ସମାଜ ପ୍ରଭାବ: ସରକାରୀ ଜମିରେ ବେଆଇନ ଗୃହ ନିର୍ମାଣକୁ ବିରୋଧ ଘଟଣାର ତଦନ୍ତ ନିର୍ଦେଶ ଦେଲେ ତହସିଲଦାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପାତ୍ରପୁଟ ପଂଚାୟତର ଭରମାଝୀଗୁଡା ଗ୍ରାମରେ ଥିବା ସରକାରୀ ଅନାବାଦୀ ଜମିରେ ଗୃହ ନିର୍ମାଣକୁ ବିରୋଧ କରି ରାଜସ୍ବ ନିରକ୍ଷକଙ୍କ ନିକଟରେ ଗ୍ରାମର ଯୁବକ ସଂଘର ସଦସ୍ୟ ପ୍ରମୁଖ ଅଭିଯୋଗ କରିବା ଖବର ‘ସମାଜ’ରେ ପ୍ରସାରିତ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଅଭିଯୋଗ ଅନୁଯାୟୀ, ଭରମାଝୀଗୁଡା ଗ୍ରାମର ଚୈତନ୍ୟ ମାଝୀ ନାମକ ଜଣେ ବ୍ୟକ୍ତି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସରକାରୀ ଅନାବାଦୀ ଖାଲି ଜାଗାରେ ବେଆଇନ ଭାବେ ଗୃହ କାର୍ୟ୍ୟ କରିବା ସହ ରାସ୍ତା କଡରେ ଥିବା ଗାର୍ଡ଼ୱେଲ ଉପରେ ପାଚେରୀ ନିର୍ମାଣ କରୁଥିବା ଜାଣିବା ପରେ ଗ୍ରାମବାସୀ ମନା କରିବା ପରେ ବି ଜବରଦସ୍ତ କାର୍ୟ୍ୟ କରୁଥିବା ନେଇ ଗତ ନଭେମ୍ବର ୪ ତାରିଖରେ ଗ୍ରାମର ଯୁବକ ସଂଘର ସଦସ୍ୟମାନେ ଅଞ୍ଚଳଗୁମା ଆରଆଇଙ୍କୁ ଭେଟି ଅଭିଯୋଗ କହିଥିଲେ। ଏହାସହ ଗୃହ କାର୍ୟ୍ୟ ବନ୍ଦ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏନେଇ ତେନ୍ତୁଳୀଖୁଣ୍ଟି ତହସିଲଦାର ପ୍ରଦୀପ କର, ଆରଆଇ ଶ୍ରୀ ସୁମିତ ପ୍ରମୁଖ ଭରମାଝୀଗୁଡା ଯାଇ ତଦନ୍ତ କରିବା ସହ ସରକାରୀ ଜାଗାକୁ ସଂଗୃହିତ ଏବଂ ସୁରକ୍ଷିତ ରଖିବା ପାଇଁ ନିର୍ଦେଶ ଦେବାସହ ଜବରଦଖଲକାରୀଙ୍କୁ ତାଗିଦ କରିଥିଲେ। ଏହି ସମୟରେ ଯୁବକ ସଂଘର ସଦସ୍ୟ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.