ପୂର୍ବତଟ ରେଳବାଇ ଦ୍ୱାରା ଲକଡାଉନ ସମୟରେ ୪୫.୮୦ ମିଲିୟନ ଟନର ମାଲ ପରିବହନ

ସମ୍ବଲପୁର : ଭାରତୀୟ ରେଳବାଇ ତରଫରୁ କରୋନା ସଙ୍କଟକୁ ପ୍ରତିହିତ କରିବା ପାଇଁ ଯାତ୍ରୀବାହୀ ରେଳ ସେବାକୁ ଏବେ ସାମୟିକ ଭାବରେ ବାତିଲ କରାଯାଇଛି। ଭାରତୀୟ ରେଳବାଇକୁ ଦେଶର ଜୀବନ ରେଖା କୁହାଯାଉଥିବା ବେଳେ ଏହି ଘଡିସନ୍ଧି ମୁହୁର୍ତ୍ତରେ ରେଳବାଇ ତାହାକୁ ପ୍ରତିପାଦିତ କରିଛି। କରୋନା ଜନିତ ଲକ ଡାଉନ ସମୟରେ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଯେଭଳି ଅଭାବ ପରିଲକ୍ଷିତ ନ ହେବ ସେଥିପାଇଁ ପୂର୍ବତଟ ରେଳବାଇ ତରଫରୁ ଅନବରତ ମାଲ ପରିବହନ କରାଯାଇଛି। ଲକ ଡାଉନ ସମୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ନିମନ୍ତେ ଆବଶ୍ୟକୀୟ ଅନ୍ୟତମ କଞ୍ଚା ମାଲ କୋଇଲ ଗୁଡିକୁ ତାଳଚେର ରୁ ଏବଂ ବନ୍ଦର ମାନଙ୍କରୁ ଆମଦାନୀ କୋଇଲାକୁ ଦେଶରେ ଥିବା ବିଭିନ୍ନ ଶକ୍ତି ଉତ୍ପାଦନ କେନ୍ଦ୍ର ଗୁଡିକ ପର୍ଯ୍ୟନ୍ତ ପରିବହନ କରିଛି। ୨୨ ମାର୍ଚ୍ଚ ରୁ ଜୁନ ୩୦ ପର୍ଯ୍ୟନ୍ତ ପୂର୍ବତଟ ରେଳବାଇ ୧୨ ହଜାର ୬୮୦ଟି ଟ୍ରେନ ମାଧ୍ୟମରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ପରିବହନ କରିଥିଲା। ରେଳପଥ ଅଧିନରେ ଥିବା ୭୧ ଶହଟି ରେକ ମାଧ୍ୟମରେ ୨୭.୦୬ ମିଲିୟନ ଟନ କୋଇଲା ପରିବହନ କରାଯାଇଛି।

ସେହିଭଳି ସାର, ପେଟ୍ରୋଲିୟମ ଦ୍ରବ୍ୟ, ଖାଦ୍ୟଶସ୍ୟ, ଫଳ, ପନିପରିବା, ଦୁଗ୍ଧ ଜାତ ଦ୍ରବ୍ୟ, ରନ୍ଧନ ତୈଳ, ଚିନି, ଲୁଣ, ଡାକ୍ତରୀ ଉପକରଣ, ଔଷଧ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଇତ୍ୟାଦି ପରିବହନ ପୂର୍ବତଟ ରେଳବାଇ ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ସ୍ଥାନକୁ ପରିବହନ କରାଯାଇଛି। ବିଶେଷ କରି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାରଖଣ୍ଡ ଇତ୍ୟାଦି ରାଜ୍ୟକୁ ୩୩୩ଟି ଟ୍ରେନ ମାଧ୍ୟମରେ ୦.୯୫ ମିଲିୟନ ଟନ ଚାଉଳ ପରିବହନ କରାଯାଇଛି। ୧.୨୦ ମିଲିୟନ ଟନର ସାର ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟକୁ ୪୭୦ଟି ଟ୍ରେନ ଯୋଗେ ପରିବହନ କରାଯାଇଛି। ୨୭୯ଟି ଟ୍ରେନ ଯୋଗେ ପେଟ୍ରୋଲିୟମ ଦ୍ରବ୍ୟ, ୧୨୬୮ଟି ଟ୍ରେନ ଯୋଗେ ଲୌହ ପଥର, ୮୯୫ଟି ଟ୍ରେନ ଯୋଗେ ଇସ୍ପାତ, ୪୧ଟି ଟ୍ରେନ ଯୋଗେ ସିମେଣ୍ଟ ବୋଝେଇ ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି। ୨୨ ମାର୍ଚ୍ଚରୁ ୩୦ ଜୁନ ମଧ୍ୟରେ ସମୁଦାୟ ୧୦୧ ଦିନରେ ପୂର୍ବତଟ ରେଳବାଇ ଦ୍ୱାରା ୧୨ ହଜାର ୬୮୦ଟି ଟ୍ରେନ ଦ୍ୱାରା ସମୁଦାୟ ୪୫.୮୦ ମିଲିୟନ ଟନ ମାଲ ପରିବହନ କରାଯାଇଛି। ଚଳିତ ପ୍ରଥମ ତ୍ରୟ ମାସରେ ପୂର୍ବତଟ ରେଳବାଇ ୪୨ ମିଲିୟନ ଟନ ମାଲ ପରିବହନ କରିଛି ଏବଂ ଏହା ପୂର୍ବ ବର୍ଷର ଏହି ସମୟ ଅପେକ୍ଷା ୮୨ ପ୍ରତିଶତ ଅଧିକ ଅଟେ। ଭାରତୀୟ ରେଳପଥର ସମସ୍ତ ଜୋନ ଗୁଡିକ ମଧ୍ୟରେ ପୂର୍ବତଟ ରେଳବାଇ ଏହି ସମୟାବଧିରେ ସବୁଠାରୁ ଅଧିକ ମାଲ ପରିବହନ କରିଛି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଫଳତାର ଶ୍ରେୟ ପୂର୍ବତଟ ରେଳବାଇ ଅଧିନସ୍ଥ ସମସ୍ତ କର୍ମଚାରୀ, ଅଧିକାରୀ ଓ ସମସ୍ତ ଷ୍ଟକ ହୋଲଡର ମାନଙ୍କୁ ଦିଆଯାଇଛି।

Comments are closed.