ବିଏସଏନଏଲ କାର୍ଯ୍ୟାଳୟକୁ ତାଲା ପକାଇଲେ ଅସ୍ଥାୟୀ କର୍ମଚାରୀ

ସମ୍ବଲପୁର : ବିଏସଏନଏଲ ଟେଲିକମର ସମ୍ବଲପୁର ଜିଏମ ବଲବିର ସିଂହଙ୍କୁ ଅସ୍ଥାୟୀ କର୍ମଚାରୀ ମାନେ ଗୁରୁବାର ବକେୟା ଦରମା ସହିତ ଅନ୍ୟାନ୍ୟ ଦାବି ପୂରଣ ନେଇ କାର୍ଯ୍ୟାଳୟରେ ତାଲା ବନ୍ଦ କରି ଦେଇଥିଲେ । ବିଏସଏନଏଲ କେଜୁଆଲ କର୍ମଚାରୀ ସଂଘ ତରଫରୁ କର୍ମଚାରୀ ମାନଙ୍କର ୧୨ ମାସ ହେବ ବକେୟା ରହିଥିବା ଦରମା ପ୍ରଦାନ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି। ଗତ ୧୩ ତାରିଖରେ ସଂଘ ତରଫରୁ ସେମାନଙ୍କର ରହିଥିବା ୪ ଦଫିଆ ଦାବି ଯଥା ମାସର ବକେୟା ଦରମା ପ୍ରଦାନ, ଇିପିଏଫ ଓ ଇଏସଆଇ, ଶ୍ରମିକ ଛଟେଇ ଏବଂ ସମାନ କାମକୁ ସମାନ ଦରମାକୁ ନେଇ ଆନ୍ଦୋଳନ ସ୍ଥିରିକୃତ ହୋଇଥିଲା। କିନ୍ତୁ କରୋନା ସଂକ୍ରମଣ ଓ ସରକାରୀ କଟକଣାକୁ ସମ୍ମାନ ଜଣାଇ କର୍ମଚାରୀ ସଂଘ ତରଫରୁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା। ତେବେ ପ୍ରାୟ ୧୨ ମାସ ହେବ କର୍ମଚାରୀ ମାନେ ଦରମା ପାଇ ନ ଥିବାରୁ ଗୁରୁବାର ପୂର୍ବାହ୍ନରେ ସେମାନେ ସ୍ଥାନୀୟ ମ୍ୟୁନିସିପାଲିଟୀ ଛକ ସ୍ଥିତ ଏସଡିଓ କାର୍ଯ୍ୟାଳୟରେ ଥିବା କର୍ମଚାରୀ ମାନଙ୍କର ବିଶ୍ରାମ ସ୍ଥଳରେ ଆଲୋଚନା କରୁଥିଲେ। ତେବେ କେଜୁଆଲ କର୍ମଚାରୀ ମାନଙ୍କର ଆଲୋଚନା ଚାଲିଥିବା ସମୟରେ ଜିଏମ, ବିଏସଏସନଏଲ ସମ୍ବଲପୁର ବଲବିର ସିଂହ ଓ ଅନ୍ୟ କିଛି ପଦସ୍ଥ କର୍ମଚାରୀ ଆଲୋଚନା ସ୍ଥଳକୁ ପହଞ୍ଚିଥିଲେ। ଆଲୋଚନା ସ୍ଥଳରେ ଜିଏମ ଓ କେଜୁଆଲ କର୍ମଚାରୀ ମାନଙ୍କରେ ଦାବି ପୂରଣ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ଏବଂ ଜିଏମ ସେମାନଙ୍କୁ ସେଠାରୁ ଚାଲିଯିବାକୁ କୁଆଡେ କହିଥିଲେ। ଏଣୁ ଉତ୍ତ୍ୟକ୍ତ ହୋଇ କେଜୁଆଲ କର୍ମଚାରୀ ମାନେ ଜିଏମ ଓ ଅନ୍ୟ ଅଧିକାରୀ ମାନଙ୍କୁ ଏସଡିଓଙ୍କ କାର୍ଯ୍ୟାଳୟ ମଧ୍ୟରେ ପୁରାଇ ତାଲା ବନ୍ଦ କରିଦେଇଥିଲେ।

ଏ ନେଇ ସଂଘର ବିଶ୍ୱନାଥ ବେହେରା କହିଛନ୍ତି ଯେ, ସେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବେଳେ ବିଗତ ଦୁଇ ବର୍ଷ ହେବ ଦରମା ପ୍ରଦାନରେ ବିଭ୍ରାଟ ସୃଷ୍ଟି ହୋଇଛି ଏବଂ ଏବେ ୧୨ ମାସର ଦରମା ବାକି ରହିଛି। ଆମର ୪ ଦଫିଆ ଦାବି ପୂରଣ ପାଇଁ ବାରମ୍ବାର ଜଣାଇ ଆସୁଥିବା ବେଳେ ବିଗତ ସୋମବାର ଠାରୁ ଆନ୍ଦୋଳନ କରିବା ପାଇଁ ପ୍ରଶାସନକୁ ଜଣାଇଥିଲୁ। କିନ୍ତୁ କରୋନା ସଙ୍କଟକୁ ଧ୍ୟାନରେ ଏବେ ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ତେବେ ଆମେ ମାନେ ୧ ତାରିଖରୁ କାର୍ଯ୍ୟ ବନ୍ଦ ରଖିଛୁ। ଆମେ ଦକ୍ଷତା ଅନୁଯାୟୀ ମାସକୁ ୨୬ ଦିନର ପ୍ରାପ୍ୟ ସକାଶେ କଥାବାର୍ତ୍ତା ଚାଲିଥିବା ବେଳେ ଠିକାଦାର ଯାଇ ଜିଏମକୁ ଅଭିଯୋଗ କରିଲେ। ଏହା ପରେ ଜିଏମ ଓ ଅନ୍ୟ ଅଧିକାରୀ ମାନେ ଏଠାକୁ ଆସି ଆମକୁ ଦାଦାଗିରି କରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏଣୁ ଆମେ ମାନେ ସେମାନଙ୍କୁ ତାଲା ବନ୍ଦ କରି ରଖିଛୁ ବୋଲି ବିଶ୍ୱନାଥ କହିଛନ୍ତି।

ଅନ୍ୟ ପଟରେ ଜିଏମ ବଲବିର ସିଂହ କହିଛନ୍ତି ଯେ ପୂର୍ବରୁ ବିଏସଏନଏଲର ପଲିସି ଅଲଗା ଥିଲା। ଏବେ ତାହା ବଦଳି ଯାଇଛି ଏବଂ ଆଉଟସୋର୍ସିଂ ଜରିଆରେ କାମ ଦିଆଯାଉଛି। ସେଥିପାଇଁ ଗତକାଲି ରାତି ୧୦ଟା ପର୍ଯ୍ୟନ୍ତ ବୈଠକ କରାଯାଇ ସେମାନଙ୍କ ବାକିଥିବା ଦରମା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରାଯାଇ ସମାଧାନ କରାଯାଇଥିଲା। କିଛି ବ୍ୟକ୍ତି କାମ ନ କରି ଭିତ୍ତିହୀନ ଅଭିଯୋଗ କରୁଛନ୍ତି ବୋଲି ଜିଏମ ସିଂହ କହିଛନ୍ତି। ଏହି ହାଇଭୋଲଟେଜ କାଣ୍ଡ ପ୍ରାୟ ଏକ ଘଣ୍ଟା ଧରି ଚାଲୁଥିବା ବେଳେ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ଆସି ସ୍ଥିତିକୁ ଆୟତ୍ତ କରିଥିଲେ। ଏହା ପରେ ଯାଇ ବନ୍ଧକ ଥିବା ଜିଏମ ଓ ଅନ୍ୟାନ୍ୟ ଅଧିକାରୀ ମାନେ ତାଲାବନ୍ଦରୁ ମୁକୁଳିଥିଲେ।

Comments are closed.