ପରଲୋକରେ ‘ବଚନ ଦାଦା’: କ୍ରିଡା ଓ ଶିକ୍ଷାପ୍ରେମୀ ମହଲରେ ଶୋକର ଛାୟା 

ସମ୍ବଲପୁର: ଓଡିଶାର କ୍ରିଡାଜଗତର ଖ୍ୟାତନାମା ତଥା ବରିଷ୍ଠ ଫୁଟବଲ ଖେଳାଳୀ ଏବଂ ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ କଲେଜର ପୂର୍ବତନ ଅଧିକ୍ଷ ବୀର ବାହାଦୂର ସିଂହ ଓରଫ ‘ବଚନ ଦାଦା’ ଙ୍କର ରବିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ୬୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ପିଲାଦିନରୁ କ୍ରିଡାବିତ ତଥା ଏକ ସୁଯୋଗ୍ୟ ଫୁଟବଲ ଖେଳାଳୀ ଭାବରେ ସ୍ୱର୍ଗତ ବଚନ ଦାଦା ସୁନାମ ଅର୍ଜନ କରିଥିଲେ। ସେ ସମ୍ବଲପୁରର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବା ଦିନ ଠାରୁ ହିଁ ସ୍କୁଲର ଫୁଟବଲ ଦଳରେ ସାମିଲ ହୋଇ ସଫଳତା ଅର୍ଜନ କରିବା ଆରମ୍ଭ କରିଥିଲେ। ଗଙ୍ଗାଧର ମେହେର କଲେଜରେ ପଢ଼ିବା ସମୟରେ ଫୁଟବଲ ଖେଳାଳୀ ଭାବରେ ବ୍ୟାପକ ପ୍ରସିଦ୍ଧି ପାଇବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଫୁଟବଲ ଦଳକୁ ପ୍ରତିନିଧିତ୍ୱ କରୁଥିଲେ। ସେ ସମ୍ବଲପୁରର ମେହେର ଆସୋସିଏସନ ତରଫରୁ ବହୁ ଟୁର୍ଣ୍ଣାମେଣ୍ଟ ଓ ମ୍ୟାଚ ରାଜ୍ୟ ତଥା ରାଜ୍ୟ ବାହାରେ ଖେଳି ସୁନାମ ଅର୍ଜନ କରିଛନ୍ତି। ସେ ସନ୍ତୋଷ ଟ୍ରଫିରେ ଓଡିଶା ଦଳରୁ ମ୍ୟାଚରେ ପ୍ରତିନିଧିତ୍ୱ କରି ଖେଳିଥିଲେ। ସନ୍ତୋଷ ଟ୍ରଫିରେ ସଫଳତା ହାସଲ ପରେ ଜାତୀୟ ଫୁଟବଲ ଦଳରେ ଚୟନ ପାଇଁ ଶିବିରକୁ ଉତ୍ତିର୍ଣ୍ଣ ହୋଇଥିବା ବେଳେ ତାଙ୍କର ବାପାଙ୍କ ସେ ସମୟରେ ଦେହାନ୍ତ ହୋଇଯାଇଥିବାରୁ ସେ ଯୋଗ ଦେଇ ପାରି ନ ଥିଲେ।

ବଚନ ଦାଦାଙ୍କ ଫୁଟବଲ ଖେଳ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମୁଥିଲା। ପ୍ରାରମ୍ଭରେ ଫ୍ରଣ୍ଟ ଲାଇନରେ ଖେଳୁଥିବା ବେଳେ ତାଙ୍କର ଲଙ୍ଗ ସଟ ଯୋଗୁଁ ତାଙ୍କୁ ଡିଫେନସ ଲାଇନରେ ଖେଳିବାକୁ ତାଙ୍କର କୋଚ ପରାମର୍ଶ ଦେଇଥିଲେ। ସେ ଗୋଟିଏ ଗୋଲ ପୋଷ୍ଟରୁ ରହି ତାଙ୍କର ଚମତ୍କାର ସଟ ଦ୍ୱାରା ଅନ୍ୟ ଗୋଲ ପୋଷ୍ଟକୁ ବଲ ମାରି ଗୋଲ କରିବାରେ ମହାରତ ହାସଲ କରିଥିଲେ। ପେଶାରେ ସେ ଜଣେ ଶିକ୍ଷକ ଥିବା ବେଳେ ତାଙ୍କର ପେଶା ପ୍ରତି ସେ ଅତ୍ୟନ୍ତ ନିଷ୍ଠାପର ଥିଲେ। ସେ ସମୟାନୁବର୍ତ୍ତି ହେବା ସହିତ କଲେଜରେ କେବେ ବି କ୍ଲାସ ମିସ କରୁ ନ ଥିଲେ। ଅତ୍ୟନ୍ତ ଛାତ୍ରବତ୍ସଳ ବଚନ ଦାଦା ତାଙ୍କର ଅଧ୍ୟାପକତା ସମୟରେ ବିଭିନ୍ନ କଲେଜରେ ବହୁ ଫୁଟବଲ ଖେଳାଳି ମାନଙ୍କୁ ପ୍ରଶିକ୍ଷିତ କରି ସର୍ବ ସମ୍ମୁଖକୁ ଆଣିଥିଲେ। ସ୍ୱର୍ଗତ ବଚନ ଦାଦା ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କ୍ରିଡା କାଉନସିଲର ସମ୍ପାଦକ ଦାୟିତ୍ୱ ବହୁ ବର୍ଷ ଧରି ତୁଲାଇଥିଲେ। ଏହା ସହିତ ଜିଲା କ୍ରିଡା ସଂଘ ସହିତ ଶେଷ ପର୍ଯ୍ୟନ୍ତ ଜଡିତ ରହିଥିଲେ। ସେ ଝାରସୁଗୁଡାର ଲକ୍ଷ୍ମୀ ନାରାୟଣ କଲେଜରୁ ଅଧ୍ୟକ୍ଷ ଭାବରେ ଅବସର ନେବା ପୂର୍ବରୁ ଅସ୍ତିଜନିତ ସମସ୍ୟାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିଲେ। ଅବସର ଗ୍ରହଣ ପରେ ସେ ଦିନକୁ ଦିନ ଆହୁରୀ ରୋଗାଗ୍ରସ୍ତ ହୋଇ ପଡ଼ିଥିଲେ। ସେ ଘରେ ଥିବା ବେଳେ ଶନିବାର ଅଚାନକ ବାଥରୁମରୁ ବାହାରକୁ ଆସିବା ସମୟରେ ପଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ସମ୍ବଲପୁରର ଏକ ବେସରକାରୀ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସନ୍ଧ୍ୟା ସମୟରେ ବରଗଡ ଠାରେ ସ୍ଥିତ ବିକାଶ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ୱେ ରବିବାର ଅପରାହ୍ନରେ ସମସ୍ତଙ୍କର ପ୍ରିୟ ବଚନ ଦାଦା ପରଲୋକକୁ ଗମନ କରିଛନ୍ତି। ତାଙ୍କର ପରଲୋକର ଖବର ମିଳିବା ପରେ ସମ୍ବଲପୁରରେ ଶୋକର ଛାୟା ଖେଳି ଯାଇଛି। ସେ ତାଙ୍କର ପଛରେ ଧର୍ମପତ୍ନୀଙ୍କୁ ଛାଡି ଯାଇଛନ୍ତି। ରବିବାର ରାତ୍ରିରେ ସ୍ଥାନୀୟ ରାଜଘାଟ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମେହେର ଏସୋସିଏସନର ବିରଜା ଶଙ୍କର ହୋତା କହିଛନ୍ତି। ରବିବାର ସନ୍ଧ୍ୟାରେ ବହୁ ବରିଷ୍ଠ ଖେଳାଳି, କ୍ରିଡା ପ୍ରେମୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ମାନେ ତାଙ୍କର ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Comments are closed.