ପାର୍ବଣଋତୁ ଓ ଭାଇଚାରା

ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ ଏବଂ ଆମ କୃଷିରେ ଧାନଚାଷ ହିଁ ମୁଖ୍ୟ। ପରମ୍ପରାକ୍ରମେ ବୈଶାଖମାସ ବା ଇଂରାଜୀ ମେ’ ମାସରେ ପଡୁଥିବା ଅକ୍ଷୟତୃତୀୟା ଦିନ ଧାନ ବୁଣାବୁଣି ଆରମ୍ଭହୁଏ। ଧାନଚାଷର ସମସ୍ତ କାର୍ଯ୍ୟ ଶେଷ କରି ଚାଷୀମାନେ ଶ୍ରାବଣ, ଭାଦ୍ରବ, ଆଶ୍ୱିନ, ଓ କାର୍ତ୍ତିକ ଏହି ଚାରିମାସକାଳ ପୂର୍ବ ତିନିଚାରିମାସର ଖଟଣି ଜନିତ କ୍ଳାନ୍ତି ଦୂର କରିବାଲାଗି ବିଶ୍ରାମ ସହିତ ମନୋରଞ୍ଜନରେ ସମୟ କଟାନ୍ତି। ଏହି ଚତୁର୍ମାସ୍ୟା ଚାରିମାସ ପ୍ରାୟତଃ ଇଂରାଜୀ ଜୁଲାଇରୁ ଅକ୍ଟୋବର ହୋଇଥାଏ। ରଥଯାତ୍ରା, ରାକ୍ଷୀପୂର୍ଣ୍ଣିମା, ଗଣେଶପୂଜା, ବିଶ୍ୱକର୍ମାପୂଜା, ଦଶହରା, କୁମାରପୂର୍ଣ୍ଣିମା, କାଳୀପୂଜା ପରି ସାର୍ବଜନୀନ ପର୍ବଗୁଡିକ ଏହି ଚତୁର୍ମାସ୍ୟାରେ ପାଳିତ ହୋଇଥାଏ। ପ୍ରକୃତରେ ଆମର ଅଧିକାଂଶ ପର୍ବପର୍ବାଣି କୃଷିସୂଚୀ ଦ୍ୱାରା ପ୍ରଭାବିତ ହୋଇଥିଲାଭଳି ମନେହୁଏ। ମାତ୍ର ଏବେ ପ୍ରାୟ ସମସ୍ତ ସାର୍ବଜନୀନ ପୂଜାପାର୍ବଣ ସହର ବଜାରରେ ଅଧିକ ଉତ୍ସାହ, ଉଦ୍ଦୀପନାର ସହିତ ପାଳିତ ହେଉଛି ଏବଂ ଏଥିରେ କୃଷିଜୀବୀ ବା କୃଷକମାନଙ୍କର କୌଣସି ସମ୍ପୃକ୍ତି ରହୁନାହିଁ। ଉଦ୍ୟୋକ୍ତାମାନଙ୍କଠାରେ ନିଜ ସଂସ୍କୃତି ପାଇଁ ନିଷ୍ଠା ଓ ଠାକୁରଙ୍କ ଲାଗି ଭକ୍ତି ଅପେକ୍ଷା ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିବାର ନିଶା ଅଧିକ ବାରି ହୋଇପଡୁଛି। ଏସବୁ ଉତ୍ସବରେ ଅବଶ୍ୟ ଏକ ନୂଆ ପ୍ରକାର ଭାଇଚାରା ମଧ୍ୟ ଦେଖାଯାଏ। ସହର ବଜାରର ଏଭଳି ନୁଆ ସାଂସ୍କୃତିକ ଚେତନା କ୍ରମଶଃ ଗାଁ ଗଣ୍ଡାକୁ ମଧ୍ୟ ସଂଚରିତ ହେଲାଣି।
ବର୍ତ୍ତମାନ ସମୟରେ ସାମାଜିକ ଗଣମାଧ୍ୟମର ବହୁଳ ବିନିଯୋଗ ହେବାଫଳରେ ଆମର ପୁରୁଣା ପାରମ୍ପରିକ ରୀତିନୀତି ବଦଳିଯିବା ଓ ଅନ୍ୟ ଏକ ସ୍ଥାନର ପ୍ରଥାକୁ ଆମର ଏଠି ଆପଣେଇ ନେବା ବହୁତ ଦେଖାଯାଉଛି। ଏପରି ମାଗି ଆଣିଥିବା କେତୋଟି ଉଦାହରଣ ଦିଆଯାଇପାରେ। ଆଜିକୁ ଷାଠିଏ ସତୁରିବର୍ଷ ତଳେ ଆମ ରାଜ୍ୟରେ ସନ୍ତୋଷୀ ମା’ ବ୍ରତ କେହି କରୁନଥିଲେ କିମ୍ବା ଶ୍ରାବଣ ମାସରେ ବୋଲେବମ୍‌ ଯାତ୍ରା କିମ୍ବା ସାତଆଠଦିନ ପର୍ଯ୍ୟନ୍ତ ଗଣେଶ ମୂର୍ତ୍ତି ବିସର୍ଜନ ନହୋଇ ରହୁନଥିଲା। ସେହିପରି ବାହାଘର ପାଇଁ ସଙ୍ଗୀତ, ମେହେନ୍ଦି ପ୍ରଥା ନଥିଲା କି ନିର୍ବନ୍ଧକୁ ରିଙ୍ଗ୍‍ ସେରିମୋନି କହି ଭାବୀ ବରକନ୍ୟା ସେହି ଉତ୍ସବରେ ନାଚୁ ନ ଥିଲେ। ଏଗୁଡିକ ଆମ ଓଡିଶାର ପାରମ୍ପରିକ ରୀତି ନୁହେଁ। ଅନ୍ୟ ରାଜ୍ୟରୁ କାହିଁକି ଅନ୍ୟ ଦେଶରୁ ନୂଆନୂଆ ଉତ୍ସବ, ପର୍ବପର୍ବାଣି ଆମଦାନୀକରି ଆମର ଏଠି ମଉଜ ମଜଲିସ କରିବାରେ ଆପତ୍ତି ନାହିଁ। ମାତ୍ର ପ୍ରତିଟି ପୂଜାପର୍ବରେ କେତେକ ଉଦ୍ୟୋକ୍ତାଙ୍କ ମନରେ ସାଧାରଣଲୋକଙ୍କ ପାଇଁ ମାନବୋଚିତ ମନୋଭାବ ରହୁନଥିବାର ଦେଖିବାକୁ ମିଳୁଛି। ତାହାହିଁ ଅତ୍ୟନ୍ତ ଚିନ୍ତା ଓ ଉଦ୍‌ବେଗର କାରଣ ହେଲାଣି।
କେବଳ ନିଜର ଓ ନିଜ ଗୋଷ୍ଠୀର ଖୁସିମଉଜ ଦେଖୁଦେଖୁ ଆମ ପଡୋଶୀ, ସାହିଭାଇ କିମ୍ବା ଆମ ପରିବେଶ କି ଦେଶ କଥା ବି ଆମେ ଭାବିବାକୁ ଭୁଲିଯାଉଛୁ। ଗୋଟିଏ ଛୋଟିଆ କଥାରୁ ଏହା ଅନୁଭବ କରିହେବ। ପଡିଶାଘରେ କାହାର ଦେହ ଖରାପ ହୋଇଛି କି କାହାର କିଏ ମରି ଯାଇଛି କିମ୍ବା କାହାର କିଛି ଗରୁତ୍ୱପୂର୍ଣ୍ଣି ପରୀକ୍ଷା ଅଛି – ସେହି ଘରର ଲୋକଙ୍କୁ ଆମର ଏ ମଉଜ ମଜଲିସ, କାନଫଟା ମାଇକ ବଜା ଭଲ ଲାଗିବ କି ? ସେମାନଙ୍କ ସ୍ଥାନରେ ଆମ ନିଜକୁ ରଖି ଆମେ କେବେ ଏ ବିଷୟରେ ଚିନ୍ତା କରିଛେ ? ଏକଥା ଆମେ ଚିନ୍ତାକରିବା ଉଚିତ ନୁହେଁକି ? ସେହିପରି ପୂଜାପାର୍ବଣରେ ପୂଜାପାଉଥିବା କି ଶୋଭାପାଉଥିବା ମୂର୍ତ୍ତି ସବୁ ମାଟିରେ ତିଆରି ହୁଏ। ସେଥିରେ ପୁଣି ଭଳିକି ଭଳି ରଙ୍ଗ ଲେପାଯାଏ। ଦିନକୁ ଦିନ ମୂର୍ତ୍ତି ଗୁଡିକର ଆକାର ପ୍ରକାର ଯେପରି ବଢୁଛି। ଚଳିତବର୍ଷ ମୂର୍ତ୍ତିର ଉଚ୍ଚତା ଚାରିଫୁଟରୁ ଅଧିକ ନ କରିବା ଲାଗି ସରକାର ନିୟମ କଲାପରେ ବିଭିନ୍ନ ଉଦ୍ୟୋକ୍ତା ଆଠଫୁଟ ଉଚ୍ଚ ମୂର୍ତ୍ତି କରିବାଲାଗି ଅଦାଲତର ଅଶ୍ରୟ ନେଇଥିଲେ। କ’ଣ ମୂର୍ତ୍ତି ଅଧିକ ଉଚ୍ଚହେଲେ ଭକ୍ତି ଅଧିକ ହେବ ନା ଆଶୀର୍ବାଦ ଅଧିକ ମିଳିବ ? ମୂର୍ତ୍ତି ବ୍ୟବହାର କରାଯାଉଥିବା ମାଟି ଓ ରଙ୍ଗର ପରିମାଣ କେବଳ ବଢିଥାନ୍ତା।
କେତେକ ରଙ୍ଗରେ ସୀସା, ପାରଦ, ଆର୍ସେନିକ, କାଡମିୟମ, ଜିଙ୍କ୍‍, କ୍ରୋମିୟମପରି କ୍ୟାନସର କରାଉଥିବା ଧାତବପଦାର୍ଥ ରହିଥାଏ। ବିଶେଷକରି ଲାଲ, ନୀଳ, ସବୁଜ ଓ କମଳା ରଙ୍ଗରେ ପାରଦ, ଜିଙ୍କଅକ୍ସାଇଡ, ସୀସା, ଓ କ୍ରୋମିୟମ ଅଧିକଥାଏ। ସିନ୍ଦୂରରେ ସୀସା ଓ କ୍ରୋମିୟମ ମଧ୍ୟ ବହୁତ ଥାଏ। ମୂର୍ତ୍ତି ବିସର୍ଜନ ଯୋଗୁଁ ଏହିସବୁ ଧାତବ ରାସାୟନିକ ପଦାର୍ଥ ବିଭିନ୍ନ ନଦୀ, ହ୍ରଦ, ପୁଷ୍କରିଣୀ ଜଳରେ ମିଶେ ଓ ସେଠାରୁ ସମୁଦ୍ରକୁ ମଧ୍ୟ ଯାଇଥାଏ। ଏହାଦ୍ୱରା ଦୁଇପ୍ରକାର କ୍ଷତି ହେଉଛି। ପ୍ରଥମତଃ ରଙ୍ଗରେ ମିଶାଯାଇଥିବା ସୀସା, ପାରଦ, ଜିଙ୍କ୍‍, କ୍ରୋମିୟମପରି ବିଷାକ୍ତ ପଦାର୍ଥ ପାଣିରେ ମିଶି ମାଛ ଦେହକୁ ଯାଏ। ଆମେ ସେହି ମାଛ ଖାଇଲେ ଆମକୁ କ୍ୟାନସର ହେବାର ଆଶଙ୍କା ରହେ। ଏବେ ଆମ ରାଜ୍ୟରେ କ୍ୟାନସର ରୋଗ କେତେ ବଢିଲାଣି ଆମେ ଦିନେ ଭାବୁଛେ ?
ମୂର୍ତ୍ତି ଯୋଗୁଁ ହେଉଥିବା ଦ୍ୱିତୀୟ କ୍ଷତିଟି ହେଲା ଚାଷର ଓ ଜମିର। ମାଟିର ଉପର ଛଅ ଇଞ୍ଚରୁ ଆଠ ଇଞ୍ଚ ମାଟି ହିଁ ଉର୍ବର ଏବଂ ଚାଷଲାଗି ଉପାଦେୟ। ଏହି ଚାଷୋପଯୋଗୀ ଉପର ମାଟି ଏକ ଇଞ୍ଚ ତିଆରି ହେବାକୁ ପ୍ରାୟ ଏକଶହ ବର୍ଷ ଲାଗିଥାଏ। ଆମେ ତାକୁ ଗୋଟିଏ ଦିନରେ ମୂର୍ତ୍ତି ଗଢିବା ପାଇଁ ଉଜାଡି ଦେଉ। ଏହି ସବୁ କାରଣରୁ ଇଂଲଣ୍ଡ, ଆମେରିକା ପରି ଉନ୍ନତ ଦେଶମାନଙ୍କରେ ଜଣେ ଚାହିଁଲେ ଯେଉଁଠୁ ପାରି ସେଠୁ ଯେକୌଣସି କାମଲାଗି ମାଟି ଖୋଳିକି ଆଣି ପାରିବନାହିଁ। ସରକାର ନିର୍ଦିଷ୍ଟ କରିଥିବା ଜାଗାରୁ ଲାଇସେନ୍ସ ପାଇଥିବା ଲୋକେ ମାଟିଆଣି ଲୋକମାନଙ୍କୁ ବିକନ୍ତି। ଆମର ତ ସେପରି ଶୃଙ୍ଖଳିତ ବ୍ୟବସ୍ଥା ନାହିଁ; କିନ୍ତୁ ଆମ ଭିତରୁ ଯେଉଁମାନେ ପାଠଶାଠ ପଢି ଏ ବିଷୟ ବୁଝିଛନ୍ତି ସେମାନେ ଏ ବିଷୟରେ ଅନ୍ୟମାନଙ୍କୁ ଚେତାଇବା ଉଚିତ ହେବ ନାହିଁକି ?
ପାର୍ବଣଋତୁରେ ଅନ୍ୟ ଏକ ଦାରୁଣ ଯନ୍ତ୍ରଣା ଦେଉଥିବା ଘଟଣା ହେଲା ମାଇକ ବଜା। ଥରେ ଜଣେ ପଡୋଶୀଙ୍କ ଝିଅ ବାହାଘର ହେଉଥିଲା। ସକାଳ ଛଅଟା ସାତଟାରୁ ରାତି ଦଶଟାଯାଏ ମାଇକ ଶବ୍ଦ ଶୁଣି ଶୁଣି କାନ ତାବ୍ଦା ହୋଇଗଲାପରେ ମୁଁ ଯାଇ କେବଳ ତାଙ୍କ ମାଇକର ସ୍ପିକରଟାର ମୁହଁକୁ ତାଙ୍କ ଘର ଆଡକୁ କରି ଦେଲି। ଘର ସାରା ଉଠି ଆସି ମତେ ପାଟି କରିବାରୁ ମୁଁ ଅତି ନମ୍ରଭାବେ କହିଲି ଯେ, ଆମେ ତ ଦିନସାରା ଗୀତ ଶଣିଲୁଣି, ରାତିବେଳାଟା ସେମାନେ ଶୁଣନ୍ତୁ। ଟୋକାଟାକଳିଆମାନେ ବିରକ୍ତ ହେଲେବି ଗୃହକର୍ତ୍ତା କଥାର ମର୍ମ ବୁଝି ମାଇକ ପୂରା ବନ୍ଦ କରିଦେଲେ। ନିଜ ଜୀବନର ଏକ ଅନୁଭୂତିର କଥା ଏଠି କହିବାର ଅର୍ଥ ହେଉଛି, ମାଇକ୍‍ର ଶବ୍ଦ ବା ଭଲ୍ୟୁମ୍‌ କ’ଣ କମେଇକି ବଜେଇ ହେବନାହିଁ ? ଆମଦେଶରେ ଶବ୍ଦ ପ୍ରଦୂଷଣ ମାତ୍ରା ଅତି ବେଶି ଓ ଅସହ୍ୟ ହେବାରୁ ସ୍ୱାସ୍ଥ୍ୟ ଏବଂ ପରିବେଶର ହିତକୁ ଦୃଷ୍ଟିରେ ରଖି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଶବ୍ଦର ପରିମାଣ ଓ ମାଇକ ବଜାଇବାର ସମୟ ସୀମା ସ୍ଥିର କରିଛନ୍ତି। ମାତ୍ର ଆମେ ସବୁ କ’ଣ ତାହା ମାନୁଛେ? ହୁଏତ ଆମ ଭିତରୁ ଅନେକେ ଶବ୍ଦ ପ୍ରଦୂଷଣର ଭୟଙ୍କାରିତା ଜାଣି ନଥାଇ ପାରନ୍ତି। ତେଣୁ ଏତିକି କହିଲେ ଯଥେଷ୍ଟ ହେବଯେ, ଜୋର୍‌ ଶବ୍ଦଯୋଗୁଁ ମୁଣ୍ଡ ଓ ମନରେ ଚାପ ପଡେ। ତେଣୁ ନିଦ ହୁଏ ନାହିଁ, ରକ୍ତଚାପ ବଢିଯାଏ, କାନ ଖରାପ ହୋଇ ଆଉ ଶୁଭେ ନାହିଁ ଏବଂ ମା’ ପେଟରେ ଥିବା ଛୁଆ ବିକଳାଙ୍ଗ ହୋଇଯାଏ। ଅମକୁ ମନେରଖିବାକୁ ହେବ ଯେ ପୂଜା ପାର୍ବଣ ଯେତିକି ଆବଶ୍ୟକ, ତାହାଠରୁ ଅଧିକ ଆବଶ୍ୟକ ହେଉଛି ଉତ୍ତମ ସ୍ବାସ୍ଥ୍ୟ ଏବଂ ଅନ୍ୟମାନଙ୍କର ଦୁଃଖ ବୁଝିବାକୁ ଚେଷ୍ଟା କରିବାର ମାନବିକ ସାମର୍ଥ୍ୟ। ତାହାହିଁ ପ୍ରକୃତ ଭାଇଚାରା।

ନରେନ୍ଦ୍ର ପ୍ରସାଦ ଦାସ
୨୫୨ ସହିଦ ନଗର, ଭୁବନେଶ୍ବର
ଦୂରଭାଷ : ୯୪୩୭୭୬୩୮୯୨

Comments are closed.