋର୍ଟ ଯାଇପାରିଲେ । ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି । ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘ ବର୍ଷ ଧରି ଆନ୍ଦୋଳନ ଚାଲୁ ରହିଛି ।

ଏପରିକି ସପ୍ତାହର ପ୍ରତ୍ୟେକ ବୁଧବାର କୋର୍ଟ କଚେରି ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରୁଛନ୍ତି ବିଭିନ୍ନ ସଂଘ । ଓକିଲ ସଂଘର ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ଜିଲ୍ଲାର ପ୍ରାୟ ସମସ୍ତ ସଂଘ । ଆନ୍ଦୋଳନ ଯୋଗୁଁ କୋର୍ଟ କାର୍ଯ୍ୟ ଦିନ ଦିନ ଧରି ବାଧାପ୍ରାପ୍ତ ହୋଇଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନକାରୀ ସମସ୍ତ ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ବାର୍ କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହି ଘଟଣାରେ ସମ୍ବଲପୁର ଓକିଲସଂଘର ପାଞ୍ଚ ଜଣ ସଦସ୍ୟ ପକ୍ଷ ରଖିବା ପାଇଁ ଦିଲ୍ଲୀ ଯାଇଥିଲେ ।

ଓକିଲ ସଂଘର ସଦସ୍ୟ ମାନେ ଗିରଫ ହେବେ ଓ ସେମାନଙ୍କ ଲାଇସେନ୍ସ ସରେଣ୍ଡର ପଛେ କରିଦେବେ ହେଲେ ହାଇକୋର୍ଟ ବେଞ୍ଚ ଦାବିରେ  ହେଉଥିବା ଆନ୍ଦୋଳନରୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ତଥା ପଶ୍ଚିମ ଓଡ଼ିଶା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ସଦସ୍ୟ ସୁରେଶ୍ୱର ମିଶ୍ର । କୋର୍ଟ କାର୍ଯ୍ୟ ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଢ଼ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ ।

Comments are closed.