ବାଡ଼ି ପଛ ପଟେ କୃଷ୍ଣଗହ୍ବର !

ଅବଶ୍ୟ ଠିକ୍ ଆପଣଙ୍କ ବାଡ଼ି ପଛ ପଟେ ନୁହେଁ, ତେବେ ଅଧ୍ୟୟନ ସୂଚେଇ ସାରିଲାଣି ଯେ ଆମଠୁ ୫୫ ନିୟୁତ ଆଲୋକ ବର୍ଷ ଦୂରରେ (ଆମ) ନିଜ ସୌର ମଣ୍ଡଳକୁ ଗୋଟାପଣେ ଗିଳି ଦେବା ପାଇଁ ସକ୍ଷମ ଏକ ପ୍ରକାଣ୍ଡ କୃଷ୍ଣ ଗହ୍ବର (ବ୍ଳାକ୍ ହୋଲ୍) ଠାବ ହୋଇଛି ଛାୟାପଥ ଏମ୍ – ୮୭ର କେନ୍ଦ୍ରରେ। କୃଷ୍ଣଗହ୍ବର ବା କହିଲେ ଅଜ୍ଞାତ କାରଣରୁ ଭୟ ସୃଷ୍ଟି ହୁଏ। ଏଇ ନୂତନ ଆବିଷ୍କାର କ୍ଷେତ୍ରରେ ମଧ୍ୟ ପାଖାପାଖି ସମାନ ଘଟଣା ଘଟିଛି । ମତ ପ୍ରକାଶ ପାଇଛି, ଏକ ନୂଆ ନର୍କର ପ୍ରବେଶ ପଥ ଆବିଷ୍କୃତ ହୋଇଛି ଯେଉଁଠି ସମୟ ଓ ଅନ୍ତରୀକ୍ଷ ନିଃଶେଷ ହୋଇଛନ୍ତି/ ଯେଉଁଠୁ ଆଲୋକର ଫେରନ୍ତି ଯାତ୍ରା ଅସମ୍ଭବ/ ଯେଉଁଠି ଆମକୁ ଜଣାଥିବା ସକଳ ପ୍ରାକୃତିକ ନିୟମ ଅର୍ଥହୀନ। ଛାୟାପଥ ‘ମେସିୟର୍- ୮୭’ର କେନ୍ଦ୍ରସ୍ଥଳରେ ଉପସ୍ଥିତ ଏଇ କୃଷ୍ଣ ଗହ୍ବର ଅନ୍ୟାନ୍ୟ କାରଣରୁ ମଧ୍ୟ ସ୍ବତନ୍ତ୍ର, କାରଣ ଏମ୍-୮୭ ନିକଟବର୍ତ୍ତୀ ୧୦୦ରୁ ଅଧିକ ଛାୟାପଥଙ୍କ ସହିତ ସଂଯୋଜିତ ଏକ ମହା ଛାୟାପଥ। ଏହା ନୁହେଁ ଯେ ଏମ୍- ୮୭ ଉପରେ ଏହା ଆମର ପ୍ରଥମ ଆବିଷ୍କାର। ୧୦୦ରୁ ଅଧିକ ବର୍ଷ ଧରି ନିର୍ଦିଷ୍ଟ ଛାୟାପଥ ଜ୍ୟୋତିର୍ବିଜ୍ଞାନୀଙ୍କ ଅଧ୍ୟୟନରେ ଖୋରାକ ଯୋଗାଇ ଆସିଛି।
ସ୍ମରଣ କରାଇ ଦିଏ ଯେ, ଫେବୃୟାରୀ, ୨୦୧୬ ରେ ‘ଲେଜର୍ ଇଣ୍ଟର୍ ଫେରୋମିଟର ଗ୍ରାଭିଟେସନାଲ୍ ୱେଭ୍ ଅବଜର୍‌ଭେଟୋରି’କୁ ମିଳିଥିବା ସଙ୍କେତର ଅନୁଶୀଳନ କରି ଗବେଷକମାନେ ସ୍ପଷ୍ଟ କରିଥିଲେ, ଅନ୍ତରୀକ୍ଷ ସମୟ (ସ୍ପେସ୍ ଟାଇମ୍) ଆମ ଅବଧାରଣାର ଊର୍ଦ୍ଧ୍ବରେ ଏକ ତରଙ୍ଗାୟିତ ମହାଜାଗତିକ ସ୍ଥିତି। ପ୍ରାୟ ୧୦୦ ବର୍ଷ ଆଗରୁ ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ମତ ଥିଲା, ବ୍ରହ୍ମାଣ୍ଡ ନିସ୍ତରଙ୍ଗ ବିଶାଳ ମହାସାଗର ପରି ନୁହେଁ, ବରଂ ଅନ୍ତରୀକ୍ଷରେ ବସ୍ତୁ ଓ ଶକ୍ତି ଏମାନଙ୍କ ସନ୍ତୁଳନ ବଦଳେଇବା ପାଇଁ ବେଶ୍ ସମର୍ଥ। ଗାଢ ନିଦରେ ବିଛଣାରେ ଶୋଇଥିବା ମଣିଷଟିଏ ଯେମିତି ବିଛଣା ଲୋଚାକୋଚା କରିଦିଏ, ଠିକ୍ ସେମିତି ବସ୍ତୁ ଓ ଶକ୍ତି ଅନ୍ତରୀକ୍ଷରେ ଶାନ୍ତ ଅବସ୍ଥାକୁ ବିକ୍ଷୁବ୍ଧ କରିପାରନ୍ତି, ଯାହାକୁ ମାଧ୍ୟାକର୍ଷଣୀୟ ତରଙ୍ଗ କୁହାଯାଇପାରେ; କିନ୍ତୁ ଆଇନ୍ ଷ୍ଟାଇନ୍ ତାଙ୍କ ମତ ଉପରେ ସ୍ବୟଂ ୧୦୦ ପ୍ରତିଶତ ନିଶ୍ଚିତ ନ ଥିଲେ। ଏଣେ ବିଜ୍ଞାନୀମାନେ ଅନୁସନ୍ଧିତ୍ସୁ ଥିଲେ ନକ୍ଷତ୍ରମାନଙ୍କର ନିର୍ମାଣ ତତ୍ତ୍ବ ଏବଂ କାର୍ଯ୍ୟଶୈଳୀ ବାବଦରେ ଅଧିକ ଜାଣିବା ପାଇଁ; ଛାୟାପଥଗୁଡ଼ିକର ବିବର୍ତ୍ତନ ବାବଦରେ ଅଧିକ ଜ୍ଞାନ ପାଇଁ; ମାଧ୍ୟାକର୍ଷଣୀୟ ତରଙ୍ଗକୁ ଆବିଷ୍କାର କରିବା ପାଇଁ। ଅନ୍ତତଃ ଅର୍ଦ୍ଧ ଶତାବ୍ଦୀ ଧରି ​‌େ​‌ଜ୍ୟାତିର୍ବିଦ୍‌ମାନଙ୍କୁ ଅଣନିଃଶ୍ବାସୀ କରି ରଖିଥିବା ନୈରାଶ୍ୟର ଆପାତତଃ ଅନ୍ତ ଘଟିଥିଲା ୨୦୧୬ରେ। ମହାକାଶରେ ୧୨୦ କୋଟି ଆଲୋକ ବର୍ଷ ଦୂରରେ ଦୁଇଟି କୃଷ୍ଣ ଗହ୍ବରର ସଙ୍ଘାତରୁ ଉତ୍ପନ୍ନ ମାଧ୍ୟାକର୍ଷଣ ତରଙ୍ଗକୁ ଠାବ କରାଯାଇଥିଲା ଏବଂ ସେଇ ସଙ୍ଘାତର ଶବ୍ଦ ବି ରେକର୍ଡ ହୋଇଥିଲା। ପାଠକେ, ସେତେବେଳେ କୃଷ୍ଣ ଗହ୍ବରର ସ୍ଥିତିକୁ ନେଇ ଆମର ଧାରଣା ଦୃଢ଼ ହୋଇଥିବାବେଳେ ନିକଟ ଅତୀତରେ (ମାର୍ଚ୍ଚ, ୨୦୨୧) କୃଷ୍ଣଗହ୍ବରର ଚିତ୍ର ଉତ୍ତୋଳନ ସମ୍ଭବ ହୋଇଛି। ଯାହାକୁ କେତେ ବର୍ଷ ଧରି ନୂତନ ଗ୍ରହର ସମ୍ଭାବନା ବୋଲି ମନେ କରାଯାଉଥିଲା ତାହା ଯେ ଏକ ପ୍ରକାଣ୍ଡ କୃଷ୍ଣଗହ୍ବର, ଏକଥା ଜାଣିବା ପରେ ବିସ୍ମୟ ବଢ଼ିଛି। ଆଉ ସବୁଠୁ ରୋମାଞ୍ଚକର ହେଉଛି, ଏମିତି ଏକ ମହାସତ୍ତାର ଉପସ୍ଥିତି ଠାବ ହୋଇଛି ଆମର ବାଡ଼ି ପଛରେ। ଅନ୍ତରୀକ୍ଷରେ ୫୫ ନିୟୁତ ଆଲୋକ ବର୍ଷର ଦୂରତ୍ବ ଖୁବ୍ ଗୁରୁତ୍ୱପୂର୍ଣ୍ଣ ନ ହୋଇପାରେ !
