MEllora 950×100

ମାମଲାର ସହଜ ସମାଧାନ

ମାମଲା ତଥା ମାଲିମୋକଦ୍ଦମାର କୁପ୍ରଭାବ ବିଷୟରେ ପ୍ରାୟତଃ ସମସ୍ତେ ଅବଗତ। ମାମଲାଜନିତ ବିପତ୍ତିକୁ ମା’ ମରିଯିବା ପରି ବିପତ୍ତି ସହିତ ତୁଳନା କରାଯାଇପାରେ। ମୋକଦ୍ଦମାରେ ସଂପୃକ୍ତ ବ୍ୟକ୍ତି କ୍ରମାଗତ ଭାବରେ ମାନସିକ, ଆର୍ଥିକ, ଶାରୀରିକ ତଥା ସାମାଜିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ସହି ତଳିତଳାନ୍ତ ହୁଅନ୍ତି। ପରିସ୍ଥିତିଚକ୍ରରେ ବରିଷ୍ଠ ନାଗରିକବୃନ୍ଦ ମଧ୍ୟ ଭୁକ୍ତଭୋଗୀ ହୁଅନ୍ତି। ପାଠକଙ୍କ ଅବଗତି ନିମନ୍ତେ ଏଠାରେ ଏକ ଉଦାହରଣ ଉପସ୍ଥାପନା କରୁଛି।
ରାଧାଗୋବିନ୍ଦ ପତ୍ନୀ ଶାନ୍ତିଲତା ଓ ଦୁଇପୁଅ (ସରୋଜ ଓ ମନୋଜ), ବୋହୂ, ନାତି, ନାତୁଣୀଙ୍କ ସହିତ ‘ଶାନ୍ତି ଭବନ’ରେ ଆନନ୍ଦରେ ସମୟ ଅତିବାହିତ କରୁଥିବା ଅବସ୍ଥାରେ ହଠାତ୍‌ ଶାନ୍ତିଲତାଙ୍କର ଦେହାନ୍ତ ହେଲା। ଘରର ମୁରବି ହିସାବରେ ରାଧାଗୋବିନ୍ଦ କିଛି ବର୍ଷ ଘର ଚଳାଇବା ପରେ ମୃତ୍ୟୁବରଣ କଲେ। ଏହା ପରେ କ୍ରମଶଃ ପରସ୍ପର ମନୋମାଳିନ୍ୟ, ଅବିଶ୍ବାସ, ସ୍ବାର୍ଥ ପରାୟଣ, ଅହଂଭାବ ସହିତ କୁପରାମର୍ଶ ଦ୍ବାରା ପ୍ରଭାବିତ ହେବାରୁ ଏକାନ୍ନବର୍ତ୍ତୀ ପରିବାରର ସ୍ଥିତି ଦୋହଲିଗଲା। ‘ଶାନ୍ତି ଭବନ’ ଅଶାନ୍ତି ଭବନରେ ପରିଣତ ହେଲା। ଘରଡିହର ମଧ୍ୟଭାଗରେ ଥିବା ପାଇଖାନା ଉପରେ ଉଭୟ ପକ୍ଷ ଦାବି କରିବାରୁ ବଣ୍ଟନ କାର୍ଯ୍ୟରେ ବାଧାସୃଷ୍ଟି ହେଲା। ଶେଷରେ ସରୋଜ ନିଜ ଭାଗ ହାସଲ କରିବା ପାଇଁ ଅଦାଲତର ଆଶ୍ରୟ ନେଲେ। ମୋକଦ୍ଦମାରେ ଉଭୟ ପକ୍ଷଙ୍କର ଜିଦ୍‌ଖୋର ପ୍ରକୃତି ଯୋଗୁଁ ତଳ କୋର୍ଟ, ଉପର କୋର୍ଟରେ ବହୁବର୍ଷ ଧରି ମୋକଦ୍ଦମାର ଶୁଣାଣି ଚାଲିଲା। ଫଳରେ ଉଭୟ ପକ୍ଷ ଭୀଷଣ ଆର୍ଥିକ, ମାନସିକ ତଥା ଶାରୀରିକ ଅଶାନ୍ତି/କ୍ଷତି ସହିଲେ। ଶେଷରେ ଅଦାଲତ ସରୋଜ ସପକ୍ଷରେ ରାୟ ଦେବାରୁ ସେ ଅତି ଆନନ୍ଦରେ ଆଜିଠାରୁ ଆମେ ପାଇଖାନାର ମାଲିକ ହେଲେ ବୋଲି ସ୍ତ୍ରୀକୁ ଜଣାଇବାରୁ ସ୍ତ୍ରୀ ମମତା ମନଦୁଃଖରେ କାନ୍ଦିଲେ। ବହୁତ ଦିନର ପରିଶ୍ରମ ଓ ଅର୍ଥବ୍ୟୟ କରି ମୋକଦ୍ଦମାରେ ଜିତିଥିବାରୁ ସରୋଜ ଆଶ୍ଚର୍ଯ୍ୟ ହୋଇ କାନ୍ଦିବାର କାରଣ ପଚାରିବାରୁ ମମତା ଅତ୍ୟନ୍ତ ଦୁଃଖର ସହିତ ଉତ୍ତର ଦେଲେ ଯେ ମୋକଦ୍ଦମା ଚଳାଇବାପାଇଁ ଘରର ସବୁ ସଞ୍ଚିତ ଧନ, ସୁନା, ରୁପା ଗହଣା ଶେଷ କରିଦେବା ପରେ ବର୍ତ୍ତମାନ ଖାଇବାପାଇଁ ଘରେ କିଛି ନାହିଁ। ଏପରି ଅବସ୍ଥାରେ କ’ଣ ଖାଇବା ଯେ ପାଇଖାନା ବ୍ୟବହାର କରିବା?
ଉପରୋକ୍ତ ଉଦାହରଣର ତାତ୍ପର୍ଯ୍ୟ ବିଷୟ ଉପସ୍ଥାପନା କରିବା ପୂର୍ବରୁ ପାଠକ ବନ୍ଧୁମାନେ ମହାଭାରତରେ ବର୍ଣ୍ଣିତ ଦୁ​‌େ​‌ର୍ଯ୍ୟାଧନଙ୍କର ଅହଂଭାବ, ଶକୁନିଙ୍କର କପଟ ପୂର୍ଣ୍ଣ ମନ୍ତ୍ରଣା, ରାମାୟଣରେ ମନ୍ଥରାଙ୍କ ଚରିତ୍ର ସହିତ ଆମର ବହୁଳ ପ୍ରଚଳିତ ଢ଼ଗ ‘ନଖରେ ନ ଛିଣ୍ଡାଇ କୁରାଢ଼ିରେ ହାଣିବା’ ଓ ‘ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହେଉ’ ପରିପ୍ରେକ୍ଷୀରେ ତର୍ଜମା କରିବା ଆବଶ୍ୟକ।’
ଲେଖିବା ବାହୁଲ୍ୟ ଯେ ଆମର ମହାନ ପୂର୍ବପୁରୁଷଗଣ ଭବଷ୍ୟତ ବଂଶଧରଙ୍କ ସୁଖସମୃଦ୍ଧି କାମନା କରି କିଛି ସମ୍ପତ୍ତି ରଖି ଯାଇ ଅଛନ୍ତି ଯାହା ଆମର ପୈତୃକ ସମ୍ପତ୍ତି ଅଟେ। ଏହି ସମ୍ପତ୍ତିକୁ ଆମେ ପରୋକ୍ଷ ଦାନ ସୂତ୍ରରେ ପାଇଛେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଇନ ଦୃଷ୍ଟିରେ ପୈତୃକ ସମ୍ପତ୍ତି ଉପରେ ପ୍ରତ୍ୟେକ ଉତ୍ତରାଧିକାରୀଙ୍କର ସମାନ ଅଧିକାର ଅଛି। ଯେହେତୁ ସେ ସମ୍ପତ୍ତି ଅର୍ଜନ କରିବା କ୍ଷେତ୍ରରେ ସେମାନଙ୍କର କୌଣସି ଅବଦାନ ନାହିଁ, ତେଣୁ ସମ୍ପତ୍ତି ବଣ୍ଟନ ପ୍ରକ୍ରିୟାରେ ପ୍ରତ୍ୟେକ ଅଂଶୀଦାର ସ୍ବାର୍ଥ, ଲୋଭ, ଅହଂଭାବ ତଥା ଜିଦ୍‌​‌େ​‌ଖାର ମନୋଭାବ ପରିତ୍ୟାଗ କରି ଖୋଲା ମନରେ ସହମତି ଭିତ୍ତିରେ ଭାଗ କରିବା ପାଇଁ ସହଯୋଗ କରିବା ଉଚିତ। ଏ ଦିଗରେ ସମସ୍ତ ଅଂଶୀଦାର ଦେୱାନୀ ଅଦାଲତ କିମ୍ବା ତହସିଲଦାରଙ୍କ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଜମି ଭାଗ କରାଇପାରିବେ। କୌଣସି ପରିସ୍ଥିତିରେ ସେମାନେ ଚକ୍ରାନ୍ତକାରୀଙ୍କ କୁଶିକ୍ଷାରେ ପ୍ରଭାବିତ ହେବା ଅନୁଚିତ। ଏହାର ବ୍ୟତିକ୍ରମ ଯୋଗୁଁ ପ୍ରାୟ ପ୍ରତ୍ୟେକ ପରିବାରରେ ପୈତୃକ ସମ୍ପତ୍ତିକୁ ଭିିତ୍ତିକରି ମନୋମାଳିନ୍ୟ, ମନାନ୍ତର, ଅଶାନ୍ତି ଓ ମାମଲା ବୃଦ୍ଧି ପାଉଛି। ଅନେକ କ୍ଷେତ୍ରରେ ସମସ୍ୟାର ସମାଧାନ ହେବା ପୂର୍ବରୁ ବରିଷ୍ଠ ନାଗରିକମାନେ ଇହଧାମ ତ୍ୟାଗ କରୁଛନ୍ତି।
ବର୍ତ୍ତମାନ ଯୁବପିଢ଼ିଙ୍କ ମଧ୍ୟରେ ଦାମ୍ପତ୍ୟ କଳହ ନୂତନ ସମସ୍ୟା ହୋଇ ଦ୍ରୁତଗତିରେ ବୃଦ୍ଧିପାଉଛି। ଉଚ୍ଚଶିକ୍ଷିତ, କର୍ମଜୀବୀ ଦମ୍ପତିଙ୍କ ମଧ୍ୟରେ ପରସ୍ପର ସହନଶୀଳତା ଓ ବୁଝାମଣାର ଘୋର ଅଭାବ ସହିତ ଅବିଶ୍ବାସ, ପ୍ରତିଶୋଧ ପରାୟଣ ମନୋଭାବ ଏବଂ ତୃତୀୟ ପକ୍ଷଙ୍କର କୁଶିକ୍ଷା ଯୋଗୁଁ ବିଭିନ୍ନ ଅଦାଲତ (ଦେୱାନି, ଫୌଜଦାରୀ ଓ ପରିବାର ଅଦାଲତ ତଥା ମହିଳା କମିସନ)ରେ ବିବାହ ବିଚ୍ଛେଦ, ଭରଣ ପୋଷଣ, ପୁତ୍ର/କନ୍ୟାଙ୍କ ଉପରେ ଦାବି, ଯୌତୁକ ଓ ଘରୋଇ ହିଂସା ସମ୍ବନ୍ଧୀୟ ​‌େ​‌ମାକଦ୍ଦମା ସଂଖ୍ୟା ବୃଦ୍ଧି ପାଉଛି। ଏହାର କୁପ୍ରଭାବରେ ଉଭୟ ପକ୍ଷର ପରିବାର ସଦସ୍ୟ (ବରିଷ୍ଠ ନାଗରିକ)ବୃନ୍ଦ ଆର୍ଥିକ, ମାନସିକ, ଶାରୀରିକ ଓ ସାମାଜିକ କ୍ଷେତ୍ରରେ ଅପୂରଣୀୟ କ୍ଷତି ଓ ଅଶାନ୍ତି ଭୋଗ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ପ୍ରତିଶୋଧ ପରାୟଣ ହୋଇ ଶ୍ବଶୁର, ଶାଶୂ, ଯାଆ, ନଣନ୍ଦମାନଙ୍କୁ ଅଦାଲତକୁ ଟାଣିବା ପରି ନିନ୍ଦନୀୟ ଓ ଅଶୋଭନୀୟ ଘଟଣା ଘଟୁଛି।
ଉପରୋକ୍ତ ମାମଲାର ବିପତ୍ତି ସଦୃଶ ବରିଷ୍ଠ ନାଗରିକମାନଙ୍କ ପାଇଁ ବର୍ତ୍ତମାନ ଅନ୍ୟ ଏକ ମାରାତ୍ମକ ସମସ୍ୟା ବୃଦ୍ଧି ପାଉଛି। ଯୌଥ ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରଚଳିତ ଥିବା ସମ୍ମାନ, ସହଯୋଗ, ସେବା ଶୁଶ୍ରୂଷାର ଘୋର ଅଭାବ ଦେଖାଯାଉଛି। ଛୋଟଛୋଟ ପରିବାରରେ ବରିଷ୍ଠ ନାଗରିକ (ପିତାମାତା)ମାନେ ପୁତ୍ର/ କନ୍ୟାଙ୍କ ଦ୍ବାରା ଅବହେଳିତ ହୋଇ କ୍ରମାଗତ ଭାବରେ ନିଃସଙ୍ଗ, ମାନସିକ, ଶାରୀରିକ ଅତ୍ୟାଚାର/ ଅଶାନ୍ତି ଯୋଗୁଁ ନିର୍ଯାତିତ ହେଉଛନ୍ତି। ଯଦିଓ ଏହାର ପ୍ରତିକାର ପାଇଁ ବରିଷ୍ଠ ନାଗରିକ(ପିତାମାତା)ଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ-୨୦୦୭ ପ୍ରଣୟନ କରାଯାଇ ପ୍ରତ୍ୟେକ ସବ୍‌ଡିଭିଜନ୍‌ ସ୍ତରରେ ଉପଜିଲାପାଳ ଓ ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ବାରା ସମସ୍ୟା ସମାଧାନ କରିବା ପାଇଁ ଟ୍ରିବ୍ୟୁନାଲ ଓ ମିଳାମିଶା କେନ୍ଦ୍ର ଖୋଲାଯାଇଛି। ଅନ୍ୟାନ୍ୟ ଅଭିଯୋଗ/ ଅପରାଧ ପାଇଁ ପୁୁଲିସ ତଦନ୍ତ କରି ଦୋଷୀକୁ ଫୌଜଦାରୀ ଅଦାଲତରେ ଦଣ୍ଡିତ କରାଯିବାର ବ୍ୟବସ୍ଥା କରାଯାଇଛି; ମାତ୍ର ଜନସଚେତନତା ଅଭାବରୁ ଏହାର ଆଶାନୁରୂପ ସୁଫଳ ମିଳୁନାହିଁ। ବରିଷ୍ଠ ନାଗରିକମାନେ ପରିବାର ଓ ନିଜର ମର୍ଯ୍ୟାଦାହାନି, ସମାଲୋଚନା ଓ ଅତ୍ୟଧିକ ସ୍ନେହ ମମତା ଯୋଗୁଁ ଅଭିଯୋଗ କରିବାକୁ କୁଣ୍ଠାବୋଧ କରନ୍ତି; ମାତ୍ର ଯେଉଁମାନେ ଟ୍ରିବ୍ୟୁନାଲରେ ଅଭିଯୋଗ କରନ୍ତି ଶୁଣାଣି କରିବା ପୂର୍ବରୁ ଟ୍ରିବ୍ୟୁନାଲ ଉଭୟ ପକ୍ଷଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ମିଳାମିଶା ଅଧିକାରୀଙ୍କ ପାଖକୁ ପଠାନ୍ତି ଓ ସେଠାରେ ସମାଧାନ ହୋଇ ନପାରିଲେ ୯୦ଦିନ ମଧ୍ୟରେ ଭରଣପୋଷଣ ପରିମାଣ ଧାର୍ଯ୍ୟକରି ଆଦେଶ ଦିଅନ୍ତି।
