ଦୋଳାରେ ଡ଼ାକ୍ତରଖାନା, ନାଳରୁ ପାଣି: ବିକାଶ ପଥରେ ବାଟବଣା ‘ମହୁପାଳ’ କାହାଣୀ

ନାହିଁ ସ୍କୁଲ-ଡ଼ାକ୍ତରଖାନା; ପାନୀୟ ଜଳ କି ଗମନାଗମନ ବ୍ୟବସ୍ଥା ସାତ ସପନ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଏକବିଂଶ ଶତାବ୍ଦୀର ଏହି ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ଓ ମଙ୍ଗଳ ଗ୍ରହରେ ବାସଗୃହ ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି। ମାତ୍ର ଅନୁନ୍ନତ ଦେବଗଡ ଜିଲାରେ ଏବେ ବି ଅନେକ ଗାଁ ରହିଛି ଯେଉଁଠି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସୁବିଧା ସୁଯୋଗ ସମ୍ପୂର୍ଣ୍ଣ ଭାବେ ଅପହଞ୍ଚ ହୋଇ ରହିଛି। ବାରକୋଟ ବ୍ଲକର କାଦୋପଡା ପଞ୍ଚାୟତର ମହୁପାଳ ସେହିପରି ଏକ ଗଁା।

ପାହାଡ ଶିଖରରେ ଥିବା ଏହି ରାଜସ୍ୱ ଗ୍ରାମରେ ମୋଟ ୩୦ଟି ପରିବାରର ୧୨୫ ଜଣ ସଦସ୍ୟ/ସଦସ୍ୟା ବସବାସ କରୁଥିବା ବେଳେ ୨୫ଟି ପରିବାର ଆଦିବାସୀ ଭୂୟାଁ ଓ ୫ଟ ପରିବାର କନ୍ଧ ସମ୍ପ୍ରଦାୟର ଅଟନ୍ତି। ଉପରୋକ୍ତ ୩୦ଟି ଯାକ ପରିବାର ବିପିଏଲ୍‌ ତାଲିକାଭୁକ୍ତ ହୋଇଥିବା ବେଳେ କୌଣସି ପରିବାର ନାମରେ ଗୋଟିଏ ଇଞ୍ଚ ପରିମିତ ଚାଷଜମି ବା ଘରଡିହ ନାହିଁ। ଏହାସତ୍ୱେ ସରକାର ଏହି ଅପହଂଚ ଗ୍ରାମପ୍ରତି ରାସ୍ତାଟିଏ ନିର୍ମାଣ କରିବାକୁ ଉଚିତ ମଣିନାହାନ୍ତି। ମସିଣିତା ଗ୍ରାମରୁ ପ୍ରାୟ ୪/୫ କି.ମି. ଦୂରରେ ଥିବା ଏହି ଦୁର୍ଗମ ଗାଁ’ରେ ପହଞ୍ଚିବାକୁ ହେଲେ ୩ଟି ନାଳ ଓ ୨ଟି ଉଚ୍ଚ ପଥୁରିଆ ପାହାଡ ଡେଇଁ ଯିବାକୁ ପଡିଥାଏ। ଗାଁର ଶିକ୍ଷା ଅବସ୍ଥାକୁ ବିଚାରକଲେ ସରକାରଙ୍କ ‘ସଭିଏଁ ପଡିବେ,ସଭିଏଁ ବଢିବେ’ ସ୍ଲୋଗାନ ପରିହାସପରି ଲାଗିବ। ପାହାଡ ତଳେଥିବା ମସିଣିତା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀରେ ୬ଜଣ ଶିଶୁଙ୍କର ନାମ ଲେଖାଯାଇଛି ସତ,ମାତ୍ର ବିଦ୍ୟାଳୟରେ ସେମାନଙ୍କର ଉପସ୍ଥାନ ନାହିଁ କହିଲେ ଚଳିବ। କାରଣ ହାତୀ ଓ ଭାଲୁ ଭଳି ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କର ବିଚରଣସ୍ଥଳୀ ସାଜିଥିବା ଉକ୍ତ ନାଳ ଓ ପାହାଡିଆ ରସ୍ତାଦେଇ ନିୟମିତ ଯାତାୟାତ କରିବା ଅସମ୍ଭବ। ଏକ ବିପଦସଙ୍କୁଳ ପାଦଚଲା ରାସ୍ତାରେ ଚାଲିବା ସମୟରେ ଟିକିଏ ସତର୍କ ନହେଲେ ପାହାଡ ତଳକୁ ଖସି ଜୀବନ ହାରିବାର ଶତପ୍ରତିଶତ ଆଶଙ୍କ ରହିଛି। ଛୋଟଛୋଟ ପିଲାଙ୍କ କଥା ପଚାରେ କିଏ ?

