ସମଲେଇ ବିହାର ମାର୍ଗର ବିକଳ ଚିତ୍ର : ଜନତା ହନ୍ତସନ୍ତ, ବଢ଼ୁଛି ଅସନ୍ତୋଷ          

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ହେବାର ୯ ବର୍ଷ ବିତିଯିବା ସତ୍ୱେ ଆଜି ପର୍ଯ୍ୟନ୍ତ ମୁଖ୍ୟ ସହରବାସୀ ଏହାର ସୁବିଧା ପାଇ ନ ଥିବା ବେଳେ ନଗର ନିଗମରେ ସାମିଲ ହୋଇଥିବା ହୀରାକୁଦ ଓ ବୁର୍ଲା ବିଜ୍ଞାପିତ ଅଞ୍ଚଳ ସମେତ ଗ୍ରାମାଞ୍ଚଳ ଗୁଡିକର ଅବସ୍ଥା ନକହିବା ଭଲ । ନିଗମ ଅର୍ନ୍ତଗତ ୱାର୍ଡ ସଂଖ୍ୟା ୧୩ରେ ରହିଥିବା ସମଲେଇ ବିହାରର ରାସ୍ତାର ବିକଳ ଚିତ୍ର ଦେଖିଲେ କହି ହେଉ ନାହିଁ କି ସହି ହେଉ ନାହିଁ । ସ୍ଥାନୀୟ ପାଞ୍ଚଗଛିଆ ଛକ ଦେଇ ଯାଇଥିବା ଜାତୀୟ ରାଜପଥ ସଂଖ୍ୟା ୫୩ କଡରେ ଥିବା ସମଲେଇ ବିହାର ଅଞ୍ଚଳରେ ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ, ଗୋଦାମ ସମେତ ଘଞ୍ଚ ଜନବସତି ରହିଛି । ଦୈନିକ ହଜାର ହଜାର ବ୍ୟକ୍ତି ଯାତାୟାତ କରୁଥିବା ବେଳେ ଉକ୍ତ ରାସ୍ତାଟି ଏବେ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡିଛି । ଦୀର୍ଘ ଦିନ ଧରି ରାସ୍ତାଟି ଖାଲଖମା ସମେତ କାଦୁଅ ପଙ୍କରେ ଭର୍ତ୍ତି ହୋଇରହିଛି ।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ଅଞ୍ଚଳର ରାସ୍ତା ବର୍ଷାଧିକ କାଳ ହେବ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଥିବାରୁ ବାରମ୍ବାର ମହାନଗର ନିଗମ ନିକଟରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୌଣସି ପ୍ରତିକାର କରାଯାଇ ନାହିଁ । ଏଥି ସହ ଅଞ୍ଚଳର ନାଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ପାରୁନାହିଁ । ଫଳରେ ଅଞ୍ଚଳର ରାସ୍ତାରେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଜଳ ଜମା ହୋଇରହୁଛି । ଏଣୁ ଛାତ୍ରଛାତ୍ରୀ ମାନଙ୍କ ସମେତ ଲୋକ ମାନେ ଯାତାୟାତ କରି ପାରୁନାହାନ୍ତି । ଆପାତକାଳୀନ ସମୟରେ ଆମ୍ବୁଲାନ୍ସ ମଧ୍ୟ ଅଞ୍ଚଳକୁ ଆସି ପାରୁ ନାହାନ୍ତି । ଏବେ କିଛି ଦିନ ହେବ ଲଗାତାର ବର୍ଷା ହେଉଥିବାରୁ ଅଞ୍ଚଳର ମୁଖ୍ୟ ରାସ୍ତା ସମେତ ଅନ୍ୟାନ୍ୟ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ ହୋଇଛି ।

ଫଳରେ ରାସ୍ତା ମରଣାଯନ୍ତାରେ ପରିଣତ ହୋଇଥିବାରୁ ଭୟରେ ବରିଷ୍ଠ ଲୋକେ ଅଞ୍ଚଳରୁ ବାହାରି ପାରୁନାହାନ୍ତି । ଛାତ୍ରଛାତ୍ରୀ, ମହିଳା ମାନଙ୍କ ସମେତ ଜନତା ଅନେକ ସମୟରେ ବାଧ୍ୟ ହୋଇ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଥିବାରୁ କୌଣସି ସମୟରେ ମଧ୍ୟ ବଡ ଅଘଟଣ ଘଟିବାର ଆଶଙ୍କା ଲାଗିରହିଛି । ନିଗମ ଅଞ୍ଚଳରେ ବିକାଶ କରାଯାଉଥିବାର ଡିମଡିମ ପ୍ରଶାସନ ପିଟୁଥିବା ବେଳେ ସମଲେଇ ବିହାର ଅଞ୍ଚଳକୁ ଦେଖିଲେ ତାହା ଫମ୍ପା ପ୍ରଚାର ବୋଲି ସ୍ପଷ୍ଟ ଜଣାପଡୁଛି । ଏଣୁ ଅଞ୍ଚଳର ରାସ୍ତା ମରାମତି ସମେତ ନାଳ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ସମଲେଇ ବିହାର ନିବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

Comments are closed.