ଲକ୍ ଡାଉନ୍ ସମୟରେ ବିପୁଳ ମାତ୍ରାରେ କଫ ସିରଫ ଓ ନିଶା ବଟିକା ଜବତ : ୩ ଗିରଫ

ସମ୍ବଲପୁର : ଲକ୍ ଡାଉନ୍ ସମୟରେ ସମ୍ବଲପୁର ପୁଲିସ ବିପୁଳ ମାତ୍ରାରେ କଫ୍ ସିରଫ ଓ ନିଶା ବଟିକା ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ସମ୍ବଲପୁର ଜିଲା ପୁଲିସର ସୂଚନା ଅନୁଯାୟୀ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ସୋମବାର ସନ୍ଧ୍ୟା ସମୟରେ ସଦର ଥାନା ଅର୍ନ୍ତଗତ ଠେମରା ଗ୍ରାମରେ ସ୍ଥିତ ସତ୍ୟବ୍ରତ ମିଶ୍ର ଓରଫ ରୋଶନଙ୍କ ସାର ଦୋକାନରେ ଚଢ଼ଉ କରିଥିଲା। ସ୍ୱେଶାଲ ସ୍କ୍ୱାର୍ଡ ଓ ସଦର ପୁଲିସର ମିଳିତ ଚଢ଼ଉ ସମୟରେ ଠେମରା ଗ୍ରାମ ନିବାସୀ ସୁବ୍ରତ ବଢ଼େଇ (୨୪)ଙ୍କୁ ଗିରଫ କରିଥିବାବେଳେ ପ୍ରମୁଖ ଅଭିଯୁକ୍ତ ସତ୍ୟବ୍ରତ ମିଶ୍ର ଅନ୍ଧକାରର ସୁଯୋଗ ନେଇ ଫେରାର ମାରିଥିଲା। ପୁଲିସ ସାର ଦୋକାନରୁ ବିପୁଳ ମାତ୍ରାରେ ଅପମିଶ୍ରିତ କଫ ସିରଫ୍, ନିଶା ବଟିକା ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରିବା ସହିତ ସଦର ଥାନାରେ ମାମଲା ନଂ ୧୬୪/୨୦୨୦, ୟୁ/ଏସ ୨୭୪/୨୭୫/୩୪ ଆଇପିସି ଅନୁଯାୟୀ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଅନ୍ୟ ପଟରେ ଫେରାର ଅଭିଯୁକ୍ତ ରୋଶନକୁ ଶାସନ ପୁଲିସ ନୁଆଁମୁଣ୍ଡା ଛକ ନିକଟରେ ମଙ୍ଗଳବାର ପ୍ରାତଃ ସମୟରେ ଫେରାର ମାରୁଥିବା ସମୟରେ ଗୋଡାଇ ଗୋଡାଇ ଧରିବାରେ ସଫଳ ହୋଇଥିଲା। ସେହି ସମୟରେ ଦୁଇ ଅଭିଯୁକ୍ତ ସୁବ୍ରତ ଓ ରୋଶନର ଆଉ ଜଣେ ସହଯୋଗୀ ପରମାଣପୁର ଗ୍ରାମର ନିବାସୀ ବଳରାମ ଦୀପ (୩୧)ଙ୍କୁ ମଧ୍ୟ ପୁଲିସ ଧରିଥିଲା। ଏ ନେଇ ଶାସନ ଥାନାରେ ମାମଲା ନଂ ୧୨୯/୨୦୨୦, ୟୁ/ଏସ ୨୭୪/୨୭୫/୩୪ ଆଇପିସି ଅନୁଯାୟୀ ରୁଜୁ କରାଯିବା ସହିତ ମାମଲାର ତଦନ୍ତ ଜାରି ରହିଛି। ପୁଲିସ ଏହି ସ୍ୱତନ୍ତ୍ର ଚଢ଼ଉ ଅଭିଯାନ ସମୟରେ ସମୁଦାୟ ୨୩୦୯ଟି ଅପମିଶ୍ରିତ ଭର୍ତ୍ତି କଫ୍ ସିରଫ୍, ୫ଟି ସ୍ଟ୍ରିପ ନାଇଟ୍ରୋସନ – ୧୦ ଟାବଲେଟ, ଏକ ପ୍ଲାଷ୍ଟିକ ଜାରକିନରେ ୩.