ରଙ୍ଗର ହୋଲି

ରଙ୍ଗର ସ୍ବତନ୍ତ୍ର ଏକ ଭାଷା ଅଛି। ରଙ୍ଗର ସ୍ବତନ୍ତ୍ର ଏକ ଆବେଦନ ମଧ୍ୟ ରହିଛି। ରଙ୍ଗର କାଉଁରି ଛୁଆଁରେ ମନ କଦମ୍ବିତ ହୋଇଯାଏ। ରଙ୍ଗର ବିଚିତ୍ରତା ହିଁ ସଭିଙ୍କୁ କେମିତି ସତରେ ଚମତ୍କୃତ କରିଦିଏ, ପୁଣି କରିଦିଏ ଆନନ୍ଦ ବିଭୋର। ଫୁଲର ରଙ୍ଗ ପରି ମନର ରଙ୍ଗ ମଧ୍ୟ ବହୁବର୍ଣ୍ଣା। ପ୍ରଜାପତିର ରଙ୍ଗ ଆଉ ଇନ୍ଦ୍ରଧନୁର ରଙ୍ଗ ଏହା ପ୍ରକୃତିର ଏକ ଆବେଗମୟ ଖେଳ। ରଙ୍ଗ ସମ୍ପର୍କ ଯୋଡ଼େ, ରଙ୍ଗ ଭାଇଚାରା ବୁଣେ, ରଙ୍ଗ ମାଟି ଓ ମଣିଷ ଭିତରେ ଅଜସ୍ର ସ୍ନେହ ଢାଳିଦିଏ। ସୃଷ୍ଟି ହୁଏ ରଙ୍ଗରେ ଆତ୍ମହରା।
ସୂର୍ଯ୍ୟଙ୍କ କିରଣରେ ସାତରଙ୍ଗ। ପୁରାଣ ସୂଚିତ ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡ଼ାର ରୂପକୁ ହିଁ ଅଭିବ୍ୟକ୍ତ କରାଯାଇଛି। ପ୍ରସିଦ୍ଧ କବି ଗେଟେ ସାତରଙ୍ଗକୁ ସଙ୍ଗୀତର ସାତସୁର ସହ ତୁଳନା କରିଛନ୍ତି। ଧରାର ରଙ୍ଗ ଖେଳିଲେ ବସନ୍ତ ଆସେ, ବସନ୍ତ ଆସିଲେ ସସାଗରା ଧରା ରଙ୍ଗିନ ହୋଇଉଠେ। ଏତିକିବେଳେ ସହକାର କୁଞ୍ଜରେ ମଞ୍ଜରୀର ମହକ, ତାହା ମଧ୍ୟରେ ଉନ୍ମତ୍ତ ମଦମତ୍ତଅଳି କୁଳର ଗୁଞ୍ଜନ, ବଉଳ ପ୍ରସ୍ଫୁଟିତ ଆମ୍ରକାନନରେ କୋକିଳର କୁହୁତାନ, ନବକିଶଳୟର ଉଦ୍‌ଗମ, ମନ୍ଦମନ୍ଦ ସମୀରର ଶୀତଳ ସ୍ପର୍ଶ ପ୍ରତିଟି ପ୍ରାଣରେ ଭରିଦିଏ ଅପୂର୍ବ ରୋମାଞ୍ଚ। ଏହି ପରିପ୍ରେକ୍ଷୀରେ ରସକଲ୍ଲୋଳ କାବ୍ୟର କବି ଗାଇଛନ୍ତି-
‘କୁସୁମବନ୍ତ ମାଧବୀ ଧନୁଶୋଭା ଭ୍ରମର କଦମ୍ବ ଗୁଣରେ
କିଂଶୁକ, ପାଟ କରବାଳ ତାହାର
କରିବାକୁ ରଙ୍ଗଶେଷେ ତାହା ସଙ୍ଗସୁଖ
ନୋହୁ ଅଛି କାହାର?’
