ବେଗହୀନ ପରୀକ୍ଷଣ ; ସରକାରୀ-ଘରୋଇ ସଂସ୍ଥା ମିଳିତ ଉଦ୍ୟମ କରନ୍ତୁ

ଭାରତରେ କୋଭିଡ୍‍ – ୧୯ ସଂକ୍ରମଣ ଯେଉଁ ହାରରେ ବଢ଼ିବାରେ ଲାଗିଛି ସେହି ଅନୁପାତରେ ତ୍ୱରିତ ନମୁନା ପରୀକ୍ଷା ପଦ୍ଧତିର ଆହ୍ୱାନ ବଢ଼ିଚାଲିଛି। ଏଥିସହିତ ପରୀକ୍ଷଣ କେନ୍ଦ୍ର ଉପରେ ଚାପ ମଧ୍ୟ ଅନୁରୂପ ବଢ଼ିଛି। ସରକାରଙ୍କ ସୂଚନା ଅନୁଯାୟୀ, ଇତିମଧ୍ୟରେ ପରୀକ୍ଷଣ ହାର ବଢ଼ିଥିବାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, କିନ୍ତୁ ବାସ୍ତବତା ଏହାଠାରୁ ଯେ ଭିନ୍ନ, ତାହା ସ୍ୱୀକାର କରିବାକୁ ପଡ଼ିବ। ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଦୈନିକ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି ତାହା ଯଦି ବାସ୍ତବରେ କାର୍ଯ୍ୟକାରୀ ହୁଅନ୍ତା, ତେବେ ସଂକ୍ରମଣ ପରିସଂଖ୍ୟାନ ଭିନ୍ନ ହୋଇଥା’ନ୍ତା। ମହାମାରୀ ସଂକ୍ରମଣ ମୁକାବିଲା ପାଇଁ ଦକ୍ଷିଣ କୋରିଆ କିମ୍ବା ସିଙ୍ଗାପୁର ଶୈଳୀରେ ଭାରତରେ ଗଣ-ପରୀକ୍ଷଣ ସମ୍ପର୍କରେ ଆଲୋଚନା ହେଉଛି। ପରୀକ୍ଷଣ ହାରର ମନ୍ଥରତା ଯୋଗୁଁ ସରକାରଙ୍କ ବିରୋଧରେ ଅଭିଯୋଗ ମଧ୍ୟ ଆସୁଛି। ତେଣୁ ପରୀକ୍ଷଣ ହାରର ବେଗ ବଢ଼ାଇବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରମାନଙ୍କୁ ବାରମ୍ବାର ରଣନୀତି ପରିବର୍ତ୍ତନ କରିବାକୁ ପଡ଼ୁଛି, କିନ୍ତୁ ଦେଶର ସ୍ଥିତି ଯାହା ସେଥିରେ କେବଳ କେନ୍ଦ୍ର କିମ୍ବା ରାଜ୍ୟ ସରକାରମାନଙ୍କୁ ଦୋଷ ଦେଲେ ହେବ ନାହିଁ। ଭାରତରେ ମନ୍ଥର ନମୁନା ପରୀକ୍ଷଣ ପାଇଁ ଜନସାଂଖ୍ୟିକ ଓ ଭିତ୍ତିଭୂମି ସମସ୍ୟା ସମେତ ଅନେକ କାରଣ ଦାୟୀ।
୧୩୦ କୋଟିରୁ ଊର୍ଦ୍ଧ୍ବ ଜନସଂଖ୍ୟାର ଦେଶ ଭାରତରେ ସିଙ୍ଗାପୁର କିମ୍ବା ଦକ୍ଷିଣ କୋରିଆ ଭଳି ସଘନ ପରୀକ୍ଷଣ କରିବା ସମ୍ଭବ ନୁହେଁ। ମନ୍ଥର ନମୁନା ପରୀକ୍ଷଣର ଦ୍ୱିତୀୟ ତଥା ମୁଖ୍ୟ କାରକ ହେଉଛି ପରୀକ୍ଷଣ କେନ୍ଦ୍ର ଓ ଭିତ୍ତିଭୂମିର ଘୋର ଅଭାବ। ଦେଶରେ ୭୨୩ ସରକାରୀ ଓ ୧୯୫ଟି ବେସରକାରୀ ଲାବ୍‍ ବା ପରୀକ୍ଷଣ କେନ୍ଦ୍ରକୁ କୋଭିଡ୍‍ – ୧୯ ନମୁନା ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଏହି ପରୀକ୍ଷଣ ମୁଖ୍ୟତଃ ତିନି ପ୍ରକାରର। ଟ୍ରୁନାଟ୍‍, ସିବିନାଟ୍‍(ଜେନ୍‍ଏକ୍ସପର୍ଟ) ଓ ଆରଟି ପିସିଆର। ଏଥିମଧ୍ୟରୁ କେବଳ ଆରଟି ପିସିଆର ପଦ୍ଧତି ହିଁ ପରୀକ୍ଷଣ ସମୟ ଓ ମୂଲ୍ୟ ଅନ୍ୟ ଦୁଇ ପଦ୍ଧତି ତୁଳନାରେ ସର୍ବନିମ୍ନ ଥିବାରୁ ଭାରତରେ ସର୍ବାଧିକ ଅନୁସୃତ କରାଯାଉଛି। ଘରୋଇ ଲାବ୍‍ରେ ଆରଟି ପିସିଆର ଟେଷ୍ଟ ପାଇଁ ସର୍ବଭାରତୀୟ ସ୍ତରରେ ସର୍ବନିମ୍ନ ମୂଲ୍ୟ ଧାର୍ଯ୍ୟ କରାଯାଇଛି ପରୀକ୍ଷଣ ପିଛା ୪,୫୦୦ ଟଙ୍କା, କିନ୍ତୁ ବର୍ତ୍ତମାନ କେନ୍ଦ୍ର ଓ ବିଭିନ୍ନ ରାଜ୍ୟସରକାର ଘରୋଇ ଲାବ୍‍ରେ ଆରଟି ପିସିଆର ପରୀକ୍ଷଣ ପାଇଁ ଯେଉଁ ମୂଲ୍ୟ ଧାର୍ଯ୍ୟ କରିଛନ୍ତି ସେଥିରେ ପରୀକ୍ଷଣର ଗୁଣାତ୍ମକ ମାନ ଓ ଫଳାଫଳର ସଠିକତା ଶତ ପ୍ରତିଶତ ସନ୍ଦେହମୁକ୍ତ ବୋଲି କହିହେବ ନାହିଁ। ତେଣୁ ଅନେକ ସମୟରେ ନମୁନା ପରୀକ୍ଷଣ ଫଳାଫଳରେ ତଫାତ୍‍ ରହୁଥିବା ଅଭିଯୋଗମାନ ଆସୁଛି। ସବୁ ସରକାରୀ ଲାବ୍‍ ମଧ୍ୟ ଭିତ୍ତିଭୂମି ଓ ଜ୍ଞାନକୌଶଳ ଦୃଷ୍ଟିରୁ ଉନ୍ନତ ନଥିବାରୁ ସେମାନଙ୍କୁ ସରକାରୀ ସହାୟତା ମିଳୁଛି। ଅପରପକ୍ଷରେ ଘରୋଇ ଲାବ୍‍ ଉପରେ ଚାପ ବଢ଼ିବା ସହିତ ଆନୁଷଙ୍ଗିକ ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଛି। ଏଥିସହିତ ନମୁନା ସଂଗ୍ରହ, ପରୀକ୍ଷା, ରିପୋର୍ଟ ପ୍ରସ୍ତୁତି ପାଇଁ ଆବଶ୍ୟକ ବୈଷୟିକ ଜ୍ଞାନସମ୍ପନ୍ନ କର୍ମଚାରୀ ଓ ଉପକରଣର ଘୋର ଅଭାବ ରହିଛି। ହଠାତ୍‍ ଆବଶ୍ୟକ ମୁତାବକ କର୍ମଚାରୀ ମନୋନୟନ କରି ସେମାନଙ୍କୁ ତାଲିମ ଦେଇ ନିଯୁକ୍ତି ଦେବା ଏକପ୍ରକାର ଅସମ୍ଭବ ବ୍ୟାପାର। ତେଣୁ ଘରୋଇ ଲାବ୍‍ଗୁଡ଼ିକରେ ଦୈନିକ ହାରାହାରି ୧୦୦ଟି ନମୁନା ପରୀକ୍ଷାରୁ ଅଧିକ ସମ୍ଭବ ହୋଇପାରୁନାହିଁ। ଏଭଳି ପରିସ୍ଥିତିରେ ପରୀକ୍ଷଣ ଓ ଚିକିତ୍ସାର ସ୍ଥିତି ଓ ଗତିକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
କୋଭିଡ୍‍ – ୧୯ ନମୁନା ପରୀକ୍ଷଣକୁ ତ୍ୱରାନ୍ୱିତ କରି ସଂକ୍ରମଣ ରୋକିବାକୁ ହେଲେ ସରକାରଙ୍କୁ ଏକ ଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ସବୁବେଳେ ଜନସ୍ୱାସ୍ଥ୍ୟ ପ୍ରସଙ୍ଗ ରାଜ୍ୟ ସରକାରମାନଙ୍କ ଅଧୀନରେ ଓ ନୀତିନିୟମ ଅନୁଯାୟୀ ପରିଚାଳିତ ହୋଇ ଆସୁଛି। ସ୍ୱାସ୍ଥ୍ୟ ସେବାର ସିଂହଭାଗ ଖର୍ଚ୍ଚ ମଧ୍ୟ ରାଜ୍ୟ ବଜେଟ୍‍ ବହନ କରୁଛି। ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କିନ୍ତୁ ଏହା ଯେ ଯଥେଷ୍ଟ ନୁହେଁ, କୋଭିଡ୍‍ ମହାମାରୀ ସେହି ସଙ୍କେତ ଦେଇଛି। କୋଭିଡ୍‍ ୧୯ ମହାମାରୀ ଭଳି ଜରୁରୀକାଳୀନ ସ୍ଥିତିରେ ଗତାନୁଗତିକ ସ୍ୱାସ୍ଥ୍ୟ ସେବା ଯୋଜନା ଓ ଚିନ୍ତାଧାରାକୁ ପରିହାର କରି ସମୟୋପଯୋଗୀ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଘରୋଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ସାଙ୍ଗରେ ନେଇ ରଣନୀତି ପ୍ରସ୍ତୁତ କଲେ ମହାମାରୀ ମୁକାବିଲା ଆହ୍ୱାନକୁ ସହଜରେ ସାମ୍ନା କରିହେବ। ଘରୋଇ ସ୍ୱାସ୍ଥ୍ୟ ସେବା ଗରିବ ବା ସାଧାରଣ ଜନତାର ସବୁବେଳେ ଏକ ସ୍ୱପ୍ନ ହୋଇ ଆସିଛି। ତେଣୁ ସାମ୍ପ୍ରତିକ ସଙ୍କଟ ସମୟରେ ଘରୋଇ କ୍ଷେତ୍ରରୁ ପ୍ରକୃତ ସେବା ପରାୟଣତା ଆଶା କରାଯାଏ। ଆର୍ଥିକ ସ୍ୱଚ୍ଛଳତା ଓ ବିପୁଳ ପୁଞ୍ଜି ଦୃଷ୍ଟିରୁ ଦେଶର ଘରୋଇ ଡାକ୍ତରଖାନା/ନର୍ସିଂହୋମ୍‍ଗୁଡ଼ିକ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ତୁଳନାରେ ବହୁ ଉଚ୍ଚରେ। ଏ ପର୍ଯ୍ୟନ୍ତ ସେମାନେ ସ୍ୱାସ୍ଥ୍ୟ ସେବାରୁ ଅର୍ଜନ କରିଥିବା ବିପୁଳ ଲାଭାଂଶର କିଛି ଅଂଶ ବର୍ତ୍ତମାନର ଜରୁରୀକାଳୀନ ସମୟରେ ଦେଶସେବା ପାଇଁ ସମର୍ପଣ କରିବା ଉଚିତ ହେବ। ଏଥିପାଇଁ ପରୀକ୍ଷଣ ପ୍ରକ୍ରିୟା ତ୍ୱରାନ୍ୱିତ ପଦକ୍ଷେପ ହିଁ ଉପଯୁକ୍ତ ସମୟ ଓ ସୁଯୋଗ। ଦାତବ୍ୟ ଅନୁଷ୍ଠାନ, କର୍ପୋରେଟ୍‍ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟ ଏ ଦିଗରେ ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କ ସହିତ ପ୍ରତ୍ୟକ୍ଷ ଭାବେ କାମ କରିବା ପାଇଁ ଆଗେଇ ଆସିବା ଉଚିତ। ସର୍ବୋପରି ସରକାର ଘରୋଇ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ସହାୟତାର ହାତ ବଢ଼ାଇଲେ ଏହି ଆହ୍ୱାନର ମୁକାବିଲା ସହଜ ହୋଇପାରିବ। ଏଥିପାଇଁ ପ୍ରଥମେ ଉଭୟ ପକ୍ଷ ପରସ୍ପରକୁ ବିଶ୍ୱାସକୁ ନେବାକୁ ହେବ।
ବର୍ତ୍ତମାନର ସମୟ ଅଧିକ ଆଲୋଚନା-ପର୍ଯ୍ୟାଲୋଚନା କିମ୍ବା ମାନସ ମନ୍ଥନର ସମୟ ନୁହେଁ। କୋଭିଡ୍‍ – ୧୯ ରୂପ କ୍ରମଶଃ ଭୟାନକ ହେଉଛି। ହୁଏତ ବିଶେଷଜ୍ଞଙ୍କ ଅନୁମାନଠାରୁ ଆହୁରି ଶୀଘ୍ର ସେ ତାର କରାଳ ରୂପ ଧରି ଆମ ସାମ୍ନାକୁ ଆସିପାରେ। ଆମ ହାତରେ ସମୟ ସରିସରି ଯାଉଛି। ତେଣୁ ଅଯଥା ସମୟ ନଷ୍ଟ ନ କରି ଯୁଦ୍ଧକ୍ଷେତ୍ରର କମାଣ୍ଡରଙ୍କ ଭଳି ତ୍ୱରିତ ନିଷ୍ପତ୍ତି ଆମ ଶାସକବର୍ଗ, ଉପଦେଷ୍ଟା ଓ ନୀତି ନିର୍ଦ୍ଧାରକମାନେ ନେବା ଆବଶ୍ୟକ।