ସୂର୍ଯ୍ୟପରାଗ ଲାଗି ଗୁରୁବାର ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମଲେଶ୍ୱରୀ ମନ୍ଦିର

ସମ୍ବଲପୁର: ଗୁରୁବାର ଦିନ ଚଳିତ ଶତାବ୍ଦୀର ସବୁ ଠାରୁ ବଡ ଓ ଲମ୍ବା ସମୟ ପର୍ଯ୍ୟନ୍ତ ସୂର୍ଯ୍ୟପରାଗ ହେବାକୁ ଯାଉଛି। ଏହି ସୂର୍ଯ୍ୟପରାଗ ସକାଳ ୮ଟା ୧୭ ମିନିଟରୁ ଆରମ୍ଭ ହେଉଥିବାରୁ ଏହାର ୧୨ ଘଣ୍ଟା ପୂର୍ବରୁ ଦେବନୀତି ନିଷେଧ ଓ ପାକତ୍ୟାଗ ରହିଛି। ଏଣୁ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କର ସନ୍ଧ୍ୟା ଆଳତୀ ସାଧାରଣତଃ ୮ଟାରେ ହେଉଥିବା ବେଳେ ସୂର୍ଯ୍ୟପରାଗ ପାଇଁ ଆଜି ବୁଧବାର ସାଢ଼େ ୭ଟାରୁ ଶେଷ କରାଯାଇଛି ବୋଲି ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ କହିଛନ୍ତି। ମାଁ ଙ୍କର ଅନ୍ନଭୋଗ, ଆଳତୀ ଓ ଅନ୍ୟାନ୍ୟ ରିତିନିତି ବିଧିପୂର୍ବକ ଶେଷ କରିବା ପରେ ପ୍ରାୟ ୮ଟା ୧୫ରୁ ମନ୍ଦିରର ମୁଖ୍ୟଦ୍ବାର ବନ୍ଦ କରି ଦିଆଯାଇଛି। ଗୁରୁବାର ଦିନ ପୂର୍ବାହ୍ନ ସାଢ଼େ ୧୧ଟା ପର୍ୟ୍ୟନ୍ତ ସୂର୍ଯ୍ୟପରାଗ ରହୁଥିବାରୁ ଏହା ପରେ ମନ୍ଦିର ମୁଖ୍ୟଦ୍ବାର ଖୋଲା ଯିବ। ମୁଖ୍ୟଦ୍ବାର ଖୋଲା ଯିବା ପରେ ମାଁଙ୍କର ମହାସ୍ନାନ, ନୂତନ ପରିଧାନ ଓ ଅଳଙ୍କାର ଧାରଣ, ଅନ୍ନଭୋଗ ଆଦି ସହିତ ଆଳତୀ ହେବା ପରେ ଦିନ ପ୍ରାୟ ସାଢ଼େ ୧୨ଟା ସମୟରୁ ଭକ୍ତ ମାନେ ମାଁ ଙ୍କର ଦର୍ଶନ କରିପାରିବେ। ଏଣୁ ବୁଧବାର ରାତ୍ର ୮ଟା ୧୫ ରୁ ଗୁରୁବାର ପ୍ରାୟ ସାଢ଼େ ୧୨ଟା ପର୍ଯ୍ୟନ୍ତ  ମନ୍ଦିର ଭକ୍ତ ମାନଙ୍କର ପାଇଁ ବନ୍ଦ ରହିବ ବୋଲି ମୁଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି।

Comments are closed.