‘ସମାଜ’ର ସହ ସମ୍ପାଦକଙ୍କୁ ଆକ୍ରମଣ : ନ୍ୟାୟ ପାଇଁ ଏସପିଙ୍କ ନିକଟରେ ଦ୍ୱାରସ୍ଥ

ସମ୍ବଲପୁର : ସମ୍ବଲପୁର ଜିଲାରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୁର୍ଣ୍ଣ ରୂପେ ଭୂଷୁଡି ପଡିଥିବା ବେଳେ ଅପରାଧି ମାନଙ୍କ ମଧ୍ୟରେ ଆଇନ ପ୍ରତି ଭୟ ନ ଥିବାର ଦେଖାଯାଉଛି। ଶତବାର୍ଷିକ ଦୈନିକ ଖବରକାଗଜ ‘ସମାଜ’ର ସମ୍ବଲପୁର ସଂସ୍କରଣରେ କାର୍ଯ୍ୟରତ ସହ ସମ୍ପାଦକ ଦେବେନ ପଟେଲ ଓ ତାଙ୍କର ଭାଇ ପ୍ରକାଶ ପଟେଲଙ୍କ ସହିତ ଜମନକିରାରେ ଥିବା ଜଣେ ସର୍ମ୍ପକୀୟଙ୍କ ଘରକୁ ସୋମବାର ସନ୍ଧ୍ୟାରେ ଯାଉଥିଲେ। ତେବେ ଜମନକିରା ଠାରେ ଦୁଇ ଜଣ ଅପରାଧିକ ପୃ୍‍ଷ୍ଠଭୂମି ଥିବା ବ୍ୟକ୍ତି ମଦ୍ୟପାନ କରି ବିନା କାରଣରେ ସେମାନଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଛନ୍ତି। ତେବେ ଜମନକିରା ପୁଲିସର ଅପରାଧି ମାନଙ୍କ ସହିତ ସଲାସୁତୁରା ଥିବାରୁ ଅପରାଧି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସାମ୍ବାଦିକଙ୍କ ନାମରେ ବିନା ତଦନ୍ତରେ ମାମଲା ରୁଜୁ କରି ସେମାନଙ୍କୁ ଛାଡି ଦେଇଛନ୍ତି।

ପ୍ରାପ୍ତସୂଚନାନୁଯାୟୀ, ଦେବେନ ଓ ତାଙ୍କର ଭାଇ ପ୍ରକାଶ ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଜମନକିରା ଠାରେ ସେହି ଅଞ୍ଚଳର ଆଶିଷ ଦାସ ଓ ଅମରେଶ ପଟ୍ଟନାୟକ ଓରଫ ସିପୁନ ନାମକ ଦୁଇ ଜଣ ଯୁବକ ଏକ ମହିନ୍ଦ୍ର ବୋଲେରୋ ଗାଡିରେ ଅଚାନକ ଆସି ଗାଳି ଗୁଲଜ କରିବା ସହିତ ମଝି ରାସ୍ତାରେ ଗାଡି ରଖି ସେମାନଙ୍କୁ ଅଟକାଇ ଥିଲେ। ଏ ସର୍ମ୍ପକରେ ଦେବେନ ଓ ତାଙ୍କର ଭାଇ କଣ ପାଇଁ ଗାଳିଗୁଲଜ କରୁଛ ବୋଲି ପଚାରିବାରୁ ମଦ୍ୟପାନ କରିଥିବା ଅସାମାଜିକ ଯୁବକ ମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ କୌଣସି ମତେ ସହ ସମ୍ପାଦକ ଓ ତାଙ୍କର ଭାଇ ପ୍ରାଣ ବଞ୍ଚାଇ ଜମନକିରା ପୁଲିସଙ୍କ ସହାୟତା ଲୋଡିଥିଲେ। ପୁଲିସ ପରେ ଅଭିଯୁକ୍ତ ମାନଙ୍କୁ ଧରି ଥାନାକୁ ନେଇଥିଲା। ସହ ସମ୍ପାଦକ ପଟେଲଙ୍କ ଅଭିଯୋଗ କ୍ରମେ ପୁଲିସ ଅପରାଧି ମାନଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ବିନା ତଦନ୍ତରେ ଅପରାଧି ମାନଙ୍କ ଅଭିଯୋଗରେ ସହ ସମ୍ପାଦକଙ୍କ ନାମରେ ମଧ୍ୟ ପୁଲିସ ମାମଲା ରୁଜୁ କରିଛି। ଏହା ସହିତ ପୁଲିସ ସହ ସମ୍ପାଦକଙ୍କୁ ଆକ୍ରମଣ କରିଥିବା ଅପରାଧି ମାନଙ୍କୁ କିଛି ଘଣ୍ଟା ଥାନାରେ ରଖି ଛାଡି ଦେଇଛି। ପୁଲିସର ଅପରାଧି ମାନଙ୍କୁ ଲଗାମ ଲଗାଇବା ଅପେକ୍ଷା ସେମାନଙ୍କୁ ଅନୁକମ୍ପା ଦେଖାଉଥିବାରୁ ସମ୍ବଲପୁର ପ୍ରେସ କ୍ଲବ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।

