ମାଆ ସମଲେଶ୍ୱରୀ ମହିମା ପ୍ରଚାର ସମିତିର ‘ସାରଙ୍ଗଗଡ’ ପରିଦର୍ଶନ

ସମ୍ବଲପୁର : ପଶ୍ଚିମ ଓଡିଶା ତଥା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ‘ମା ସମଲେଶ୍ୱରୀ ମହିମା ପ୍ରଚାର ସମିତି’ ନାମକ ଏକ ସମିତି ଗଠନ କରାଯାଇଛି। ମା’ ସମଲେଶ୍ୱରୀଙ୍କର ମହିମାର ପ୍ରଚାର ପ୍ରସାର ପାଇଁ ଆଗାମୀ ବର୍ଷ ମାଆ ସମଲେଶ୍ୱରୀ ମହାଯଜ୍ଞ ସମ୍ବଲପୁର ଠାରେ ଅନୁଷ୍ଠିତ ହେବ। ଏଥି ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଏହି ମହାଯଜ୍ଞରେ ଦେଶର ବିଭିନ୍ନ ସ୍ଥାନରେ ଥିବା ମାଆ ସମଲେଶ୍ୱରୀ ଙ୍କ ମନ୍ଦିର ପୂଜକ ଓ ସେବକ ମାନଙ୍କ ସହିତ ସର୍ମ୍ପକ ସ୍ଥାପନ ଅଭିଯାନ ପ୍ରକ୍ରିୟା ସୋମବାର ଦିନ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ମା’ ସମଲେଶ୍ୱରୀ ମହିମା ପ୍ରଚାର ସମିତିର ଏକ ପ୍ରତିନିଧି ମଣ୍ଡଳ ସୋମବାର ଦିନ ପଡୋଶୀ ରାଜ୍ୟ ଛତିଶଗଡର ରାୟଗଡ ଜିଲା ଅର୍ନ୍ତଗତ ସାରଙ୍ଗଗଡରେ ଥିବା ମା’ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି। ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ ଙ୍କ ନେତୃତ୍ୱରେ ମା ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ପଟ୍ଟନାୟକ ଓ ସାମ୍ବାଦିକ ବିରାଜ କୁମାର ମିଶ୍ର ପଡୋଶୀ ରାଜ୍ୟର ସାରଙ୍ଗଗଡକୁ ଯାତ୍ରା କରିଥିଲେ।

ଏହି ପ୍ରତିନିଧି ଦଳ ସାରଙ୍ଗଗଡ ସ୍ଥିତ ରାଜପ୍ରସାଦରେ ଥିବା ମନ୍ଦିରରେ ମାଆ ସମଲେଶ୍ୱରୀ ଙ୍କର ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ମନ୍ଦିରର ମୁଖ୍ୟ ପୂଜକ ଓ ସେଠାକାର ଗଣ୍ୟମାନ୍ୟ ବ୍ୟକ୍ତି ଙ୍କ ସହିତ ପ୍ରତିନିଧି ମଣ୍ଡଳ ଦୁଇ ମନ୍ଦିରରେ ଚାଲୁଥିବା ମାଆଙ୍କ ପୂଜା ପଦ୍ଧତି ଓ ରିତିନିତି ବିଷୟରେ ଚର୍ଚ୍ଚା କରିଥିଲେ। ଏହା ସହିତ ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ମହାଯଜ୍ଞ ସର୍ମ୍ପକରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ସାରଙ୍ଗଗଡ ମାଆ ସମଲେଶ୍ୱରୀ ମନ୍ଦିରର ମୂଖ୍ୟ ପୂଜକ ଦିଲ୍ଲୀପ ପୁରୀ ଗୋସ୍ୱାମୀ, ପ୍ରକାଶ ନନ୍ଦେ, ସଞ୍ଜୟ ନନ୍ଦେ, ରିତେଶ ପୁରୀ ଗୋସ୍ୱାମୀ, ଫୁଲ ସିଂହ ନିଷାଦ, ସିପ୍ରା ନନ୍ଦେ, ଗୋପେଶ ପୁରୀ ଗୋସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ମାଆ ସମଲେଶ୍ୱରୀଙ୍କ ମହିମା ପ୍ରଚାର ପାଇଁ ମହାଯଜ୍ଞ ସହିତ ଦେଶର ବିଭିନ୍ନ ସ୍ଥାନରେ ଥିବା ସମଲେଶ୍ୱରୀ ମନ୍ଦିର ମାନଙ୍କର ପୂଜକ ଓ ସେବକ ମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବା ସହିତ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ରହିଛି। ଦେଶର ବିଭିନ୍ନ ସ୍ଥାନରେ ମାଆ ସମଲେଶ୍ୱରୀ ମନ୍ଦିର ଥିବା ବେଳେ ସମସ୍ତ ମନ୍ଦିର ଗୁଡିକୁ ଏକସୂତ୍ରରେ ଯୋଡିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ତ୍ରିବ୍ରିକ୍ରମ ପ୍ରଧାନ କହିଛନ୍ତି।

Comments are closed.