ଗାଁ ମାଟିରେ ଅଛୁଆଁ

ସମ୍ବଲପୁର : ରାଜ୍ୟ ବାହାରୁ ଫେରିଥିବା ଶ୍ରମିକଙ୍କୁ ଗାଁ କ୍ୱାରେଣ୍ଟିନ କେନ୍ଦ୍ରରେ ରଖି ଖାଇବା ପିଇବା ବନ୍ଦୋବସ୍ତ କରାଯାଇଛି। ୨୧ ଦିନ ରହଣୀ, ମାଗଣା ଖାଦ୍ୟପେୟ ଓ ସ୍ୱାସ୍ଥ୍ୟସେବା ସୁବିଧା ସହିତ ଘରକୁ ଗଲା ବେଳେ ନଗଦ ୨ ହଜାର ଟଙ୍କା ହାତରେ ଧରାଇ ଦିଆଯାଉଛି। କିନ୍ତୁ ପେଟପାଟଣା ପାଇଁ ଅନ୍ୟ ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ଅନ୍ୟ ଜିଲାରେ କାମ କରୁଥିବା ଶ୍ରମିକଟିଏ ଯେତେବେଳେ ଘରକୁ ଫେରୁଛି ସେ ଏକ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେଉଛି। ଜୀବନ ବିକଳରେ ଭିଟାମାଟିକୁ ଧାଇଁ ଆସିଥିବା ଏହି ଗରିବ ଶ୍ରମିକକୁ ଗାଁକୁ ପଶିବାକୁ ଦିଆଯାଉନାହିଁ। କରୋନା ସଂକ୍ରମିତ ଜିଲାରୁ ଫେରିଥିବାରୁ ତାକୁ ଗ୍ରାମବାସୀ ଗାଁରେ ପୂରାଇ ଦେଉ ନାହାନ୍ତି। ଘରକୁ ପଶିବାର ସୁଯୋଗ ନାହିଁ କି କ୍ୱାରେଣ୍ଟିନ କେନ୍ଦ୍ରରେ ରହିବାକୁ ଜାଗା ନାହିଁ। ଅଗତ୍ୟା ଏହି ହତଭାଗ୍ୟମାନେ ଛୁଆପିଲାଙ୍କୁ ଧରି କିଏ ସ୍କୁଲ ବାରଣ୍ଡାରେ ତ କିଏ ଗଛ ମୂଳେ ଭାଗ୍ୟକୁ ଆଦରି ପଡ଼ିଛନ୍ତି। ଖଟିଖିଆ ଶ୍ରମିକମାନେ ଜନ୍ମମାଟିରେ ଅଛୁଆଁ ହୋଇପଡ଼ିଛନ୍ତି।
ଏହି ଗରିବ ଲୋକେ ଭିଟାମାଟି ଛାଡ଼ି ଗଞ୍ଜାମ, ବାଲେଶ୍ୱର, କଟକ, ଯାଜପୁର ଓ କୋଣାର୍କ ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିଲେ। କିନ୍ତୁ ଏହି ଜିଲା ସବୁ ଭୟଙ୍କର ଭାବେ କରୋନା ସଂକ୍ରମିତ ହୋଇଯିବାରୁ ସେମାନେ ଜୀବନ ବିକଳରେ ଫେରି ଆସିଛନ୍ତି। ବରଗଡ଼ ଜିଲାର ଚିର ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ସବଡିଭିଜନରୁ ଅନ୍ୟ ଜିଲାକୁ ଦାଦନ ଖଟିବାକୁ ଯାଇଥିବା ପାଇକମାଳ ବ୍ଲକର ପଲସଦା, ମାଣ୍ଡୋସିଲ, ବରତୁଣ୍ଡା ଓ ବାଦୀକଟା ପଞ୍ଚାୟତ, ଝାରବନ୍ଧ ବ୍ଲକର ଚଣ୍ଡୀଭଟା ଓ ଅମଠି ପଞ୍ଚାୟତ ଏବଂ ପଦ୍ମପୁର ସଦର ବ୍ଲକ କଁସର ପଞ୍ଚାୟତର ପାଖାପାଖି ୩ ହଜାର ଶ୍ରମିକ ଗାଁକୁ ଫେରି ଅତ୍ୟନ୍ତ ଦୟନୀୟ ଜୀବନ ଜିଉଁଛନ୍ତି। ସେମାନେ କରୋନା ହଟସ୍ପଟ ଜିଲାରୁ ଫେରିିଥିବାରୁ ଗ୍ରାମବାସୀ ଭୟରେ ସେମାନଙ୍କୁ ଗାଁକୁ ପଶିବାକୁ ଦେଉନାହାନ୍ତି। ସେମାନଙ୍କୁ ଗାଁ ବାହାରେ ଅଟକାଇ ରଖିଛନ୍ତି। ଏହାକୁ ନେଇ ସ୍ଥଳ ବିଶେଷରେ ଗଣ୍ଡଗୋଳ ଘଟୁଛି। ଉଦାହରଣ ସ୍ୱରୂପ; ପାଇକମାଲ ବ୍ଲକ ବାଦୀକଟା ପଞ୍ଚାୟତର ଘେଁସରା ଓ କେରେଙ୍ଗେଲା ପଞ୍ଚାୟତର ବିଜାଡିହି, ପଦ୍ମପୁର ସଦର ବ୍ଳକ କଁସର ପଞ୍ଚାୟତ ସପିଆ, ଝାରବନ୍ଧ ବ୍ଲକ ଚଣ୍ଡୀଭଟା ପଞ୍ଚାୟତରେ ଏହି କାରଣରୁ ଗଣ୍ଡଗୋଳ ଘଟି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଭିଟାମାଟିରୁ ବିରୋଧର ସମ୍ମୁଖୀନ ହୋଇଥିବା ଏହି ଶ୍ରମିକ ପରିବାର ବାଧ୍ୟ ହୋଇ ଗାଁ ମୁଣ୍ଡ ଗଛ ମୂଳେ ଓ ସ୍କୁଲ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି। ହାତରୁ ଖର୍ଚ୍ଚ କରି ଛୁଆପିଲାଙ୍କ ମୁହଁରେ ଆହାର ଦେଉଛନ୍ତି। ପଇସା ସରି ଯାଇଥିବାରୁ କେହି କେହି ଭୋକଓପାସରେ ଥିବା ଅଭିଯୋଗ ହେଉଛି; କିନ୍ତୁ ଜିଲାପାଳ କ୍ଷମତା ପାଇଥିବା ସରପଞ୍ଚ ସେମାନଙ୍କ ଏ ଦୁର୍ଦ୍ଦିନରେ ହାତ ଟେକି ଦେଇଛନ୍ତି। ସ୍ଥାନୀୟ ପ୍ରଶାସନ ମଧ୍ୟ ଅସହାୟତା ପ୍ରକାଶ କରିଛି। ସରକାର ପ୍ରତି ପଞ୍ଚାୟତକୁ ଯେଉଁ ୫ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି ତାହା କେବଳ ରାଜ୍ୟ ବାହାରୁ ଆସି କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିବା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ, ଗାଁ ବାହାରେ ଗଛ ମୂଳେ ପଡ଼ିଥିବା ଶ୍ରମିକଙ୍କ ପାଇଁ ନୁହେଁ ବୋଲି ସରପଞ୍ଚ ଓ ସରକାରୀ ଅଧିକାରୀ କହୁଛନ୍ତି। ସରକାରୀ ବ୍ୟବସ୍ଥାରେ ଏହି ପ୍ରଭେଦ ଓ ପକ୍ଷପାତ ଏହି ବର୍ଗର ଖଟିଖିଆ ମଣିଷଙ୍କ ଜୀବନ ଦୁର୍ବିସହ କରି ପକାଇଛି।
ପଦ୍ମପୁର ଉପଜିଲାପାଳ ତନ୍ମୟ ଦରୱାନ ଏଭଳି ଘଟଣାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ୪ ଦିନ ତଳେ ପାଇକମାଳ ବ୍ଲକ ବାଦୀକଟା ପଞ୍ଚାୟତର ଘେଁସରା ଓ ଗତକାଲି ପଦ୍ମପୁର ସଦର ବ୍ଳକ କଁସର ପଞ୍ଚାୟତ ସପିଆ ଗାଁରେ ଏଭଳି ଘଟଣା ଘଟିଛି। ସେ ବିବାଦର ସମାଧାନ କରି ଏହି ଶ୍ରମିକ ପରିବାରଙ୍କୁ ଏକ ସ୍କୁଲରେ ରଖାଇଛନ୍ତି। ଲୋକେ ଭାବୁଛନ୍ତି ଯେ ଯିଏ ଆସିଲା ସେ କ୍ୱାରେଣ୍ଟିନ କେନ୍ଦ୍ରରେ ରହିବ। କିନ୍ତୁ ତାହା ନୁହେଁ। ସରକାର କେବଳ ଦେଶ ଓ ରାଜ୍ୟ ବାହାରୁ ଆସିଥିବା ଶ୍ରମିକଙ୍କୁ କ୍ୱାରେଣ୍ଟିନ କେନ୍ଦ୍ରରେ ରଖି ସବୁ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦେଶ ଦେଇଛନ୍ତି। ରାଜ୍ୟ ଭିତର ଶ୍ରମିକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେମାନେ ନିଜ ଘରେ କ୍ୱାରେଣ୍ଟିନରେ ରହିବେ ବୋଲି ସରକାରୀ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି। ତେବେ ଯେଉଁ ଶ୍ରମିକମାନଙ୍କୁ ଗାଁକୁ ପଶିବାକୁ ଦିଆଯାଉ ନାହିଁ ସେମାନଙ୍କୁ ଅନ୍ୟ ଜାଗାରେ ରଖାଇବା ବ୍ୟବସ୍ଥା କରାଯାଉଛି ବୋଲି ଉପଜିଲାପାଳ ଶ୍ରୀ ଦରୱାନ କହିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟ ସରକାର କୋଭିଡ ମାର୍ଗଦର୍ଶିକାରେ ଆବଶ୍ୟକ ସଂଶୋଧନ କରି ରାଜ୍ୟର ବିଭିନ୍ନ ଜିଲାରୁ ଫେରିଥିବା ଶ୍ରମିକମାନଙ୍କ ଥଇଥାନ ଓ ଖାଦ୍ୟପେୟ ବ୍ୟବସ୍ଥା ମଧ୍ୟ କରନ୍ତୁ ବୋଲି ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଦାବି କରିଛନ୍ତି।

Comments are closed.