୧୦ କିମ୍ବା ୧୧ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଛି। ଆସନ୍ତା ୧୦ କିମ୍ବା ୧୧ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ୧୦ରୁ ୧୪ ତାରିଖ ଯାଏଁ ପ୍ରବଳ ବର୍ଷିବ। କେରଳରେ ଗତ ଦୁଇଦିନ ତଳେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଛୁଇଁ ସାରିଥିବାରୁ ଲଘୁଚାପ ଓଡ଼ିଶାକୁ ମୌସୁମି ବାୟୁକୁ ଟାଣି ଆଣିବ। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ୧୦ କିମ୍ବା ୧୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଛୁଇଁପାରେ।

ଲଘୁଚାପ ଓଡ଼ିଶାକୁ ମୌସୁମି ବାୟୁକୁ ଆଣିଥାଏ। ଗତବର୍ଷ ମଧ୍ୟ ଲଘୁଚାପ ମୌସୁମି ବାୟୁକୁ ଟାଣି ଆଣିଥିଲା। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୭ ଓ ୮ତାରିଖରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ। ଏଥିପାଇଁ କେତେକ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଦକ୍ଷିଣ ଓ କେନ୍ଦ୍ରୀୟ ଆରବସାଗର, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଆସନ୍ତା ୩ଦିନ ମଧ୍ୟରେ କେନ୍ଦ୍ରୀୟ ଆରବସାଗର, ମହାରାଷ୍ଟ୍ର, ଗୋଆ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ କର୍ଣ୍ଣାଟକର ଆଉ କେତେକ ଅଂଶକୁ ମୌସୁମି ବାୟୁ ଛୁଇଁପାରେ।

Comments are closed.