ପଛୁଆ ଜଳରେ ସମ୍ବଲପୁର ଜଳମଗ୍ନ : ବନ୍ୟା ଆଶ୍ରୟ ସ୍ଥଳର ଅବ୍ୟବସ୍ଥାକୁ ନେଇ ବିଧାୟକ ଅସନ୍ତୋଷ

ସମ୍ବଲପୁର : ସମ୍ବଲପୁର ଜିଲାରେ ବିଗତ ପ୍ରାୟ ଏକ ସପ୍ତାହ ହେବ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ତେବେ ଶୁକ୍ରବାର ରାତ୍ରିରୁ ଟିକିଏ ବର୍ଷା କମିବା ଏବଂ ଛତିଶଗଡ ଅଞ୍ଚଳରେ ବର୍ଷା ଜୋର ଧରିବାରୁ ହୀରାକୁଦ ଜଳଭଣ୍ଡାରରେ ୬୨୫ ଫୁଟରୁ ଉର୍ଦ୍ଧ୍ବ ଜଳ ଭର୍ତ୍ତି ହେଲାଣି। ଆଗାମୀ ଦିନରେ ଉପରମୁଣ୍ଡରୁ ଆହୁରୀ ବନ୍ୟା ଜଳ ଆସିବାର ଆଶଙ୍କା ଥିବାରୁ ନଦୀବନ୍ଧ କତ୍ତୃପକ୍ଷ ଶୁକ୍ରବାର ୪୦ଟି ଗେଟ୍ ଖୋଲିବାରୁ ଏବେ ସମ୍ବଲପୁର ମଧ୍ୟରୁ ଜଳ ନିଷ୍କାସନ ମହାନଦୀକୁ ଯାଇ ନ ପାରି ଫୁଲିବା ଆରମ୍ଭ କରିଛି। ଏହା ଛଡା ହରଡ ଜୋର ପଟରୁ ମଧ୍ୟ ଜଳ ନିଷ୍କାସନ ହୋଇ ନ ପାରି ମହାନଦୀରୁ ବନ୍ୟା ଜଳ ପଛଘୁଞ୍ଚା ଦେଇ ଚାରଭାଟି, କୁଲୁଥକାନି, ଗୋବିନ୍ଦତୋଲା ଆଦିର ତଳି ଅଞ୍ଚଳରେ ପାଣି ଭରିବା ଆରମ୍ଭ ହୋଇଯାଇଛି। ଅନ୍ୟ ପଟରେ ଦିନ ସମୟରେ ମହାନଦୀରେ ଜଳ ବୃଦ୍ଧି ପାଇବା ପରେ ସହର ମଧ୍ୟରୁ ଜଳ ନିଷ୍କାସନ ହୋଇ ନ ପାରି ତଳି ଅଞ୍ଚଳ ଯଥା ବାଲିବନ୍ଧା, ତଅଁଲାପଡା, କୁଲୁଥକାନି, ଚାରଭାଟି, କମିଶନର କଲୋନୀ, ଷ୍ଟେଟ ବ୍ୟାଙ୍କ ପାଖାରେ ଥିବା ବସ୍ତି ଅଞ୍ଚଳ, ଗୁଣ୍ଡେରପୁର, ଚନ୍ଦନ ନଗର, ମନ୍ଦଲିଆ, ବଡବଜାର ଆଦି ଅଞ୍ଚଳରେ ଜଳ ଭରି ଯାଇଛି। ଏହା ସହିତ ସମ୍ବଲପୁର – ସୋନପୁର ରାଜ୍ୟ ରାଜପଥ ଉପରେ ୪ ଫୁଟ୍ ଉପରେ ପାଣି ଚାଲୁଥିବାରୁ ଯାତୟାତ ବାଧାପ୍ରାପ୍ତ ହୋଇଛି। ନିଗମର ବହୁ ଅଞ୍ଚଳରେ ମୋଟର ପମ୍ପ ଯୋଗେ ଜଳ ନିଷ୍କାସନ କାର୍ଯ୍ୟ ଜାରି ରହିଥିବାବେଳେ ବିନାଖଣ୍ଡି ଓ ବାଲିବନ୍ଧା ସ୍ଥିତ ବନ୍ୟା ନିଷ୍କାସନ ପମ୍ପଗୁଡିକ ମଧ୍ୟ ଇତି ମଧ୍ୟରେ କାର୍ଯ୍ୟକ୍ଷମ ହୋଇ ଯାଇଛି। କିନ୍ତୁ ମହାନଦୀ ମଧ୍ୟରେ ଏବେ ମଧ୍ୟ ୭ ଲକ୍ଷରୁ ଉର୍ଦ୍ଧ୍ବ କ୍ୟୁସେକ୍ ଜଳ ନିଷ୍କାସନ ହେଉଥିବାରୁ ସହର ମଧ୍ୟରୁ ଜଳ ଖଲାସ ହୋଇପାରୁନାହିଁ। ଅନ୍ୟ ପଟରେ ପିଡିତ ଅଞ୍ଚଳବାସୀ ସେମାନଙ୍କ ଘରଦ୍ୱାରା ଛାଡି ବନ୍ୟା ଆଶ୍ରୟସ୍ଥଳଗୁଡିକୁ ଯାଇ ରହିଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କର ରହିବା ଓ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଦାବି କରାଯାଉଥିବାବେଳେ କିନ୍ତୁ ବାସ୍ତବ ଚିତ୍ର ଓଲଟା ରହିଛି।

ଏବେ ବର୍ଷା ହେଉ ନ ଥିବାରୁ ସହରର ସ୍ଥିତି ଗୋଟିଏ ପ୍ରକାରରେ ଠିକ ଥିବା ବେଳେ ଯଦି ବର୍ଷା ହୁଏ ତାହା ହେଲେ ସ୍ଥିତ ଅସମ୍ଭାଳ ହେବାରେ ସମୟ ଲାଗିବ ନାହିଁ। ଅନ୍ୟ ପଟରେ ପ୍ରତି ବର୍ଷ ସାମାନ୍ୟ ବର୍ଷାରେ ତଳି ଅଞ୍ଚଳଗୁଡିକରେ ପାଣି ପଶି ଯାଉଥିବାବେଳେ ଏହାର ପ୍ରତିକାର ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ନିଗମ ଅଞ୍ଚଳ ବନ୍ୟା ସ୍ଥିତି ସର୍ମ୍ପକରେ ଆପାଦକାଳିନ ଅଧିକାରୀ, ମହାନଗର ନିଗମ କମିଶନର, ଅଧିକାରୀ ଅଥବା ଦାୟିତ୍ୱ ସମ୍ପନ୍ନ ଅଧିକାରୀମାନଙ୍କୁ ଯୋଗାଯୋଗ କରାଯିବାରୁ କେହି ଫୋନ ଉଠାଉ ନ ଥିବାରୁ ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରଶାସନର ଆପାତକାଳୀନ ସ୍ଥିତି ସର୍ମ୍ପକରେ କରାଯାଇଥିବା ପ୍ରାକ ପ୍ରସ୍ତୁତି ଓ କଣ ପଦକ୍ଷେପ ନିଆଯାଇଛି ସେ ସର୍ମ୍ପକରେ ଜଣାପଡି ନାହିଁ।

ଅନ୍ୟ ପଟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ବନ୍ୟା ଆଶ୍ରୟସ୍ଥଳମାନଙ୍କୁ ଯାଇ ବନ୍ୟାପ୍ରପୀଡିତମାନଙ୍କୁ ଭେଟି ସେମାନଙ୍କର ସୁବିଧା ଅସୁବିଧା ବୁଝିଛନ୍ତି। ଜେଲଖାନା ଛକରେ ଥିବା ଆଶ୍ରୟସ୍ଥଳରେ ଶତାଧିକ ପୁରୁଷ, ମହିଳା ଓ ଶିଶୁ ସକାଳୁ ରହିଥିବାବେଳେ ରାତ୍ରି ପର୍ଯ୍ୟନ୍ତ ସେମାନଙ୍କ ପାଇଁ କୌଣସି ଖାଦ୍ୟପେୟର ବ୍ୟବସ୍ଥା କରାଯାଇ ନ ଥିବାରୁ ବିଧାୟକଦ୍ୱୟ ଅସନ୍ତୋଷ ପ୍ରକାଶ କରି ତୁରନ୍ତ ଖାଦ୍ୟପେୟ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଭତରା ସ୍ଥିତ ଆଶ୍ରୟସ୍ଥଳରେ ପ୍ରାୟ ୧୫୦ରୁ ଉର୍ଦ୍ଧ ବ୍ୟକ୍ତି ଆଶ୍ରୟ ନେଇଥିବା