ଏହା ବ୍ୟତୀତ ଆପରାଧିକ ମାମଲା ଦ୍ବାରା ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ସାଧାରଣତଃ ଭାରତୀୟ ଦଣ୍ଡ ସଂହିତା(ଆଇପିସି)ର ବିଭିନ୍ନ ଅପରାଧର ଦଫା ସଂଯୋଗ ଅପରପ​‌କ୍ଷ ଲୋକଙ୍କୁ ମାନସିକ ଅଶାନ୍ତି, ଆର୍ଥିକ କ୍ଷତି, ସାମାଜିକ କ୍ଷେତ୍ରରେ ଅପମାନିତ କରିବା ଉଦ୍ଦେଶ୍ୟରେ ପୁଲିସ କିମ୍ବା ଓକିଲଙ୍କ ଜରିଆରେ ମାମଲା ଦାଏର କରାଯାଏ। ଏ ପ୍ରକାର ବିପତ୍ତିରୁ ଜନସାଧାରଣଙ୍କୁ ରକ୍ଷା କରିବାପାଇଁ ସିଆରପିସି (କ୍ରିମିନାଲ ପ୍ରସିଡିଓର କୋଡ)ର ୩୨୦ ଧାରା ଅନୁଯାୟୀ ଦଣ୍ଡ ସଂହିତାର କେତେକ ନିର୍ଦିଷ୍ଟ ଦଫା ଜନିତ ମୋକଦ୍ଦମାକୁ ଶୀଘ୍ର ଫଇସଲା କରିବାପାଇଁ ବ୍ୟବସ୍ଥା କରାଯାଇଛି। ଦଣ୍ଡ ସଂହିତାର ୨୧ ପ୍ରକାର ଅପରାଧ ପାଇଁ ନିର୍ଦ୍ଧାରିତ ବ୍ୟକ୍ତିଙ୍କ ଦ୍ବାରା ଅଦାଲତରେ ଦରଖାସ୍ତ କରି ମୋକଦ୍ଦମାକୁ ଶୀଘ୍ର ଫଇସଲା କରାଯାଏ ଓ ଅଧିକ ଗୁରୁତ୍ବପୂର୍ଣ୍ଣ ଅପରାଧ (୩୫ ପ୍ରକାର ଅପରାଧ) ପାଇଁ ନିର୍ଦିଷ୍ଟ ବ୍ୟକ୍ତି ପ୍ରଥମେ ଅଦାଲତଙ୍କ ଅନୁମତି ପ୍ରଦାନ ପାଇଁ ଦରଖାସ୍ତ କରିବା ଆବଶ୍ୟକ ଓ ତାହା ମଞ୍ଜୁର ହେବାପରେ ମାମଲା ପ୍ରତ୍ୟାହାର କରାଯାଏ। ଏ ପ୍ରକ୍ରିୟାରେ ଫଇସଲା ହେଉଥିବା ମୋକଦ୍ଦମାରେ ସଂପୃକ୍ତ ମୁଦାଲାମାନେ ଶୀଘ୍ର ଓ ସହଜରେ ଖଲାସ ହୁଅନ୍ତି। ଏହା କେବଳ ଉଭୟ ପକ୍ଷଙ୍କ ସହମତି ଆଧାରରେ କରାଯାଇପାରିବ, ଅନ୍ୟଥା ମାମଲା ବହୁବର୍ଷ ଧରି ଚାଲିବ।
ଉପରୋକ୍ତ ଆଇନଗତ ସୁବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କ ଅଜ୍ଞତା, ଉଭୟପକ୍ଷଙ୍କ ପ୍ରତିଶୋଧ ପରାୟଣତା, ଅହଂଭାବ ଓ କୁଶିକ୍ଷା ଯୋଗୁଁ ଜନସାଧାରଣ ଆଶାନୁରୂପ ସୁଫଳ ପାଇ ପାରୁନାହାନ୍ତି।
