ବିଶ୍ବରେ ଖାଦ୍ୟାଭାବ

ଆଗାମୀ ଦିନରେ ଖାଦ୍ୟ ସମସ୍ୟା ବିଶ୍ବ ପାଇଁ ମୁଖ୍ୟ ଆହ୍ବାନ ସୃଷ୍ଟି କରିବ। ଖାଦ୍ୟଶସ୍ୟ ନଷ୍ଟକୁ ରୋକାଯାଇ ପାରିଲେ ଏହି ସମସ୍ୟା ଦୂର ହୋଇପାରିବ

ଏବେ ବିଶ୍ବର ଜନସଂଖ୍ୟା ପାଖାପାଖି ୮ ଶହ କୋଟି। ଆଗାମୀ ୪ ଦଶନ୍ଧି ମଧ୍ୟରେ ଭାରତର ଜନସଂଖ୍ୟା ପ୍ରାୟ ୧୭୦ କୋଟି ଛୁଇଁ ସାରିଥିବ। ଏତେ ବଡ଼ ବିଶାଳ ଜନସଂଖ୍ୟାଙ୍କୁ ଦୈନିକ ଆହାର ଯୋଗାଇବା ସେତେବେଳେ ଦେଶ ପାଇଁ ନୂତନ ଆହ୍ବାନ ସୃଷ୍ଟି କରିବ। ଜନସଂଖ୍ୟା ବୃଦ୍ଧି ଅନୁଯାୟୀ ଖାଦ୍ୟ ଶସ୍ୟ ଉତ୍ପାଦନ ହ୍ରାସ ପାଇଲେ ବିଶ୍ବରେ ଅନାହାର ସମସ୍ୟା ସୃଷ୍ଟି ହେବ। ଆଫ୍ରିକୀୟ ଦେଶଗୁଡ଼ିକରେ ଏହି ସମସ୍ୟା ଆମେ ଦେଖି ସାରିଛନ୍ତି। ଭାରତର ନ’ଅଙ୍କ ଦୁର୍ଭିକ୍ଷ ମଧ୍ୟ ଏହାର ମୂକସାକ୍ଷୀ। ପ୍ରତି ଶହେ ବର୍ଷରେ ଆବଶ୍ୟକ ଜନସଂଖ୍ୟାଙ୍କୁ ଆହାର ଯୋଗାଇବା କଷ୍ଟସାଧ୍ୟ ବୋଲି ୧୭୯୮ରେ ଖ୍ୟାତନାମା ଅର୍ଥଶାସ୍ତ୍ରୀ ଥମାସ୍‌ ମୈଲଥସ ପୂର୍ବାନୁମାନ କରିଥିଲେ। ତାଙ୍କ ମତ ଅନୁଯାୟୀ ଜନସଂଖ୍ୟା ଦୁଇଗୁଣ ବଢୁଥିବା ବେଳେ ଖାଦ୍ୟଶସ୍ୟ ଏକ ଗୁଣ ବୃଦ୍ଧି ପାଉଛି। ତେଣୁ ଶହେ ବର୍ଷରେ ଯେତେ ଜନସଂଖ୍ୟା ଥିବେ ସେମାନେ ସମସ୍ତଙ୍କୁ ଆହାର ଯୋଗାଇବା କଷ୍ଟକର ବୋଲି ସେ ମତ ଦେଇଥିଲେ। ରୋଗ, ମରୁଡ଼ି, ବନ୍ୟା ଓ ପ୍ରାକୃତିକ ବିପଦ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଜନସଂଖ୍ୟା ଓ ଖାଦ୍ୟ ଶସ୍ୟ ମଧ୍ୟରେ ସନ୍ତୁଳନ ରଖିବା ଜରୁରୀ। ଦିନକୁ ଦିନ ଜଳ, ଜମି ଓ ସାମୁଦ୍ରିକ ସମ୍ବଳ ହ୍ରାସ ପାଇବାରେ ଲାଗିଛି। ଆମକୁ ଏ ଦିଗରେ ସଚେତନ ହେବାକୁ ପଡ଼ିବ। ୧୯୬୦ରେ ସବୁଜ ବିପ୍ଲବ ଖାଦ୍ୟ ଶସ୍ୟ ଉତ୍ପାଦନ ପାଇଁ ମାଇଲ ଖୁଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ଧାରା ବଜାୟ ରହି ପାରିଲା ନାହିଁ। ଫଳତଃ ପୁନଃ ଖାଦ୍ୟ ଶସ୍ୟ ଉତ୍ପାଦନ ହ୍ରାସ ପାଇବା ଆରମ୍ଭ କଲାଣି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ କିପରି ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କରାଯିବ ସେ ନେଇ ୧୯୬୦ରେ ଏକ ବିଶ୍ବସ୍ତରୀୟ ସର୍ବେକ୍ଷଣ କରାଯାଇଥିଲା। ପାରମ୍ପରିକ କୃଷି ବଦଳରେ ଆଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ଚାଷ କାର୍ଯ୍ୟ କରିବାକୁ ବୈଜ୍ଞାନିକମାନେ ମତ ଦେଇଥିଲେ। ୬୦ ଦଶକରୁୁ ଅଧିକ ଅମଳକ୍ଷମ ବିହନ(ହାଇବ୍ରିଡ) ପ୍ରଥମେ ଉତ୍ପାଦନ କରାଯାଇଥିଲା।
ଉନ୍ନତ ତଥା ଅଧିକ ଅମଳକ୍ଷମ ଗହମ ବୀଜ ଉତ୍ପାଦନ କରିଥିବାରୁ ୧୯୭୦ରେ ଡକ୍ଟର ନର୍ମନ ବରେ‌େଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତର ପଞ୍ଜାବ ଓ ହରିୟାଣାର କୃଷକମାନେ ବରେ​‌େ​‌ଲାଙ୍କ ପରାମର୍ଶ ଅନୁଯାୟୀ ଗହମ ଚାଷ କରି ଅଧିକ ଶସ୍ୟ ଉତ୍ପାଦନ କରିବା ସହ ଲାଭବାନ ହୋଇ ପାରିଥିଲେ। ସବୁଜ ବିପ୍ଳବ ଫଳରେ ୧୯୫୦ ରୁ ୧୯୯୦ ମଧ୍ୟରେ ଗହମ ଉତ୍ପାଦନ ୧୭୪ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ଜନସଂଖ୍ୟା ୧୧୦ ପ୍ରତିଶତ ବୃଦ୍ଧି ପାଇଥିଲା। କେବଳ ଭାରତରେ ୧୯୬୫ରୁ ୧୯୭୩ ମଧ୍ୟରେ ଗହମ ଉତ୍ପାଦନ ୭ ପ୍ରତିଶତ ବୃଦ୍ଧି ପାଇଥିଲା। ସେହିପରି ଧାନ ୧୮ ପ୍ରତିଶତ ଅଧିକ ଉତ୍ପାଦନ ହୋଇଥିଲା। ସେପରି ସ୍ଥିତି ଆଉ ଏବେ ନାହିଁ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅଧିକ ଅମଳ କରିବା ଏବେ କଷ୍ଟକର ବ୍ୟାପାର। ଏବେ କୃଷି ପାଇଁ ଆମ ପାଖରେ ଯେତେକ ଜମି ଅଛି ଆଗାମୀ ଦିନରେ ତାହା ସଙ୍କୁଚିତ ହୋଇଯିବ। ତେଣୁ ଆଗାମୀ ଦିନରେ ବିଶ୍ବର ୧୧ଶହ କୋଟି ଜନସଂଖ୍ୟାଙ୍କ ମୁହଁରେ ମୁଠାଏ ଆହାର ଯୋଗାଇବା ଦୁରୂହ ବ୍ୟାପାର ହୋଇ ପଡ଼ିବ। ସେତେବେଳେ ଅର୍ଥ ଥାଇ ମଧ୍ୟ ଦାନା ମୁଠାଏ ଯୋଗାଡ଼ କରିବା କଷ୍ଟକର ହେବ। ୨୦୦୮ରେ ବିଶ୍ବରେ ପ୍ରଥମ ଥର ପାଇଁ ଖାଦ୍ୟ ସଙ୍କଟ ଦେଖା ଦେଇଥିଲା। ବିଶ୍ବର ବିଭିନ୍ନ ଦେଶରେ ଖାଦ୍ୟ ଶସ୍ୟ ମୂଲ୍ୟ ଆଶାତୀତ ବୃଦ୍ଧି ପାଇଥିଲା। ବିଶ୍ବରେ ବଜାର କୃଷି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। କେତେକ ଦେଶରେ ଖାଦ୍ୟ ଶସ୍ୟ ଯୋଗାଡ଼କୁ ନେଇ ହିଂସାକାଣ୍ଡମାନ ସାମ୍‌ନାକୁ ଆସିଥିଲା।
ଏବେ କୃଷି ପାଇଁ ଜମି ହ୍ରାସ ପାଇଥିଲାବେଳେ ସଂସାଧନ ମଧ୍ୟ କମିଛି। ପୂର୍ବାପେକ୍ଷା ଅଧିକ ଖାଦ୍ୟ ଶସ୍ୟ ଉତ୍ପାଦନ କରିବା ଆମ ପାଇଁ କଷ୍ଟକର ହୋଇ ପଡ଼ିଛି। ଏହାର ଏକମାତ୍ର ଉପାୟ ହେଉଛି ଅଧିକରୁ ଅଧିକ ଶସ୍ୟ ଭଣ୍ଡାର ନିର୍ମାଣ କରିବା। ଏହାଦ୍ବାରା ଆମେ ଭବିଷ୍ୟତ ପାଇଁ ଶସ୍ୟ ଗଚ୍ଛିତ ରଖି ପାରିବା ା ଏବେ ବିଶ୍ବରେ ଯେତେ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି ବିନା ନଷ୍ଟରେ ଆମେ ଯଦି ଭବିଷ୍ୟତ ପାଇଁ ଏହାକୁ ସୁରକ୍ଷିତ ରଖିପାରିବା ଅଭାବ ଅନଟନ ଦେଖାଯିବ ନାହିଁ। ଅମଳରୁ ଥାଳି ନିକଟରେ ପହଞ୍ଚିବା ବେଳକୁ ୨/୩ ଗୁଣ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥାଏ। ଆମକୁ ଏସବୁ ରୋକିବାକୁ ପଡ଼ିବ। ଏକ ଆକଳନ ଅନୁଯାୟୀ ବିଶ୍ବରେ ପ୍ରତିବର୍ଷ ୩୦ ପ୍ରତିଶତ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥାଏ। ବିଶେଷକରି ୟୁରୋପ ଓ ଆମେରିକାରେ ଅଧିକ ଖାଦ୍ୟଶସ୍ୟ ନଷ୍ଟ ହୋଇଥାଏ। ବିକଶିତ ରାଷ୍ଟ୍ରଗୁଡ଼ିକରେ ସଂସାଧନ ଭରପୂର ମାତ୍ରାରେ ରହିଛି ା ତେଣୁ ସେଠାରେ ଖାଦ୍ୟ ଶସ୍ୟ ନଷ୍ଟ ହେଲେ ସେମାନଙ୍କ ଉପରେ କିଛି ପ୍ରଭାବ ପଡ଼େ ନାହିଁ। ଅନ୍ୟ ପକ୍ଷରେ ଆଫ୍ରିକୀୟ ଓ ଦକ୍ଷିଣ ଏସିଆ ସମୂହ ରାଷ୍ଟ୍ରରେ ଖାଦ୍ୟ ଶସ୍ୟ ଅପେକ୍ଷାକୃତ କମ୍‌ ନଷ୍ଟ ହେଉଥିଲେ ହେଁ ଉତ୍ପାଦନ ହ୍ରାସ ପାଇ ଆସୁଛି। ତେଣୁ ଏହି ସବୁ ଅଞ୍ଚଳରେ ବର୍ଷ ସାରା ଖାଦ୍ୟ ଶସ୍ୟ ଅଭାବଜନିତ ସମସ୍ୟା ଦେଖା ଦେଇ ଆସୁଛି। କୌଣସି ଆଫ୍ରିକୀୟ ଦେଶରେ ବଜାର ପର୍ଯ୍ୟନ୍ତ ଖାଦ୍ୟ ଶସ୍ୟ ପହଞ୍ଚିବା ବେଳକୁ ଏକ-ତୃତୀୟାଂଶ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥାଏ। ଏହିସବୁ ଦେଶରେ ଜଳବାୟୁ ତଥା ବର୍ଷା ଠିକ ପରିମାଣରେ ହେଉଥିଲେ ହେଁ ଖାଦ୍ୟ ଶସ୍ୟ ନଷ୍ଟ ହେଉଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହୋଇ କ୍ଷତିଗ୍ରସ୍ତ ହେଉଛନ୍ତି। ସମସ୍ତ କୃଷକଙ୍କ ନିକଟରେ ଶୀତଳ ଭଣ୍ଡାରର ସୁବିଧା ଏ ଯାଏ ନାହିଁ। ଯଦି ବା କେଉଁଠି ଅଛି ସେଠାରେ ବିଜୁଳି ସମସ୍ୟା ଲାଗି ରହୁଛି। ତେଣୁ ଆଗକୁ ଯେପରି ଖାଦ୍ୟ ଶସ୍ୟ ସମସ୍ୟା ନ ଉପୁଜେ ସେଥିପାଇଁ ସରକାର ଏବେଠାରୁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ।

Comments are closed.