ଜ୍ୟୋତିର୍ବିଦ୍‌ମାନଙ୍କ ଆକଳନ, ଏଇ କୃଷ୍ଣ ଗହ୍ବରର ଆକାର ଆମ ସୌର ମଣ୍ଡଳ ସହିତ ତୁଳନୀୟ ହୋଇପାରେ, କିନ୍ତୁ ଏହାର ବସ୍ତୁତ୍ବ ଯଥେଷ୍ଟ ଅଧିକ, ଯାହା ସହିତ ୬.୫ ବିଲିୟନ ସୂର୍ଯ୍ୟଙ୍କୁ ତୁଳନା କରିହେବ। ୨୦୦୬ରେ ଆନ୍ତର୍ଜାତିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା, ପ୍ଲୁଟୋକୁ ରୀତିମତ ନବମ ଗ୍ରହର ମାନ୍ୟତା ଦିଆ ନ ଯାଇ ବରଂ ‘ବାଙ୍ଗର ଗ୍ରହ’ ବା (ଡ୍ୱାର୍ଫ ପ୍ଲାନେଟ୍) କହିବା ଉଚିତ୍ ହେବ। ନିଷ୍ପତ୍ତି କିନ୍ତୁ ବିତର୍କିତ ଥିଲା। ଗ୍ରହ ସଂଖ୍ୟା ପ୍ଲୁଟୋକୁ ବାଦ୍ ଦେବାପରେ ୮ ସିନା ରହିଲେ, କିନ୍ତୁ ନବମ ଗ୍ରହର ଅନୁସନ୍ଧାନ ଜାରି ରହିଲା। ଗବେଷକଙ୍କର ବିଶ୍ବାସ ଥିଲା ପ୍ରମାଣସିଦ୍ଧ ଆବିଷ୍କାର ବାହାରେ ଅନ୍ତରୀକ୍ଷରେ ସମ୍ଭବତଃ ଆଉ କିଛି ରହସ୍ୟମୟ ସତ୍ତା ରହିଛି। ବିଶେଷକରି ପ୍ଲୁଟୋଠୁ ଯଥେଷ୍ଟ ଦୂରରେ ଏମିତି ଏକ ଅବସ୍ଥିତି ଅନୁମାନ କରାଯାଉଥିଲା। ଅନୁମାନ କରାଯାଉଥିଲା, ପ୍ରସ୍ତାବିତ ନବମ ଗ୍ରହ ପୃଥିବୀଠାରୁ ଅନ୍ତତଃ ୧୦ ଗୁଣ ବଡ଼ ହୋଇପାରେ। ୨୦୧୯ରେ କିଛି ​‌‌​‌େ‌ଜ୍ୟାତିର୍ବିଜ୍ଞାନୀ ଦର୍ଶାଇବାକୁ ଚେଷ୍ଟା କରିଥିଲେ, ଯାହାକୁ ଆମେ ଗ୍ରହ ନମ୍ବର ୯ ବୋଲି ଧରି ନେଉଛୁ ତାହା ପ୍ରକୃତରେ ଏକ କୃଷ୍ଣ ଗହ୍ବର ବି ହୋଇପାରେ! ଏହା ଏବେ ବି ଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ବିସ୍ମୟ ହୋଇ ରହିଛି। ଯଦିଓ ଅତ୍ୟାଧୁନିକ ପର୍ଯ୍ୟବେକ୍ଷକ ଆଧାରରେ ସେମାନେ ସୁଦୂର ଅତୀତରେ (ସୃଷ୍ଟିର ସୃଜନ ଲଗ୍ନରେ) କୃଷ୍ଣଗହ୍ବରଗୁଡ଼ିକ ମଧ୍ୟରେ ଘଟିଥିବା ସଙ୍ଘାତର ସ୍ବରକୁ, ମାଧ୍ୟାକର୍ଷଣ କମ୍ପନକୁ ଶୁଣିବା ପାଇଁ ସକ୍ଷମ ହୋଇଛନ୍ତି ଏବଂ ‘ଷ୍ଟିଫେନ୍ ହକିଂ’ଙ୍କ ବିସ୍ତୃତ ଅଧ୍ୟୟନ ଆମ ପାଖରେ ଉପଲବ୍ଧ, ତଥାପି ଜ୍ୟୋତିର୍ବିଦ୍‌ମାନେ କୃଷ୍ଣଗହ୍ବରକୁ ଖୁବ୍ ଅଧିକ ବୁଝି ନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ହେଉଛି, କୃଷ୍ଣଗହ୍ବରମାନଙ୍କଠୁ କିଛି ବି ଫେରି ପାଇବା ସମ୍ଭବ ନୁହେଁ; କିନ୍ତୁ ବ୍ରହ୍ମାଣ୍ଡରେ କୃଷ୍ଣଗହ୍ବରମାନେ ହିଁ ସର୍ବାଧିକ ଉଳସତ୍ତା। ବାଷ୍ପ, ଧୂଳି, ମୃତ ଏବଂ ବିଖଣ୍ଡିତ ନକ୍ଷତ୍ର କୃଷ୍ଣଗହ୍ବର ଭିତରକୁ ଠେଲି ହୋଇଗଲେ ଭୟଙ୍କର ଭାବେ ଉତ୍ତପ୍ତ ହୁଅନ୍ତି (ନିୟୁତ ଡିଗ୍ରୀ ସେଲ୍‌ସିୟସ୍) ଏବଂ ଏକ ଘନ ବୈଦ୍ୟୁତିକ-ଚୁମ୍ବକୀୟ କ୍ଷେତ୍ର ଭାବରେ ନିରନ୍ତର ଆବର୍ତ୍ତରେ ଥା’ନ୍ତି। ଗବେଷକମାନେ କହନ୍ତି, ବ୍ରହ୍ମାଣ୍ଡ ବସ୍ତୁତ୍ବର ଏକ- ଚତୁର୍ଥାଂଶ ହୋଇପାରନ୍ତି କୃଷ୍ଣଗହ୍ବର। ଏମାନେ ହୋଇପାରନ୍ତି ସେଇ ‘ଡାର୍କ ମ୍ୟାଟର୍’ ଯାହା ଅନ୍ତରୀକ୍ଷରେ ମାଧ୍ୟାକର୍ଷଣ ସ୍ଥାପତ୍ୟର ପୃଷ୍ଠଭୂମି ହୋଇପାରେ। ଷ୍ଟିଫେନ୍ ହକିଂ ଙ୍କ ତ, କୃଷ୍ଣଗହ୍ବରର ନିର୍ମାଣ ପାଇଁ ସାଧାରଣ ଅର୍ଥରେ ଏକ ମୃତ ନକ୍ଷତ୍ରର ଆବଶ୍ୟକତା ନାହିଁ; ବରଂ ସୃଷ୍ଟିର ଅନ୍ତୁଳିଶାଳାରେ ‘ବିଗ୍ ବ୍ୟାଙ୍ଗ୍‌’ ଲଗ୍ନରେ କୃଷ୍ଣଗହ୍ବରମାନଙ୍କର ଉତ୍ପତ୍ତି ହୋଇଥାଇପାରେ– ତୀବ୍ର ଚାପର ପରିଣତି ଭାବରେ। କୃଷ୍ଣଗହ୍ବରମାନଙ୍କର ଆକାର ଛୋଟ ହୋଇପାରେ, ଅତିକାୟ ବି। ତେବେ ଆମ ନିଜସ୍ବ ସୌର ମଣ୍ଡଳ ପାଖାପାଖି କୌଣସି କୃଷ୍ଣଗହ୍ବରର ଆବିଷ୍କାର କିଛି ମାମୁଲି କଥା ନୁହେଁ। ହକିଂଙ୍କ ମତ ଥିଲା, କୃଷ୍ଣଗହ୍ବର ଉତ୍ତାପ ଭାବରେ ଶକ୍ତି ବିକିରଣ କରିବା ସମ୍ଭବ। ତେବେ ଏହା ଅପ୍ରମାଣିତ। ଗବେଷକମାନେ ପୂର୍ବରୁ ଏକଥା ବି କହିଛନ୍ତି ଯେ ଛାୟାପଥଗୁଡ଼ିକ ହିଁ ନିୟୁତ ନିୟୁତ କୃଷ୍ଣଗହ୍ବରକୁ ଧାରଣ କରିପାରନ୍ତି। ଯଦି