ଓଡ଼ିଶା ନାଳରେ ବର୍ଜ୍ୟ ଜଳ ଛାଡ଼ୁଛି ଲରା: ଆନ୍ଦୋଳନ ଚେତାବନୀ

ଲଖନପୁର/କନକତୋରା : ଲଖନପୁର ବ୍ଲକ ସୀମାନ୍ତରେ ଥିବା ଛତିଶଗଡ଼ ଲରାସ୍ଥିତ ଏନଟିପିସି ପ୍ରକଳ୍ପ ପାଉଁଶ ପୋଖରୀର ସମସ୍ତ ପାଣିକୁ ଓଡ଼ିଶାର ନାଳରେ ଛାଡ଼ି ଦେଉଥିବା ସଂଗୀନ ଅଭିଯୋଗ ହୋଇଛି ।
ସୂଚନାରୁ ପ୍ରକାଶ ଯେ, ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଲରା ଏନଟିପିସି ପ୍ରକଳ୍ପ ପକ୍ଷରୁ ଏକ ପାଉଁଶ ପୋଖରୀର ସମସ୍ତ ବର୍ଜ୍ୟ ଜଳକୁ ଚାଣ୍ଟିପାଲି ନିକଟସ୍ଥ ସୁଖାନଡ଼ା ନାଳ ପାଣିରେ ଛଡ଼ାଯାଇଥିଲା। ଏହା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ଦୃଢ଼ ବିରୋଧ କରିଥିଲେ। ଏହାର ସମାଧାନ ପାଇଁ ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବାସିନ୍ଦା ଦୀର୍ଘ ସମୟ ଧରି ଅପେକ୍ଷା କରିଥିବାବେଳେ ଲରା ଏନଟିପିସି କର୍ତ୍ତୃପକ୍ଷ ପ୍ରଥମେ ଘଟଣା ସ୍ଥଳକୁ ଯାଉଛୁ କହି କେହି ଆସିନଥିଲେ। ପରେ ସନ୍ଧ୍ୟା ପ୍ରାୟ ୬ଟାରେ ପାଉଁଶ ପୋଖରୀରୁ ନିର୍ଗତ ହେଉଥିବା ପାଣିକୁ ବନ୍ଦ କରାଇବା ସହ ଏକ ଜେସିବି ଗାଡ଼ି ପଠାଇ ମାଟି ପୋତିବା କାର୍ଯ୍ୟ କରାଯାଇଥିଲା। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଲରା ଏନଟିପିସିର ଏଭଳି ଜୁଲମକୁ କେବେବି ସହ୍ୟ କରାଯିବ ନାହିଁ ଓ ସମାଧାନ ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିରୋଧକାରୀ ଚେତାବନୀ ଦେଇଛନ୍ତି ।

