ମା’ବାପାଙ୍କୁ ଭାଙ୍ଗ-ଗୁଡାଖୁ ଦେବାକୁ ଯାଇ ପୁଅ କ୍ବାରେଣ୍ଟାଇନରେ

ରେଙ୍ଗାଲିକେମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ସଙ୍ଗରୋଧ କେନ୍ଦ୍ରରେ ଏବେ ୨୧ ଜଣ ପ୍ରବାସୀ ଶ୍ରମିକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଦେବାର୍ଚ୍ଚନ ପ୍ରଧାନ ଓ ତାଙ୍କ ସ୍ତ୍ରୀ ଫୁଲବାଇ। ସେମାନେ ଲରାସରା ପଞ୍ଚାୟତ ଅନ୍ତର୍ଗତ ଟୁପାପଡାର ହୋଇଥିବାରୁ ପୁଅ ରାଜକୁମାର ବାପାମା’ଙ୍କୁ ଏହି ସଙ୍ଗରୋଧ କେନ୍ଦ୍ରକୁ ସାକ୍ଷାତ କରିବାକୁ ଆସିଥିଲା । କିନ୍ତୁ ସରକାରୀ ନିୟମକୁ ଉଲ୍ଳଙ୍ଘନ କରି କେନ୍ଦ୍ରର ପଛପଟ ଝରକା ଦେଇ ବାପାମା’ଙ୍କୁ ଗୁଡାଖୁ ଓ ବିଡି ଯୋଗାଇବା ସହ ମା’ଙ୍କ ଠାରୁ ୨୦୦ ଟଙ୍କା ନେଇଥିଲା। ଏହି ଘଟଣା ଗ୍ରାମବାସୀଙ୍କ ନଜରକୁ ଆସିବା ପରେ କରୋନା ସଂକ୍ରମଣର ଆଶଙ୍କାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସେମାନେ ସରପଞ୍ଚ ରଞ୍ଜିତ ସାହୁଙ୍କୁ ସୂଚନା ଦେଇଥିଲେ । ତେଣୁ ଗ୍ରାମବାସୀଙ୍କ ସହ ଆଲୋଚନା ପରେ ଏବଂ ଘଟଣାଟି ସତ୍ୟ ହୋଇଥିବା ଜାଣିପାରି ସରପଞ୍ଚ ରାଜକୁମାରଙ୍କୁ ସଙ୍ଗରୋଧ କେନ୍ଦ୍ରର ଏକ ସ୍ବତନ୍ତ୍ରରୁମରେ ରଖିଛନ୍ତି ​‌। କିନ୍ତୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଏହି ସଙ୍ଗରୋଧ କେନ୍ଦ୍ରରେ ଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ତେବେ ଅତାବିରା ବ୍ଲକରେ ଥିବା ୨୪ଟି କେନ୍ଦ୍ରରୁ ମାତ୍ର ୫୦ଜଣଙ୍କ ରକ୍ତନମୁନା ପଠାଯାଇଥିବା ସୂଚନା ମିଳିଛି। ତେଣୁ ସ୍ବାସ୍ଥ୍ୟବିଭାଗ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି ।

Comments are closed.