ସମ୍ବଲପୁର ମହାନଗର ନିଗମ: ଏପଟେ ସୌନ୍ଦର୍ଯ୍ୟକରଣ, ସେପଟେ ଅତିକ୍ରମଣ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରମୁଖ ମହାନଗର ନିଗମ ସମ୍ବଲପୁରକୁ ସୁନ୍ଦର ରୂପେ ଗଢ଼ି ତୋଳିବା ନିମନ୍ତେ ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଧ୍ୟାନ ଦେଇ ଯାତାୟାତ ବ୍ୟବସ୍ଥାକୁ ବ୍ୟାପକ କରିବାକୁ ଚେଷ୍ଟିତ। ଏଥି ପାଇଁ ସମ୍ବଲପୁର ସହରର ମଧ୍ୟ ଭାଗରେ ଏକ ଉଡନ୍ତା ପୋଲ, ଅଇଁଠାପାଲି ଛକର ସମ୍ପ୍ରସାରଣ, ରାସ୍ତା କଡରେ ଥିବା ପାଚେରୀ ଗୁଡିକରେ ବିଭିନ୍ନ ସଚେତନତା ବାର୍ତ୍ତା ଆଦି ବିଭିନ୍ନ ପ୍ରକାରର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ପ୍ରଶାସନିକ କଳର ଅବ୍ୟବସ୍ଥା ଓ ଭୋଟବ୍ୟାଙ୍କ ରାଜନୀତି ପାଇଁ ଅପରପଟରେ ସମ୍ବଲପୁର ଏବେ ଜବରଦଖଲକାରୀଙ୍କ ଭୂସ୍ୱର୍ଗରେ ପରିଣତ ହୋଇଛି।

ପୂର୍ବରୁ ସମ୍ବଲପୁର ଜବରଦଖଲକାରୀଙ୍କ ଭୂସ୍ୱର୍ଗ ରୂପେ ଦୁର୍ନାମ ଅର୍ଜନ କରିଥିବା ବେଳେ ଏବେ ଏହି ସମସ୍ୟା ଅତ୍ୟନ୍ତ ଉତ୍କଟ ଓ ଚିନ୍ତାଜନକ। ଅଇଁଠାପାଲି ଛକରୁ ମ୍ୟୁନିସିପାଲିଟି ଛକ, ଜେଲଖାନା ଛକ, ଧନୁପାଲି ଛକ, କୁଞ୍ଜେଲପଡ଼ା ଛକ ପର୍ଯ୍ୟନ୍ତ ଯାଇଥିବା ବିଭିନ୍ନ ରାସ୍ତାକଡ (ଫୁଟ ପାଥ) ଗୁଡିକ ଜବରଦଖଲକାରୀଙ୍କ କବଜାରେ ରହିଛି। ଫଳରେ ସାମାନ୍ୟ ଦୁଇ ଚକିଆ ଯାନ ହେଉ କି ଚାରି ଚକିଆ ଯାନ ଗୋଟିଏକୁ ପାର୍କିଂ କରିବାକୁ ମଧ୍ୟ ସ୍ଥାନ ମିଳୁ ନାହିଁ ଏବଂ ଯାତାୟାତରେ ବେଶ ଅସୁବିଧା ହେଉଛି। ଫଳରେ ଦିନକୁ ଦିନ ସମ୍ବଲପୁରରେ ଟ୍ରାଫିକ ସମସ୍ୟା ଗମ୍ଭୀର ହୋଇ ପଡ଼ିଛି। ଏଥି ସହ ଅନେକ ସମୟରେ ତିନି ଚକିଆ ଓ ଚାରି ଚକିଆ ଯାନ ଗୁଡିକୁ ଘୋଡାଇ ରଖି ସ୍ଥାୟୀ ଭାବରେ ରାସ୍ତା କଡରେ ଅବୈଧ୍ୟ ପାର୍କିଂ ସମସ୍ୟାକୁ ବହୁଗୁଣିତ କରୁଛି। ସହର ମଧ୍ୟରେ ଯାଇଥିବା ଉଡନ୍ତା ପୋଲ ଏବଂ ରିଂ ରୋଡ ଏବେ ଅବୈଧ୍ୟ ପାର୍କିଂ ସ୍ଥଳରେ ପରିଣତ ହୋଇ ରହିଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ରାସ୍ତା କଡରେ ବେପାର କରୁଥିବା ବ୍ୟବସାୟୀ ମାନଙ୍କ ଦ୍ୱାରା ଫୁଟ ପାଥ ଗୁଡିକୁ କବଜା କରିବା ସହିତ ରାସ୍ତା ଉପରକୁ ମଧ୍ୟ ଅନେକ ସ୍ଥାନରେ ସେମାନେ ମାଡି ବସି ବ୍ୟବସାୟ ଚଳାଇଛନ୍ତି। ଏଣୁ ଅନେକ ସମୟରେ ଉକ୍ତ ଲୋକେ ନିଜର ଯାନ ଗୁଡିକୁ ରାସ୍ତା ଉପରେ ଛିଡା କରି ନିଜର ସାମଗ୍ରୀ କିଣୁଥିବାରୁ ଟ୍ରାଫିକ ଜାମ ସମ୍ବଲପୁରରେ ଏକ ନିୟମିତ ଘଟଣା ହୋଇ ସାରିଛି। ଏଥି ପାଇଁ ମହାନଗର ନିଗମ ଓ ପୁଲିସ ଓ ଟ୍ରାଫିକ ବିଭାଗ ସିଧାସଳଖ ଦାୟୀ ଅଟନ୍ତି। ବିଗତ ଦିନରେ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ପରେ ଅନେକ ସ୍ଥାନରୁ ରାସ୍ତା କଡରୁ ଜବରଦଖଲ ହଟାଇ ଯାଇଥିଲା। ତେବେ ନିୟମିତ ଯାଞ୍ଚର ଅଭାବ ଓ ସୁସ୍ଥ ବ୍ୟବସ୍ଥା ଯୋଗୁଁ ଏବେ ଯଥା ପୂର୍ବଂ ତଥା ପରଂ ସ୍ଥିତି ହୋଇଯାଇଛି। ପ୍ରଶାସନ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରାସ୍ତା କଡ ଗୁଡିକର ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ଏବେ ସେଗୁଡିକ ଜବରଦଖଲକାରୀଙ୍କ ଯୋଗୁଁ ମୂଲ୍ୟହୀନ ହୋଇ ପଡ଼ିଛି। ଏ ସର୍ମ୍ପକରେ ସଚେତନ ନାଗରିକ ମାନେ ବାରମ୍ବାର ବିଭିନ୍ନ ପ୍ରଶାସନିକ ମହଲରେ ଅଭିଯୋଗ କଲେ ସୁଦ୍ଧା କୌଣସି ବିଭାଗ ତାର ଦାୟିତ୍ୱ ନିର୍ବାହ କରିବା ପରିବର୍ତ୍ତେ ଅଠା ଅନ୍ୟ ବିଭାଗର ମୁଣ୍ଡରେ ବୋଳି ଦେଇ ଦାୟିତ୍ୱରୁ ଖସି ଯାଉଛନ୍ତି। ନିଜର ସ୍ୱାର୍ଥ ଯୋଗୁଁ ଅଧିକାରୀ ମାନେ ଏବଂ ଭୋଟ ବ୍ୟାଙ୍କ ପାଇଁ ସମସ୍ତ ରାଜନୈତିକ ଦଳ ମାନେ ଅବୈଧ୍ୟ ଅତିକ୍ରମଣକୁ ସହାୟତା କରୁଥିବାରୁ ମଧ୍ୟ ପରିଲକ୍ଷିତ ହେଉଛି। ଭୋଟ ବ୍ୟାଙ୍କ ପାଇଁ ଅତିକ୍ରମଣ ହଟାଇବା ଅଭିଯାନ ଆରମ୍ଭ ହେବା ମାତ୍ରେ ରାଜନୈତିକ ଦଳ ଗୁଡିକ ସେମାନଙ୍କର ସମର୍ଥନରେ ଛିଡା ହୋଇ ରହୁଥିବାରୁ ଜବରଦଖଲକାରୀ ମାନେ ବେଶ ଉତ୍ସାହିତ। ଏଣୁ ଏହି ସମସ୍ୟା ଦିନକୁ ଦିନ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ଏଣୁ ଏହି ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ ନିଗମବାସୀ ଦାବି କରିଛନ୍ତି।

Comments are closed.