ଦାନୀପାଲି ଭୁଜାଲି ମାଡ଼ ଘଟଣା, ରେଳବାଇ ଇଞ୍ଜିନିୟର ସମେତ ୫ ଗିରଫ

ଅପରାଧୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ : ଏସପି

ସମ୍ବଲପୁର: ଗତ ରବିବାର ୨୧ ତାରିଖ ରାତି ପ୍ରାୟ ୯ଟା ସମୟରେ ଅଇଁଠାପାଲି ଥାନା ଅନ୍ତର୍ଗତ ଦାନୀପାଲି ନିବାସୀ ରିଙ୍କି ଝା (୨୫)ଙ୍କ ଘରକୁ ପ୍ରବେଶ କରି ତାଙ୍କ ମାଁଙ୍କୁ ଭୁଜାଲି ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦାନୀପାଲି ଗୋପାଳମାଲ ନିବାସୀ ଶିବଶଙ୍କର ବାଗ ଓରଫ ଶିବା (୩୪), ଟାଉନ ଥାନା ମାଲିପଡା ଫାଟକ ନିବାସୀ ସନ୍ତୋଷ କୁମାର ପ୍ରଜାପତି (୫୦), ଏଲଆଇସି କଲୋନୀ (ଧନୁପାଲି ଥାନା) ନିବାସୀ ଅଙ୍କିତ ସିଂହ (୨୬), ପୁଟିବନ୍ଧ କୁମ୍ଭାରପଡା (ଧନୁପାଲି ଥାନା) ନିବାସୀ ମନୋରଞ୍ଜନ ମହାକୁଡ (୩୦) ଏବଂ କ୍ଷେତରାଜପୁର ଥାନା ଷ୍ଟେସନପଡା ନିବାସୀ କୁନୁ ହରିପାଲ (୫୦) ଙ୍କ ସମେତ ସମୁଦାୟ ୫ ଜଣଙ୍କୁ ପୁଲିସ ଗିରଫ କରିଥିବା ଏସପି ବାଟ୍ଟୁଲା ଗଙ୍ଗାଧର ଗୁରୁବାର ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅଭିଯୁକ୍ତ ମାନଙ୍କଠାରୁ ପୁଲିସ ଏକ ଭୁଜାଲି, ନଗଦ ୮ ହଜାର ୪ ଶହ ଟଙ୍କା ଏବଂ ଦୁଇଟି ନମ୍ବର ବିହୀନ ବାଇକ ଜବତ କରିଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଥିବା ଏସପି ଶ୍ରୀ ଗଙ୍ଗାଧର ସୂଚନା ଦେଇଛନ୍ତି। ଭୁଜାଲି ମାଡ଼ ଘଟଣା ପରେ ଏନେଇ ମାମଲା ନଂ ୧୪୯/୨୦୨୧ ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ଦାନୀପାଲିରେ ଘଟିଯାଇଥିବା ଭୁଜାଲି ମାଡ଼ ଘଟଣା ପଛରେ ରିଏଲ ଇଷ୍ଟେଟ ବ୍ୟବସାୟିକ ବିବାଦ ରହିଥିବା ସମ୍ପର୍କରେ ଦୈନିକ ‘ସମାଜ’ରେ ଖବର ପ୍ରକାଶିତ ହୋଇଥିଲା।
ସୂଚନା ଅନୁଯାୟୀ, ତଦନ୍ତ ସମୟରେ ରେଳବାଇ ଇଞ୍ଜିନିୟର ସନ୍ତୋଷ କୁମାର ପ୍ରଜାପତିଙ୍କ ପତ୍ନୀ ଓ ଗୋପାଲମାଲ ଦାନୀପାଲି ନିବାସୀ ଡବ୍ଲୁ ଝା ମିଶି ପାର୍ଟନରସିପରେ ରିଏଲ ଇଷ୍ଟେଟ୍‌ ବ୍ୟବସାୟ ଆରମ୍ଭ କରି ସ୍ଥାନୀୟ କାଇଁଶିରରୋଡସ୍ଥିତ ମମତା ଭବନରେ ମାଁ ସମଲେଶ୍ୱରୀ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥ ଭାଗବଣ୍ଟାକୁ ନେଇ ବିବାଦ ହେବାରୁ ସେମାନେ ଅଚାନକ ବ୍ୟବସାୟ ବନ୍ଦ କରି ଦେଇଥିଲେ। ବ୍ୟବସାୟରେ ଲଗାଇଥିବା ୧୧ ଲକ୍ଷ ଟଙ୍କା ସନ୍ତୋଷ ପାଇବାକୁ ବାକି ରହିଥିବାବେଳେ ଡବ୍ଲୁ ତାହା ଦେଉନଥିବାରୁ ସେ ଡବ୍ଲୁ ଝା ଓ ପରିବାରବର୍ଗଙ୍କଠାରୁ ଅର୍ଥ ଆଦାୟ କରିବା ସହିତ ପ୍ରତିଶୋଧ ନେବାପାଇଁ ଅପରାଧୀକ ଷଡ଼ଯନ୍ତ୍ର କରିଥିଲେ। ଏଣୁ ସେ ଗୋପାଲମାଲନିବାସୀ ଶିବ ଶଙ୍କର ବାଗ ଓ ସାଥୀ ମାନଙ୍କୁ ଅଗ୍ରିମ ୧୦ ହଜାର ଟଙ୍କା ସୁପାରି ଦେଇଥିଲେ। ଏସପି ଗଙ୍ଗାଧର ଆହୁରି କହିଛନ୍ତି ଯେ, ବ୍ୟବସାୟରେ ଲଗାଯାଇଥିବା ଅର୍ଥ ଆଦାୟ ପାଇଁ ଅଭିଯୁକ୍ତ ସନ୍ତୋଷ କୁମାର ଷ୍ଟେସନପଡ଼ାନିବାସୀ କୁନୁ ହରିପାଲ ଓରଫ୍‌ ଅମିତାଭଙ୍କ ଜରିଆରେ ଝା ପରିବାର ସହିତ କଥାବାର୍ତ୍ତା କରୁଥିଲେ। କିନ୍ତୁ କୌଣସି ନିଷ୍କର୍ସ ନବାହାରିବାରୁ ସନ୍ତୋଷ ଓ କୁନୁ ସୁପାରି ଦିଆଯାଇଥିବା ଶିବା ବାଗ ଓ ସାଥି ଅଙ୍କିତ ସିଂହ, ଆଶିଷ ବାଗ, ମନୋରଞ୍ଜନ ମହାକୁଡ ଏବଂ ଅନ୍ୟ ମାନଙ୍କୁ ଡବ୍ଲୁ ଝାଙ୍କ ଘରକୁ ଯାଇ ପରିବାରବର୍ଗକୁ ମରଣାନ୍ତକ ଆକ୍ରମଣ ପାଇଁ କହିଥିଲେ। ଏଣୁ ସେମାନେ ଝାଙ୍କ ପରିବାର ଉପରେ ରବିବାର ସନ୍ଧ୍ୟାରେ ମରଣାନ୍ତକ ଆକ୍ରମଣ କରିଥିଲେ। ତଦନ୍ତ ସମୟରେ ଶିବା ବାଗ ନାମରେ ୩୦ଟି ମାମଲା ବିଭିନ୍ନ ଥାନାରେ ରହିଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ସମାଜ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଏସପି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ରବିବାର ସନ୍ଧ୍ୟାରେ ଦାନିପାଲିଠାରେ ଅଭିଯୁକ୍ତ ମାନେ ମହିଳାଙ୍କ ଘରକୁ ପ୍ରବେଶ କରି ମରଣାନ୍ତକ ଆକ୍ରମଣ କରିଥିବାବେଳେ ତାର କିଛିସମୟ ପୂର୍ବରୁ କ୍ଷେତରାଜପୁର ଥାନାଞ୍ଚଳରେ ଜଣେ ଯୁବକଙ୍କୁ ବେଲ୍ଟରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିବା ସହିତ ଅନ୍ୟଜଣେ ବ୍ୟକ୍ତିଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ସମ୍ବଲପୁରରେ ବାରମ୍ବାର ଅପରାଧୀକ ଘଟଣା ଘଟୁଥିବା ବେଳେ ବିଗତ ଦିନରେ କୋଭିଡ କଟକଣା ଯୋଗୁଁ ପୁଲିସକୁ ଅନେକ ପ୍ରକାରର ବୈଷୟିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। କିନ୍ତୁ ଏବେ କୋଭିଡ କଟକଣା ସହିତ ଅନେକ ବିଷୟ ସାମାନ୍ୟ ସ୍ଥିତି ଆଡକୁ ଗତି କରୁଥିବାରୁ ପୁଲିସ ଅଭ୍ୟାସଗତ ଅପରାଧୀ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିବା ଏସପି ବି. ଗଙ୍ଗାଧର କହିଛନ୍ତି। ଅପରାଧୀ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଖୁବ ଶୀଘ୍ର ନିୟମିତ ଭାବରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟବସ୍ଥା କରାଯାଉଛି। ଅନେକ ସମୟରେ ଜନସାଧାରଣ ଅଭିଯୋଗ କରୁନଥିବା ବେଳେ ସେମାନେ ମଧ୍ୟ ପୁଲିସକୁ ସହଯୋଗ କରି ଅଭିଯୋଗ କରିବାକୁ ଆଗେଇ ଆସିଲେ ପୁଲିସକୁ ମଧ୍ୟ କଠୋର ପଦକ୍ଷେପ ନେବାରେ ଉତ୍ସାହ ମିଳିବ ବୋଲି ଏସପି ଶ୍ରୀ ଗଙ୍ଗାଧର ଜନତାଙ୍କୁ ଅପିଲ କରିଛନ୍ତି।

Comments are closed.