ନିଜ କାର୍ଯ୍ୟାଳୟ ରାସ୍ତାକୁ ସଜାଡି ପାରୁନି ମହାନଗର ନିଗମ, ଅନ୍ୟ ଅଞ୍ଚଳ କଥା ପଚାରେ କିଏ

ସମ୍ବଲପୁର: ସମ୍ବଲପୁର ମହାନଗର ୨୦୧୩ ମସିହାରେ ମ୍ୟୁନିସିପାଲିଟିରୁ ନିଗମ ହେବା ପରେ ଏବେ ପର୍ଯ୍ୟନ୍ତ ଜନତାଙ୍କ ପାଇଁ ନିଗମସ୍ତରୀୟ ମୌଳିକ ସୁବିଧା ପ୍ରାପ୍ତ ସ୍ୱପ୍ନରେ ରହିଛି। ନିଗମ ଗଠିତ ହେବାର ଇତି ମଧ୍ୟରେ ୯ ବର୍ଷ ବିତିଯିବା ସତ୍ୱେ ଆଜି ପର୍ଯ୍ୟନ୍ତ ଲୋକେ ନିଜସ୍ୱ ଜନ ପ୍ରତିନିଧି ଟିଏ ପାଇ ନ ଥିବା ବେଳେ ସରକାରୀ ବାବୁ ମାନେ ଜନତାଙ୍କ ଠାରୁ ଅପହଞ୍ଚ ରହିଛନ୍ତି। ସମ୍ବଲପୁରରେ ବିକାଶ ନାମରେ ପ୍ରହସନ ଓ ସରକାରୀ ରାଜ ଚାଲିଥିବାର ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଏବେ ସାମାନ୍ୟ ବର୍ଷା ପରେ ଦୁର୍ଗାପାଲି ସ୍ଥିତ ନୂତନ ମହାନଗର ନିଗମ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତାରେ ଦୁରାବସ୍ଥା ଦେଖିଲେ କହି ହେଉ ନାହିଁ କି ସହି ହେଉ ନାହିଁ।

ଦୁର୍ଗାପାଲି ଠାରେ ମହାନଦୀ ପଠାରେ ପ୍ରାକୃତିକ ପରିବେଶ ମଧ୍ୟରେ ରାଜ୍ୟ ସରକାର ସମ୍ବଲପୁର ମହାନଗର ନିଗମ ଓ ସମ୍ବଲପୁର ଉନ୍ନୟନ କତ୍ତୃପକ୍ଷ (ଏସଡିଏ) ର ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ସୁରମ୍ୟ କାର୍ଯ୍ୟାଳୟ ନିର୍ମାଣ କରିଛନ୍ତି। ତେବେ ଏହି କାର୍ଯ୍ୟାଳୟ କୋଠା ନିର୍ମାଣ ପରେ ମଧ୍ୟ କୌଣସି ଅଧିକାରୀ କିମ୍ବା କର୍ମଚାରୀ ସହରର ଜନବସତି ଠାରୁ ଦୂରରେ ଥିବା ଏହି ସ୍ଥାନକୁ ଆସିବାକୁ ଅମଙ୍ଗ ଥିବା ବେଳେ ପୂର୍ବତନ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ କଠୋର ନିର୍ଦ୍ଦେଶ ମିଳିବା ପରେ ପ୍ରାୟ ୩ ମାସ ପୂର୍ବରୁ ସହରରେ ଥିବା ପୁରୁଣା ମ୍ୟୁନିସିପାଲ କାର୍ଯ୍ୟାଳୟରୁ ଏହା ସ୍ଥାନାନ୍ତରିତ ହୋଇ କାର୍ଯ୍ୟକ୍ଷମ ହୋଇଛି। ତେବେ ବିଡମ୍ବନାର ବିଷୟ ଯେ ବର୍ଷା ଋତୁରୁ ଯଥେଷ୍ଟ ପୂର୍ବରୁ ରିଂ ରୋଡ (ଦୁର୍ଗାପାଲି) ରୁ କାର୍ଯ୍ୟାଳୟକୁ ଯାଇଥିବା ରାସ୍ତାଟି ମାଟିର ହୋଇଥିବା ବେଳେ ତାକୁ ପିଚୁ କିମ୍ବା କଂକ୍ରିଟିକରଣ କରାଯାଇ ପାରି ନାହିଁ। ଫଳରେ ଅଧିକାରୀ ହେଉ କି କର୍ମଚାରୀ କିମ୍ବା ସାଧାରଣ ଜନତା କାଦୁଅ ପଚପଚ ମଧ୍ୟରେ ଯିବାକୁ ବାଧ୍ୟ ହେଉଛନ୍ତି। ଏଥି ସହ ଟିକିଏ ଧ୍ୟାନ ହଟିବା ମାତ୍ରେ କାଦୁଅ ମଧ୍ୟରେ ପଡ଼ିଯାଇ ଖଣ୍ଡିଆ ଖାବରା ମଧ୍ୟ ହେଉଛନ୍ତି। ରାସ୍ତା ଏତେ ଦୁରାବସ୍ଥା ଭାବରେ ରହିଛି ଯେ, ଏବେ ସାଧାରଣ ଅଟୋ ଚାଳକ ମାନେ ନିଗମ କାର୍ଯ୍ୟାଳୟକୁ ଯିବା ପାଇଁ ଅମଙ୍ଗ ହେଉଛନ୍ତି।

