ପଶ୍ଚିମ ଓଡିଶାରେ ପାଳିତ ହେଲା ‘ପୁଅ ଜୁତିଆ’

ସମ୍ବଲପୁର : ମନୁଷ୍ୟ ଯେତେ ସଙ୍କଟ ମଧ୍ୟରେ ଘେରି ରହିଥିଲେ ସୁଦ୍ଧା ତାର ଭାଷା, ଧର୍ମ, ପରମ୍ପରା ଓ ସଂସ୍କୃତିକୁ ଭୂଲି ନ ଥାଏ। ଏବେ ସାରା ବିଶ୍ୱ କରୋନା ଜନିତ ମହାମାରୀ ସହିତ ଦୁଇ ଦୁଇ ହାତ କରୁଥିବା ବେଳେ ମଧ୍ୟ ମନୁଷ୍ୟ ତାର ଭାଷା, ଧର୍ମ, ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିବାରେ ବିକଳ୍ପ ଖୋଜି ନେଉଛି। ଏଭଳି ଘଡି ସନ୍ଧି ମୁହୁର୍ତ୍ତ ମଧ୍ୟରେ ଗୁରୁବାର ପଶ୍ଚିମ ଓଡିଶାରେ ମାଁ ଓ ସନ୍ତାନ୍ତ ମାନଙ୍କ ସର୍ମ୍ପକକୁ ଆହୁରୀ ନିବିଡ କରିବା ‘ପୁଅ ଜୁତିଆ’ ପର୍ବ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଆଶ୍ୱିନ ମାସ ଅଷ୍ଠମୀ ତିଥିର କୃଷ୍ଣ (ଅନ୍ଧାର) ପକ୍ଷରେ ପାଳିତ ‘ପୂଅ ଜୁତିଆ’ କୁ ‘ଦୂତିବାହାନ ଓଷା’ ମଧ୍ୟ କୁହାଯାଇଥାଏ। ଏହି ତିଥିରେ ମାଁ ମାନେ ସନ୍ତାନ ମାନଙ୍କର ସର୍ବମଙ୍ଗଳ କାମନା କରି ଗୋଟିଏ ଦିନ ଉପବାସ ରଖୁଥିବା ବେଳେ ସନ୍ଧ୍ୟା ସମୟରେ ପୂଜାର୍ଚ୍ଚନା କରିଥାନ୍ତି।

ଏହି ପର୍ବ ସମୟରେ ଦୂତିବାହନ ଙ୍କୁ ଏକ ଖୋଲା ସ୍ଥାନରେ ମହିଳା ମାନେ ପୂଜା କରିଥାନ୍ତି। ଏଥି ପାଇଁ ସନ୍ଧ୍ୟା ସମୟରେ ମାଁ ମାନେ ନିଜ ନିଜ ସାହିରେ ଏକତ୍ରିତ ହୋଇ ମାଟିର ଘର ନିର୍ମାଣ କରି ତା ମଧ୍ୟରେ ଏକ ବେଦି ତିଆରି କରିଥିଲେ। ବେଦିକୁ ଆମ୍ବ ପତ୍ର ଓ ଫୁଲରେ ସାଜସଜ୍ଜା କରିଥିଲେ। ବେଦିରେ ବାଞ୍ଜି (ବାଉଁଶ) ଡାଳ ଲଗାଯାଇ ଅଁଳା ଓ ହଳଦୀରେ ଷଠୀ ଦୁଶେଇ (ଦୂତିବାହାନ) ନିର୍ମାଣ କରାଯାଇଥିଲା। ଏହା ପରେ ମାଟିର ଘର ଉପରେ ଉପବାସ କରିଥିବା ମାଁ ମାନଙ୍କ ତରଫରୁ ଗୋଟିଏ ଲେଖାଏଁ ଗୁଆ ରଖାଯାଇଥିଲା। ଏହା ପରେ ମାଟିର ଘର ମଧ୍ୟରେ କରାଯାଇଥିବା କୁଣ୍ଡରେ ପାଣି ଭର୍ତ୍ତି କରାଯାଇ ସେଥିରେ ଜୀଅନ୍ତା ମାଛ ଗୁଡିକ ଛଡାଯାଇଥାଏ। ଏହି ପାରମ୍ପରିକ ରିତିନିତି ପାଳନ ପରେ ଦୀପ ଓ କଳସ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ମାଁ ମାନେ ସନ୍ତାନ ମାନଙ୍କ ଦୀର୍ଘ, ନିରାମୟ ଓ ସୁଖମୟ ଜୀବନ କାମନା କରି ପ୍ରତି ସନ୍ତାନଙ୍କ ପାଇଁ ଗୋଟିଏ ଲେଖାଏଁ ଶାଳ ପତ୍ରରେ ୧୦୮ଟି ଦୁବ ଘାସ ଓ ୧୦୮ଟି ଅରୁଆ ଚାଉଳ ଗୁଡିକୁ ଏକତ୍ର ବାନ୍ଧି ପେଣ୍ଡା ନିର୍ମାଣ କରିଥିଲେ। ଏହି ଦୁବ ପେଣ୍ଡାର ପଛରେ ଏକ ଜୁଅଁତିଆ ବାନ୍ଧିଥିଲେ। ମାଁ ମାନେ ନିଜେ ନିର୍ମାଣ କରିଥିବା ଭୋଗ ଯଥା ଲିଆର ଜୁଗାଡ ଓ ମୁଗରୁ ତିଆରୀ ତିଖିରୀ ସହିତ ଫଳ ଓ ଫୁଲ ଅର୍ପଣ କରି ଦୂତିବାହାନ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ।

ପୁଅ ଜୁତିଆ ପୂଜାର ପରବର୍ତ୍ତୀ ଦିନ ପ୍ରାତଃ ସମୟରେ ମାଁ ମାନେ ନିକଟସ୍ଥ ନଦୀ, ପୋଖରୀ ରେ ପବିତ୍ର ବୁଡ ପକାଇ ସେହି କୂଳରେ ଶାଳ ପତ୍ର ପେଣ୍ଡାରେ ବନ୍ଧା ଯାଇଥିବା ଦୁବ ଓ ଚାଉଳକୁ ପାରମ୍ପରିକ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି। ଏହା ପରେ ଘରକୁ ଯିବା ପରେ ମାଁ ମାନେ ସନ୍ତାନ ମାନଙ୍କୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ୭ ଥର ବନ୍ଦାଇ ସେମାନଙ୍କର ମଙ୍ଗଳ କାମନା କରିଥାନ୍ତି। ସାଧାରଣତଃ ଘାସର ଅଗ୍ରଭାଗ ସ୍ପର୍ଶ ଦ୍ୱାରା ଛୁଆ ମାନେ ଅସୁସ୍ଥତା ଓ ନକାରତ୍ମକ ଶକ୍ତିରୁ ରକ୍ଷା ପାଇଥାନ୍ତି ବୋଲି ମାନ୍ୟତା ରହିଛି। ଏଣୁ ମାଁ ମାନେ ସନ୍ତାନ ମାନଙ୍କୁ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ଘାସର ଅଗ୍ରଭାଗ ସ୍ପର୍ଶ କରାଇ ବନ୍ଦାଣ କରିଥାନ୍ତି ଏବଂ ଶାଳ ପତ୍ର ପେଣ୍ଡାରେ ଲଗାଯାଇଥିବା ଜୁତିଆକୁ ଖୋଲି ସନ୍ତାନଙ୍କୁ ବାନ୍ଧିଥାନ୍ତି। ଏହି ପର୍ବର ଏହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରିତି ଅଟେ। ଏହି ପରମ୍ପରା ନିର୍ବାହ ପରେ ମାଁ ମାନେ ସେମାନଙ୍କର ଉପବାସ ଭାଙ୍ଗି ଖାଦ୍ୟପେୟ ଗ୍ରହଣ କରିଥାନ୍ତି। ତେବେ ଚଳିତ ବର୍ଷ କରୋନା ସଙ୍କଟକୁ ଧ୍ୟାନରେ ରଖି ଅନେକ ଅଞ୍ଚଳରେ କୋଭିଡ ନିୟମାନୁଯାୟୀ କେବଳ ବିଧି ରକ୍ଷା ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା କରାଯାଇଥିବା ବେଳେ ଅନେକ ସ୍ଥାନରେ ମହିଳା ମାନେ ନିଜ ନିଜ ଘରେ ପୂଜା କରିଥିଲେ।

Comments
Loading...