ରାଜ୍ୟ ବିନା ରାଜମୁକୁଟ

ବୌଦ୍ଧିକ ସମ୍ପତ୍ତି ଅଧିକାର ଅନ୍ତର୍ଗତ ଭୌଗୋଳିକ ସୂଚକ ଅଧୀନରେ ଓଡ଼ିଶାର ଏପର୍ଯ୍ୟନ୍ତ ମାତ୍ର ତିନିଗୋଟି ହସ୍ତଶିଳ୍ପ ଯଥା ଚାନ୍ଦୁଆ କାମ, ପଥର ଖୋଦେଇ ଓ ପଟ୍ଟଚିତ୍ର ପଞ୍ଜିକୃତ ହୋଇଥିବା ଯେତିକି ସୁଖକର, ଏହି ପଞ୍ଜୀକରଣର ସୁଫଳ ଆମ ରାଜ୍ୟର ହସ୍ତଶିଳ୍ପୀମାନେ ନପାଇ ପାରିବା ବିଷୟ ମଧ୍ୟ ତତୋଽଧିକ କ୍ଷୋଭର ବିଷୟ। ଏହି ହସ୍ତଶିଳ୍ପଗୁଡ଼ିକ ଯଥାକ୍ରମେ ପିପିଲି ଆପ୍ଳିକ(୯.୯.୨୦୦୮), କୋଣାର୍କ ପଥର ଖୋଦେଇ(୧୦.୭.୨୦୦୮) ଏବଂ ଓଡ଼ିଶା ପଟ୍ଟଚିତ୍ର(୩.୦୨.୨୦୧୪) ନାମରେ ପଞ୍ଜିକୃତ। ଏହି ପଞ୍ଜୀକରଣର ତତ୍ତ୍ବାବଧାରକ ଭାବେ ଓଡ଼ିଶା ସମବାୟ ହସ୍ତଶିଳ୍ପ ନିଗମ (ଉତ୍କଳିକା) ରହିଥିବାବେଳେ ତଫସିଲଭୁକ୍ତ ଉପଭୋକ୍ତା ଭାବେ ଅନେକ ସମବାୟ ସମିତି, ଘରୋଇ ଉତ୍ପାଦନ ସଂସ୍ଥା ତଥା ବ୍ୟକ୍ତିବିଶେଷ ରହିଛନ୍ତି ଯେଉଁମାନଙ୍କୁ ଏହି ପଞ୍ଜୀକରଣର ସୁଫଳ ନିଜର ବ୍ୟବସାୟ କ୍ଷେତ୍ରରେ ଉପଲବ୍ଧ ହେବା କଥା। କେବଳ ପିପିଲି ଆପ୍ଳିକର ପଞ୍ଜୀକରଣ ଉତ୍କଳିକା ସହିତ ହାଇଦରାବାଦ ସ୍ଥିତ ନିଫ୍ଟ୍ କର୍ତ୍ତୃପକ୍ଷ ଯୁଗ୍ମ ତତ୍ତ୍ୱାବଧାରକ ଭାବେ ରହିଛନ୍ତି ଯେହେତୁ ସେହି ସଂସ୍ଥା ମଧ୍ୟ ଏହି ଶିଳ୍ପର ପଞ୍ଜୀକରଣ ପାଇଁ ପୃଥକ ଭାବରେ ଆବେଦନ କରିଥିଲେ। ଉପରୋକ୍ତ ପଞ୍ଜୀକରଣ ମୁମ୍ବଇସ୍ଥିତ ଟେକ୍ସଟାଇଲ କମିଟି ଆନୁକୂଲ୍ୟରେ ‘ମିଳିତ ଜାତିସଂଘ ବିକାଶ ପ୍ରକଳ୍ପ’(ୟୁଏନଡିପି) ସଂସ୍ଥାର ପ୍ରୋତ୍ସାହନରେ ଏକ ବିସ୍ତୃତ ପ୍ରକ୍ରିୟା ମାଧ୍ୟମରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂସ୍ଥାର ସହଯୋଗିତାରେ ଆବେଦନ କରାଯାଇଥିଲା। ଜିଆଇ ରେଜିଷ୍ଟ୍ରିର ପ୍ରତିିନିଧି ଆସି ଭୁବନେଶ୍ୱରଠାରେ ଏକ ବୈଠକରେ ପ୍ରସ୍ତାବିତ ଉପଭୋକ୍ତାଙ୍କ ମତାମତ ନେଲାପରେ ଏହି ପଞ୍ଜୀକରଣ ବିଜ୍ଞପ୍ତି ପ୍ରକାଶ ପାଇଥିଲା। 

