ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୁଲିଲା ଖଣ୍ଡା

ସମ୍ବଲପୁର : ପୁଲିସ ପ୍ରତି ଅପରାଧୀମାନଙ୍କ ମନରେ ଭୟ ରହୁ ନଥିବାରୁ ଆଜିକାଲି ଗୋଷ୍ଠୀ ସଂଘର୍ଷ ନିୟମିତ ଘଟଣା ହୋଇ ପଡ଼ିଲାଣି। ଶନିବାର ସନ୍ଧ୍ୟାରେ ପୀର ବାବା ଛକରେ ଦୁଇଟି ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପ୍ରଥମେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ, ତା ପରେ ମାଡ଼ପିଟ ଓ ଶେଷରେ ଖଣ୍ଡା ଓ ଛୁରି ଚାଲିଥିବା ଜଣାପଡ଼ିଛି। ତେବେ ସ୍ଥାନୀୟ ଲୋକଙ୍କ ତ୍ବରିତ ହସ୍ତକ୍ଷେପ ଯୋଗୁ ଘଟଣା ଅଧିକ ଗୁରୁତର ରୂପ ନେଇ ପାରିନାହିଁ।
ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭ ସମୟରେ ଦଲେଇପଡ଼ା ଭୈରୋ ଗଳି ଦେଇ ଏକ ଆକ୍ଟିଭାରେ ଦୁଇ ଜଣ ଯୁବକ ଦ୍ରୁତଗତିରେ ଯାଉଥିଲା ବେଳେ ସେହି ଅଞ୍ଚଳର ଜଣେ ଯୁବକ ସେମାନଙ୍କୁ ସଂକୀର୍ଣ୍ଣ ଗଳିରେ ଦ୍ରୁତ ଗତିରେ ଗାଡ଼ିଚାଳନାକୁ ବିରୋଧ କରିଥିଲେ। ଫଳରେ ଦୁଇ ଯୁବକ ଗଳି ସମ୍ମୁଖ ଛକରେ ଗାଡ଼ି ଅଟକାଇ ତାଙ୍କୁ ଗାଳି ଦେଇ ଛୁରିରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତେବେ ଯୁବକଜଣକ ସେମାନଙ୍କ କବଳରୁ କୌଣସି ପ୍ରକାରେ ବର୍ତ୍ତି ଯାଇଥିଲେ। ଲୋକେ ଆସିଯିବାରୁ ଦୁଇ ଯୁବକ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିଲେ। ଏହି ଘଟଣାକୁ ନେଇ ପଡ଼ାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫେରାର ହୋଇଥିବା ଯୁବକମାନେ କିଛି ସମୟ ପରେ ସେମାନଙ୍କ ସାଙ୍ଗମାନଙ୍କୁ ଧରି ସେଠାକୁ ଫେରିଥିଲେ। ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହେବା ସହ ଛୁରା ଓ ଖଣ୍ଡା ବୁଲିଥିଲା। ଅଞ୍ଚଳବାସୀ ପୁଣି ହସ୍ତକ୍ଷେପ କରି ଦୁଇ ଗୋଷ୍ଠୀଙ୍କୁ ଘେରିଯିବାରୁ ଦୁଇ ଯୁବକ ଓ ତାଙ୍କ ସାଙ୍ଗମାନେ ପୂର୍ବରୁ ଛାଡ଼ି ପଳାଇଥିବା ଆକ୍ଟିଭା ଧରି ସେଠାରୁ ପଳାଇଥିଲେ। ଘଟଣା ସଂପର୍କରେ ପଚାରିବାକୁ ଟାଉନ ଥାନାଧିକାରୀଙ୍କୁ ଫୋନ କରିବାରୁ ସେ ଫୋନ ଉଠାଇ ନଥିଲେ। କିନ୍ତୁ ପୁଲିସ ଘଟଣା ସ୍ଥଳକୁ ଯାଇ ଯାଞ୍ଚ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ପକ୍ଷରୁ ଥାନାରେ ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି।