ମହାଦେବ ଓ ପାର୍ବତୀଙ୍କ ନିରାଡମ୍ବରରେ ବିବାହ ସମ୍ପନ୍ନ

ଯୁଗଳ ଦର୍ଶନ ଆରମ୍ଭ

ସମ୍ବଲପୁର : ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆରମ୍ଭ ହୋଇଯାଇଛି। ଏହି କ୍ରମରେ ବୁଧବାର – ଗୁରୁବାର ମଧ୍ୟ ରାତ୍ରରେ ଦେବଦେବ ମହାଦେବଙ୍କ ସହିତ ମାତା ପାର୍ବତୀଙ୍କ ଲୌକିକ ବିବାହ ସମ୍ପନ୍ନ ହୋଇଯାଇଛି। ପ୍ରାୟ ଚାରି ଶହ ବର୍ଷର ପୁରାତନ ଏହି ଧାର୍ମିକ ଦେବ ବିବାହ ଉତ୍ସବରେ ପ୍ରତି ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୋଇଥାଏ। କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଲକ୍ ଡାଉନ୍ ନିୟମକୁ ଦୃଷ୍ଟିରେ ରଖାଯାଇ ଭବ୍ୟ ଦେବ ବିବାହ ଉତ୍ସବକୁ କେବଳ ବିଧି ରକ୍ଷାରେ ସୀମିତ ରଖାଯାଇଛି। ଲକ୍ ଡାଉନ୍ ଯୋଗୁଁ ଦିବ୍ୟ ଦେବ ବିବାହକୁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ସ୍ୱଚକ୍ଷୁରେ ଦର୍ଶନ କରି ପାରୁ ନ ଥିବାରୁ ମନସ୍ତାପ କରି ରହିଛନ୍ତି। ସମସ୍ତ ଶୀତଳଷଷ୍ଠୀ ଉତ୍ସବ କମିଟୀମାନେ କେବଳ ସ୍ୱଳ୍ପ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ଧାର୍ମିକ ପରମ୍ପରାର କ୍ରମକୁ ବଜାୟ ରଖିଛନ୍ତି। ଗୁରବାର ପ୍ରାତଃ କାଳରେ ଦେବ ବିବାହ ସମ୍ପନ୍ନ ପରେ ରାତ୍ରିରେ ନବ ଦେବ ଦମ୍ପତିଙ୍କ ମହାଆଳତୀ ପରେ ଯୁଗଳ ଦର୍ଶନ ଆରମ୍ଭ ହୋଇଛି।

ଗଣ୍ଠାଳ ଫିଟା ଓ ବିବାହ ନିତି
ସମ୍ପୁର୍ଣ୍ଣ ରୁପେ ଲୋକାଚାର ରିତିନିତି ଅନୁଯାୟୀ ଆୟୋଜିତ ହେଉଥିବା ଶିବ ଓ ପାର୍ବତୀ ଙ୍କର ଏହି ଦିବ୍ୟ ବିବାହରେ ବୁଧବାର ସକାଳ ସମୟରେ ଗଣ୍ଠାଳଫିଟା ନିତି ପାଳିତ ହୋଇଥିଲା। ବଂ ବଂ ବରାଡ ବାଲୁଙ୍କେଶ୍ୱର ଓ ମାତା ପାର୍ବର୍ତୀଙ୍କର ବିବାହ ପାଇଁ ସକାଳ ସାଢ଼େ ୯ଟାରେ ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱରଙ୍କର ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ଜଗତଜନନୀ ମାତା ପାର୍ବତୀ ଗତବର୍ଷ କନ୍ୟା ପିତାମାତାର ଦାୟିତ୍ୱ ନିର୍ବାହ କରିଥିବା ପ୍ରକାଶ ପାଣ୍ଡେ ଓ କାଦମ୍ବିନୀ ଆଚାର୍ଯ୍ୟଙ୍କର କୁଲୁଥକାନୀ ସ୍ଥିତ ବାସଭବନକୁ ନିରାଡମ୍ବର ଭାବରେ ଯାଇଥିଲେ। ବିବାହ ପୁଜକଙ୍କ ଦ୍ୱାରା ପାରମ୍ପରିକ ବିଧି ଅନୁଯାୟୀ ପୁଜାର୍ଚ୍ଚନା ପରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କର ଗଣ୍ଠାଳଫିଟା ନିତି ସମ୍ପନ୍ନ ହୋଇଥିଲା। ଏହା ପରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀ ପୁନଶ୍ଚ ନନ୍ଦପଡା ସ୍ଥିତ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ରିତି ଅନୁଯାୟୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କୁ ଅନ୍ନ ଭୋଗ (ଦହି ଓ ପଖାଳ) ଲାଗିଥିଲା। ଏହା ପରେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ଚଳିତ ବର୍ଷର କନ୍ୟା ପିତାମାତା ଶୁଭଶ୍ରୀ ବିହାର, ଅଇଁଠାପାଲୀ ନିବାସୀ ସୁକାନ୍ତ ବିଶି ଓ ରିଙ୍କି ବିଶି ଅତି ନିରାଡମ୍ବର ଭାବରେ ପାର୍ବତୀ ଙ୍କୁ ନିଜ ଘରକୁ ଏସି କାରରେ ନେଇ ଯାଇଥିଲେ। ଏହା ପରେ ଶୁକ୍ଳ ଯର୍ଜୁବେଦ ଅର୍ନ୍ତଗତ ଶତ ରୁଦ୍ରାଭିଷେକ ସହିତ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କର ବିବାହ ପାଇଁ ପ୍ରସ୍ତୁତି ମନ୍ଦିରରେ ଆରମ୍ଭ ହୋଇଥିଲା।

ବରଯାତ୍ରା ଓ ବିବାହ କାର୍ଯ୍ୟକ୍ରମ
ଚଳିତ ବର୍ଷ ଲକ ଡାଉନ ଯୋଗୁଁ ସମସ୍ତ କାର୍ଯ୍ୟକୁ ସୀମିତ କରାଯାଇଥିବାରୁ ମନ୍ଦିର ପ୍ରାଙ୍ଗଣରେ ହିଁ ବରଯାତ୍ରା, ବିବାହ କାର୍ଯ୍ୟକ୍ରମ ଓ ଅନ୍ୟ ରିତିନିତି ପାଳିତ ହୋଇଯାଇଛି। ରୁଦ୍ରାଭିଷେକ ପରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କର ବରବେଶ କାର୍ଯ୍ୟ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଥିଲା। ଅପରାହ୍ନର ଠାରୁ ଜଟାଧାରୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କୁ ବରବେଶରେ ସଜ୍ଜିତ କରିବା ପାଇଁ ସୁନା, ରୁପାର ବିଭିନ୍ନ ଅଳଙ୍କାର, ସୁନାର ଛତ୍ର, ରୁପାର ପରଭା ଆଦିରେ ସୁସଜ୍ଜିତ କରାଯାଇଥିଲା। ସନ୍ଧ୍ୟା ସମୟରେ ବରପକ୍ଷରୁ ପ୍ରଥମେ କନ୍ୟା ଘର ସହିତ ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପରେ ପିନ୍ଧାଣି (ଦହିମାଛ) କରାଯାଇଥିଲା। ପାର୍ବତୀଙ୍କର ପିନ୍ଧାଣୀ ପରେ କନ୍ୟାପକ୍ଷ ବିବାହ ପାଇଁ ନିମନ୍ତ୍ରଣ ଦେବା ପାଇଁ ମନ୍ଦିରକୁ ଆସିଥିଲେ। ଏହା ପରେ ରାତ୍ର ପ୍ରାୟ ସାଢ଼େ ୧୧ଟା ସମୟରେ ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟୀ ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବା ଙ୍କର ଚଳନ୍ତି ପ୍ରତିମା ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଙ୍କର ବରବେଶୀ ବରଯାତ୍ରା ମନ୍ଦିରରୁ ବାହାରି ବିବାହ ମଣ୍ଡପକୁ ଯାଇଥିଲା। ବାବା ବାଲୁଙ୍କେଶ୍ୱରଙ୍କର ବିବାହ ପାଇଁ ରାଜକୀୟ ବେଶରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ସୁସଜ୍ଜିତ ବାହନ ବୃଷଭଙ୍କ ଉପରେ ସବାର ହୋଇ ପଞ୍ଚବକ୍ର ଭଗବାନ, ସାକ୍ଷୀଗୋପିନାଥ ଭଗବାନ ଓ ଅନ୍ୟାନ୍ୟ ଦେବାଦେବୀଙ୍କ ସହିତ ଶଙ୍ଖ ଧ୍ୱନି ମଧ୍ୟରେ ଯାଇଥିଲେ। ବିବାହ ବେଦିକୁ ପହଞ୍ଚିବା ପୂର୍ବରୁ କନ୍ୟା ପିତାମାତା ସୁକାନ୍ତ ଓ ରିଙ୍କି ବିଶି ପରମ୍ପରାନୁଯାୟୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କୁ ପୂଜାର୍ଚ୍ଚନା କରିବା ସହିତ ବାଟବରଣ ବିବାହ ବେଦିକୁ ପାଛୋଟି ନେଇଥିଲେ। ମଧ୍ୟରାତ୍ରିରୁ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମ୍ପୁର୍ଣ୍ଣ ବୈଦିକ ରିତିନିତିରେ ବିବାହ କାର୍ଯ୍ୟ ପଣ୍ଡିତ ଶଶାଙ୍କ ମିଶ୍ରଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ବେଳେ ଗୁରୁବାର ବ୍ରହ୍ମମୁହୁର୍ତ୍ତରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କର ହସ୍ତବନ୍ଧନ ଓ ପାଣିଗ୍ରହଣ ଶୁଭ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ବରପିତା ରାମଚରଣ ମିଶ୍ରଙ୍କ ସହିତ ସ୍ୱଳ୍ପ ବ୍ୟକ୍ତିଙ୍କ ଉପସ୍ଥିତିରେ ସରକାରୀ ଲକ ଡାଉନ ନିୟମାନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ସେହିଭଳି ବାଲିବନ୍ଧାର ଶ୍ରୀ ଶ୍ରୀ ସୋମନାଥ, ଝାଡୁଆପଡାର ଶ୍ରୀ ଶ୍ରୀ ଲୋକନାଥ, ମୋଦିପଡାର ଶ୍ରୀ ଶ୍ରୀ ଜାଗେଶ୍ୱର, ବଡବଜାରର ଶ୍ରୀ ଶ୍ରୀ ଶିତଳେଶ୍ୱର, ଠାକୁରପଡାର ଶ୍ରୀ ଶ୍ରୀ ଗୁପ୍ତେଶ୍ୱର, ବୁଢ଼ାରଜାର ଶ୍ରୀ ଶ୍ରୀ ପାହାଡେଶ୍ୱର ଓ ସାଲିଆବଗିଚାର ଶ୍ରୀ ଶ୍ରୀ ରାମେଶ୍ୱର ବାବାଙ୍କ ବିବାହ ଉତ୍ସବ ମଧ୍ୟ ଗୁରୁବାର ବ୍ରହ୍ମମୁହୁର୍ତ୍ତରେ ସମ୍ପନ୍ନ ହୋଇଛି। କନ୍ୟାପକ୍ଷରୁ ଝିଅ ଓ ଜ୍ୱାଇଁ ଙ୍କୁ ନିଜର ସାମର୍ଥ୍ୟ ଅନୁଯାୟୀ ସୁନା, ରୁପା ଆଭୁଷଣ, ଘର କରଣା ସାମଗ୍ରୀ, ଖଜା, ଲଡୁ ଆଦି ଉପହାର ଦେଇ କନ୍ୟା ମାତା ପାର୍ବତୀଙ୍କୁ ଭାବପୁର୍ଣ୍ଣ ବିଦାୟ ଦେଇଛନ୍ତି। ଚଳିତ ଲକ ଡାଉନ ଯୋଗୁଁ ସମସ୍ତ କମିଟୀ ମାନେ ମନ୍ଦିର ପରିସରରେ ସମସ୍ତ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆୟୋଜିତ କରିଛନ୍ତି।

ନନ୍ଦପଡାର ବଂ ବଂ ବରାଡ ବାଲୁଙ୍କେଶ୍ୱର ଙ୍କର ମାତା ପାର୍ବତୀଙ୍କର ସହିତ ବିବାହ ଗୁରୁବାର ସକାଳ ବ୍ରହ୍ମମୁହୁର୍ତ୍ତରେ ସମ୍ପନ୍ନ ହୋଇଯାଇଛି। ଏହି ଲୌକିକ ବିବାହରେ ୩୩ କୋଟୀ ଦେବାଦେବୀ, ଅଗଣିତ ମନୁଷ୍ୟ, ଗ୍ରହ, ନକ୍ଷତ୍ର, ଯକ୍ଷ ଙ୍କ ଉପସ୍ଥିତିରେ ସାକ୍ଷୀଗୋପୀନାଥ ଙ୍କୁ ସାକ୍ଷୀ ରଖି ଧରାପୃଷ୍ଟରେ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ବୈଦିକ ରିତିରେ ସମ୍ପନ୍ନ ହୋଇଛି। କନ୍ୟାପକ୍ଷରୁ ଝିଅ ଓ ଜ୍ୱାଇଁ ଙ୍କୁ ନିଜର ସାମର୍ଥ୍ୟ ଅନୁଯାୟୀ ସୁନା, ରୁପା ଆଭୁଷଣ, ଘର କରଣା ସାମଗ୍ରୀ, ଖଜା, ଲଡୁ ଆଦି ଉପହାର ଦେଇ କନ୍ୟା ମାତା ପାର୍ବତୀଙ୍କୁ ଭାବପୁର୍ଣ୍ଣ ବିଦାୟ ଦେଇଛନ୍ତି। ଚଳିତ ଲକ ଡାଉନ ଯୋଗୁଁ ନନ୍ଦପଡାର ବାଲୁଙ୍କେଶ୍ୱର ମଣ୍ଡପ ଠାରେ ସମସ୍ତ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି।

ଚଳିତ ବର୍ଷ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଓ ସରକାରୀ କଟକଣା ଯୋଗୁଁ ଦେବ ବିବାହ ପରେ ନଗର ପରିକ୍ରମା ଶୋଭାଯାତ୍ରା ହୋଇ ନାହିଁ। ଏଣୁ ବିବାହ ଉପରାନ୍ତରେ ମହାଦେବ ଓ ମାତା ପାର୍ବତୀଙ୍କୁ ମନ୍ଦିର ପରିସରରେ ହିଁ ପବିତ୍ର ଯୁଗଳ ଦର୍ଶନ ଶ୍ରଦ୍ଧାଳୁ ମାନଙ୍କୁ ଦେଉଛନ୍ତି। ଗୁରୁବାର ରାତ୍ରରେ ନବ ବିବାହିତ ବରବଧୁ ଙ୍କର ମଙ୍ଗଳ ଆଳତୀ ପରେ ନବବିବାହିତ ଯୋଡିଙ୍କ ପବିତ୍ର ଯୁଗଳ ଦର୍ଶନ ଆରମ୍ଭ ହୋଇଥିଲା। ଏଥି ପାଇଁ ସମସ୍ତ ଶୀତଳ ଷଷ୍ଠୀ ଯାତ୍ରା କମିଟୀ ମାନଙ୍କ ତରଫରୁ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ, ସାମାଜିକ ଦୂରତା ରକ୍ଷା ଓ ଲକ ଡାଉନ ନିୟମକୁ କଡାକଡି ଭାବରେ ପାଳନ କରାଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Comments are closed.