ଅଞ୍ଚଳବାସୀଙ୍କ ସୂଚନା ମୁତାବକ, ସମ୍ପୃକ୍ତ ସୁଖାନଡ଼ା ନାଳ ଚାଣ୍ଟିପାଲି ସୀମା ଅଞ୍ଚଳରୁ ଆରମ୍ଭ ହୋଇ ଚାରପାଲି, ଧୂଲୁଣ୍ଡା ଅମ୍ବାପାଲି ପ୍ରମୁଖ ସୀମା ଅଞ୍ଚଳ ଦେଇ ବଡ଼ କେଲୋ ନଦୀରେ ମିଶିଛି । ଏହି ନାଳର ପାଣିକୁ ଉପରୋକ୍ତ ଗ୍ରାମର ଅନେକ ଚାଷୀ ଓ ସାଧାରଣ ଲୋକେ ସ୍ନାନାଦି ନିତ୍ୟକର୍ମ, ଚାଷ ଏପରିକି ପାନୀୟ ଜଳ ଭାବେ ବ୍ୟବହାର କରନ୍ତି ।
ଲରା ଏନଟିପିସି ପ୍ରକଳ୍ପ ପକ୍ଷରୁ ଛତିଶଗଡ଼ ଅନ୍ତର୍ଗତ କନ୍ଦାଗଡ଼ ଓ ଝିଲିଙ୍ଗିଟାଲ ଦୁଇଟି ପଞ୍ଚାୟତ ଅଞ୍ଚଳ ମଝିରେ ଏକ ବିଶାଳ ପାଉଁଶ ପୋଖରୀ ନିର୍ମାଣ କରାଯାଉଛି । ଏହି ପାଉଁଶ ପୋଖରୀରୁ ଆବର୍ଜନା ଜଳ ନିଷ୍କାସନ ପାଇଁ କେବଳ ୩ଟି ପଥ ରହିଛି । ଏହି ୩ଟି ପଥ ସମ୍ପୂର୍ଣ୍ଣ ଭାବରେ ଉଦ୍ଦେଶ୍ୟ ମୂଳକ ଭାବରେ ଓଡ଼ିଶା ସୀମାନ୍ତ ପଟେ ରଖାଯାଇଛି । ଫଳରେ ଆଗାମୀ ଦିନରେ ଏହି ପାଉଁଶ ପୋଖରୀର ସମସ୍ତ ଆବର୍ଜନା ପାଣି ସୁଖାନଡ଼ା ନାଳ, କେଲୋ ନଦୀ ଆଦି ଦେଇ ସିଧାସଳଖ ମହାନଦୀରେ ମିଶି ବ୍ୟାପକ ପ୍ରଦୂଷିତ ହେବ ବୋଲି ସାଧାରଣରେ ଅଭିଯୋଗ ହୋଇଛି ।
ପ୍ରକାଶ ଥାଉକି ଯେ, ବଡ଼ କେଲୋ ନଦୀର ପାଣି ମାତ୍ର ୩ କିଲୋମିଟର ଦୂରତାରେ ଅବସ୍ଥିତ କୁଶମେଲ ନିକଟସ୍ଥ ମହାନଦୀରେ ମିଶିଛି। ଯେଉଁ ସ୍ଥାନରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବର୍ତ୍ତମାନ ଏକ ବୃହତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯେଉଁଥିରୁ ୧୬ଟି ପଞ୍ଚାୟତବାସୀ ପାଇପ୍ ପାଣି ପାଇବେ। ଏମିତିରେ କମ୍ପାନୀର ବର୍ଜ୍ୟ ଜଳ ଆଗାମୀ ଦିନରେ ଲୋକଙ୍କ ରୋଷେଇ ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ଦେଖା ଦେଲାଣି । ତା ଛଡ଼ା ଏହା ଫଳରେ ଚାଷ ଓ ମତ୍ସ୍ୟ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଲାଗିରହିଛି। ତେଣୁ ଏହି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଦୃଷ୍ଟି ଦେଇ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଲଖନପୁର ବ୍ଲକ ଚାରପାଲି ସରପଞ୍ଚ ପ୍ରଦୀପ ବିଶ୍ୱାଳଙ୍କ ସମେତ ୱାର୍ଡ଼ ସଭ୍ୟ ସୁଦନ ମାହାର, ଚାଣ୍ଟିପାଲିର ଗୁଣନିଧି ସା, ଚାରପାଲିର ଘନଶ୍ୟାମ ସାହୁ, ଧୂଲୁଣ୍ଡାର ଭୀଷ୍ମଦେବ ବିଶ୍ୱାଳ, ସିଲାଜିତ ପଧାନ, ଅକ୍ଷୟ ବିଶ୍ୱାଳ ପ୍ରମୁଖ ଦାବି କରିଛନ୍ତି । ଏନେଇ ଲରା ଏନଟିପିସି ପ୍ରକଳ୍ପର ଜଣେ ବରିଷ୍ଠ ଅଧିକାରୀଙ୍କୁ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବାବେଳେ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।

Comments are closed.