ଚୀନ୍‍ର ମତିଗତି

ଚୀନ୍‍ର ମତିଗତି ଦିନକୁ ଦିନ ଅବୋଧ୍ୟ ହେବାକୁ ଯାଉଛି। ବହୁବର୍ଷ ହେଲା ଭାରତ-ଚୀନ ସୀମା ଶାନ୍ତ ଥିଲା; କିନ୍ତୁ ୨୦୧୭ରେ ଭୁଟାନ ନିକଟବର୍ତ୍ତୀ ଡୋକଲାମ୍‍ରେ ଚୀନ୍‍ ସେନା ଜବରଦସ୍ତ ପ୍ରବେଶକୁ ଆମ ସେନା ରୋକିବାରୁ ଠେଲାଠେଲି ଓ ମୁଥ ମରାମରି ପର୍ଯ୍ୟନ୍ତ କଥାଗଲା। ୧୯୭୫ ମସିହା ପରେ ଚୀନ୍‍ ଏବଂ ଭାରତ ସୀମାରେ ଗୁଳି ଫୁଟିନାହିଁ। ୧୯୬୯ ମସିହାରେ ଚୀନ୍‍ ହଠାତ୍‍ ଭାରତସୀମା ଭିତରକୁ ପଶିଯାଇ ଆସାମ ରାଇଫଲର ପାଞ୍ଚଜଣ ଯବାନଙ୍କୁ ମାରିଦେଲା। ଭାରତୀୟ ସେନା କଡ଼ା ଜବାବ ଦେବାରୁ ହଟିଗଲା। ଚୀନ୍‍ର କେତେକ ସୈନ୍ୟ ମୃତାହତ ହେଲେ ତାହା ଜଣାପଡ଼ିଲା ନାହିଁ, କାରଣ ଚୀନ୍‍ ସେ ଖବର କେବେ ଦିଏନାହିଁ। ୧୯୭୫ ମସିହାରେ ସିକ୍କିମ ସୀମାରେ ଚୀନ୍‍ ଲଢ଼େଇ ଆରମ୍ଭ କଲା। ଭାରତୀୟ ସେନା ଏଭଳି ପ୍ରତିରୋଧ କଲା ଯେ ଚୀନ୍‍ର ପ୍ରାୟ ତିନିଶହ ସୈନ୍ୟ ମୃତାହତ ହେଲେ ଓ ଚୀନ୍‍ ବୁଝିଲା ଯେ ଭାରତ ଆଉ ୧୯୬୨ ମସିହା ସ୍ଥିତିରେ ନାହିଁ। ଇତିମଧ୍ୟରେ ଭାରତ ପାକିସ୍ତାନ ବିରୋଧରେ ୧୯୬୫ ଓ ୧୯୭୧ ଯୁଦ୍ଧ ଜିତିଯିବାରୁ ସୈନ୍ୟବାହିନୀର ମନୋବଳ ବେଶ୍‍ ଦୃଢ଼ ହୋଇଯାଇଥିଲା। ୧୯୬୨ ମସିହା ପରେ ଆମର ଗୋଇନ୍ଦା ବାହିନୀକୁ ଶକ୍ତ କରାଗଲା। ସାଟେଲାଇଟ୍‍ ଜରିଆରେ ଖବର ସଂଗ୍ରହ କରାଗଲା। ତା’ସାଙ୍ଗରେ ଛଅଟି ପାର୍ବତ୍ୟ ଡିଭିଜନ (ଗୋଟିଏ ଡିଭିଜନରେ ପ୍ରାୟ ପନ୍ଦର ହଜାର) ଗଠନ କରାଗଲା। ପାର୍ବତ୍ୟ ଅଞ୍ଚଳରେ ଯୁଦ୍ଧ କରିବା ପାଇଁ ଆମର ଗରୱାଲ୍‍, ହୁମାୟୁନ୍‍, ଗୁର୍ଖା ଓ ନାଗା ବେଶ୍‍ ସକ୍ଷମ। ଗୁର୍ଖାମାନେ ସମତଳ ଅଞ୍ଚଳରେ ମଧ୍ୟ ଯୁଦ୍ଧ କରିବାକୁ ସକ୍ଷମ। ଆମର ରାଜପୁତ୍‍, ଡୋଗ୍ରା, ଶିଖ୍‍ମାନେ ସମତଳ, ମରୁଭୂମି ଅଞ୍ଚଳରେ ଭଲ ଯୁଦ୍ଧ କରିପାରନ୍ତି। ପାର୍ବତ୍ୟ ଅଞ୍ଚଳରେ ଦରକାର ହେଉଥିବା ଅସ୍ତ୍ରଶସ୍ତ୍ର ଭାରତ ଇତିମଧ୍ୟରେ ପାଇଛି। ତେଣୁ ଅରୁଣାଚଳ କିମ୍ବା ଚୀନସେନା ଆକ୍ରମଣ କଲେ ଭାରତ ସେ ଲଢ଼େଇରେ ସମ୍ମୁଖୀନ ହୋଇପାରିବ।

୧୯୮୦ ମସିହା ପର୍ଯ୍ୟନ୍ତ ଭାରତ ଓ ଚୀନର ଆର୍ଥିକ ସ୍ଥିତି ପ୍ରାୟ ସମାନ ଥିଲା। ଏକ ଗରିବ ଅନୁନ୍ନତ ଦେଶ ହୋଇ ମଧ୍ୟ ୧୯୪୮ ମସିହାରୁ ଚୀନ ସାରା ପୃଥିବୀରେ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସବୁଠାରୁ ଶକ୍ତିଶାଳୀ ଦେଶ ହେବାର ସ୍ୱପ୍ନ ଦେଖୁଛି। ସଂସ୍କୃତି ଦୃଷ୍ଟିରୁ ଏହା ସର୍ବଶ୍ରେଷ୍ଠ ବୋଲି ସେ ଦେଶ ଅଧିବାସୀଙ୍କ ଧାରଣା। କେବଳ ଭାରତକୁ କିଛି ସମ୍ମାନ ସେମାନେ କରୁଥିଲେ ବୌଦ୍ଧଧର୍ମ ପାଇଁ। ତାଙ୍କ ଦେଶ ସ୍ୱର୍ଗ ଓ ଭାରତ ପୁଣ୍ୟ ରାଜ୍ୟ ବୋଲି ଗ୍ରହଣ କରୁଥିଲେ। ଅନ୍ୟ ଦେଶଗୁଡ଼ିକୁ ବର୍ବର ରାଜ୍ୟ ବୋଲି କୁହାଯାଉଥିଲା। ଯଦି ଅନ୍ୟ ଦେଶର କେହି ଦୂତ ଯାଉଥିଲେ ସେମାନେ ସିଂହାସନ ସାମ୍ନାରେ ଚଟାଣରେ ବସୁଥିଲେ। ୧୯୪୮ରେ କମ୍ୟୁନିଷ୍ଟମାନେ ଶାସନ ମାଡ଼ିବସିବାରୁ ସେତେବେଳର ଶାସକ ଚିଆଙ୍ଗ କାଇ ସେକ୍‍ ଫରମୋଜା ଦ୍ୱୀପକୁ ପଳେଇଲେ। ବର୍ତ୍ତମାନ ତା’ ହେଉଛି ତାଇୱାନ। ଯେତେବେଳେ ମାଓ ସେ ତୁଙ୍ଗଙ୍କ ନେତୃତ୍ୱରେ କମ୍ୟୁନିଷ୍ଟମାନେ ମାଡ଼ିଚାଲିଥିଲେ ସେତେବେଳେ ଆମେରିକା ଚିଆଙ୍ଗ କାଇ ସେକ୍‍ଙ୍କୁ କିଛି ସାହାଯ୍ୟ କରିଥିଲା; କିନ୍ତୁ ତା’ ଯଥେଷ୍ଟ ନଥିବାରୁ କମ୍ୟୁନିଷ୍ଟମାନେ ଚୀନକୁ ମାଡ଼ିବସିଲେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ମାତ୍ରେ ଶୀତଳଯୁଦ୍ଧ ଆରମ୍ଭ ହେଲା। ଏହା ଥିଲା ପୁଞ୍ଜିବାଦ ଓ ସାମ୍ୟବାଦ ଭିତରେ ଲଢ଼େଇ। ରୁଷିଆ ଏକ କମ୍ୟୁନିଷ୍ଟ ଦେଶ ହେଲେ ମଧ୍ୟ ହିଟଲର୍‍ଙ୍କୁ ଦମନ କରିବା ପାଇଁ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଇତ୍ୟାଦି ଦେଶ ଦ୍ୱିତୀୟ ମହାଯୁଦ୍ଧ ସମୟରେ ରୁଷିଆକୁ ସାହାଯ୍ୟ କରିଥିଲେ। ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ବେଲଜିୟମ ଓ ହଲାଣ୍ଡ, ସ୍ପେନ, ପର୍ତ୍ତୁଗାର୍ଲ ଏଇସବୁ ଦେଶର ନୀତି ଥିଲା ଏସିଆ, ଦକ୍ଷିଣ ଆମେରିକା ଓ ଆଫ୍ରିକା ଦେଶଗୁଡ଼ିକୁ ମାଡ଼ିବସିବା। ଆର୍ଥିକ ଶୋଷଣ କରିବା, ଶସ୍ତାରେ କଞ୍ଚାମାଲ କିଣି ତିଆରି ହୋଇଥିବା ବସ୍ତୁକୁ ଅଧିକ ଦରରେ ବିକିବା, ଆଫ୍ରିକାରୁ ଦାସ ଓ ଏସିଆରୁ ଦାଦନ ଶ୍ରମିକ ନେବା ଥିଲା ଏକ ରୀତିମତ ବ୍ୟବସାୟ। ରୁଷିଆର ନୀତି ଥିଲା ଅଲଗା। ସେ ତା’ର ପାଖଆଖ ଦେଶମାନଙ୍କୁ ଧମକେଇ ଚମକେଇ ରଖିଲା ଏବଂ ଲାଟ୍‍ଭିଆ, ତାଜକିସ୍ଥାନ, କିରଗିଜ୍‍ସ୍ଥାନ ଓ ବେଲାରୁଷ, ଉଜ୍‌ବେକିସ୍ଥାନ ଓ ମଙ୍ଗୋଲିଆର କିଛି ଅଂଶ ମାଡ଼ିବସିଲା। ସେଇଭଳି ଚୀନ୍‍ ତିବ୍‌ବତକୁ ମାଡ଼ିବସିଲା; କିନ୍ତୁ କାଳକ୍ରମେ ତିବ୍‍ବତ ଏକ ସ୍ୱୟଂଶାସିତ ଦେଶ ହେଇଗଲା, କାରଣ ଚୀନ ଦୁର୍ବଳ ହୋଇଥିଲା। ସେ ସମୟରେ ଚୀନର ପ୍ରଧାନ ଶତ୍ରୁ ଥିଲା ଜାପାନ। ଛୋଟ ଦେଶ ଓ ଦ୍ୱୀପଟିଏ ହୋଇଥିଲେ ମଧ୍ୟ ଜାପାନ କୋରିଆକୁ ମାଡ଼ିବସିଥିଲା। ୧୯୦୫ରେ ଋଷିଆକୁ ଯୁଦ୍ଧରେ ପରାସ୍ତ କରିଥିଲା ଓ ନିଜର ପ୍ରଭାବ ଭିଏତ୍‌ନାମ, ଥାଇଲାଣ୍ଡ ଦେଶକୁ ବିସ୍ତାର କଲା।

ଭାରତ ସ୍ୱାଧୀନ ହେବାବେଳକୁ ଅନ୍ତର୍ଜାତୀୟ ପରିସ୍ଥିତି ଏଇଭଳିଆ ଥିଲା। ଅତିଶୀଘ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ସାମରିକ ବନ୍ଧୁତା କରି ରୁଷିଆକୁ କଡ଼ା ଜବାବ ଦେବାକୁ ଚେଷ୍ଟା କଲେ। ସେଇଭଳି ରୁଷିଆ, କମ୍ୟୁନିଷ୍ଟ ରାଜ୍ୟ ହଲାଣ୍ଡ, ବୁଲଗାରିଆ, ରୋମାନିଆ ଇତ୍ୟାଦିକୁ ନେଇ ସାମରିକ ବୁଝାମଣା କଲା। ଚୀନ୍‍ ରୁଷିଆ ଉପରେ ଅସ୍ତ୍ରଶସ୍ତ୍ର ଓ ଅର୍ଥ ପାଇଁ ନିର୍ଭର କଲା। ଦକ୍ଷିଣ-ପୂର୍ବ ଏସିଆରେ ଆମେରିକାକୁ ଦରକାର ଥିଲା ଏକ ଅଧସ୍ଥନ ଦେଶ, ଯାହାକୁ ବ୍ୟବହାର କରି ଆମେରିକା ରୁଷିଆ ଓ ଚୀନ୍‍ ଉପରେ ନଜର ରଖିପାରିବ। ସେତେବେଳେ କୃତ୍ରିମ ଉପଗ୍ରହ ନଥିଲା। ବହୁ ଉଚ୍ଚରେ ଉଡୁଥିବା ବିମାନରୁ ଶତ୍ରୁ ଦେଶର ଫଟୋ ଉଠାଯାଉଥିଲା। ଭାରତ ଅଯଥା ବିବାଦରେ ନପଶି ଗୋଷ୍ଠୀ ନିରପେକ୍ଷ ଦେଶମାନଙ୍କ ଏକ ଦଳ କଲା। ଯାହାଦ୍ୱାରା ଆମେରିକା ବିରକ୍ତ ହେଲା। କାରଣ ଆମେରିକାର ନୀତି ଥିଲା, ‘ଯିଏ ଆମ ସପକ୍ଷରେ ନୁହେଁ, ସେ ଆମ ବିପକ୍ଷରେ।’ କିନ୍ତୁ ରୁଷିଆ ଅସନ୍ତୁଷ୍ଟ ହେଲାନାହିଁ। କାରଣ ତାଙ୍କର ନୀତି ଥିଲା, ‘ଆମର ସପକ୍ଷରେ ନ ହେଲେ କ’ଣ ହେଲା, ଆମେରିକା ସପକ୍ଷରେ ତ ହାତ ମିଳେଇନାହିଁ।’ ଭାରତ ମନା କରିବାରୁ ଆମେରିକା ପାକିସ୍ତାନକୁ ମିତ୍ରରାଷ୍ଟ୍ର ଭାବେ ଗ୍ରହଣ କଲା। ଏଥିରେ ବ୍ରିଟେନର ହାତ ଥିଲା। ଭାରତ ସରକାରଙ୍କ ବିରୋଧରେ ବ୍ରିଟେନର ଏକ ଶକ୍ତିଶାଳୀ ଗୋଷ୍ଠୀ ଥିଲା, ଯେଉଁମାନଙ୍କର ସରକାରଙ୍କ ଉପରେ ପ୍ରବଳ ପ୍ରଭାବ ଥିଲା ଏବଂ ଭାରତ ଉପରେ ଦୃଷ୍ଟି ରଖିବା ପାଇଁ ଆମେରିକା ବ୍ରିଟେନ୍‍କୁ ଦୂରବୀକ୍ଷଣ ଯନ୍ତ୍ର ଭାବରେ ବ୍ୟବହାର କରୁଥିଲା। ରୁଷିଆ ଓ ଆମେରିକା ମଧ୍ୟରେ ଚାଲିଥିବା ଦଳାଦଳିର ସୁଯୋଗ ନେଇ ଚୀନ୍‍ ତିବ୍‍ବତକୁ ଦଖଲ କରିନେଲା। ସେତେବେଳେ ସର୍ଦାର ପଟେଲ ପଣ୍ଡିତ ନେହେରୁଙ୍କୁ ସତର୍କବାଣୀ ଶୁଣାଇଥିଲେ ଯେ ଚୀନ୍‍ ଏଇଠି ଅଟକିବ ନାହିଁ। ବାସ୍ତବରେ ସେତେବେଳେ ମାଓ ସେ ତୁଙ୍ଗ କହିଥିଲେ ଯେ ତିବ୍‍ବତ ହେଉଛି ଚୀନ୍‍ର ପାପୁଲି ଓ ତା’ର ପାଞ୍ଚ ଆଙ୍ଗୁଠି ହେଲା ଲଦାଖ, ସିକିମ୍‍, ଭୁଟାନ, ଅରୁଣାଚଳ ଓ ନେପାଳ। ଯେଉଁ ନେପାଳ ଏବେ ଚୀନ୍‍ ସଙ୍ଗେ ବନ୍ଧୁତା କରୁଛି, ସେ ଭୁଲିଯାଉଛି ଯେ ଚୀନ୍‍ ନେପାଳକୁ ତା’ର ଏକ ଅଂଶ ବୋଲି ଭାବୁଛି। କେବଳ ଭାରତ ସାଙ୍ଗରେ ନୁହେଁ ଦକ୍ଷିଣ-ପୂର୍ବ ଏସିଆ, ରୁଷିଆ, ମଙ୍ଗୋଲିଆ, ଜାପାନ, ଫିଲିପିନ୍ସ, ଇଣ୍ଡୋନେସିଆ, ମାଲେସିଆ ଇତ୍ୟାଦି ଚଉଦଟି ଦେଶ ସଙ୍ଗେ ଚୀନର ସୀମା ବିବାଦ। ଚୀନ୍‍କୁ ଲାଗି ସମୁଦ୍ର (ଦକ୍ଷିଣ ଚୀନ୍‍ ସମୁଦ୍ର) ଓ ଚୀନ୍‍ ତାହାକୁ ନିଜର ବୋଲି ଦାବି କରୁଛି। ଦାବି ମଧ୍ୟରେ ଏକ ଯୁକ୍ତି ହେଉଛି ଯେ ୟାକୁ ‘ଚାଇନା ସି’ ବୋଲି ସମସ୍ତେ କହୁଛନ୍ତି। ଏଇଭଳି ଅବାସ୍ତବ ହାସ୍ୟାସ୍ପଦ ଯୁକ୍ତିକୁ ଗ୍ରହଣ କଲେ ଭାରତ ମହାସାଗରକୁ ଭାରତର ସମୁଦ୍ର ବୋଲି କୁହାଯିବ। କମ୍ୟୁନିଷ୍ଟ ଦେଶ ହେଲେ ମଧ୍ୟ ୧୯୬୯ ମସିହାରେ ଚୀନ୍‍ କମ୍ୟୁନିଷ୍ଟ ରୁଷିଆର ଏକ କ୍ଷୁଦ୍ର ଅଂଶକୁ ନିଜର ବୋଲି ଦାବିକରି କେତେଜଣ ରୁଷ୍‍ ସୈନ୍ୟଙ୍କୁ ମାରିଦେଲା। ସଙ୍ଗେସଙ୍ଗେ ପ୍ରତିଆକ୍ରମଣ କରି ରୁଷିଆ ଉପଯୁକ୍ତ ଶିକ୍ଷା ଦେବାପରେ ଚୀନ୍‍ ଆଉ ଆକ୍ରମଣ କଲାନାହିଁ। ୧୯୭୯ରେ ରୁଷିଆର ସର୍ବୋଚ୍ଚ କର୍ତ୍ତା ବ୍ରେଜ୍‍ନେଭ ଘୋଷଣା କରିଥିଲେ ଯେ ଚୀନ୍‍ଠାରୁ ବିପଦ ସବୁବେଳେ ଅଛି।

