ଦୁଃଖବନ୍ଧୁଙ୍କର ଦୁଃଖ ବୁଝିବ କେବେ ପ୍ରଶାସନ : ସହାୟତା ଅପେକ୍ଷାରେ ‘କେନ୍ଦ୍ରା’ ବାଦକ 

ସମ୍ବଲପୁର : ଆଜିର ଆଧୁନିକତା ଯୁଗର ଛାପରେ ଦିନକୁ ଦିନ ଦେଶର ବହୁ ଅଞ୍ଚଳର ସ୍ଥାନୀୟ କଳା, ସଂସ୍କୃତି, ନୃତ୍ୟ, ବାଦ୍ୟ, ସଙ୍ଗୀତ ଆଦି ଲୁପ୍ତ ପ୍ରାୟ ଅବସ୍ଥାରେ ରହିଛି। ଏଣୁ ଦେଶ ଓ ରାଜ୍ୟରେ ବିଭିନ୍ନ ସମୟରେ ସ୍ଥାନୀୟ ଲୋକ କଳା, ସଂସ୍କୃତି ଓ ନୃତ୍ୟସଙ୍ଗୀତକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ ବ୍ୟୟବହୁଳ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସମ୍ବଲପୁର ଠାରେ ୧୯୯୪ ମସିହାରେ କିଛି ଉଦ୍ୟମୀ ବ୍ୟକ୍ତି ଓ ଜିଲା ପ୍ରଶାସନର ସହଯୋଗରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା। ସମ୍ବଲପୁର ଲୋକ ମହୋତ୍ସବର ସଫଳତାକୁ ଦେଖି ସାରା ରାଜ୍ୟରେ ଆଜିର ଦିନରେ ପ୍ରତିଟି ଜିଲାରେ ଜିଲାସ୍ତରୀୟ ଲୋକ ମହୋତ୍ସବ ଆୟୋଜିତ ହେଉଛି।

ସମ୍ବଲପୁର ମହୋତ୍ସବ ଗୋଟିଏ ବର୍ଷ ବ୍ୟବଧାନରେ ଆୟୋଜିତ ହେଉଥିବା ବେଳେ ଏହା ତାର ମୂଳ ଲକ୍ଷ୍ୟରୁ ଓହରି ଯାଇଥିବା ଭଳି ମନେ ହେଉଛି। ଲୋକ କଳା, ସଂସ୍କୃତି ଓ ନୃତ୍ୟସଙ୍ଗୀତ କୁ ବଞ୍ଚାଇବା ପାଇଁ ଆୟୋଜିତ ଲୋକ ମହୋତ୍ସବରେ ସ୍ଥାନୀୟ କଳାକାର ମାନଙ୍କୁ ଉପେକ୍ଷା କରାଯାଉଥିବାର ବହୁ ସମୟରେ ଅଭିଯୋଗ ହେଉଛି। ଏହି ଅଭିଯୋଗର ସତ୍ୟତାକୁ ସମ୍ବଲପୁରର ଉପକଣ୍ଠସ୍ଥ ପରମାଣପୁର ନିବାସୀ ଲୋକ ବାଦ୍ୟ କେନ୍ଦ୍ରା ବାଦକ ଦୁଃଖବନ୍ଧୁ ନାଥ (୬୩) ଙ୍କର ଦୁଃଖ ସ୍ପଷ୍ଟ କରୁଛି। ବିଗତ ୪୦ ବର୍ଷ ହେବ ଲୋକ ବାଦ୍ୟ ‘କେନ୍ଦ୍ରା’ ବଜାଇ ନିଜର ପରିବାରର ଭରଣ ପୋଷଣ କରୁଥିବା ଦୁଃଖବନ୍ଧୁଙ୍କର ଦୁଃଖ କହିଲେ ସରିବ ନାହିଁ। ଦୁଃଖବନ୍ଧୁ ଙ୍କର ପରିବାରରେ ଧର୍ମପତ୍ନୀଙ୍କ ସହିତ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି। ଅତ୍ୟନ୍ତ ଅଭାବ ଅନାଟନରେ ଜୀବନ ବ୍ୟତିତ କରୁଥିବା ଦୁଃଖବନ୍ଧୁଙ୍କର ପୁତ୍ର ଛୋଟ ସମୟରେ ଗଛରୁ ପଡି ଆହତ ହୋଇଥିବାରୁ ତାଙ୍କର ଗୋଟିଏ ହାତରେ କାର୍ଯ୍ୟ କରି ପାରୁ ନାହାନ୍ତି। ଏହି ପରିଣତ ବୟସରେ ମଧ୍ୟ ଗାଁ କୁ ଗାଁ ବୁଲି ବୁଲି କେନ୍ଦ୍ରା ବଜାଇ ଭିକ୍ଷା କରି ପରିବାର ଭରଣ ପୋଷଣ କରିବା ପାଇଁ ସେ ବାଧ୍ୟ ହେଉଛନ୍ତି। ସରକାର ଗରିବ ଓ ଅସହାୟ ତଥା କଳାକାର ମାନଙ୍କ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ କିନ୍ତୁ ଏଥିରୁ ଦୁଃଖବନ୍ଧୁ ବଞ୍ଚିତ ରହିଛନ୍ତି। ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବା ପରେ ତାଙ୍କର ପରିବାରକୁ ସରକାରୀ ଯୋଜନା ଅନୁଯାୟୀ ମାତ୍ର ୫ କିଲୋ ଚାଉଳ ମିଳୁଛି। ସରକାରୀ ଉପେକ୍ଷା ଯୋଗୁଁ କଳାକାର ଭତ୍ତା ସମେତ ଅନ୍ୟାନ୍ୟ ସରକାରୀ ଯୋଜନା ଆଦି ପାଇଁ ଦୁଃଖବନ୍ଧୁ ଏବେ ମଧ୍ୟ ବଞ୍ଚିତ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଲୋକ କଳାକାର ମାନଙ୍କୁ ସର୍ବ ସମ୍ମୁଖକୁ ଆଣି ସେମାନଙ୍କୁ ଏକ ଭବ୍ୟ ପ୍ଲାଟଫର୍ମ ଦେବା ସହିତ ସେମାନଙ୍କର ଉତଥାନ ପାଇଁ ‘ସମ୍ବଲପୁର ଲୋକ ମହୋତ୍ସବ’ ର ଆୟୋଜନ କରାଯାଉଥିବା ବେଳେ ତାହା ପ୍ରକୃତ ଉଦ୍ଦେଶ୍ୟରୁ ବହୁ ଦୂରରେ ରହିଥିବାର ଦେଖାଯାଉଛି। ଏଣୁ ଦୁଃଖବନ୍ଧୁ ମାନଙ୍କ ଭଳି ଲୋକ କଳାକାର ଓ ଲୋକ ବାଦ୍ୟକୁ ଗୁରୁତ୍ୱ ଦେଇ ଏହି ମହୋତ୍ସବର ଆୟୋଜନ କରାଯାଉ ବୋଲି ସହରବାସୀ ମତ ପ୍ରକାଶ କରୁଛନ୍ତି।

Comments are closed.