ପାର୍ବଣ ପାଇଁ ପୂଜା କମିଟି-ପୁଲିସ ସମନ୍ନୟ ବୈଠକ

ସମ୍ବଲପୁର: ପାର୍ବଣ ଋତୁ ଇତି ମଧ୍ୟରେ ଆରମ୍ଭ ହୋଇ ଯାଇଥିବା ବେଳେ ଦୁର୍ଗା ପୂଜା ସମେତ ଅନ୍ୟ ପର୍ବପର୍ବାଣୀ ପାଳିତ ହେବ। କରୋନା ସଙ୍କଟର ୨ ବର୍ଷ ଅନ୍ତରାଳ ପରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ଉତ୍ସବ ନିମନ୍ତେ ଜନତାଙ୍କ ସମେତ ପୂଜା କମିଟି ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦିପନା ରହିଛି। ଏଣୁ ଦୁର୍ଗା ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମନ୍ତେ ଏକ ସମନ୍ୱୟ ବୈଠକ ସ୍ଥାନୀୟ ଟାଉନ ଥାନା ପରିସରରେ ସମ୍ବଲପୁର ପୁଲିସ ଓ ପୂଜା କମିଟି ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବୁଧବାର ସନ୍ଧ୍ୟାରେ ଆୟୋଜିତ ଏହି ବୈଠକରେ ଦୁର୍ଗା ଉତ୍ସବ ସମୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ପାର୍କିଂର ବ୍ୟବସ୍ଥା, ଅସାମାଜିକ ତତ୍ୱ ଓ ନିଶା କାରବାର ଉପରେ ଅଙ୍କୁଶ, ପୂଜା ପେଣ୍ଡାଲ ମାନଙ୍କରେ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା, ସାଦା ପୋଷାକରେ ପୁଲିସ ମୃତୟନ, ଭସାଣୀ ଶୋଭାଯାତ୍ରା ଆଦି ବିଭିନ୍ନ ବିଷୟରେ ପୁଲିସ ଓ ପୂଜା କମିଟି ମାନଙ୍କର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଦୁର୍ଗା ଉତ୍ସବର ସୁପରିଚାଳନା ନିମନ୍ତେ ପ୍ରଶାସନକୁ ପୁର୍ଣ୍ଣ ସହଯୋଗ କରିବେ ବୋଲି ପୂଜା କମିଟି ମାନେ ବୈଠକରେ କହିଛନ୍ତି। ଅତିରିକ୍ତ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ତପନ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଗୁଇନ୍ଦା ଡିଏସପି ଜେମ୍ସ ସମଦ, ଏସଡିପିଓ ପ୍ରଦୀପ କୁମାର ସାହୁ, ଟ୍ରାଫିକ ଡିଏସପି ନରେନ୍ଦ୍ର ଷଡଙ୍ଗୀ, ଟାଉନ ଥାନାଧିକାରୀ ପ୍ରକାଶ କୁମାର କର୍ଣ୍ଣ, ଅଇଁଠାପାଲି ଥାନାଧିକାରୀ ଯୋଗେଶ ପଣ୍ଡା, ଧନୁପାଲି ଥାନାଧିକାରିଣୀ ଅନୀତା ପ୍ରଧାନ, କ୍ଷେତରାଜପୁର ଥାନାଧିକାରିଣୀ ମମତା ନାୟକ ଙ୍କ ସମେତ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Comments are closed.