ନିର୍ଦ୍ଦିଷ୍ଟ ଭାବେ ଏକ ଭୌଗୋଳିକ କ୍ଷେତ୍ରରେ ଉତ୍ପାଦିତ ସାମଗ୍ରୀର ଐତିହ୍ୟ, ବ୍ୟବହୃତ କଞ୍ଚାମାଲ ଓ ଉପକରଣ, ପ୍ରସ୍ତୁତି ପ୍ରଣାଳୀ, ଦକ୍ଷତା ଚାତୁର୍ଯ୍ୟ ଓ କୌଶଳର ସାମଗ୍ରିକ ଆଧାରରେ ଏହି ପଞ୍ଜୀକରଣ ସମ୍ଭବ ହୋଇଥାଏ। ଏହା ବଳରେ ପଞ୍ଜିକୃତ ଉତ୍ପାଦଟି ଏକ ସ୍ୱତନ୍ତ୍ର ମାନ୍ୟତା ପାଇବା ସହିତ ବୈଶ୍ୱିକ ବଜାରରେ ପ୍ରଚାର ପ୍ରସାର ମାଧ୍ୟମରେ ବିକ୍ରୟ ପାଇଁ ମର୍ଯ୍ୟାଦାପୂର୍ଣ୍ଣ ସୁଯୋଗ ପାଇଥାଏ। ଏହି ଉତ୍ପାଦର ଯେକୌଣସି ପ୍ରକାର ନକଲ ପଞ୍ଜିକୃତ ଅଞ୍ଚଳ ବାହାରେ କୌଣସି ସ୍ଥାନରେ କୌଣସି ଉପାୟରେ କରାଗଲେ ତାହା ଆଇନତଃ ଅସିଦ୍ଧ ଘୋଷିତ ହୋଇଥାଏ ଏବଂ ନକଲକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ ରହିଥାଏ। ଏହା ସଂପୃକ୍ତ ଉତ୍ପାଦର ମୌଳିକତାକୁ ଆଇନତଃ ସୁରକ୍ଷା ଦେଇଥାଏ। ଉପରବର୍ଣ୍ଣିତ ସୂଚନା ସମ୍ବଳିତ ବିସ୍ତୃତ ଆବେଦନପତ୍ର ଚେନ୍ନଇସ୍ଥିତ ଜିଆଇ ରେଜିଷ୍ଟ୍ରି କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯିବା ପରେ କର୍ତ୍ତୃପକ୍ଷ ଏକ ମୁକ୍ତ ବିଜ୍ଞାପନ ଜାରି କରନ୍ତି। ସଂପୃକ୍ତ ଉତ୍ପାଦ ଉପରେ ଅନ୍ୟ କେହି ଦାବିଦାର ନଥିଲେ ସଂପୃକ୍ତ ଅଞ୍ଚଳରେ ଏକାଧିକ ସଭାର ଆୟୋଜନ କରାଯାଏ। ସେଥିରେ ସମସ୍ତ ଅନୁସୂଚିତ ଉପଭୋକ୍ତାମାନେ ଉପସ୍ଥିତ ରହି ବିଚାର-ବିମର୍ଶ ମାଧ୍ୟମରେ ଉପଯୁକ୍ତ ନାମକରଣ ଓ ସୂଚିତ ଅଞ୍ଚଳର ପରିସୀମା ଆଦି ନିର୍ଣ୍ଣୟ କରାଯାଏ ଏବଂ ଶେଷରେ ଏକ ବିଜ୍ଞପ୍ତି ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥାଏ। ଏହାର ଏକବର୍ଷ ମଧ୍ୟରେ ପୁନଶ୍ଚ ସମଗ୍ର ଅନୁସୂଚିତ ଅଞ୍ଚଳରୁ ସମସ୍ତ ସମ୍ଭାବ୍ୟ ଉପଭୋକ୍ତାଙ୍କୁ ଏଥିସହିତ ସଂଯୁକ୍ତ କରାଯାଇ ପଞ୍ଜୀକରଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥାଏ।