ଋତୁରାଜ ବସନ୍ତ କେବଳ ମାନବକୁ ଆପ୍ଲୁତ କରେନାହିଁ, ପଶୁପକ୍ଷୀ ସକଳଙ୍କ ମନରେ ଅପୂର୍ବ ଶିହରଣ ଖେଳାଇଦିଏ। ଏହା ଯଥାର୍ଥରେ ରଙ୍ଗର ଋତୁ। ସଙ୍ଗର ଋତୁ। ରଙ୍ଗ ଓ ବସନ୍ତକୁ ନେଇ ଉତ୍କଳୀୟ କବି ଜୟଦେବ ଗୀତ ଗୋବିନ୍ଦରେ ଲେଖିଛନ୍ତି।
‘ଲଳିତ ଲବଙ୍ଗଲତା
ପରିଶୀଳନ କୋମଳ ମଳୟ ସମୀରେ
ମଧୁକର ନିକର କରମ୍ବିତ କୋକିଳ,
କୂଜିତ କୁଞ୍ଜ କୁଟୀରେ…।’
ବସନ୍ତକୁ କେନ୍ଦ୍ରକରି ନାନା କବି, ପଣ୍ଡିତ, ଭାଷାବିତ୍‌ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି। ଏହି ଋତୁରେ ବିଶେଷ ପର୍ବ ଭାବରେ ବସନ୍ତରାସୋତ୍ସବ ଏକ ମାର୍ମିକ ତଥା ବର୍ଣ୍ଣିଳ ପ୍ରୀତିମୟ ମହୋତ୍ସବ। ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କ ଅପୂର୍ବ ମିଳନର ଏ ଯୁଗାନ୍ତକାରୀ ଆଧ୍ୟାତ୍ମିକ ତଥା ଭବ୍ୟ ଉତ୍ସବ ହିଁ ଭାରତୀୟ ହିନ୍ଦୁମାନଙ୍କର ବିଶିଷ୍ଟ ପର୍ବ ଭାବରେ ପରିଗଣିତ। ଏହା ଭାରତୀୟ ସଂସ୍କୃତିର ପ୍ରାଣ ପ୍ରବାହ କହିଲେ ଅତ୍ୟୁକ୍ତି ହେବନାହିଁ। ଏହାକୁ କେନ୍ଦ୍ରକରି ଦୋଳମେଳଣ, ହୋଲି ଉତ୍ସବ ଆମ ମହନୀୟ ସଂସ୍କୃତିକୁ ପରିପୁଷ୍ଟ ପରିବର୍ଦ୍ଧିତ କରିଛି। କହିବାକୁ ଗଲେ ଏହି ହୋଲି ପର୍ବଟିକୁ ରଙ୍ଗର ପର୍ବ ଭାବରେ ସାରା ଭାରତରେ ପାଳନ କରାଯାଇଥାଏ। ପ୍ରାୟତଃ ସପ୍ତଦଶ ଶତାବ୍ଦୀରୁ ଏହାର ଅୟମାରମ୍ଭ ହୋଇଥିଲେ ହେଁ ଏହାର ପ୍ରାଚୀନତା ସମ୍ପର୍କରେ ମହାକବି କାଳିଦାସଙ୍କ କୃତ ‘ଦଶକୁମାରଚରିତମ୍‌’ରେ ଚତୁର୍ଥ ଶତାବ୍ଦୀ ବୋଲି ବର୍ଣ୍ଣିତ ହୋଇଛି। ଏପରି କି ପ୍ରାଚୀନ ସଂସ୍କୃତ ନାଟକ ଯାହାକି ସପ୍ତଶତାବ୍ଦୀରେ ରଚିତ ‘ରତ୍ନାବଳୀ’ରେ ମଧ୍ୟ ଉଲ୍ଲେଖ ଅଛି। ପ୍ରାୟତଃ ଏହି ହୋଲି ମହୋତ୍ସବ କେବଳ ଭାରତରେ ନୁହେଁ ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ପାଳିତ ହେଉଛି। ଭାରତ ଓ ନେପାଳରେ ଏହା ବିଶିଷ୍ଟ ପର୍ବ ଭାବରେ ପାଳିତ ହୁଏ। ସାଂପ୍ରତିକ କାଳରେ ଏହି ରଙ୍ଗର ଉତ୍ସବ ଏତେ ପ୍ରଭାବ ବିସ୍ତାର କରିପାରିଛି ଯେ ଏହା ୟୁରୋପ ତଥା ଉତ୍ତର ଆମେରିକାରେ ମଧ୍ୟ ପାଳିତ ହେଉଛି ସମାରୋହରେ। ପୁରାତନ କାହାଣୀ ବା ପୁରାଣରୁ ହିରଣ୍ୟକଶିପୁର ଏକମାତ୍ର ଦୁଷ୍ଟ ଭଗ୍ନୀର ମୃତ୍ୟୁକୁ ନେଇ ଏହି ଉତ୍ସବ ନାମିତ ହୋଇଛି। ଏହି ଉତ୍ସବରେ ଅଗ୍ନି ପୂଜାର ପରମ୍ପରା ଅଦ୍ୟାବଧି ପ୍ରଚଳିତ ହୋଇଆସୁଛି। ‘ଦୋଳେ ଚ ଦୋଳ ଗୋବିନ୍ଦମ୍‌’ ବାସ୍ତବିକ ମଦନଗୋପାଳଙ୍କର ଦୋଳଉତ୍ସବ କେବଳ ପୁରୁଷୋତ୍ତମରେ କାହିଁକି ସମଗ୍ର ଉତ୍ତର ଭାରତ ବିଶେଷତଃ ମଥୁରା, ବୃନ୍ଦାବନ, ବାରାଣସୀରେ ଲୋକମାନେ ପାଳନ କରି ଆସୁଛନ୍ତି। ବୈଷ୍ଣବୀୟ ଭାବଧାରାରେ ଉଦ୍‌ବୁଦ୍ଧ ବୈଷ୍ଣବ ସମ୍ପ୍ରଦାୟମାନଙ୍କର ଏହା ପ୍ରଧାନପର୍ବ। ଏହି ପୂର୍ଣ୍ଣିମା ତିଥିଟି ଓ ଏହାର ପୂର୍ବବର୍ତ୍ତୀ ପାଞ୍ଚଦିନ ସମଗ୍ର ପୁରୁଷୋତ୍ତମଧାମ ଗୋପପୁରରେ ପରିଣତ ହୋଇଯାଏ। ‘ବସନ୍ତରାସ’ରେ ପ୍ରୀତିର ମହାମିଳନ ଘଟାଇ ରଙ୍ଗାୟିତ କରିଦିଏ ମନ ଓ ହୃଦୟକୁ। ଏମିତି ରଙ୍ଗ ନଥିଲେ ବାସ୍ତବରେ ଫିକା ଫଗୁଣ ହୋଇଯାଏ ଋତୁ ଓ ମଣିଷର ମନ।
ରଙ୍ଗ ହିଁ କଳାକୁ ଆଦର କରେ। କଳା ଆତ୍ମପ୍ରକାଶ କରେ କେବଳ ରଙ୍ଗର ଉପସ୍ଥିତିରେ। ଯଦି ଆମେ ସମସ୍ତେ ମନକୁ ଆଧ୍ୟାତ୍ମିକତାର ରଙ୍ଗରେ ରଙ୍ଗିନ କରିବାକୁ ଚାହୁଁ ତେବେ ନିଜ ଭିତରେ ଥିବା ସବୁ ପ୍ରକାର ବିକାରକୁ, ଯଥା- ଈର୍ଷା, ​‌େ​‌ଦ୍ବଷ, ଲୋଭ, କ୍ରୋଧ ଆଦିକୁ ବିନାଶ କରିବାକୁ ହେବ। ଅନ୍ୟମାନଙ୍କ ପ୍ରତି ଯଥାଯଥ ସମ୍ମାନ ପ୍ରଦର୍ଶନ କରିବାକୁ ହେବ। ରଙ୍ଗ ସାଧାରଣତଃ ଚାରିବର୍ଗର ଅଟେ। ସବୁଜ, ନାଲି, ହଳଦୀ ଏବଂ ନୀଳ। ଏହି ସାତ୍ତ୍ବିକ ରଙ୍ଗକୁ ମିଶ୍ରଣ କରି ବିଭିନ୍ନ ରଙ୍ଗ ପ୍ରସ୍ତୁତ ହୁଏ। ରଙ୍ଗର ମଧ୍ୟ ମୌଳିକ ଗୁଣମାନ ରହିଛି। ସବୁଜ ରଙ୍ଗ ଶାନ୍ତିର ପ୍ରତୀକ। ନାଲି ରଙ୍ଗ ସ୍ବପ୍ନ, ସ୍ମୃତି, ବେଗ ଆଉ ଶକ୍ତିର ପ୍ରତୀକ। ହଳଦୀରଙ୍ଗ ଯାବତୀୟ ଯନ୍ତ୍ରଣାରୁ ମୁକ୍ତି ଦେବାର ରଙ୍ଗ। ନୀଳରଙ୍ଗ ମହଦାକାଙ୍‌କ୍ଷୀ ଓ ବିକାଶର ପ୍ରତୀକ। ରଙ୍ଗ ପ୍ରତି ସମସ୍ତଙ୍କର ସତେ ଗଭୀର ଆକର୍ଷଣ !

କିଶୋର ମହାନ୍ତି
ସିଡିଏ, କଟକ-୧୪
ଦୂରଭାଷ: ୯୪୩୭୭୨୮୪୭୫

Comments are closed.