୩ୟ ଜାତୀୟ ମାର୍ଷ୍ଟସ ଗେମ୍ସରେ ରାଜ୍ୟକୁ ୮ଟି ପଦକ 

ସମ୍ବଲପୁର : ଗତ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ବରୋଦା ସହର ଠାରେ ୩ୟ ଜାତୀୟ ମାର୍ଷ୍ଟସ ଗେମ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ ସମ୍ବଲପୁର ଜିଲା ମାର୍ଷ୍ଟସ ଗେମ୍ସର କ୍ରୀଡାବିତ ମାନେ ଓଡିଶା ରାଜ୍ୟ ମାର୍ଷ୍ଟସ ଗେମ୍ସ ସଂଘ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ରାଜ୍ୟକୁ ପ୍ରତିନିଧିତ୍ୱ କରି କ୍ରୀଡାବିତ ମାନେ ୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଲାଭ କରିଛନ୍ତି। ରେଖା ଦେ ୪୦ ବର୍ଷ ମହିଳା ବର୍ଗର ୧୦୦ ମିଟରରେ ସ୍ୱର୍ଣ୍ଣ, ଟ୍ରିପଲ ଜମ୍ପରେ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ସେହିଭଳି ନମୀତା ପଟେଲ ୪୫ ବର୍ଷ ମହିଳା ବର୍ଗର ସଟପୁଟରେ କାଂସ୍ୟ ଓ ଜାଭେଲିନ ଥ୍ରୋରେ କାଂସ୍ୟ ପଦକ ହାସଲ କରିଛନ୍ତି। ସଞ୍ଜୀବ ପାଣିଗ୍ରାହୀ ୩୦ ବର୍ଷ ପୁରୁଷ ବର୍ଗର ଲମ୍ବଡିଆଁରେ ସ୍ୱର୍ଣ୍ଣ ଓ ଡିସକସ ଥ୍ରୋରେ ରୌପ୍ୟ ପଦକ ଲାଭ କରିଛନ୍ତି। ସିମାଞ୍ଚଳ ସେଠି ୩୫ ବର୍ଷ ପୁରୁଷ ବର୍ଗର ଲମ୍ବଡିଆଁରେ ସ୍ୱର୍ଣ୍ଣ ଓ ଟ୍ରିପଲ ଜମ୍ପରେ ରୌପ୍ୟ ପଦକ ଲାଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ରେଖା ଦେ ଲଗାତାର ତିନି ବର୍ଷ ଧରି ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଲାଭ କରି ହେଟ୍ରିକ ଅର୍ଜନ କରିଛନ୍ତି। ଏହି ପ୍ରତିଯୋଗୀତାରେ ରଞ୍ଜିତ ମିଶ୍ର, ବୁଧୁଆ ମୁଣ୍ଡା ଓ ମଣୀ ହାତୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସମସ୍ତ ପ୍ରତିଯୋଗୀ ମାନଙ୍କୁ ଆର୍ନ୍ତଜାତୀୟ ମାଷ୍ଟର କ୍ରୀଡାବିତ ସୁନ୍ଦରମଣି ବାରିକ ପୁଷ୍ପଗୁଚ୍ଛ ଦେଇ ଆଗାମୀ ୨୦୨୧ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ମାର୍ଷ୍ଟସ ଗେମ୍ସ ପାଇଁ ପ୍ରସ୍ତୁତି କରିବା ପାଇଁ ଉତ୍ସାହିତ କରିଥିଲେ। ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଓଡିଶା ରାଜ୍ୟ ମାର୍ଷ୍ଟସ ଗେମ୍ସ ସଂଘର ସମ୍ପାଦକ ଶିବ ମିଶ୍ର ଓ ଜିଲା ମାର୍ଷ୍ଟସ ଗେମ୍ସ ସଂଘର ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

Comments are closed.