‘ସେତୁ’ ପୁସ୍ତକ ପ୍ରଦର୍ଶନୀ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଅଗ୍ରଣୀ ଅନୁଷ୍ଠାନ ‘ସେତୁ’ ଆନୁକୂଲ୍ୟରେ ଆୟୋଜିତ ପଞ୍ଚ ଦିବସୀୟ ପୁସ୍ତକ ପ୍ରଦର୍ଶନୀ ଓ ବିକ୍ରୟ ମେଳା ଉଦଯାପିତ ହୋଇଯାଇଛି। ମଙ୍ଗଳବାର ଉଦଯାପନୀ ଉତ୍ସବରେ ଅନୁଷ୍ଠାନର ସଭାପତି ଡ. ମୀନକେତନ ପାଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥି ରୂପେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୂଳପତି ପ୍ର. ଡ. ବଂଶୀଧର ମାଝୀ ଯୋଗ ଦେଇଥିଲେ। ପୁସ୍ତକ ପଢ଼ିବା ଓ ଇ- ବୁକ୍ସ ପଢ଼ିବା ମଧ୍ୟରେ ପାର୍ଥକ୍ୟ ରହିଛି ବୋଲି ଅଭିହିତ କରିଥିଲେ। ବହି ପଢ଼ିଲେ ବୋଧଗମ୍ମତା ଅଧିକ ରହିଥାଏ। ଏଣୁ ନିରନ୍ତର ବହି ପଢ଼ିବାର ଆବଶ୍ୟକତା ରହିଛି ବୋଲି ପ୍ର. ମାଝୀ ମତପୋଷଣ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ତଥା ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠାଗାର ଖୋଲା ହେଉ ନ ଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବିଶିଷ୍ଟ ବକ୍ତା ରାମକୃଷ୍ଣଙ୍କ ମତାନୁଯାୟୀ, ମଣିଷ ଗଢ଼ିବା ଶିକ୍ଷାର ମୂଳ ଲକ୍ଷ୍ୟ ହେବା ଉଚିତ। ପ୍ରଥମେ ଭଲ ମଣିଷଟିଏ ହେଲେ ଯାଇ ପରେ କର୍ମକୁଶଳତା ଶିକ୍ଷା ଦିଆଯାଇପାରିବ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଉର୍ତ୍ସଗୀକୃତ ସେବା ପାଇଁ ଇଣ୍ଡିଆନ କମ୍ୟୁନିଟି ପୁଲିସ ବୀର ସୁରେନ୍ଦ୍ର ସାଏ ରେଜିମେଣ୍ଟର କମାଣ୍ଡର କଳାରତ୍ନ ବଂଶୀଧର କର ଙ୍କ ସମେତ ୭ ଜଣ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ସୁକାନ୍ତ କୁମାର କର ପ୍ରଦର୍ଶନୀର ବିବରଣୀ ପ୍ରଦାନ କରିଥିବା ବେଳେ ଉପ ସଭାପତି ଡ. ନିଳେନ୍ଦ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସେତୁର କାର୍ଯ୍ୟକାରୀ ସମିତିର ବରିଷ୍ଠ ସଦସ୍ୟ ହରି ନାରାୟଣ ପଣ୍ଡା ଙ୍କ ନେତୃତ୍ୱରେ ଯୁଗ୍ମ ସମ୍ପାଦକ ଦ୍ୱୟ ଜୟକୃଷ୍ଣ ବେହେରା ଓ ରୀତାରାଣୀ ମିଶ୍ର ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସେତୁ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଓ ସହରର ପୁସ୍ତକ ପ୍ରେମୀ ମାନେ ଉପସ୍ଥିତ ରହିଥିଲେ।

Comments are closed.