ଏହା ବହୁ ପରୀକ୍ଷିତ ଯେ ଉପରୋକ୍ତ ସମସ୍ୟା/ମୋକଦ୍ଦମାଗୁଡ଼ିକରେ ଉଭୟ ପକ୍ଷ ସହମତି ଭିତ୍ତିରେ ଆପୋସ ମିଳାମିଶା କରି ସମାଧାନ ପାଇଁ ଆଗ୍ରହୀ ନ ହେବା ପର୍ଯ୍ୟନ୍ତ ମାମଲାର ଶୀଘ୍ର ସମାଧାନ ଅସମ୍ଭବ। ଏ ଦିଗରେ ଉଭୟ ପକ୍ଷଙ୍କ ଶୁଭ ଚିନ୍ତକ, ପଞ୍ଚାୟତ, ଗ୍ରାମ ସଭା, ଯୁବକ ସଙ୍ଘ, ମହିଳା ସମିତି, ସମାଜସେବୀ ସଂଗଠନ ଏବଂ ବରିଷ୍ଠ ନାଗରିକ ସଙ୍ଘର ସଭ୍ୟ/ସଭ୍ୟାମାନଙ୍କର ଯଥେଷ୍ଟ ଅବଦାନ ରହିଛି। ମୋକଦ୍ଦମା ପୂର୍ବରୁ କିମ୍ବା ନ୍ୟାୟାଳୟର ଆଶ୍ରୟ ନେବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ଭିତ୍ତିରେ ବିବାଦ ସମାଧାନ ପାଇଁ ଚେଷ୍ଟା କରାଗଲେ ଅନେକ ସୁଫଳ ମିଳିପାରିବ। ନ୍ୟାୟିକ ପ୍ରକ୍ରିୟାରେ ନିର୍ଦିଷ୍ଟ ବିଧି ଅନୁଯାୟୀ ମୋକଦ୍ଦମା ଶୀଘ୍ର ଫଏସଲା କରିବା ଦିଗରେ କିଛି ବାଧାବିଘ୍ନ ଘଟୁଛି। ଉପରୋକ୍ତ କାର୍ଯ୍ୟପନ୍ଥା ଏହାର ବିକଳ୍ପ ଉପାୟ। ଏ ପରିପ୍ରେକ୍ଷୀରେ ମୋକଦ୍ଦମା ବିଚାର ସମୟରେ ଉଭୟ ପକ୍ଷଙ୍କୁ ଜିଲା ଲୋକ ଅଦାଲତ ଅଧିନସ୍ଥ ମିଳାମିଶା କେନ୍ଦ୍ର ମାଧ୍ୟମରେ ଆପୋସ ସମାଧାନ କରିବା ପାଇଁ ପଠାଯାଏ ଏବଂ ସେ ପ୍ରକ୍ରିୟାରେ ସଫଳ ହେଲେ ମୋକଦ୍ଦମା ଶୀଘ୍ର ଫଏସଲା ହୋଇଯାଏ। ଏହା ସହିତ ଉପରୋକ୍ତ ସଙ୍ଘ ଓ ସଂସ୍ଥା ତଥା ମଧ୍ୟସ୍ଥଙ୍କ ଜରିଆରେ ଅ‌େ​‌ନକ କ୍ଷେତ୍ରରେ ସୁଫଳ ମିଳିବାର ଉଦାହରଣ ରହିଛି। ବିଭିନ୍ନ ଗଣମାଧ୍ୟମ, ସମ୍ବାଦପତ୍ରରେ ଉପରୋକ୍ତ ପ୍ରକ୍ରିୟାରେ ଉପକୃତ ହୋଇଥିବା ପକ୍ଷଙ୍କ ଅନୁଭୂତି ଓ ମାମଲାର ବିବରଣୀ ପ୍ରସାର କରାଯାଇ ସଚେତନତା ବୃଦ୍ଧି କରାଗଲେ ଜନସାଧାରଣ (ବରିଷ୍ଠ ନାଗରିକବୃନ୍ଦ) ମାମଲା ରୂପକ ବିପତ୍ତିରୁ ଶୀଘ୍ର ରକ୍ଷା ପାଇବା ସଙ୍ଗେସଙ୍ଗେ ପରିବାର ମଧ୍ୟରେ ସୁସ୍ଥ ବାତାବରଣ ସୃଷ୍ଟି କରାଯାଇପାରିବ।

ସୂର୍ଯ୍ୟନାରାୟଣ ମିଶ୍ର
ଅବସରପ୍ରାପ୍ତ ଜିଲାଜଜ୍‌
ପଟିଆ, ଭୁବନେଶ୍ବର
ଦୂରଭାଷ: ୯୪୩୭୧୮୫୯୭୭

Comments are closed.