କୋର୍ଟ କାର୍ଯ୍ୟ ନେଇ ସାନି ବିଜ୍ଞପ୍ତି

କଟକ: କୋର୍ଟ କାର୍ଯ୍ୟ ନେଇ ହାଇକୋର୍ଟ ପକ୍ଷରୁ ସାନି ନିର୍ଦେଶନାମା ଜାରି କରାଯାଇଛି। ଜୁନ୍ ୭ରୁ ଜୁଲାଇ ୨ ପର୍ଯ୍ୟନ୍ତ ଏପରି ବ୍ୟବସ୍ଥା ଭିତରେ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରିବ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ସମସ୍ତ କାର୍ଯ୍ୟ ଦିବସରେ ଉଚ୍ଚ ନ୍ୟାୟାଳୟରେ ଗୋଟିଏ ଦୁଇ ଜଣିଆ ଖଣ୍ଡପୀଠ ଓ ଛଅଟି ଜଣିକିଆ ଖଣ୍ଡପୀଠ ବସି ଆଭାସି ବ୍ୟବସ୍ଥାରେ ମାମଲା ଶୁଣାଣି କରିବେ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଚ୍ଚ ନ୍ୟାୟାଳୟ କାର୍ଯ୍ୟାଳୟ କାର୍ଯ୍ୟ କରିବ। କର୍ମଚାରୀମାନେ ସେମାନଙ୍କ ପରିଚୟପତ୍ର ପାଖରେ ରଖିବେ। ନୂଆ ମାମଲା ସହିତ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ, ଇ-ମେଲ୍ ବା ଇ-ଫାଇଲିଂ ପୋର୍ଟାଲରେ କରାଯାଇ ପାରିବ। ଦିନ ୧୦ଟା ୩୦ରୁ ୧୨ଟା ୩୦ ମିନିଟ ପର୍ଯ୍ୟନ୍ତ କପି ସେକ୍ସନ ନିକଟରେ ରଖାଯାଇଥିବା ଡ୍ରପ୍ ବକ୍ସରେ ନୂଆ ମାମଲା ଓ ଡକୁମେଣ୍ଟ ଦାଖଲ କରାଯାଇ ପାରିବ। ସେହିଭଳି ଭାବେ ମାମଲା ତାଲିକାଭୁକ୍ତ ପାଇଁ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ମେନସନ୍ ମେମୋ ଦାଖଲ କରାଯାଇପାରିବ। ଜରୁରୀ ମାମଲା କ୍ଷେତ୍ରରେ ମୌଖିକ ଭାବେ ଆଭାସି ବ୍ୟବସ୍ଥାରେ ରେଜିଷ୍ଟ୍ରାର (ଜୁଡିସୁଆଲ) ଓ ଡେପୁଟି ରେଜିଷ୍ଟ୍ରାର (ଜୁଡିସିଆଲ)ଙ୍କ ନିକଟରେ ‌ମେନସନ୍ କରାଯାଇ ପାରିବ। ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟମାନଙ୍କ ହାଇକୋର୍ଟ ପରିସରକୁ ପ୍ରବେଶ ଉପରେ କଟକଣା ରହିବ ; କିନ୍ତୁ ଆବେଦନରେ ଥିବା ତ୍ରୁଟି ଦୂର କରିବା ପାଇଁ ଆଇନଜୀବୀମାନେ ଉଚ୍ଚ ନ୍ୟାୟାଳୟକୁ ଆସି ପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରାଯାଇଥିଲା। ମେ ୨୪ ପରିବର୍ତ୍ତେ ମେ’ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍ ୫ରେ ଶେଷ ହେବ ବୋଲି ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା।

ସେହିଭଳି ଭାବେ ନିମ୍ନ ହାଇକୋର୍ଟ ପକ୍ଷରୁ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ କିଭିଳି ଭାବେ କାର୍ଯ୍ୟ କରିବେ ସେ ନେଇ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଗ୍ରୀଷ୍ମ ଅବକାଶ ପରେ ଜୁନ୍ ୭ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଏହି ବିଜ୍ଞପ୍ତିରେ ଥିବା ନିର୍ଦେଶନାମା ଅନୁସାରେ ଚାଲିବ। ସବୁ କାର୍ଯ୍ୟ ଦିବସର ପ୍ରଥମାର୍ଦ୍ଧରେ ଦିନ ସକାଳ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଜିଲା ଅଦାଲତ, ଅନ୍ୟ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକରେ କୋର୍ଟ କାର୍ଯ୍ୟ ହେବ। ଅସ୍ଥାୟୀ ଇଞ୍ଜକ୍ସନ୍, ଜାମିନ, ପ୍ରଡକ୍ସନ ଓ ରିମାଣ୍ଡ ଭଳି ଜୁରୁରୀ ମାମଲା ଗୁଡିକର ଶୁଣାଣି କରାଯିବ। ପ୍ରଥମ ଥର ଅଭିଯୁକ୍ତକୁ ହାଜର କରାଯାଉଥିବା ମାମଲା ଛଡା ଅନ୍ୟ ମାମଲା ଗୁଡିକ ଯଥା ସମ୍ଭବ ଆଭାସି ବ୍ୟବସ୍ଥାରେ ଶୁଣାଣି କରାଯିବ। ଯୁକ୍ତି ଉପସ୍ଥାପନ ପର୍ଯ୍ୟାୟରେ ଥିବା ଅପିଲ, ରିଭିଜନ୍, ପୁରୁଣା ମାମଲା ଶୁଣାଣି ଉପରେ ଗୁରୁତ୍ବାରୋପ କରାଯାଇଛି।

Comments are closed.