ବର୍ତ୍ତମାନର ପରିସ୍ଥିତି ଚୀନ୍‍କୁ ବେଶ୍‍ ସୁହାଉଛି। ଉହାନ୍‍ ପ୍ରଦେଶରୁ ବାହାରିଥିଲା କରୋନା ଭୂତାଣୁ। ସାରା ବିଶ୍ୱକୁ ବ୍ୟାପିଯାଇଥିବାରୁ ସବୁ ଦେଶର ନେତୃବୃନ୍ଦ ଚିନ୍ତିତ ହେବା ସ୍ୱାଭାବିକ। ଚୀନ୍‍ରେ କେତେ ସଂକ୍ରମିତ ହେଲେ, କେତେ ମଲେ, ସେ ବିଷୟରେ ଚୀନ୍‍ ଠିକଣା ସଂଖ୍ୟା ଜଣାଉନାହିଁ। ତାଙ୍କ ଦେଶରେ ଗଣମାଧ୍ୟମ ସରକାରଙ୍କର ଆଦେଶ ମାନି ଚଳେ। ବୈଦେଶିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଉତ୍କୋଚ ଦେଇ କିମ୍ବା ଧମକାଇ ଚମକାଇ ଚୀନ୍‍ ବିରୋଧୀ ସମ୍ବାଦକୁ ଚାପି ଦିଆଯାଏ। ଆମ ଭାରତର ଏକ ଟିଭି ଚ୍ୟାନେଲ ସାରା ପୃଥିବୀରେ ଆଦୃତ; କିନ୍ତୁ ଚୀନ୍‍ ବିପକ୍ଷରେ କିଛି ଖବର ପ୍ରକାଶିତ ହେବାରୁ ତା’କୁ ବାସନ୍ଦ କରାଗଲା। ଏବେ ଅଷ୍ଟ୍ରେଲିଆର ଏକ ଟିଭି ଚ୍ୟାନେଲ, ଦୁଇଜଣ ସାମ୍ବାଦିକଙ୍କୁ ଚୀନ୍‍ରେ ଅଟକ ରଖାଯାଇଛି। ସେମାନଙ୍କ ବିରୋଧରେ ଅଭିଯୋଗ ହେଉଛି ଯେ ସେମାନେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ। ନିଜର ରାଜନୈତିକ ସ୍ଥିତି ଓ ସୁଯୋଗ ନେଇ ଚୀନ୍‍ ଭାରତ ବିରୋଧରେ ପ୍ରବଳ ପ୍ରଚାର କରୁଛି। ଚୀନ୍‍ ସବୁବେଳେ ନିଜକୁ ଏକ ନିରୀହ ଶାନ୍ତିପ୍ରିୟ ଦେଶ ବୋଲି ଘୋଷଣା କରେ। ଏବେ ଦକ୍ଷିଣ ଚୀନ୍‍ ସମୁଦ୍ରକୁ ବହୁତ ଜାହାଜ ପଠେଇଲାଣି। ଆମେରିକା, ଜାପାନ, ଭାରତ ଓ ଆଉ ଅନେକ ଦେଶର ପଣ୍ୟ ଜାହାଜ ସେଇ ବାଟଦେଇ ଯାଆନ୍ତି। ତାକୁ ଦଖଲ କରିଦେଲେ ଚୀନର ଦୟା ଉପରେ ସମସ୍ତେ ନିର୍ଭର କରିବେ। ବର୍ତ୍ତମାନ ଚୀନ ଦୁଇଟି ଦେଶ ସାଙ୍ଗେ ବହୁତ ଶତ୍ରୁତା ଆଚରଣ କରୁଛି। ଆମେରିକା ବିପକ୍ଷରେ ଯିବାର ଅନେକ କାରଣ ଅଛି। ଚୀନ ଚାହୁଁଛି ୨୦୫୦ ମସିହା ସୁଦ୍ଧା ସବୁ ଦୃଷ୍ଟିରୁ ଶ୍ରେଷ୍ଠ ଦେଶ ବୋଲି ନିଜକୁ ପ୍ରତିପାଦିତ କରିବ। ଅର୍ଥନୀତି ଦୃଷ୍ଟିରୁ ଚୀନ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ (ଆମେରିକା ପଛରେ), ସାମରିକ ଶକ୍ତି ଦୃଷ୍ଟିରୁ ତୃତୀୟ ସ୍ଥାନରେ (ଆମେରିକା, ରୁଷିଆ ପଛରେ)। ଭାରତ ସାଙ୍ଗରେ ଏବେ ଶତ୍ରୁତା କରିବାର କାରଣ ହେଲା ଭାରତର କୋଭିଡ୍‍ଜନିତ ବ୍ୟସ୍ତତା ଏବଂ ଭାରତର ଆମେରିକା ସହିତ ଘନିଷ୍ଠତା। ଚୀନ ଚାହୁଁନାହିଁ ଭାରତ ତା’ର ସମକକ୍ଷ ହେଉ। ଭାରତର ପକ୍ଷଛେଦନ କରିବା ପାଇଁ ୧୯୬୩ ମସିହାରୁ ପାକିସ୍ତାନ ସଙ୍ଗେ ବନ୍ଧୁତା କରିଛି ଓ ବନ୍ଧୁତା ବହୁତ ଘନିଷ୍ଠ ହେଲାଣି ଯେବେଠାରୁ ଆମେରିକା ପାକିସ୍ତାନଠାରୁ ଦୂରତା ରଖୁଛି। ପାକିସ୍ତାନର କେତେକ ଦୁର୍ଗୁଣ ଅଛି। ପ୍ରଥମ ହେଲା, ଭାରତ ବିରୋଧରେ ଯିବା, ଦ୍ୱିତୀୟ ସମ୍ପୂର୍ଣ୍ଣ କାଶ୍ମୀର ପାକିସ୍ତାନର ବୋଲି ଦାବି କରିବା। ତୃତୀୟ ଭାରତର ମୁସଲମାନଙ୍କ ଉପରେ ଅତ୍ୟାଚାର ହେଉଛି ବୋଲି ପ୍ରଚାର କରିବା, ଚତୁର୍ଥ ଭାରତର ମୁସଲମାନ ଦେଶମାନଙ୍କ ସହିତ ସମ୍ପର୍କ ଖରାପ କରିବା ଇତ୍ୟାଦି। ତା’ଛଡ଼ା ପାକିସ୍ତାନକୁ ଏକ ମାଲିକ ଦରକାର। ବହୁତଦିନ ପର୍ଯ୍ୟନ୍ତ ଆମେରିକା ମାଲିକପଣିଆ କଲା। ଏବେ ଚୀନ ସେ କାମ କରୁଛି।

ଚୀନ ବିଭିନ୍ନ ଦେଶରେ ବନ୍ଦର କରୁଛି, ରାସ୍ତା, ନଦୀବନ୍ଧ ଓ ମଧ୍ୟମ ଧରଣର ଶିଳ୍ପ ତିଆରି କରୁଛି। କଣ୍ଟ୍ରାକ୍ଟର ଓ ଶ୍ରମିକମାନେ ହେଲେ ଚୀନର। ଯନ୍ତ୍ରପାତି ଆସୁଛି ଚୀନରୁ। ତେଣୁ ଚୀନର ଅଧିକାଂଶ ପଇସା ଚୀନରେ ଖର୍ଚ୍ଚ ହେଉଛି। ଅଥଚ ଋଣ ଦେଉଛି ଉକ୍ତ ଦେଶ ନାଁରେ। ଏଇଭଳି ଏକ ଋଣର ସୁଧ ଦେଇ ନପାରିବାରୁ ଶ୍ରୀଲଙ୍କା ଏକ ବନ୍ଦର ଚୀନକୁ ଦେବା ପାଇଁ ବାଧ୍ୟ ହେଲା। ଆଫ୍ରିକାର ବହୁତ ଗରିବ ଦେଶକୁ ଋଣର ଲୋଭ ଦେଖାଇ ଚୀନ ଋଣଯନ୍ତାରେ ପକେଇଚାଲିଛି। ଭାରତ ମହାସାଗରରେ ଯେତେ ପଣ୍ୟ ଜାହାଜ ଯାଉଛନ୍ତି, ସମସ୍ତଙ୍କର ସୁରକ୍ଷା ଦରକାର। କାରଣ ସୋମାଲିଆର ଜଳଦସ୍ୟୁମାନେ ଏ ଜାହାଜମାନଙ୍କୁ ଆକ୍ରମଣ କରନ୍ତି। ଚୀନ ଅନେକ ଯୁଦ୍ଧ ଜାହାଜ ପଠାଇ ସୁରକ୍ଷା ଦେଉଛି। ଦୁଇବର୍ଷ ତଳେ ପ୍ରାୟ ଛଅହଜାର ପଣ୍ୟ ଜାହାଜ ଚୀନର ହେପାଜତରେ ଆରବସାଗରରେ ଯାଇଛନ୍ତି ଓ ଚୀନ ବେଶ୍‍ ପଇସା ଲାଭ କରିଛି (ପ୍ରାୟ ୭୦ ବିଲିୟନ ଡଲାର)। ଏଇ ଯୁଦ୍ଧଜାହାଜ ବାରମ୍ବାର ପଇଁନ୍ତରା ମାରିବା ଦ୍ୱାରା ଚୀନ ବାରମ୍ବାର ଭାରତ, ଶ୍ରୀଲଙ୍କା, ଇଣ୍ଡୋ-ଇରାନ, ସିଙ୍ଗାପୁର, ମାଲେସିଆ ଉପରେ ତୀକ୍ଷ୍‍ଣ ଦୃଷ୍ଟି ରଖିଛି। ପୁଣି ଇରାନକୁ ଯନ୍ତାରେ ପକାଇବା ପାଇଁ ୪୦୦ ବିଲିୟନ ଡଲାର ଋଣ ଦେବା ପାଇଁ ଚୁକ୍ତି କରିଛି। ଆମେରିକା ଇରାନକୁ ଡଲାର ଦେବା ପାଇଁ ମନା କରିବା ପରେ ଭାରତ ଇରାନରେ ଚାବହାର ବନ୍ଦର କରିବା ପାଇଁ ଯେଉଁ ଚୁକ୍ତି କରିଥିଲା, ସେ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ବନ୍ଦରରୁ ଆଫଗାନିସ୍ତାନକୁ ଟ୍ରେନ୍‍ ଲାଇନ ପକେଇବା କଥା। ଯେହେତୁ ଭାରତ ଏଇ କାର୍ଯ୍ୟ ଆରମ୍ଭ କରିପାରିଲା ନାହିଁ, ଚୀନ ସେ କଣ୍ଟ୍ରାକ୍ଟ ମାରିନେଲା। ଏହା ଦ୍ୱାରା ଭାରତ ପାକିସ୍ତାନ ଯୁଦ୍ଧ ହେଲେ ଇରାନ ନିରପେକ୍ଷ ରହିବ ବା ଚୀନର ଇସାରାରେ ପାକିସ୍ତାନକୁ ସାହାଯ୍ୟ କରିବ। ସେଇଭଳି ଆଫଗାନିସ୍ତାନ ସାଙ୍ଗରେ ଆଲୋଚନା ଚାଲିଛି। ସନ୍ତ୍ରାସବାଦୀ, ତାଲିବାନ ସହିତ ଶାନ୍ତି ଚୁକ୍ତି କରେଇଦେବ ବୋଲି ଚୀନ ପ୍ରତିଶ୍ରୁତି ଦେଇଛି।

ଭାରତ ଆଫଗାନିସ୍ତାନରେ ଅନେକ ରାସ୍ତା, ଛୋଟ ଡ୍ୟାମ, ଘର ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷରେ ସାହାଯ୍ୟ କରୁଥିବାରୁ ଆଫଗାନିସ୍ତାନର ଭାରତ ସାଙ୍ଗେ ଘନିଷ୍ଠ ବନ୍ଧୁତା ଅଛି। ଚୀନ ଚେଷ୍ଟା କରୁଛି କିପରି ଆଫଗାନିସ୍ତାନକୁ ଭାରତଠାରୁ ଦୂରେଇ ନେବ। ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା କରିଥିବା ଚତୁଃରାଷ୍ଟ୍ର ବୁଝାମଣା ଦ୍ୱାରା ଦକ୍ଷିଣ ଚୀନ୍‍ ସମୁଦ୍ରରେ ଚୀନ ଭାରତକୁ ଏକ ଶିକ୍ଷା ଦେବାକୁ ଚାହୁଁଛି। ଭାରତ ନଇଁଗଲେ ମାଲେସିଆ, ଭିଏତନାମ, ଇଣ୍ଡୋନେସିଆ, ତାଇୱାନ, ଫିଲିପିନ୍ସ ଇତ୍ୟାଦି ଦେଶଗୁଡ଼ିକ ସେଇ ଚତୁଃରାଷ୍ଟ୍ର ଗୋଷ୍ଠୀ ଭିତରେ ପଶିବେ ନାହିଁ। ତେଣୁ ଚୀନ ଲଦାଖରେ ଯାହା କରୁଛି ତାହା କରିବ, ତା’ ସାଙ୍ଗକୁ ଅରୁଣାଚଳରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିବ। ଚୀନ ଓ ପାକିସ୍ତାନ ଉଭୟଙ୍କର ପରମାଣୁ ବୋମା ଅଛି, ଭାରତର ମଧ୍ୟ ଅଛି। ତେଣୁ ସମୂହ ଯୁଦ୍ଧ କରିବା ପାଇଁ କେହି ଚାହିଁବେନି। ପାକିସ୍ତାନ ଏବେ ମ୍ୟାପ କରିଛି ଯେଉଁଥିରେ ଜୁନାଗଡ଼ ପାକିସ୍ତାନର ଅଂଶ ବୋଲି ଦେଖେଇଛି। ଆଜି ଜୁନାଗଡ଼, କାଲି ସମଗ୍ର ଗୁଜରାତ ଓ ତେଲଙ୍ଗନା ତା’ର ଅଂଶ ବୋଲି କହିବ। ଏଭଳି ମ୍ୟାପଯୁଦ୍ଧ ହେଉଛି ପିଲାଳିଆମି; କିନ୍ତୁ ପାକିସ୍ତାନର ଅପରିପକ୍ୱ ନୀତିର କୌଣସି ଉନ୍ନତି ଲକ୍ଷ୍ୟ କରାଯାଇପାରୁନି।
ଚୀନ ଭାରତ ସହିତ ଏଇଭଳି ଆଚରଣ କରି ଚାଲିବ। ଯାହା ଆଲୋଚନା ଏବଂ ନିଷ୍ପତ୍ତି ହେବ ତା’କୁ ପରେ ଉପେକ୍ଷା କରିବା ହେଉଛି ଚୀନର ଅଭ୍ୟାସ।

ମ୍ୟାକ୍‍ମୋହନ ଲାଇନ ଅବୈଧ, ଅଗ୍ରହଣୀୟ ବୋଲି ଚୀନ କହିଛି। ଅଥଚ ବର୍ମା ସହିତ ଯେବେ ସୀମାଚୁକ୍ତି କଲା ସେତେବେଳେ ମ୍ୟାକ୍‍ମୋହନ ଲାଇନକୁ ଗ୍ରହଣ କଲା। ପୃଥିବୀର ଅନେକ ଦେଶ ଜାଣିଲେନି ଯେ ଚୀନକୁ ବିଶ୍ୱାସ କରିହେବନାହିଁ। ପାକିସ୍ତାନକୁ ଏଭଳି କବ୍‍ଜାରେ ରଖିଛି ଯେ ପାକିସ୍ତାନ ସମଗ୍ର କାଶ୍ମୀରଟା ତା’ର ବୋଲି ଦାବି କରୁଛି। ସେଇ କାଶ୍ମୀରର ଖଣ୍ଡେ ଅଂଶ (ଅକ୍ସାଇ ଚୀନ) ଚୀନ ଜବରଦସ୍ତି ମାଡ଼ିବସିଛି। ଅଥଚ ପାକିସ୍ତାନ ସେ ବିଷୟରେ କିଛି କହୁନାହିଁ। ଏଇ ପରିସ୍ଥିତିରେ ଭାରତକୁ ଉଭୟ ଚୀନ ଓ ପାକିସ୍ତାନର ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିଭିନ୍ନ ପଡ଼ୋଶୀ ରାଜ୍ୟଙ୍କ ସଙ୍ଗେ ସମ୍ପର୍କ ବୃଦ୍ଧି କରିବାକୁ ପଡ଼ିବ, ଚୀନ ଭାରତର ବିବାଦରେ ନିରପେକ୍ଷ ଥିବା ରୁଷିଆ ସାଙ୍ଗରେ ସମ୍ପର୍କ ବୃଦ୍ଧି କରିବାକୁ ପଡ଼ିବ। ଏଇସବୁ ନକଲେ ଚୀନ ତରଫରୁ ବିପତ୍ତି ବଢ଼ିବ।

ବିପିନ ବିହାରୀ ମିଶ୍ର (ପୂର୍ବତନ ଡିଜି)
ମୋ-୯୦୪୦୪୧୨୩୭୮

Comments are closed.