ବାହାରର ଧାନ ବୋଝେଇ ଟ୍ରକ୍କୁ ଧରି ପୁଲିସକୁ ହସ୍ତାନ୍ତର କଲେ ଚାଷୀ

ସମ୍ବଲପୁର : ଚାଷୀ ତାର ଉତ୍ପାଦିତ ଧାନକୁ ଅମଳ କରିବାଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ନାନା ପ୍ରକାରର ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ସମ୍ବଲପୁର ଜିଲାର ମଣ୍ଡିମାନଙ୍କୁ ବାହାର ଜିଲା ଓ ରାଜ୍ୟର ଧାନଗୁଡିକୁ ବେଆଇନ ଭାବରେ ଚାଲାଣ କରାଯାଉଥିବାର ଅଭିଯୋଗ ନିୟମିତ ଭାବରେ ହୋଇଆସୁଛି। ଏବେ ଧାନ କିଣାବିକା ଚାଲିଥିବା ବେଳେ ସମ୍ବଲପୁରର ଉପକଣ୍ଠସ୍ଥ ସେରସୁଆଁତଲ ଛକଠାରେ ମଙ୍ଗଳବାର ରାତ୍ରିରେ ଚାଷୀ ବିପିନ ବିହାରୀ ଭୋଇ, ଦେବେନ୍ଦ୍ର କୁମାର ପଧାନ, ଶାନ୍ତାନୁ ପ୍ରଧାନ, ଜଗଦାନନ୍ଦ ନାୟକ, ଉପେନ୍ଦ୍ର ପ୍ରଧାନ ଓ ବାବଲୁ ଦେହୁରୀ ବାହାରୁ ଧାନ ବୋଝେଇ କରି ସମ୍ବଲପୁରକୁ ଆଣୁଥିବା ଟ୍ରକ୍ (ଓଡି-୧୫-ସି-୫୧୨୩)କୁ ଧରିଛନ୍ତି। ସେମାନେ ଉକ୍ତ ଧାନ ବୋଝେଇ ଟ୍ରକକୁ ଶାସନ ଥାନାକୁ ହସ୍ତାନ୍ତର କରିଛନ୍ତି। ଏ ସର୍ମ୍ପକରେ ଶାସନ ଥାନାଧିକାରୀ ଓ ଚାଷୀମାନଙ୍କ ସହିତ ଯୋଗାଯୋଗ ସମ୍ଭବପର ହୋଇ ନ ପାରିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ।