ଏପଟେ ସୁରକ୍ଷା ପାଇଁ ପୁଲିସ ବ୍ରିଫିଂ ସେପଟେ ଡକାୟତି – ଶୀତଳଷଷ୍ଠୀ ବେଳେ ବରିଷ୍ଠ ନାଗରିକଙ୍କୁ ମାଡ ମାରି ଲୁଟ, ଡକାୟତ କରିଥିଲେ ରେକି

ସମ୍ବଲପୁର-ସମ୍ବଲପୁର ସପ୍ତାହବ୍ୟାପି ବିଶ୍ୱ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇ ସାରିଥିବା ବେଳେ କରୋନାର ୨ ବର୍ଷ ଅନ୍ତରାଳରେ ଆୟୋଜିତ ହେଉଥିବା ଏହି ଭବ୍ୟ ଧାର୍ମିକ ସମାରୋହ ପାଇଁ ସହର ଏବେ ଉତ୍ସବମୁଖର । ଚଳିତ ବର୍ଷ ୨ ବର୍ଷ ପରେ ଏହି ଉତ୍ସବ ଆୟୋଜିତ ହେଉଥିବାରୁ ସହରରେ ପୂର୍ବରୁ ଢ଼ିଲା ରହିଥିବା ଆଇନଶୃଙ୍ଖଳା ବ୍ୟବସ୍ଥା ଆହୁରୀ ବିଗଡିବାର ଆଶଙ୍କା ପ୍ରଶାସନ ସହିତ ଯାତ୍ରା କମିଟି ମାନଙ୍କର ବୈଠକ ସମୟରେ ଚିନ୍ତା ପ୍ରକଟ କରାଯାଇଥିଲା । ବୈଠକରେ ଉଭୟ ପ୍ରଶାସନ ଓ ପୁଲିସ ବଡ ବଡ ପ୍ରତିଶୃତି ଦେଇଥିବା ବେଳେ କିନ୍ତୁ ତାହା ପାଣିର ଗାର ସଦୃଶ ହୋଇଛି । ଦୁଇ ଦିନ ତଳେ ଅଇଁଠାପାଲି ଥାନା ଅର୍ନ୍ତଗତ ରେମେଡ ଅଞ୍ଚଳରେ ଜଣେ ଯୁବକ ଙ୍କୁ ହତ୍ୟା କରାଯାଇଥିବା ବେଳେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ପାଇଁ ପୁଲିସ ବ୍ରିଫିଂ ଚାଲୁଥିବା ବେଳେ ସ୍ପଷ୍ଟ ଦିବାଲୋକରେ ସହରର ସ୍ପର୍ଶକାତର ଧନୁପାଲି ଥାନା ଅର୍ନ୍ତଗତ ଜାତୀୟ ରାଜପଥ କଡରେ ଥିବା ସିଟି ରେଳ ଷ୍ଟେସନ ସମ୍ମୁଖରେ ଏକ ଘରୁ ଡକାୟତି ହୋଇଛି ।

ପ୍ରାପ୍ତସୂଚନାନୁଯାୟୀ, ବରିଷ୍ଠ ନାଗରିକ ଶ୍ୟାମ ସୁନ୍ଦର ଡାଲମିଆ ଙ୍କ ସରଲାକାନୀ ସ୍ଥିତ ସିଟି ରେଳ ଷ୍ଟେସନ ସମ୍ମୁଖରେ ଏକ ତିନି ମହଲା ଘର (ଜାତୀୟ ରାଜପଥ କଡ) ରହିଛି । ଏହି ଘରର ତଳ ମହଲାରେ ବରିଷ୍ଠ ନାଗରିକ ଶ୍ୟାମସୁନ୍ଦର ଡାଲମିଆଁ, ପତ୍ନୀ ସରୋଜ ଡାଲମିଆଁ ରହିବା ସହିତ କିରାନା ଦୋକାନ ରହିଛି । ଘରର ଉପର ମହଲାରେ ପୁତ୍ର ଙ୍କ ସମେତ ପରିବାରବର୍ଗ ରହୁଛନ୍ତି । ଶୁକ୍ରବାର ଦିନ ପ୍ରାୟ ୨ଟା ୩୦ରେ ଶ୍ୟାମ ସୁନ୍ଦର କିରାନା ଦୋକାନ ଖୋଲିବା ପରେ ୨ ଜଣ ବ୍ୟକ୍ତି ଦୋକାନକୁ ସାମଗ୍ରୀ କିଣିବା ବାହାନାରେ ଆସିଥିଲେ । ଏହାର କିଛି ସମୟ ପରେ ଆହୁରୀ ୫ ଜଣ ବ୍ୟକ୍ତି ୨ଟି ପର୍ଯ୍ୟାୟରେ ଦୋକାନକୁ ଆସି ବୃଦ୍ଧ ଶ୍ୟାମସୁନ୍ଦର ଙ୍କୁ ଲୁଟିବାର ଉଦ୍ୟମ କରିବାରେ ସେ ପ୍ରତିରୋଧ କରିଥିଲେ । ଏଣୁ ତାଙ୍କୁ ତଳେ ପକାଇ ଡକାୟତ ମାନେ ପ୍ରବଳ ମାଡ ମାରିଥିଲେ । ସେହି ସମୟରେ ଶ୍ୟାମ ସୁନ୍ଦର ଙ୍କ ପତ୍ନୀ ସରୋଜ ଆସିଯିବାରୁ ତାଙ୍କୁ ମଧ୍ୟ ମାଡ ମାରି ଉଭୟ ଙ୍କୁ ବାନ୍ଧି ଦେଇଥିଲେ । ଏହା ପରେ ଦୋକାନରେ ଥିବା ୧ ଲକ୍ଷରୁ ଉର୍ଦ୍ଧ ନଗଦ ଟଙ୍କା ଓ ସେମାନେ ପିନ୍ଧିଥିବା ସୁନାଅଳଙ୍କାର ଲୁଟି ନେଇଥିଲେ । ଏହା ପରେ ଡକାୟତ ମାନେ ଉପର ମହଲାକୁ ଯାଇ ଆଲମାରୀ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଖୋଜୁଥିବା ବେଳେ ପରିବାର ଲୋକେ ଜାଣି ପାରି ପାଟି କରି ସେମାନଙ୍କୁ ଧରିବାକୁ ଉଦ୍ୟମ କରିବାରୁ ସେମାନେ ଫେରାର ମାରିଥିଲେ । ଅପରପକ୍ଷରେ ଉକ୍ତ ଘର ପରିସରରେ ଲାଗିଥିବା ସିସିଟିଭି ଓ ହାର୍ଡଡିସ୍କ ଗୁଡିକୁ ମଧ୍ୟ ଚୋର ମାନେ ଏକ ବସ୍ତାରେ ଭର୍ତ୍ତି କରି ନେଇଯିବାର ଯୋଜନାରେ ରହିଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିବାରୁ ଡକାୟତ ମାନେ ଟଙ୍କା ଓ ସୁନାଗହଣା ନେଇ ଫେରାର ମାରିଥିଲେ । ଘଟଣା ଘଟିବା ପରେ ଧନୁପାଲି ଥାନାରେ ଅଭିଯୋଗ କରାଯାଇଥିବାରୁ ପୁଲିସ ଓ ସାଇନ୍ଟିଫିକ ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ପୁଲିସ ତଦନ୍ତ କରୁଥିବା ବେଳେ କିନ୍ତୁ କୌଣସି ସୁରାକ ପୁଲିସ ହାତରେ ଲାଗି ନାହିଁ ।

