ବେଆଇନ ରେଳ ଟିକଟ ବିକ୍ରି; ୩ ଦଲାଲ ଗିରଫ           

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରେ ବେଆଇନ ଭାବରେ ତତ୍କାଳ ରେଳ ଟିକଟ ବିକ୍ରି ସମୟରେ ୩ ଜଣ ଦଲାଲ ଧରାପଡିଛନ୍ତି । ସୂଚନା ଅନୁଯାୟୀ, ରେଳବାଇ ସୁରକ୍ଷା ବଳ ଓ ରେଳବାଇ ଗୁଇନ୍ଦା ଦଳ ମିଳିତ ଭାବରେ ପେଟ୍ରୋଲିଂ କରୁଥିବା ବେଳେ ଶୁକ୍ରବାର ରେଳ ଷ୍ଟେସନର ଟିକଟ କେନ୍ଦ୍ର ନିକଟରେ ସନ୍ଦେହଜନକ ଭାବରେ ୩ ଜଣ ବ୍ୟକ୍ତି ଘୂରି ବୁଲୁଥିବା ବେଳେ ନଜରରେ ରଖିଥିଲେ । ଉକ୍ତ ବ୍ୟକ୍ତି ମାନେ ରେଳବାଇ ଏଜେନ୍ଟ ସାଜି ପୂର୍ବରୁ ରେଳ ଟିକଟ କେନ୍ଦ୍ର ସମ୍ମୁଖରେ ଲାଇନରେ ଲାଗି ପ୍ରିମିୟମ ତତ୍କାଳ ଓ ତତ୍କାଳ ଟିକଟ ହାସଲ କରି ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟକ୍ତି ମାନଙ୍କୁ ବେଆଇନ ଭାବରେ ଚଢ଼ା ଦରରେ ବିକ୍ରି କରି ଦେଉଥିଲେ । ଏଭଳି କାର୍ଯ୍ୟ ସେମାନେ ନିୟମିତ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ବାଲେଶ୍ୱରରୁ ଚେନ୍ନାଇ ଯିବା ପାଇଁ ପ୍ରିମିୟମ ଟିକଟ ବିକ୍ରି କରୁଥିବା ବେଳେ ପୁଲିସ ଦଳ ସେମାନଙ୍କୁ ଧରିଥିଲେ ।

ସମ୍ବଲପୁରର ନୟାପଡା ନିବାସୀ ତପନ ସାହୁ (୪୭), ବୁଢ଼ାରଜା ନିବାସୀ ଭୋଳା ଶଙ୍କର ମହାନା ଓ କ୍ଷେତରାଜପୁରର ପନକାପଡା ନିବାସୀ ସନ୍ଦୀପ କୁମାର ଚୌହାନ (୨୨)ଙ୍କ ନିକଟରୁ ପୁଲିସ ଚେକିଂ ସମୟରେ ୩,୨୪୦ ଟଙ୍କା ମୂଲ୍ୟର ଏକ ପ୍ରିମିୟମ ତତ୍କାଳ ଟିକଟ, ନଗଦ ୨୭୨୦ ଟଙ୍କା ଓ ଗୋଟିଏ କଳା ରଙ୍ଗର ମୋବାଇଲ ଜବତ କରିଥିଲା । ଏଣୁ ରେଳବାଇ ପୁଲିସ ମାମଲା ସଂଖ୍ୟା ସି୩ସି – ୪୫୯/୨୦୨୨ ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରିଛି ବୋଲି ଜଣାଇଛି । ପୁଲିସ ଦଳରେ ଏମ.କେ. ସାହୁ, କୁମାର ସତ୍ୟମ, ଏସ.କେ. ପଟ୍ଟନାୟକ, ଜି.ମେହେର, ଆର.କେ. ମିଶ୍ର ପ୍ରମୁଖ ସାମିଲ ରହିଥିଲେ ।

Comments are closed.