ଏ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରସ୍ତୁତ ପ୍ରାୟ ଷୋହଳ ଗୋଟି ସାମଗ୍ରୀ ଜିଆଇ ଅଧୀନରେ ପଞ୍ଜିକୃତ ହୋଇଛି। ଏଥିରେ କୋଟପାଡ଼ ଶାଢ଼ି, ନୂଆପାଟଣା ଖଣ୍ଡୁଆ, ବିଚିତ୍ରପୁରୀ ଶାଢ଼ି, ସୋନପୁର ବୋମକାଇ, ଗୋପାଳପୁର ଟସର, ବ୍ରହ୍ମପୁର ଫୋଡ଼କୁମ୍ଭ ଶାଢ଼ି, ଧଳାପଥର ପର୍ଦା, ଖୋର୍ଦ୍ଧା ଲୁଙ୍ଗି ଆଦି ରହିଅଛି। ବାନ୍ଧ ପ୍ରଣାଳୀରେ ବୁଣାଯାଇଥିବା ଶାଢ଼ି ପ୍ରସ୍ତୁତିର ପ୍ରକ୍ରିୟା ଦୃଷ୍ଟିରୁ ସେଗୁଡ଼ିକ ମଧ୍ୟ ହସ୍ତଶିଳ୍ପ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଛଡ଼ା କେଉଡ଼ା ଅତର, କନ୍ଧମାଳ ହଳଦି ବ୍ୟତୀତ ୨୦୧୯ରେ ଓଡ଼ିଶାର ପ୍ରସିଦ୍ଧ ରସଗୋଲା ପଶ୍ଚିମବଙ୍ଗ ସହିତ ବହୁ ବାଦ-ବିସମ୍ବାଦ ସତ୍ତ୍ବେ ପଞ୍ଜିକୃତ ହୋଇ ତାହାର ଦ୍ୱିତୀୟ ପର୍ଯ୍ୟାୟ କାମ ଉଦ୍ୟମୀମାନଙ୍କ ଦ୍ୱାରା ଆରମ୍ଭ କରାଯିବା ଆନନ୍ଦର କଥା। ସଂପ୍ରତି ତାଳପତ୍ର ଖୋଦେଇ ଚିତ୍ରଣ ଶିଳ୍ପକୁ ଜିଆଇ ଅଧୀନରେ ପଞ୍ଜିକୃତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ପ୍ରକାଶଯୋଗ୍ୟ ଯେ ଏହି ଲେଖକ ଦ୍ୱାରା ୨୦୧୭-୧୮ରେ ଏହି ଶିଳ୍ପର ପଞ୍ଜୀକରଣ ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ବସ୍ତ୍ର ମନ୍ତ୍ରଣାଳୟ ଅନ୍ତର୍ଗତ ବିକାଶ ଆୟୁକ୍ତ(ହସ୍ତଶିଳ୍ପ)ଙ୍କ ଏକ ଯୋଜନା ମାଧ୍ୟମରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିରେ ଭୁବନେଶ୍ୱର ଓ ବାଲିପାଟଣା ବ୍ଳକର କାକରୁଦ୍ରପୁରଠାରେ ଦୁଇଗୋଟି କର୍ମଶାଳା ଆୟୋଜିତ ହୋଇ କାରିଗରମାନଙ୍କୁ ପଞ୍ଜୀକରଣ ବାବଦରେ ସଚେତନ କରାଯିବା ସହିତ ଆବଶ୍ୟକୀୟ ଦସ୍ତାବିଜ ପ୍ରସ୍ତୁତ ହୋଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରାଯାଇଥିଲା।

ଓଡ଼ିଶାରେ ପଚାଶ ପ୍ରକାରର ହସ୍ତଶିଳ୍ପ ସରକାରୀ ଭାବେ ତାଲିକାଭୁକ୍ତ ହୋଇଛି। ସେଥିମଧ୍ୟରୁ ମାତ୍ର ତିନିଗୋଟି ପାରମ୍ପରିକ ଶିଳ୍ପ ଜିଆଇ ମାନ୍ୟତା ପାଇଅଛି। ଆହୁରି ଅନେକ ପ୍ରକାରର ହସ୍ତଶିଳ୍ପ ମୌଳିକତା ଦୃଷ୍ଟିରୁ ଏହି ମାନ୍ୟତା ପାଇବା ପାଇଁ ସମ୍ଭାବନା ରହିଛି, ଯଥା: ପୁରୀର ସୋଲ ଶିଳ୍ପ, ଶ୍ରୀମନ୍ଦିରରେ ବ୍ୟବହୃତ ମାଟି ପାତ୍ର ସମୂହ, ସୋନପୁରର ପୋଡ଼ାମାଟି କାମ, ବାଲିଆପାଳର କଳାତ୍ମକ ମସିଣା, ଆଦିବାସୀ ଗହଣା ଓ ଉପାଂଶ ସମୂହ ସଉରା ଆଦିବାସୀ ଚିତ୍ରକଳା ଇତ୍ୟାଦି। ସଉରା ଆଦିବାସୀ ଚିତ୍ରକଳା ପାଇଁ ଅଗ୍ରାଧିକାର ଭିତ୍ତିରେ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ। କାରଣ ମହାରାଷ୍ଟ୍ରର ଅନ୍ୟତମ ୱର୍ଲି ଚିତ୍ରକଳା ଏହାର ସମକକ୍ଷ ଏବଂ ପ୍ରଚାର ପ୍ରସାରରେ ଆମଠାରୁ ବହୁ ଆଗରେ ରହିଥିବାର ଜଣାଯାଏ। ଏହି ଦୁଇ ଚିତ୍ରକଳା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଥିବାରୁ ପଞ୍ଜୀକରଣ ଦ୍ୱାରା ଆମ ସଉରା ଚିତ୍ରକଳାର ମୌଳିକତା ବଜାୟ ରହି ପାରିବ।

