ସମ୍ବଲପୁର କନଭେଣ୍ଟ ସ୍କୁଲରେ ଉତ୍ତେଜନା : ପରୀକ୍ଷା ଦେବ ତ, ଏସି ଫିସ ଦିଅ

ସମ୍ବଲପୁର : ସମ୍ବଲପୁରର ସାକ୍ଷୀପଡା ସ୍ଥିତ ସେନ୍ଟ ଯୋଶେଫ କନଭେଣ୍ଟ ସ୍କୁଲରେ ଏସି ଲଗାଇବା ଓ ଏହା ପାଇଁ ସ୍କୁଲ କତ୍ତୃପକ୍ଷ ଫିସ ଆଦାୟ ବିବାଦ ଘଟଣାର ଅବସାନ ହେବାର ନାମ ନେଉ ନାହିଁ। ଗତ ବର୍ଷରୁ ବିଭିନ୍ନ ପ୍ରକାର ବିଷୟକୁ ନେଇ କନଭେଣ୍ଟ ସ୍କୁଲ ଓ ଅଭିଭାବକ ମାନଙ୍କ ମଧ୍ୟରେ ବିବାଦ ଚାଲିଥିବା ବେଳେ ସମସ୍ୟା ଗୁଡିକର ସମାଧାନ ନ ହେବାରୁ ପ୍ରବଳ ଅସନ୍ତୋଷ ଲାଗି ରହିଛି।

ରାଜ୍ୟ ସରକାର ୨୦୧୮ ମସିହାରେ ବେସରକାରୀ ବିଦ୍ୟାଳୟ ମାନଙ୍କର ଅହେତୁକ ଫିସ ବୃଦ୍ଧିକୁ ନିୟନ୍ତ୍ରଣ କରି ଫିସ ନିୟନ୍ତ୍ରଣ କମିଟୀ ଗଠନ କରିଥିଲେ। ରାଜ୍ୟ ସରକାରଙ୍କର ନିଷ୍ପତ୍ତି ଅନୁଯାୟୀ ୨୦୧୬ – ୧୭ ବର୍ଷର ଫିସ ସର୍ବାଧିକ ୮ ପ୍ରତିଶତ ବୃଦ୍ଧି ହୋଇ ପାରିବ। କିନ୍ତୁ ସରକାରଙ୍କର ନିଷ୍ପତ୍ତିକୁ ଖିଲାପ କରି ସମ୍ବଲପୁରର ସେନ୍ଟ ଯୋଶେଫ କନଭେଣ୍ଟ ସ୍କୁଲ ଗତ ବର୍ଷ ୩୪ ପ୍ରତିଶତ ବୃଦ୍ଧି କରିଥିଲା। ଏଣୁ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକ ମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇ ନ ଥିବା ବେଳେ ଇତି ମଧ୍ୟରେ ସ୍କୁଲରେ ଏସି ଲଗାଇବାକୁ ନେଇ ସ୍କୁଲ କତ୍ତୃପକ୍ଷ ନୂତନ ଏସି ଫିସ ୨୪୦୦ ଟଙ୍କା ଦେବା ପାଇଁ ନୋଟିସ ଦେଇଥିଲେ। ଏଣୁ ଅଭିଭାବକ ମାନେ ଓଡିଶା ଅଭିଭାବକ ମହାସଂଘର ଦ୍ୱାରସ୍ଥ ହୋଇଥିଲେ। ଏଣୁ ମହାସଂଘର ଏକ ପ୍ରତିନିଧି ମଣ୍ଡଳ ଶିକ୍ଷା ବିଭାଗର ସଚିବ ପ୍ରଦୀପ ମହାପାତ୍ରଙ୍କୁ ସାକ୍ଷାତକାର କରି ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି  କରିଥିଲେ। ମହାସଂଘର ଅଭିଯୋଗକୁ ଭିତ୍ତି କରି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଗତ ବର୍ଷ ଅଗଷ୍ଟ ୨୨ ତାରିଖରେ ଚିଠି ସଂଖ୍ୟା ୩୧୦୫୩୪ (ଏ) ଅନୁଯାୟୀ କନଭେଣ୍ଟ ସ୍କୁଲ କତ୍ତୃପକ୍ଷଙ୍କୁ ଏକ ନୋଟିସ ଜାରି କରିଥିଲେ। ଏହି ନୋଟିସ ଜାରି ପରେ ସ୍କୁଲ କତ୍ତୃପକ୍ଷ କିଛି ଦିନ ଚୁପ ରହିବା ପରେ ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆଡମିଟ କାର୍ଡ ଦେବା ପୂର୍ବରୁ ଏସି ଫିସ ଦେବା ପାଇଁ କୁହାଯାଇଛି।