ବେଳେ ବିଧାୟକଦ୍ୱୟ ଯିବା ସମୟରେ ବିଜୁଳି ଓ ଖାଦ୍ୟପେୟର ବ୍ୟବସ୍ଥା କରା ଯାଇ ନ ଥିବାର ଦେଖାଯାଇଥିଲା। ବିଧାୟକମାନେ ଉପସ୍ଥିତ ରହି ଲାଇଟର ବ୍ୟବସ୍ଥା କରାଇବା ସହିତ ଧନକଉଡା ଏବିଡିଓଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ କହିଥିଲେ। ଏହା ସହିତ ବିଧାୟକ ଜୟନାରାୟଣଙ୍କ ତରଫରୁ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି। ପ୍ରଶାସନିକ ଅଧିକାରୀମାନଙ୍କୁ ତୁରନ୍ତ ଲୋକମାନଙ୍କୁ ଏହି ଘଡିସନ୍ଧି ମୁହୁର୍ତ୍ତରେ ସୁବଧା ଯୋଗାଇ ଦେବାକୁ ବିଧାୟକ ଜୟନାରାୟଣ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ଖବର ପାଇ ଅଧା ରାସ୍ତାରୁ ଫେରିଲେ ସମ୍ବଲପୁର ବିଧାୟକ
ସମ୍ବଲପୁର ସହରରେ ଶୁକ୍ରବାର ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପାଇଁ ୪୦ଟି ଗେଟ ଖୋଲାଯିବା ଏବଂ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ଶୁକ୍ରବାର ସକାଳ ପର୍ଯ୍ୟନ୍ତ ସ୍ଥିତି ସାମାନ୍ୟ ଥିବା ବେଳେ ଏକ ଜରୁରୀକାଳୀନ କାର୍ଯ୍ୟରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଭୂବନେଶ୍ୱର ଯାଉଥିଲେ। ତେବେ ରେଢ଼ାଖୋଲ ପର୍ଯ୍ୟନ୍ତ ପହଞ୍ଚିଥିବା ବେଳେ ସମ୍ବଲପୁରରେ ବନ୍ୟା ଜଳ ପ୍ରବେଶର ଖବର ପାଇ ସମସ୍ତ କାର୍ଯ୍ୟକୁ ବାତିଲ କରି ଅଧା ରାସ୍ତାରୁ ସଙ୍ଗେ ସଙ୍ଗେ ପୁର୍ନବାର ସମ୍ବଲପୁରକୁ ଫେରି ଆସିଛନ୍ତି। ବିଧାୟକ ଜୟନାରାୟଣ ଫେରିବା ରାସ୍ତାରେ ହିଁ ସେ ଭତରା, ଜେଲଖାନା ଛକ ଆଦିରେ ଅଞ୍ଚଳରେ ରହିଥିବା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳ ଗୁଡିକୁ ଯାଇ ପିଡିତ ମାନଙ୍କର ସୁଖଦୁଃଖ ପଚାରି ବୁଝିଥିଲେ। ଏହା ସହିତ ଆଶ୍ରୟସ୍ଥଳ ଗୁଡିକରେ ଲାଗି ରହିଥିବା ଅବ୍ୟବସ୍ଥାଗୁଡିକୁ ତୁରନ୍ତ ଠିକ କରି ଖାଦ୍ୟପେୟ ଆଦିର ସୁବିଧା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.