ଏ ସର୍ମ୍ପକରେ କମିଶନର ପ୍ରଦୀପ ସାହୁଙ୍କୁ ପଚରାଯିବାରୁ ନିଗମ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତାର ନିର୍ମାଣ ପାଇଁ ପ୍ରାୟ ୪ ମାସ ପୂର୍ବରୁ କାର୍ଯ୍ୟାଦେଶ ଦେଇ ଦିଆଯାଇଛି। କିନ୍ତୁ କିଛି ବୈଷୟିକ କାର୍ଯ୍ୟ ଯୋଗୁଁ କାର୍ଯ୍ୟର ଅଗ୍ରଗତିରେ ବିଳମ୍ବ ହେଉଛି। ଦୁର୍ଗାପାଲି ରାସ୍ତାରୁ ଏକ ଚାରି ଥାକିଆ କଂକ୍ରିଟ ରାସ୍ତା ନିର୍ମାଣ କରାଯାଉଛି। ତେବେ ବର୍ଷା ପାଇଁ ମାଟି ରାସ୍ତାଟି କାଦୁଅ ହୋଇ ଯାଇଥିବାରୁ ଏବେ ତାକୁ ତୁରନ୍ତ ଠିକ କରିବା ପାଇଁ ଆଜି କଡା ନିର୍ଦ୍ଦେଶ ଦିଆଯାଇଛି। ରାସ୍ତା ନିର୍ମାଣର ଧାର୍ଯ୍ୟ ସମୟ ଶେଷ ହୋଇ ସାରିଥିବା ବେଳେ ତାକୁ ପୁର୍ନବାର ଅଧିକ ସମୟ ଦିଆଯାଇ ତୁରନ୍ତ କାର୍ଯ୍ୟକୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ ନ ହେବ ତାହା ହେଲେ ଏଥି ପାଇଁ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଠିକାଦାର ଉପରେ ନିଆଯିବ ବୋଲି ନିଗମ କମିଶନର ସାହୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ନିଗମବାସୀ ଏବେ ପର୍ଯ୍ୟନ୍ତ ନାମରେ ମାତ୍ର ନିଗମ ଅଞ୍ଚଳରେ ରହୁଥିବା ବେଳେ ସାମାନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଲୋକେ ବାରମ୍ବାର ସର୍ବ ନିମ୍ନ ସୁବିଧା ଯଥା ରାସ୍ତା, ବିଶୁଦ୍ଧ ପାନୀୟ ଜଳ, ନାଳ, ସ୍ୱଚ୍ଛତା ଆଦି ସୁବିଧା ପାଇଁ ଦାବୀ କରିଆସୁଥିବା ବେଳେ ତାହାର ପ୍ରତିକାର ହେଉ ନାହିଁ। ଏଭଳି ଚରମ ଅବହେଳାର ଶିକାର ନିଗମରେ ସାମିଲ ହୋଇଥିବା ସମସ୍ତ ଗ୍ରାମଞ୍ଚଳରେ ପରିଲକ୍ଷିତ ହେଉଥିବା ବେଳେ ସମ୍ବଲପୁର ମୁଖ୍ୟ ସହର ମଧ୍ୟରେ ମଧ୍ୟ ଅନେକ ସ୍ଥାନରେ ନିପଟ ମଫସଲର ଦୃଶ୍ୟ ଦେଖିବାକୁ ମିଳୁଛି। ଏଣୁ ଲୋକେ ମହାନଗର ନିଗମ ନାମରେ ଠକେଇର ଶିକାର ହୋଇଥିବାର ଅନୁଭବ କରି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏଣୁ ତୁରନ୍ତ ନିଗମ ଅଞ୍ଚଳରେ ସର୍ବ ନିମ୍ନ ରାସ୍ତା, ପାନୀୟ ଜଳ ଓ ନାଳର ସୁବିଧା ପ୍ରଦାନ କରାଯାଉ ବୋଲି ସବୁ ମହଲରୁ ଦାବି କରାଯାଉଛି।

Comments are closed.