ମଧୁସୂଦନଙ୍କ ସମବାୟ ଓ ଗାନ୍ଧିଜୀଙ୍କ ସର୍ବୋଦୟ

ଭାରତର ଜନସାଧାରଣ ଆର୍ଥିକ, ସାମାଜିକ ମାନଦଣ୍ଡ ବୃଦ୍ଧିକରି ସୌହାର୍ଦ୍ୟ ସ୍ଥାପନ କରିବାରେ ସମବାୟ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ସ୍ୱାଧୀନତାର ବହୁ ପୂର୍ବରୁ ଆମ ଭାରତବର୍ଷ ଦେଖିଥିଲା ସମବାୟର ସ୍ୱପ୍ନ, ତାହା ଥିଲା ଉତ୍କଳଗୌରବ ମଧୁସୂଦନ ଦାସଙ୍କ କାର୍ଯ୍ୟ। ମଧୁସୂଦନ ବିଭିନ୍ନ ଇଉରୋପୀୟ ଦେଶ ଭ୍ରମଣ କରି ସମବାୟଭିତ୍ତିକ ଅନୁଷ୍ଠାନର ସଫଳ କାର୍ଯ୍ୟକାରିତା ଦେଖି ଜ୍ଞାନ ଆହରଣ କରିଥିଲେ। ସମବାୟ ଭିତ୍ତିରେ ଅର୍ଥଲଗାଣ, ଉପଭୋକ୍ତା ବ୍ୟବସାୟ, କୃଷି ଓ ଅନ୍ୟାନ୍ୟ ବ୍ୟବସାୟର ସଫଳ କାର୍ଯ୍ୟକାରିତା ଦେଖି ଭାରତ ଫେରି ୧୯୦୩ ମସିହାରେ ଭାରତରେ ସମବାୟର ମୂଳଦୁଆ ପକାଇଥିଲେ। କଟକ ଖାଉଟି ଭଣ୍ଡାର ଓ ବାଙ୍କୀ କ୍ରେଡିଟ୍‍ କୋ-ଅପରେଟିଭ୍‍ ସୋସାଇଟି ଏହାର ଦୃଷ୍ଟାନ୍ତ। ପରବର୍ତ୍ତୀ ମୁହୂର୍ତ୍ତରେ ଭାରତରେ ଶାସନ କରୁଥିବା ବ୍ରିଟିଶ ସରକାରଙ୍କ ଦ୍ୱାରା ୧୯୦୪ ସମବାୟ ଆଇନ୍‍ ପ୍ରଣୟନ କରାଯାଇ ସମବାୟର ବିକାଶ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା।
୧୯୦୪ ମସିହା କଥା, ଗାନ୍ଧିଜୀ ଟ୍ରେନ୍‍ ଯୋଗେ ଦକ୍ଷିଣ ଆଫ୍ରିକା ଓ ଜୋହାନସ୍‍ବର୍ଗରୁ ଡର୍ବାନ ଅଭିମୁଖେ ଯାତ୍ରା କରୁଥିଲେ। ତାଙ୍କ ନିକଟରେ ବସିଥିବା ହେନେରୀ ପୋଲାକ ଗାନ୍ଧିଜୀଙ୍କୁ ଜନ ରସ୍କିନ୍‍ଙ୍କର ପୁସ୍ତକ ‘ଅନ ଟୁ ଦି ଲାଷ୍ଟ’ ପଢ଼ିବା ପାଇଁ ଦେଲେ। ଏହି ପୁସ୍ତକଟିକୁ ଗାନ୍ଧିଜୀ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ପଢ଼଼ି ଶେଷ କରିଦେଲେ। ଏହି ପୁସ୍ତକଟିରେ ୪ ଗୋଟି ପ୍ରବନ୍ଧ ଲିପିବଦ୍ଧ ଥିଲା। ଊନବିଂଶ ଶତାବ୍ଦୀରେ ବ୍ରିଟେନରେ ଦେଖା ଦେଇଥିବା ଔଦ୍ୟୋଗିକ ବିପ୍ଳବର ଏହା ଥିଲା ସମାଲୋଚନା। ଉକ୍ତ ପୁସ୍ତକଟି ଗାନ୍ଧିଜୀଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ପୁସ୍ତକଟିକୁ ଅନୁବାଦ କରି ତା ନାଁ ଦେଇଥିଲେ ‘ସର୍ବୋଦୟ’। ଗାନ୍ଧିଜୀ ବିଶ୍ୱାସ କରିଥିଲେ ଯେ ବାସ୍ତବ ଆନନ୍ଦ କୌଣସି ସମାଜ ସେତେବେଳେ ପାଏ ଯେତେବେଳେ ତାହାର ହୃଦ୍‍ବୋଧ ହୁଏ ଯେ ସବୁଠାରୁ ତଳେଥିବା ମଣିଷଟି ଆନନ୍ଦ ପାଉଛି। ସମସ୍ତଙ୍କର କଲ୍ୟାଣରେ ବ୍ୟକ୍ତିର ମଙ୍ଗଳ ହୁଏ। ବ୍ୟକ୍ତିଗତ ମଙ୍ଗଳ ଦ୍ୱାରା ସମାଜର କିଛି ଲାଭ ହୁଏନାହିଁ। ଗାନ୍ଧିଜୀ ଏହି ଅନ୍ତର୍ଭୁକ୍ତିକୁ ଠିକ୍‍ ଭାବରେ ବୁଝିଥିଲେ ଏବଂ ତାହାହିଁ ତାଙ୍କର ‘ସ୍ୱରାଜ’ର ପରିକଳ୍ପନା ଥିଲା। ସେ ବୁଝିଥିଲେ ଏହା କେବଳ ସମ୍ଭବ ସମବାୟ ଆନ୍ଦୋଳନ ମାଧ୍ୟମରେ। ଗ୍ରାମ୍ୟ ସ୍ୱରାଜ ଏକ ଗାନ୍ଧିଜୀଙ୍କ ଚିନ୍ତାଧାରା। ୧୯୦୨ ଅଗଷ୍ଟ ବିପ୍ଳବ ଅବ୍ୟବହିତ ପୂର୍ବରୁ ଜାତିର ଜନକ ମହାତ୍ମା ଗାନ୍ଧୀ ସ୍ୱାଧୀନୋତ୍ତର ଭାରତରେ ‘ଗ୍ରାମ୍ୟ ସ୍ୱରାଜ’ ପ୍ରତିଷ୍ଠାଲାଭ କରିବାର ପରିକଳ୍ପନା କରିଥିଲେ। କେନ୍ଦ୍ରରୁ ଗ୍ରାମ୍ୟ ଶାସନ ଓ ଉନ୍ନୟନ ବିକେନ୍ଦ୍ରିତ ହୋଇ ଏକ ସ୍ୱାବଲମ୍ବୀ ସ୍ୱୟଂକ୍ରିୟ ଅନୁଷ୍ଠାନ ରୂପେ ଛିଡ଼ା ହୋଇପାରିଲେ ଭାରତବର୍ଷ ଏକ ସାମଗ୍ରିକ ବିକାଶରେ ମନ୍ତ୍ରିତ ହୋଇପାରିବ, ଏହା ଥିଲା ଗାନ୍ଧିଜୀଙ୍କର ଉଦ୍ଦେଶ୍ୟ।
ଚୌଧୁରୀ ବ୍ରହ୍ମପ୍ରକାଶଙ୍କ ରିପୋର୍ଟ ପ୍ରକାରେ ସମବାୟ ଆଇନ ସଂଶୋଧନ ହୋଇ ସମବାୟ ସଂସ୍ଥାଗୁଡ଼ିକୁ ସରକାରୀ ନିୟନ୍ତ୍ରଣମୁକ୍ତ, ଉତ୍ତରଦାୟୀ, ସ୍ୱସମ୍ବଳରେ ବଳୀୟାନ କରିବାକୁ ଆହ୍ୱାନ ଦିଆଗଲା। ଏତିକିବେଳେ ବିଶ୍ୱ ଅର୍ଥନୀତି ସଙ୍ଗେ ତାଳଦେଇ ଛିଡ଼ା ହେବାପାଇଁ ବ୍ୟାପକ ଅର୍ଥନୈତିକ ସଂସ୍କାର ଭାରତରେ କାର୍ଯ୍ୟକାରୀ ହେଲା। ବଜାର ମୁକ୍ତ କରାଗଲା। ବ୍ୟାପକ ଉତ୍ପାଦନ, ପର୍ଯ୍ୟାପ୍ତ ରପ୍ତାନୀ, ଘରୋଇ ମୁଦ୍ରା ସଂଗ୍ରହ, ସରକାରୀ ନିୟନ୍ତ୍ରଣ ହ୍ରାସ କରାଯିବାରେ କେନ୍ଦ୍ର ଓ ରାଜ୍ୟ ଭୂମିକା ଗ୍ରହଣ କଲେ।
ଗାନ୍ଧିଜୀ ୧୯୨୧ ମାର୍ଚ୍ଚ ମାସ ୨୩ ତାରିଖରେ ଓଡ଼ିଶା ଆଗମନ କରିଥିଲେ ସ୍ତ୍ରୀ କସ୍ତୁରବା ଓ ବଡ଼ପୁଅ ଦେବଦାସଙ୍କ ସହିତ। ସେ ବିଭିନ୍ନ ସମୟରେ ୧୯୨୧ ମାର୍ଚ୍ଚ ୨୩ରୁ ୧୯୪୬ ମାର୍ଚ୍ଚ ୨୫ ତାରିଖ ମଧ୍ୟରେ ଓଡ଼ିଶାକୁ ୮ଥର ଗସ୍ତ କରି ସର୍ବମୋଟ ୬୯ ଦିନ କଟାଇଥିଲେ। ୧୯୨୫ରେ ଗାନ୍ଧିଜୀ ଉତ୍କଳ ଭ୍ରମଣରେ ଆସି କୁଳବୃଦ୍ଧ ମଧୁସୂଦନଙ୍କ ଆତିଥ୍ୟ ଗ୍ରହଣ କରିଥିଲେ। ମଧୁବାବୁଙ୍କ କୁଟୀର ଶିଳ୍ପର ଅଗ୍ରଗତି ଓ ସଫଳ କାର୍ଯ୍ୟକାରିତା ଦେଖି ଏହା ଭାରତବାସୀଙ୍କୁ ଆର୍ଥିକ ସ୍ୱଚ୍ଛଳତା ପ୍ରଦାନ କରିବ ବୋଲି ଗାନ୍ଧିଜୀ ନିଜ ମତକୁ ଦୃଢ଼ୀଭୂତ କରିଥିଲେ। ସେ ମଧୁସୂଦନଙ୍କୁ ନିଜର ସମବାୟ ଗୁରୁ ରୂପେ ସମ୍ବୋଧନ କରିଥିଲେ। ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରି ମହାତ୍ମା ଗାନ୍ଧୀ ଏଭଳି ଅନୁପ୍ରାଣିତ ହୋଇଯାଇଥିଲେ ଯେ ଗୁଜୁରାଟର ସାବରମତୀ ଆଶ୍ରମରେ ଏକ ଟ୍ୟାନେରୀ ପ୍ରତିଷ୍ଠା କରିବା ପରେ ସର୍ବଶେଷ ମାର୍ଗଦର୍ଶନ ଲାଭ କରିବାପାଇଁ ମଧୁସୂଦନ ଦାସଙ୍କ ନିକଟକୁ ୧୯୨୮ ମାର୍ଚ୍ଚ ୧୬ ତାରିଖ ଦିନ ଏକ ପତ୍ର ଲେଖିଥିଲେ। ମଧୁସୂଦନ ଏହାକୁ ସମ୍ମାନର ସହ ଗ୍ରହଣ କରି ସାବରମତୀ ଯାଇ ସେଠାରେ କିଛିଦିନ ଅବସ୍ଥାନ କରିଥିଲେ। ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଦୃଷ୍ଟି ଓ ଦର୍ଶନ, ଉଚ୍ଚାରଣ ଓ ଆଚରଣ, କର୍ତ୍ତବ୍ୟ ଓ ଦାୟିତ୍ୱବୋଧ, ଦେଶ ଓ ମାଟିପାଇଁ ସମର୍ପିତ ଥିଲା। ଉଭୟ ଥିଲେ ଜାତୀୟତା ମନ୍ତ୍ରରେ ଦୀକ୍ଷିତ ଦୂରଦ୍ରଷ୍ଟା ଏବଂ ବିଭିନ୍ନ କ୍ଷେତ୍ରରେ ଇତିହାସ ସୃଷ୍ଟିକାରୀ ମାର୍ଗ ପ୍ରଦର୍ଶକ। ମଧୁସୂଦନ ଦାସ ୧୮୪୮ରୁ ୧୯୩୪ ଓ ମହାତ୍ମା ଗାନ୍ଧୀ ୧୮୬୯ରୁ ୧୯୪୮ ମସିହା ପର୍ଯ୍ୟନ୍ତ ପ୍ରାୟ ସମଧାରାରେ କାର୍ଯ୍ୟଶୈଳୀ ଜାରି ରଖିଥିଲେ। ଏ ଦୁଇ ଦେଶପ୍ରେମୀ ଓ ଦେଶପ୍ରାଣ ବ୍ୟକ୍ତିଙ୍କର ସାକ୍ଷାତ୍‌ ହୋଇଛି ୧୯୨୦, ୧୯୨୪, ୧୯୨୫ ଓ ୧୯୨୭ ମସିହାରେ। ସେହିଠାରେ ହିଁ ମଧୁସୂଦନ ଗାନ୍ଧିଜୀଙ୍କ ସହ ଗ୍ରାମ୍ୟ ଓ ହରିଜନ ଉନ୍ନୟନର ବିଭିନ୍ନ ପ୍ରସଙ୍ଗ ଯଥା- ଚମଡ଼ା ଓ ଅନ୍ୟାନ୍ୟ ଗ୍ରାମ୍ୟଶିଳ୍ପ, କୁଟୀର ଶିଳ୍ପ ସମ୍ପର୍କରେ ଅନୁଧ୍ୟାନ କରିବା ନିମନ୍ତେ କଟକ ଆସିବାକୁ ଗାନ୍ଧିଜୀଙ୍କୁ ନିମନ୍ତ୍ରଣ କରିଥିଲେ ଓ ଗାନ୍ଧିଜୀ ୧୯୨୫ ଅଗଷ୍ଟ ୧୯ରେ କଟକ ଆସି ମଧୁସ୍ମୃତିରେ ଦୁଇଦିନ ଅବସ୍ଥାନ କରିଥିଲେ। ଉତ୍କଳ ଟ୍ୟାନେରୀରେ ଜୋତା ତିଆରି ଦେଖି ଖୁସିବ୍ୟକ୍ତ କରିବା ସଙ୍ଗେସଙ୍ଗେ କାରଖାନାରେ ନିଯୁକ୍ତ ଶତାଧିକ କର୍ମରତ କର୍ମଚାରୀଙ୍କ ମଧ୍ୟରେ ବହୁସଂଖ୍ୟକ ଅସ୍ପୃଶ୍ୟ ଲୋକ ଅଛନ୍ତି ଜାଣି ସେ ବିସ୍ମିତ ହେବା ସହ ଏ ଉଦ୍ୟମର ପ୍ରଶଂସା କରିଥିଲେ। ଗ୍ରାମ୍ୟ କାରିଗର, କୁଟୀରଶିଳ୍ପ ଓ ଖଦି ଉତ୍ପାଦନରେ କିପରି ଅଭିବୃଦ୍ଧି ହୋଇପାରିବ ଉଭୟ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ।
ସମବାୟ ବିଭାଗ ସରକାରଙ୍କ ଏକ ଅତ୍ୟନ୍ତ ଜନହିତକାରୀ ବିଭାଗ। ଏହି ବିଭାଗ ଆନୁକୂଲ୍ୟରେ ଭାରତବର୍ଷରେ କୃଷିଋଣ ପ୍ରଦାନର ଶତକଡ଼ା ୬୦ ଭାଗ ଅର୍ଥ ପ୍ରଦାନ କରାଯାଇଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ କୃଷକଙ୍କୁ ଯୋଗାଇ ଦିଆଯାଏ। ସମବାୟ ଆନ୍ଦୋଳନ ଦ୍ୱାରା ସମିତି ସ୍ତରରେ ଗୋଦାମ ଗୃହ ନିର୍ମାଣ, ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ସରକାରଙ୍କୁ ଯୋଗାଇବା, ସମିତି ସ୍ତରରେ ମୃତ୍ତିକା ପରୀକ୍ଷାଗାରର ସ୍ଥାପନ ଦ୍ୱାରା କୃଷି ଓ କୃଷକମାନଙ୍କ ପାଇଁ ବହୁତ ସଫଳତା ଆଣିଦେଇଛି। ହିସାବ ନିକାଶରେ ଦେଶ ସ୍ୱାଧୀନ ପରଠାରୁ ସମବାୟ ମାଧ୍ୟମରେ ଆମେ ଢେର ଆଗକୁ ବଢ଼଼ିପାରିଛେ। ସମବାୟ ମାଧ୍ୟମରେ ବିଦେଶରୁ ଆମକୁ ସାହାଯ୍ୟ ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଆଦିରୁ ସଂଗ୍ରହ ଋଣ ଦେଶ ବିକାଶରେ ପ୍ରଗତିର ସାଥୀ ରୂପେ କାର୍ଯ୍ୟ କରୁଛି। ଆମ ସମବାୟ ଆନ୍ଦୋଳନର ବିଶାଳ ନେଟ୍‍ୱାର୍କ ରହିଛି ଯାହାକି ଶତ ପ୍ରତିଶତ ଭାରତର ପ୍ରାୟ ସବୁ ଗ୍ରାମରେ ଏହା ମାଧ୍ୟମରେ ସେବା ଯୋଗାଇ ଦିଆଯାଇଛି; ମାତ୍ର କିଛି ମୁନାଫାଖୋର ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ସମବାୟ ନିନ୍ଦିତ ହୋଇଛି।
ସମବାୟ ଆନ୍ଦୋଳନକୁ ଅର୍ଥନୈତିକ ଉଦାରୀକରଣ ସମୟରେ କିପରି ଶକ୍ତିଶାଳୀ କରାଯାଇପାରିବ ଏହା ଆମପାଇଁ ଏକ ଆହ୍ୱାନ। ଏ ଆହ୍ୱାନକୁ ମୁକାବିଲା କରିବାପାଇଁ ଯେଉଁ ପ୍ରତିଯୋଗିତା ଲୋଡ଼ା ତାହା ସମବାୟ ମାଧ୍ୟମରେ ସମ୍ଭବ।
ସମବାୟରେ ଲୋକଙ୍କ ଚାହିଦା ପୂରଣ କରିବାରେ ନିବିଷ୍ଟ ହେବା, ଅବ୍ୟବସ୍ଥା ସଜାଡ଼ିବା, ପରିଚାଳନାରେ ହସ୍ତକ୍ଷେପକୁ ପ୍ରତିରୋଧ କରିପାରିଲେ ସମବାୟ ସୁସ୍ଥ ସବଳ ହୋଇପାରିବ। ସମବାୟକୁ ନିଷ୍ଠାର ସହ ଚଳାଇ ନରୱେ, ଡେନ୍‍ମାର୍କ, ସ୍ୱିଡେନ୍‍, ଜର୍ମାନୀ ଆଦି ଦେଶ ପୃଥିବୀ ପାଇଁ ଆଦର୍ଶ ପାଲଟିଛନ୍ତି। ଭାରତରେ ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗ ସମବାୟ ପରିଚାଳନା ଓ କାର୍ଯ୍ୟକାରିତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଦେଶପାଇଁ ଆଦର୍ଶ ପାଲଟି ଯାଇଛନ୍ତି। ସମବାୟ କ୍ଷେତ୍ରରେ ଲାଭଖୋର ବଦଳରେ ସେବାକୁ ବୃତ୍ତି କରିପାରିଲେ ସମବାୟରେ ସଫଳତା ନିଶ୍ଚିତ। ମଧୁସୂଦନଙ୍କ ସମବାୟ ନୀତି ସହିତ ଗାନ୍ଧିଜୀଙ୍କ ସର୍ବୋଦୟ, ଅନ୍ତୋଦୟ ଅନ୍ତର୍ଭୁକ୍ତିର ସାମଞ୍ଜସ୍ୟ ଅତି ନିବିଡ଼ ଓ ପରସ୍ପର ପରିପୂରକ।

ପ୍ରତାପ ଚନ୍ଦ୍ର ସାମଲ
ବଙ୍ଗାଳିସାହି, କଟକ-୯
ଦୂରଭାଷ:୯୦୯୦୩୨୫୮୦୨

Comments are closed.