ପୂର୍ବରୁ ରେକି !
ଅପରପକ୍ଷରେ ଡକାୟତ ମାନେ ପୂର୍ବରୁ ଅଞ୍ଚଳର ରେକି କରିଥିବା ବେଳେ ସେମାନେ ଆଖପାଖ ଅଞ୍ଚଳର ଦୋକାନ ବଜାର ବନ୍ଦ ହେବା ସହିତ ଚଳାଚଳ କମ ହେବା ସମୟକୁ ଅପେକ୍ଷା କରିଥିଲେ । ଏହା ପରେ ସେମାନେ ସୁଯୋଗ ଉଣ୍ଡି ବରିଷ୍ଠ ନାଗରିକ ମାନଙ୍କୁ ଦେଖି ଦୋକାନକୁ ପ୍ରବେଶ କରି ଭିତର ପଟରୁ କବାଟ ବନ୍ଦ କରି ଉଭୟ ବରିଷ୍ଠ ନାଗରିକ ମାନଙ୍କୁ ନିସ୍ତୁକ ମାଡ ମାରି ଲୁଟ କରିଛନ୍ତି ।

ଡକାୟତି ସମୟରେ ଶୀତଳଷଷ୍ଠୀ ପାଇଁ ପୁଲିସର ବ୍ରିଫିଂ ଚାଲିଥିଲା
ଚଳିତ ବର୍ଷ ଶୀତଳଷଷ୍ଠୀ ଯାତ୍ରା ୨ ବର୍ଷର ଅନ୍ତରାଳରେ ଆୟୋଜିତ ହେଉଥିବାର ପୁର୍ବରୁ ହୁଗୁଳା ଥିବା ଆଇନ ବ୍ୟବସ୍ଥା ଭୂଷୁଡି ପଡିବାର ଆଶଙ୍କା ଜନତା ବାରମ୍ବାର କରୁଛନ୍ତି । ଏଣୁ ଆଇନ ଶୃଙ୍ଖଳାକୁ ଯାତ୍ରା ସମୟରେ ସୁବ୍ୟବସ୍ଥିତ କରିବା ପାଇଁ ଜିଲା ପୁଲିସ ମୁଖିଆ ସ୍ଥାନୀୟ ରିର୍ଜଭ ପୁଲିସ ଲାଇନ ଠାରେ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଉଥିଲେ । ତେବେ ଠିକ ସେହି ସମୟରେ ସିଟି ଷ୍ଟେସନ ସମ୍ମୁଖରେ ଚୋରି ହେଉଥିବା ଘଟଣା ପୁଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁର୍ବରୁ ଅପରାଧିଙ୍କ ସହିତ ମଧୁଚନ୍ଦ୍ରିକାରେ ଲିପ୍ତ ରହିଥିବା ସମ୍ବଲପୁର ପୁଲିସ ସମ୍ପୁର୍ଣ୍ଣ ଦୁର୍ବଳ ହୋଇ ସାରିଥିବା ବେଳେ ଶୀତଳଷଷ୍ଠୀ ଯାତ୍ରା ସମୟରେ କଣ ହେବ ତାହା ସମୟ ହିଁ କହିବ ବୋଲି ସହରବାସୀ ମତ ଦେଉଛନ୍ତି ।

 

Comments are closed.