ଲୋକ ସେବା ଭବନକୁ ସମ୍ବଲପୁରରୁ ପବିତ୍ର ଜଳ ଓ ମାଟି ପ୍ରେରଣ

ସମ୍ବଲପୁର: ସମ୍ବଲପୁର ଜିଲାର ପ୍ରମୁଖ ନଦୀ ମହାନଦୀର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ସମ୍ବଲପୁର ଆଗମନ କରିଥିବା ସ୍ଥଳରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନକୁ ପ୍ରେରଣ କରାଯାଇଛି। ପବିତ୍ର ସ୍ଥାନରେ ପୂଜାର୍ଚ୍ଚନା ପରେ ଜଳ ଓ ମାଟି ସଂଗ୍ରହ କରାଯାଇଛି। ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଲୋକ ସେବା ଭବନ ଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଲୋକ ସେବା ପ୍ରାଙ୍ଗଣରେ ପିପଳ ଗଛ ଚାରା ରୋପଣ କରାଯିବ। ସେଠାରେ ସମ୍ବଲପୁର ସମେତ ରାଜ୍ୟର ସମସ୍ତ ୩୦ ଜିଲାରୁ ଆସିଥିବା ଜଳ ଓ ମାଟିକୁ ସଂଗୃହିତ କରି ଗୋଟିଏ ସ୍ଥାନରେ ଚାରାରୋପଣ କରାଯିବ। ସମ୍ବଲପୁର ଠାରେ ଜଳ ଓ ମାଟି ସଂଗ୍ରହ କାର୍ଯ୍ୟକ୍ରମରେ ସଦର ଉପ ଜିଲାପାଳ ପ୍ରଭାସ ଦଣ୍ଡସେନା, ଜିଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ସହକାରୀ ଜିଲାପାଳ ସୁଶାନ୍ତ ସାହୁ, ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ଫକୀର ମୋହନ ମାଝୀ, ପ୍ରଫୁଲ୍ଲ ହୋତା, ସରୋଜ କୁମାର ଦାଶ, ରାମଦାସ ପଣ୍ଡା, ଦୀପକ ପଣ୍ଡା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

Comments are closed.