 

ଏଭଳି ପରିସ୍ଥିତିରେ ବୃଦ୍ଧବୃଦ୍ଧାମାନେ ଭତ୍ତ। କିମ୍ବା ବିପିଏଲ ଚାଉଳ ଆଣିବାପାଇଁ କାଦୋପଡା ପଞ୍ଚାୟତକୁ ଯିବା ସମୟରେ କିଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବେ ତାହା ସହଜରେ ଅନୁମାନ କରାଯାଇ ପାରିବ। ଆଉ ସ୍ୱାସ୍ଥ୍ୟସେବା ନକହିବା ଭଲ। ପାହାଡତଳେ ଥିବା କାଉଁଶିନାଳି ଗ୍ରାମରେ ରହୁଥିବା ଅଶାକର୍ମୀ ବାର୍ଷରେ ମାତ୍ର ୩/୪ ଥର ପାହାଡ ଚଢି ଉକ୍ତ ଗ୍ରାମକୁ ଯାଇଥାନ୍ତି। ଅନ୍ୟପକ୍ଷରେ କୌଣସି ଗୁରୁତର ରୋଗୀ, ବୃଦ୍ଧ ବୃଦ୍ଧା କିମ୍ବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା ପାଇଁ ଆଣିବାକୁ ହେଲେ ଖଟଦୋଳା କିମ୍ବା ଗାଣ୍ଡୁଆଭାର ହିଁ ଭରସା। ଆଉ ବର୍ଷାଦିନେ ନାଳ ବଢିଲେ ଏହା ମଧ୍ୟ ସମ୍ଭବ ହୋଇନଥାଏ। ଏଭଳି ସମସ୍ୟା ଯୋଗୂୁଁ ଅତୀତରେ ଅଧାବାଟରେ ଏକାଧିକ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଥିବାର ନଜିର ମଧ୍ୟ ରହିଛି। ଉକ୍ତ ଗାଁକୁ ରାସ୍ତାଟିଏ ନଥିବାରୁ ସେହି ଗ୍ରାମରେ ଝିଅ ଦେବାକୁ କିମ୍ବା ସେହି ଗ୍ରାମରୁ ବୋହୂ ଆଣିବାକୁ କେହିହେଲେ ମଙ୍ଗୁ ନାହାନ୍ତି। ଫଳରେ ବିବାହ ଯୋଗ୍ୟ ଅନେକ ଯୁବକଯୁବତୀ ବିବାହ ବନ୍ଧନରୁ ବଂଚିତ ରହୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ଏହି ଭୂମିହୀନ ଆଦିବାସୀଙ୍କ ଚାଷଜମି ବୋଲି କିଛିନାହିଁ। ସେମାନେ ସାହୁକାରର ଜମିରେ ଭାଗଚାଷ କରି ଯେତିକି ଧାନ ଭାଗ ପାଆନ୍ତି ତାହା ସେମାନଙ୍କର ପେଟକୁ ନିଅଣ୍ଟ ହୋଇଥାଏ। କାମଧନ୍ଦା ଅଭାବରୁ ସେମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିବାବେଳେ ଖଟ ଓ ଲଙ୍ଗଳ ନିର୍ମାଣ କରି ସାପ୍ତାହିକ ବଜାରରରେ ବିକ୍ରୀ କରିଥାନ୍ତି। ଏଥିରୁ ଯାହା ମିଳେ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଗ୍ରାମରେ ଥିବା ଶହଶହ ଏକର ଚାଷଜମି ପଂଚାୟତ ମୁଖ୍ୟାଳୟରେ ରହୁଥିବା କେତେକ ସାହୁକାରଙ୍କ ପରିବାର ସଦସ୍ୟଙ୍କ ନାମରେ ରେକର୍ଡଭୁକ୍ତ ଥିବା ଜଣାପଡିଛି। ଏପରିକି ଉକ୍ତ ତଥାକଥିତ ସାହୁକାର ମାନେ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ହାତକରି ପିଢି ପରେ ପିଢି ବସବାସ କରୁଥିବା ସରଳ ଆଦିବାସୀଙ୍କ ଘରଡିହକୁ ମଧ୍ୟ ନିଜ ପରିବାର ସଦସ୍ୟଙ୍କ ନାମରେ କରିନେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଗ୍ରାମର ଜନସଂଖ୍ୟା ୧୨୫ ରହିଥିଲେ ହେଁ ନଳକୂପ ଖୋଳାଗାଡି ଯିବାକୁ ରାସ୍ତା ନଥିବାରୁ ସରକାର ସେଠାରେ ନଳକୂପଟିଏ ମଧ୍ୟ ଖୋଳିପାରିନାହାନ୍ତି। ସେହିପରି କେଉଁ କାଳରୁ ସରକାରଙ୍କ ପକ୍ଷରୁ ଖୋଳାଯାଇଥିବା ଗୋଟିଏ କୂଅ ଦୀର୍ଘବର୍ଷ ହେଲା ଶୁଖିଲା ପଡିଥିବା ବେଳେ ଭାଙ୍ଗିରୁଜି ନଷ୍ଟ ହୋଇପଡିଥିବା ପରିମଳକୂପଟିକୁ କିଛିମାସ ପୂର୍ବେ ସାମାନ୍ୟ ମରାମତି କରାଯାଇଛି। ଗ୍ରାମବାସୀ ମାନେ ନିଜ ଉଦ୍ୟମରେ ଖୋଳିଥିବା ୨ଟି କୂଅ ଗ୍ରୀଷ୍ମଋତୁରେ ସେମାନଙ୍କ ଚହିଦା ପୂରଣ କରିପାରୁ ନାହିଁ। ଗ୍ରୀଷ୍ମଋତୁରେ ଗ୍ରାମବାସୀ ନାଳପାଣି(ଚୁଆ)ଉପରେ ଭରସା କରନ୍ତି। ଖରାଦିନେ ପିଇବା ପାଣି ମୁନ୍ଦିଏ ପାଇଁ ଗ୍ରାମର ପୁରୁଷ ଓ ମହିଳା ମୁଣ୍ଡରେ ଗରା , ହାତରେ ବାଲଟି ଓ ଭାର ଧରି ଲମ୍ବା ଧାଡିରେ ପ୍ରାୟ ଅଧ କି.ମି. ଦୂରରେ ଥିବା ପଥୁରିଆ ନାଳରୁ ଜଳସଂଗ୍ରହ କରିବା ଦୃଶ୍ୟ ସରକାରୀ ଯୋଜନାର ଅସଲ ଚେହେରାକୁ ପଦାରେ ପକାଇଦେଇଥାଏ।


କିଛିବର୍ଷ ପୂର୍ବେ ବାରକୋଟ ବ୍ଲକ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ ସୋଲାର ଲାଇଟ ଯୋଗାଇ ଦେଇଥିଲେ ମଧ୍ୟ ଏଗୁଡିକ ମଧ୍ୟରୁ ଅନେକ ଏବେ ସମ୍ପୁର୍ଣ୍ଣ ଅଚଳ ଅବସ୍ଥାରେ ପଡିରହିଛି। ଫଳରେ ଅନେକ ପରିବାର ଏବେ ମଧ୍ୟ ଡିବିରି ଆଲୁଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହିସବୁ ସମସ୍ୟାର ତୁରନ୍ତ ସମାଧାନ କିମ୍ବା ବସତି ସ୍ଥାପନ ପାଇଁ ସେମାନଙ୍କୁ ପାହାଡତଳେ ଜମି ପଟ୍ଟା ପ୍ରଦାନ ପାଇଁ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯନ୍ତ ସମସ୍ତଙ୍କର ଦ୍ୱାରସ୍ଥ ହୋଇସାରିଛନ୍ତି। କେବଳ ଏତିକି ନୁହେଁ, ଉପରୋକ୍ତ ଦାବି ପୂରଣ ନିମନ୍ତେ ସେମାନେ ଏକତ୍ରିତ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକାଧିକବାର ଧାରଣା ମଧ୍ୟ ଦେଇସାରିଛନ୍ତି। ମାତ୍ର ସେମାନଙ୍କୁ ପ୍ରତିଶ୍ରୁତି ଛଡା ଆଉକିଛି ମିଳି ନାହିଁ। ଏ ସମ୍ପର୍କରେ ବାରକୋଟ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେରଙ୍କ ମତାମତ ଲୋଡିବାରୁ ସେ ଅପହଂଚ ମହୁପାଳ ଗ୍ରାମରେ ଉପରୋକ୍ତ ସମସ୍ୟା ଗୁଡିକ ରହିଥିବା ସ୍ୱୀକାର କରିବାସହ ଏହି ସମସ୍ୟାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ଧିରେ ଧିରେ ଉଦ୍ୟମ ହେଉଥିବା ପ୍ରକାଶ କରିଛନ୍ତି।

Comments
Loading...