‘ସମାଜ’ ସେବା ଓ ସମର୍ପିତ ଅନୁଷ୍ଠାନ: ମୋଦୀ

କଟକ : ‘‘ସଂପ୍ରତି କରୋନା ଭୂତାଣୁ ସଂକ୍ରମଣ ଏକ ବୈଶ୍ବିକ ମହାମାରୀରେ ପରିଣତ ହୋଇଛି। ଏନେଇ ଦେଶର ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମ ଗୁଡିକ କରୋନା ସଂପର୍କରେ ତଥ୍ୟ, ସୂଚନା ପ୍ରସାର ସହ ସଚେତନତା ବାର୍ତ୍ତା ଜରିଆରେ ଜନତାଙ୍କୁ ଜାଗରୁକ କରୁଛନ୍ତି। ‘ସମାଜ’ର ପଦକ୍ଷେପ ଓ ସଚେତନତା ଏକ୍ଷେତ୍ରରେ ବେଶ୍‌ ପ୍ରଶଂସନୀୟ। ଦିନବେଳେ ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ଆପଣଙ୍କ ସହ କଥାବାର୍ତ୍ତା ହେବାକୁ ବିଶେଷ ସମୟ ମିଳି ନଥିଲା, କଥା ହୋଇପାରି ନଥିଲି। ଏବେ ଟିକିଏ ସମୟ ମିଳିବା ପରେ ଫୋନ୍‌ କରୁଛି। ‘‘ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ବାରା ପ୍ରତିଷ୍ଠିତ ‘ସମାଜ’ ଖବରକାଗଜକୁ ମୁଁ ଜାଣିଛି। ଏହା ଏକ ସେବା ଓ ସମର୍ପିତ ଶତାୟୁ ଅନୁଷ୍ଠାନ। କରୋନା ଭଳି ଭୟଙ୍କର ମହାମାରୀ ସମୟରେ ଆପଣଙ୍କୁ ଓ ଅନୁଷ୍ଠାନର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟକୁ ମୁଁ ସାଧୁବାଦ ଜଣାଉଛି। ଦେଶରେ ଏଭଳି ମହାମାରୀ ସଂକ୍ରମଣ ରୋକିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆପଣଙ୍କ ଗଣମାଧ୍ୟମର ଭୂମିକାକୁ ଧନ୍ୟବାଦ ଦେଉଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ନିରାମୟ ଜୀବନ ଓ ମଙ୍ଗଳ କାମନା କରୁଛି।’’
ମଙ୍ଗଳବାର ସନ୍ଧ୍ୟାରେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତିଙ୍କୁ ବ୍ୟକ୍ତିଗତ ଭାବେ ଫୋନ୍‌ କରି ଉପରୋକ୍ତ ବାର୍ତ୍ତାଳାପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ଭଳି ରାଜ୍ୟରେ ଘରୋଇ ହସ୍ପିଟାଲରେ ସନ୍ଦିଗ୍ଧଙ୍କ ମାଗଣା କରୋନା ପରୀକ୍ଷା କରାଇବା ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଥିଲେ। ଏନେଇ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଭିଡ଼ିଓ କନ୍‌ଫରେନ୍ସି ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ‘ସମାଜ’ ର ଶ୍ରୀ ମହାନ୍ତିଙ୍କ ସମେତ ଦେଶର ପ୍ରମୁଖ ୨୩ଟି ଛାପା ଗଣମାଧ୍ୟମର ସଂପାଦକମାନଙ୍କ ସହ କରୋନା ପରିସ୍ଥିତି ମୁକାବିଲା ଦିଗରେ ଆଲୋଚନା କରିବା ସହ ପ୍ରସ୍ତାବ ଲୋଡ଼ିଥିଲେ। ସନ୍ଧ୍ୟାରେ ଦେଶବାସୀଙ୍କୁ ବାର୍ତ୍ତା ଦେବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ ‘ସମାଜ’ କାର୍ଯ୍ୟାଳୟକୁ ଫୋନ୍‌ କରିଥିଲେ।

Comments are closed.