ଓଡ଼ିଶାର ତିନିଗୋଟି ହସ୍ତଶିଳ୍ପ ପଞ୍ଜୀକରଣର ପ୍ରଥମ ପର୍ଯ୍ୟାୟ ପାରି ହୋଇଥିଲେ ହେଁ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ଏପର୍ଯ୍ୟନ୍ତ ମଧ୍ୟ ଆରମ୍ଭ ହୋଇନାହିଁ। ଏଥିପାଇଁ ତତ୍ତ୍ବାବଧାରକ ସଂସ୍ଥା ଦ୍ୱାରା କୌଣସି ଉଦ୍ୟମ ବା ଉତ୍ସାହ ରହିନଥିବା ଅତ୍ୟନ୍ତ ପରିତାପର ବିଷୟ। ପଞ୍ଜୀକରଣ ପରେ ସଚେତନତା କାର୍ଯ୍ୟକ୍ରମ, ପ୍ରତୀକ ବା ଲୋଗୋ ପ୍ରସ୍ତୁତି, ୱେବସାଇଟ ଗଠନ, ପ୍ରଚାର ଓ ପ୍ରସାର ଇତ୍ୟାଦି କୌଣସି କାର୍ଯ୍ୟ ହାତକୁ ନନେବା କାରଣରୁ ଉକ୍ତ ପଞ୍ଜୀକରଣର ସୁଫଳ ଭୋଗ କରିବାରୁ ଉପଭୋକ୍ତାମାନେ ବଞ୍ଚିତ ହେଉଛନ୍ତି। ସୂଚନାଯୋଗ୍ୟ ଯେ ପଞ୍ଜୀକରଣର କିଛିଦିନ ପରେ ନୂଆଦିଲ୍ଲୀର ଏକ ସ୍ୱେଚ୍ଛାସେବୀ ସଂସ୍ଥା ରଘୁରାଜପୁରଠାରେ ଏକ କର୍ମଶାଳାରେ କେବଳ ପଟ୍ଟଚିତ୍ର ପାଇଁ ଲୋଗୋ ପ୍ରସ୍ତୁତ କରିଥିଲା; ମାତ୍ର ସେହି ଲୋଗୋ କୌଣସି ଉପଭୋକ୍ତା ଦ୍ୱାରା ବ୍ୟବହାର ହେବା ଦେଖାଯାଏ ନାହିଁ। ପ୍ରତିଟି ପଞ୍ଜିକୃତ ଉତ୍ପାଦର ଗୋଟିଏ ଲେଖାଏଁ ପ୍ରତୀକ ବା ଲୋଗୋ ପ୍ରସ୍ତୁତ ହୋଇ ତାହା ଅଧିକୃତ ଉପଭୋକ୍ତାଙ୍କ ଦ୍ୱାରା ବ୍ୟବହାର ହେବା କଥା। ଉଦାହରଣ ସ୍ୱରୂପ ହସ୍ତତନ୍ତ ଓ ସିଲ୍କର ବସ୍ତ୍ରରେ ଯେଭଳି ବ୍ୟବହାର ହେଉଛି। ଏହାଦ୍ୱାରା ସଂପୃକ୍ତ ଉତ୍ପାଦ ଜିଆଇ ଅଧୀନରେ ପଞ୍ଜିକୃତ ବୋଲି ସହଜରେ ବୁଝି ହୋଇଥାଏ। ଆମ ପାଇଁ ସବୁ ସୁଯୋଗ ବାହ୍ୟ ସଂସ୍ଥାମାନେ ଆଣି ଆମ ହାତପାହାନ୍ତାରେ ପହଞ୍ଚାଇଦେବେ, ଏଭଳି ଯଦି ଚିନ୍ତାଧାରା ରହେ ତେବେ ତାହା ଅକ୍ଷମଣୀୟ। ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ଏଥି ନିମନ୍ତେ ସକ୍ରିୟ ପଦକ୍ଷେପ ନେବା ଉଚିତ୍। ନଚେତ ଏହି କଷ୍ଟଲବ୍ଧ ମାନ୍ୟତା ରାଜ୍ୟ ବା ସିଂହାସନ ବିନା ରାଜମୁକୁଟ ଭଳି ଆମେ କେବଳ ଧରି ବସି ନିଜକୁ ଗର୍ବିତ ଅନୁଭବ କରୁଥିବା ସିନା ତଜ୍ଜନିତ ହିତର ଅଧିକାରୀ କସ୍ମିନ୍ କାଳେ ହୋଇପାରିବା ନାହିଁ।

(ଦେବୀ ପ୍ରସନ୍ନ ନନ୍ଦ) ପୁରୀ, ମୋ : ୯୪୩୭୧୬୬୩୬୯

Comments are closed.