ଏଣୁ ବୁଧବାର ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ନେତୃତ୍ୱରେ କ୍ଲବର ଏକ ପ୍ରତିନିଧି ମଣ୍ଡଳ ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହି ମାମଲାରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସମ୍ବଲପୁର ପ୍ରେସ କ୍ଲବ ତରଫରୁ ଦିଆଯାଇଥିବା ୮ ଦଫିଆ ଦାବିପତ୍ରରେ ଦର୍ଶାଯାଇଛି ଯେ କ୍ଲବର ସଦସ୍ୟଙ୍କୁ ଆକ୍ରମଣ କରିଥିବା ଯୁବକ ମାନଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେମାନେ ଏହା ପୂର୍ବରୁ ଜଣେ ସରକାରୀ ଅଧିକାରୀଙ୍କୁ ମାରି ଦେବାକୁ ଉଦ୍ୟମ କରି ଆକ୍ରମଣ କରିଥିଲେ। ଅଭିଯୋଗ ପତ୍ରରେ ଆକ୍ରମଣକାରୀ ମାନେ ନିଶାଗ୍ରସ୍ତ ଥିବା ଉଲ୍ଲେଖ୍ୟ କରିଥିବା ବେଳେ କିନ୍ତୁ ପୁଲିସ ଦ୍ୱାରା କରାଯାଇଥିବା ମାମଲାରେ ତାହା ଉଲ୍ଲେଖ୍ୟ କରାଯାଇ ନାହିଁ, ଯାହାଦ୍ୱାରା ଆଗାମୀ ଦିନରେ ଡାକ୍ତରୀ ରିପୋର୍ଟକୁ ମଧ୍ୟ ହେପଫେର କରାଯିବାର ଆଶଙ୍କା ରହିଛି। ଅପରାଧି ମାନେ ବ୍ୟବହାର କରିଥିବା ଗାଡିର ଇନସ୍ୟୁରାନ୍ସ ଓ ପ୍ରଦୂଷଣ ସାର୍ଟିଫିକେଟ ନ ଥିବା ବେଳେ ସେମାନେ ମଦ୍ୟପାନ କରି ଦ୍ରୃତଗତିରେ ଗାଡି ଚାଳନା କରୁଥିଲେ।

ଏବେ ଦିନ ୨ଟା ପରେ ଜିଲା ସଟ ଡାଉନ ଥିବା ସତ୍ୱେ ଆକ୍ରମଣକାରୀ ମାନେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରି ନିର୍ଭୟ ଭାବରେ ପୁଲିସ ଥାନା ନିକଟରେ ଅପରାଧିକ ଗତିବିଧି ଭିଆଉଛନ୍ତି। ଆର୍ଶ୍ଚର୍ଯ୍ୟଜନକ ଭାବରେ ପିଡିତଙ୍କୁ ମରଣାନ୍ତକ ଆକ୍ରମଣର ଅଭିଯୋଗ ମିଳିବା ପରେ ମଧ୍ୟ ଆକ୍ରମଣକାରୀଙ୍କୁ କିଛି ଘଣ୍ଟା ପରେ ଥାନାରୁ ଛାଡି ଦିଆଯାଇଛି। ଏହା ସହିତ ଆକ୍ରମଣକାରୀଙ୍କ ଅଭିଯୋଗର ଆଧାରରେ ପିଡିତଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଯାହାକି ଅପରାଧି ମାନଙ୍କ ମନୋବଳକୁ ବୃଦ୍ଧି କରୁଛି ଏବଂ ଆଗାମୀ ଦିନରେ ପିଡିତ ମାନେ ଥାନାକୁ ନ୍ୟାୟ ପାଇଁ ଯିବାକୁ ଅସୁରକ୍ଷିତ ମଣିବେ। ଏହା ସହିତ ପିଡିତଙ୍କୁ ଘଣ୍ଟା ଘଣ୍ଟା ଧରି ଥାନାରେ ଅଟକାଇ ରଖାଯିବା ଘଟଣାକୁ କ୍ଲବ ତୀବ୍ର ନିନ୍ଦା କରିଛି। ଏଣୁ ଏହି ମାମଲାରେ ତୁରନ୍ତ ବିହିତ ପଦକ୍ଷେପ ନେଇ ଅପରାଧି ମାନଙ୍କୁ ଗିରଫ କରିବା ସହିତ ଅପରାଧରେ ବ୍ୟବହୃତ ଗାଡିକୁ ଜବତ କରିବା ପାଇଁ ପ୍ରେସ କ୍ଲବ ଦାବି କରିଛି।

 

 

 

Comments are closed.