ବିଶ୍ବାସ କରାଯାଏ ସୃଜନ ସମୟରେ, ଅର୍ଥାତ୍ ‘ବିଗ୍ ବ୍ୟାଙ୍ଗ୍‌’ ସହିତ ଆପାତତଃ ସମକାଳୀନ ହୋଇ ପ୍ରାୟ ୧୩୭୦ କୋଟି ବର୍ଷ ଆଗରୁ କୃଷ୍ଣଗହ୍ବରମାନଙ୍କ ଉତ୍ପତ୍ତି ହୋଇଥିଲା, ତେବେ ସବୁଠୁ କ୍ଷୁଦ୍ର କୃଷ୍ଣଗହ୍ବରକୁ ଠାବ କରିବା ଆଦୌ ସମ୍ଭବ ନୁହେଁ ଏବଂ ସବୁଠୁ ବୃହତ୍ କୃଷ୍ଣଗହ୍ବର ଆମ ସୂର୍ଯ୍ୟଙ୍କ ବସ୍ତୁତ୍ବର କେତେ ହଜାର ଗୁଣ ଅଧିକ ହୋଇପାରେ। କେଇ ଶହକୋଟି ବର୍ଷ ଆଗରୁ ଉତ୍ପନ୍ନ ହୋଇଥିବା ଅତି କ୍ଷୁଦ୍ର କୃଷ୍ଣଗହ୍ବରଗୁଡ଼ିକ ଏବେ ହୁଏତ ଶେଷ ହୋଇ ସାରିଛନ୍ତି ଆଉ ଯେଉଁ କୃଷ୍ଣଗହ୍ବରଗୁଡ଼ିକ ତିଷ୍ଠି ରହିଛନ୍ତି ବୋଲି ଆକଳନ କରାଯାଉଛି, ସେମାନଙ୍କ ବସ୍ତୁତ୍ବ ତୁଳନାତ୍ମକ ଭାବରେ ଯଥେଷ୍ଟ ଅଧିକ।
ବିଜ୍ଞାନୀଙ୍କ ମତ, ନିକଟରେ ଚିତ୍ରୋତ୍ତଳନ ସମ୍ଭବ ହୋଇଥିବା କୃଷ୍ଣଗହ୍ବର ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଅନେକ ଛାୟାପଥରେ ବିଦ୍ୟମାନ ଅତିକ୍ଷୁଦ୍ର ଏବଂ ଅତିବୃହତ୍ କୃଷ୍ଣଗହ୍ବରଙ୍କ ଶୃଙ୍ଖଳାରେ ଏହା ଏକ ମୂଲ୍ୟବାନ ସଂଯୋଗ, ଯାହା ନିରୁଦ୍ଦିଷ୍ଟ ଥିଲା। ସେଇ କ୍ରମରେ ଏହା ଏକ ମଧ୍ୟମ ବର୍ଗର କୃଷ୍ଣଗହ୍ବର। ବର୍ତ୍ତମାନର ଆବିଷ୍କାର ସମ୍ଭବ ହୋଇଛି ‘ଇଭେଣ୍ଟ୍ ହୋରାଇଜନ୍ ଟେଲିସ୍କୋପ୍’ ସୌଜନ୍ୟରୁ ଯାହା ୧୩ଟି ଅନୁଷ୍ଠାନର ୩୦୦ରୁ ଅଧିକ ​‌େ‌ଜ୍ୟାତିର୍ବିଦ୍‌ମାନଙ୍କୁ ନେଇ କାର୍ଯ୍ୟରତ। ‘ହବଲ୍ ସ୍ପେସ୍ ଟେଲିସ୍କୋପ୍’ ତୁଳନାରେ ୪୦୦୦ ଗୁଣ ଅଧିକ ଉଚ୍ଚମାନର ଚିତ୍ରୋତ୍ତଳନ ଏଇ ଟେଲିସ୍କୋପ୍ ମାଧ୍ୟମରେ ସମ୍ଭବ। ଅନ୍ତରୀକ୍ଷରେ ତ ସବୁବେଳେ ଅୟୁତ ଆଖିର ଇସାରା। ଆପଣ ଅପେକ୍ଷା କରିପାରନ୍ତି।

ଶୈଳେନ୍ଦ୍ର ଦ୍ବିବେଦୀ

ଦୂରଭାଷ:୯୪୩୭୧୩୭୦୬୦
sailendradwivedi@gmail.com

Comments are closed.