୦୫ ଲିଟର ଅପମିଶ୍ରିତ କଫ ସିରଫ, ୧୦ଟି ପ୍ଲାଷ୍ଟିକ ଗ୍ଲାସ ଓ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରିଛି।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲାରେ ଦିନକୁ ଦିନ ବେଆଇନ ନିଶା ଦ୍ରବ୍ୟ କାରବାର ଅତ୍ୟଧିକ ଭାବରେ ବଢ଼ିବାରେ ଲାଗିଛି। ଲକ୍ ଡାଉନ୍ ସମୟରେ ସବୁଆଡେ ପୁଲିସର ପହରା ଚାଲୁଥିବାବେଳେ ଏତେ ପରିମାଣର ନିଶା ଦ୍ରବ୍ୟ ଜବତ ହେବା ଜିଲାବାସୀଙ୍କୁ ଆର୍ଶ୍ଚଯ୍ୟ ଚକିତ କରିଛି। ବେଆଇନ୍ ନିଶା କାରବାର ଉପରେ ସମ୍ବଲପୁର ଜିଲା ପୁଲିସ ଅଙ୍କୁଶ ଲଗାଇବାରେ ବାରମ୍ବାର ବିଫଳ ହେଉଥିବାରୁ ଗତ ୧୩ ତାରିଖରେ ଜିଲାପାଳ ଏକ ସୂତ୍ରରୁ ଖବର ପାଇବା ପରେ ତାଙ୍କର ନିର୍ଦ୍ଦେଶକ୍ରମେ ଉପ ଜିଲାପାଳଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ତୁରନ୍ତ ଗଠନ କରାଯାଇ ବୁର୍ଲା ଠାରେ ଚଢ଼ଉ କରାଯାଇ ବିପୁଳ ମାତ୍ରାରେ ଜଣେ ମହିଳାଙ୍କ ଠାକୁର ଘର ମଧ୍ୟରେ ଅବୈଧ୍ୟ ଭାବରେ ରଖାଯାଇଥିବା ନିଶା କଫ୍ ସିରଫ ଓ ଅନ୍ୟାନ୍ୟ ନିଶା ସାମଗ୍ରି ଜବତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଘଟଣାରେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ପୁଲିସକୁ କିଛି ସୂଚନା ଦିଆଯାଇ ନ ଥିବା ବେଳେ ଚଢ଼ଉ ସ୍ଥାନକୁ ପହଞ୍ଚିବା ପର୍ଯ୍ୟନ୍ତ ଅଭିଯାନକୁ ଗୁପ୍ତ ରଖାଯାଇଥିଲା। ଜିଲା ପ୍ରଶାସନର ଏହି ପଦକ୍ଷେପ ଦ୍ୱାରା ପୁଲିସର ବିଶ୍ୱସନିୟତା ସହିତ କାର୍ଯ୍ୟଶୈଳୀ ଉପରେ ସବୁ ମହଲରୁ ପ୍ରଶ୍ନ ଉଠୁଛି। ଏଣୁ ପୁଲିସ ତାର ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଏହି ନିଶା ରାକେଟକୁ ଧରିଛି ବୋଲି ସହରବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଅନ୍ୟ ପଟରେ ଜିଲାର ପାନ ଦୋକାନ, ଚା ଦୋକାନଠାରୁ ଆରମ୍ଭ କରି ସାର ଦୋକାନ ଭଳି ସ୍ଥାନ ଗୁଡିକରେ ବେଆଇନ ଭାବରେ ନିଶା ଦ୍ରବ୍ୟ ବିକ୍ରି ହେଉଥିବାବେଳେ ପୁଲିସକୁ ଜଣା ନ ପଡିବା ସାଧାରଣରେ ଭ୍ରୃକୁଞ୍ଚନ ସୃଷ୍ଟି କରୁଛି।

Comments are closed.