ଶିକ୍ଷା ବର୍ଷ ଆରମ୍ଭରୁ ସ୍କୁଲର ଫିସ ଦେଇ ସାରିଥିବା ଅଭିଭାବକ ମାନଙ୍କ ଉପରେ ଶିକ୍ଷା ବର୍ଷ ମଧ୍ୟରେ ଏସି ଫିସ (ମାସକୁ ୨ ଶହ ଟଙ୍କା) ଲଦି ଦିଆଯିବାକୁ ବିରୋଧ କରାଯାଉଛି। ଏବେ ପରୀକ୍ଷା ପାଇଁ ମାତ୍ର ୪ ଦିନ ବାକି ଥିବା ବେଳେ ଏସି ଫିସ ଦିଆ ନ ଗଲେ ପରୀକ୍ଷା ପାଇଁ ଆଡମିଟ କାର୍ଡ ଦିଆଯିବ ନାହିଁ ବୋଲି ସ୍କୁଲ କତ୍ତୃପକ୍ଷ କହିବା ପରେ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଠାରେ ଧ୍ୟାନ ଦେବା ଯୋଗ୍ୟ ଯେ, ସ୍କୁଲରେ ଏ ପର୍ଯ୍ୟନ୍ତ ଏସି ଲଗାଇବା କାର୍ଯ୍ୟ ଶେଷ ହୋଇ ନାହିଁ। ଏଭଳି ସ୍ଥିତିରେ ଏସି ଫିସ ନ ଦେଲେ ପରୀକ୍ଷାରେ ବସାଇ ନ ଦେବା ପାଇଁ ସ୍କୁଲ କତ୍ତୃପକ୍ଷଙ୍କ ପକ୍ଷରୁ ଜଣାଇବା ପରେ ଶୁକ୍ରବାର ସକାଳୁ ଅଭିଭାବକ ମାନେ ସ୍କୁଲ କତ୍ତୃପକ୍ଷଙ୍କୁ ସାକ୍ଷାତକାର କରି ତୀବ୍ର ବିରୋଧ କରିଥିଲେ। ତେବେ ପ୍ରଥମେ ସ୍କୁଲ ଅଧିକାରୀ ମାନେ ଅଭିଭାବକ ମାନଙ୍କୁ ସାକ୍ଷାତକାର କରିବା ପାଇଁ ରୋକଠୋକ ମନା କରିଦେଇଥିଲେ। ପରେ ଅସନ୍ତୋଷ ବଢ଼ିବା ପରେ ସ୍କୁଲ କତ୍ତୃପକ୍ଷ ତରଫରୁ ପୁଲିସକୁ ଡକାଯାଇଥିଲା। ଏଣୁ ଧନୁପାଲୀ ଥାନାଧିକାରୀ କମଳ କୁମାର ପଣ୍ଡା ସ୍କୁଲକୁ ପହଞ୍ଚିବା ପରେ ଅଭିଭାବକ ମାନଙ୍କର ଏକ ପ୍ରତିନିଧି ମଣ୍ଡଳ ସହିତ ସ୍କୁଲ ଅଧ୍ୟକ୍ଷା ଓ ଅନ୍ୟ ଅଧିକାରୀ ମାନେ ସାକ୍ଷାତକାର କରିଥିଲେ। ସ୍କୁଲ କତ୍ତୃପକ୍ଷ ଓ ଅଭିଭାବକ ମାନଙ୍କ ରୁଦ୍ଧ ଦ୍ୱାର ବୈଠକରେ ମୌଖିକ ଭାବରେ ପୁଲିସ ଅଧିକାରୀ ପଣ୍ଡାଙ୍କ ସମ୍ମୁଖରେ ଏସି ଫିସ ନେବେ ନାହିଁ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଏଡମିଟ କାର୍ଡ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାପଡିଛି। ଏହି ରୁଦ୍ଧ ଦ୍ୱାର ବୈଠକ ପରେ ଅଭିଭାବକ ମାନେ ସନ୍ତୁଷ୍ଟି ପ୍ରକାଶ କରିଥିବା ବେଳେ କିନ୍ତୁ ବାରମ୍ବାର କୌଣସି ନା କୌଣସି ପ୍ରକାରରେ ସ୍କୁଲ କତ୍ତୃପକ୍ଷ ସେମାନଙ୍କ ଉପରେ ଫିସ ବୋଝ ଲଦି ଦେଉଥିବାରୁ ଆଡମିଟ କାର୍ଡ ନ ପାଇବା ପର୍ଯ୍ୟନ୍ତ ସେମାନେ ଚିନ୍ତିତ ରହିଥିବାର ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, କନଭେଣ୍ଟ ସ୍କୁଲରେ ବିଭିନ୍ନ ସମୟରେ ବିବାଦମାନ ଦେଖା ଦେଉଥିବା ବେଳେ କିନ୍ତୁ ଜିଲା ପ୍ରଶାସନ ସହିତ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନ ହେବା ସାଧାରଣରେ ଚିନ୍ତାବ୍ୟକ୍ତ କରାଯାଇଛି। ଏହା ସହିତ ଅଭିଭାବକ ମାନେ ସ୍କୁଲ କତ୍ତୃପକ୍ଷଙ୍କୁ ସାକ୍ଷାତକାର କରିବା ପାଇଁ ଯିବା ବେଳେ ପୁଲିସକୁ ଡକାଇ ଭୟଭିତ କରାଯାଉଥିବାର ମଧ୍ୟ ଅଭିଯୋଗ ହେଉଛି। ସ୍କୁଲ ପରିଚାଳନା ଓ ତଦାରଖ ପାଇଁ ଜିଲାପାଳଙ୍କ ତତ୍ୱାବଧାନରେ ଡିଇଓ ଓ ଡିପିସିଙ୍କର ଅଧ୍ୟକ୍ଷତାରେ ଜିଲାସ୍ତରୀୟ କମିଟୀ ଗଠନର ବ୍ୟବସ୍ଥା ରହିଥିବା ବେଳେ ତାହ ଏ ପର୍ଯ୍ୟନ୍ତ ସମ୍ବଲପୁରରେ କାର୍ଯ୍ୟକାରୀ ହୋଇ ନାହିଁ। ଏଣୁ ଜିଲା ପ୍ରଶାସନର ସ୍କୁଲ କତ୍ତୃପକ୍ଷ ଉପରେ ଅହେତୁକ ଅନୁକମ୍ପାକୁ ନେଇ ବୁଦ୍ଧିଜୀବୀ ମାନଙ୍କ ସମେତ ସବୁ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଉଛି। ପୁଲିସର ଭୂମିକା ସନ୍ଦେହାସ୍ପଦ କନଭେଣ୍ଟସ୍କୁଲ ଉତ୍ତେଜନା ମାମଲାରେ ପୁଲିସର ଉପସ୍ଥିତି ଓ ତାର ଭୂମିକାକୁ ନେଇ ସନ୍ଦେହଜନକ ସ୍ଥିତ ଉପୁଜିଛି। ଶୁକ୍ରବାର ସକାଳୁ ଫିସକୁ ନେଇ ଅଭିଭାବକ ମାନେ ସ୍କୁଲ କତ୍ତୃପକ୍ଷଙ୍କୁ ସାକ୍ଷାତକାର କରିବା ପାଇଁ ଯିବା ବେଳେ ପୁଲିସ ପହଞ୍ଚି ସେମାନଙ୍କୁ ପ୍ରଥମେ ରୋକିଥିଲା। ଏଣୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରୁ ପୁଣି ସ୍କୁଲ କତ୍ତୃପକ୍ଷ ସହିତ କଥା ହୋଇ ପୁଲିସ ଅଧିକାରୀ କମଳ କୁମାର ପଣ୍ଡା ଏକ ପ୍ରତିନିଧି ମଣ୍ଡଳକୁ ଯିବାକୁ ଅନୁମତି ଦେଇଥିଲେ। ସ୍କୁଲ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ କୋଠରୀ ମଧ୍ୟରେ ବୈଠକ ଚାଲିବା ଆରମ୍ଭ ରୁ ନେଇ ଶେଷ ହେବା ପର୍ଯ୍ୟନ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ଦ୍ୱାର ସମ୍ମୁଖରେ ଦ୍ୱାରପାଳ ଭଳି ଛିଡା ହୋଇ କାହାରିକୁ ଭିତରକୁ ଛାଡି ନ ଥିଲେ। ଏପରିକି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ୟ ଦୁର୍ବବ୍ୟବହାର କରିବା ସହିତ ଖବର ସଂଗ୍ରହ କରିବାରୁ ରୋକିଥିଲେ। ପ୍ରାୟ ଏକ ବର୍ଷରୁ ଅଧିକ ହେବ ଏହି ସ୍କୁଲରେ ବିଭିନ୍ନ ବିଷୟକୁ ନେଇ ବିବାଦ ଚାଲିଥିବା ବେଳେ ସବୁ ସମୟରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ବିବାଦମାନ ଭୂମିକାରେ ଅବତୀର୍ଣ୍ଣ ହେଉଛି। ଏପରିକି ଗତବର୍ଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନୁପାଲୀ ଥାନାଧିକାରୀ ଖବର ସଂଗ୍ରହ ସମୟରେ ଧକ୍କାମୁଖୀ କରିଥିଲେ। କନଭେନ୍ଟ ସ୍କୁଲ ମାମଲାରେ ପୁଲିସର ଅହେତୁକ ହସ୍ତକ୍ଷେପ ଯୋଗୁଁ ପୁଲିସ ଭୂମିକା ଉପରେ ସାଧାରଣରେ ପ୍ରଶ୍ନ ଉଠୁଛି।

 

Comments are closed.