MEllora 950×100

ଅଲୋଡ଼ା ଅଗ୍ରଣୀ

ଜନସଂଖ୍ୟାରେ ଚୀନକୁ ଅତିକ୍ରମ କରିବା ଯେତେ ବଡ଼କଥା ନୁହେଁ ,ସମର୍ଥବାନ ଯୁବବର୍ଗ ଙ୍କୁ ଗଢ଼ିବାରେ ଯେ ଆମେ ପଛୁଆ ସ୍ବୀକାର କରିବାକୁ ହେବ

ବିଶ୍ବ ଜନସଂଖ୍ୟା ଦୃଷ୍ଟିରୁ ଚୀନ ଓ ଭାରତ ଆଗପଛ ହୋଇ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହି ଆସିଛନ୍ତି। ଅନିୟନ୍ତ୍ରିତ ଜନସଂଖ୍ୟା ବୃଦ୍ଧି ଭାରତ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଚୀନରେ ହ୍ରାସ ଘଟୁଥିବାରୁ ତାହାର ସମ୍ଭାବ୍ୟ ପ୍ରଭାବ ରାଷ୍ଟ୍ରର ଆର୍ଥିକ ପ୍ରଗତିରେ ବାଧକ ହେବ ବୋଲି ଅନେକ ଆକଳନ କଲେଣି। ତେଣୁ ଜନ୍ମହାର ବଢ଼ାଇବା ସକାଶେ ସରକାରୀ ପ୍ରୋତ୍ସାହନ ଘୋଷଣା କରାଯାଇଛି। ପରିସ୍ଥିତି ଏପରି ହୋଇଛି ଚୀନରେ ଜନ୍ମ ଅପେକ୍ଷା ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୨୦୨୨ର ପରିସଂଖ୍ୟାନ କହେ ଯେ ଚୀନରେ ୯୫.୬ ଲକ୍ଷ ଜନ୍ମଗ୍ରହଣ କରିଥିବାବେଳେ ମରିଥିଲେ ୧୦୪.୧ ଲକ୍ଷ। ଏହି ବର୍ଷ ଜନସଂଖ୍ୟା ୮ ଲକ୍ଷ ୫୦ ହଜାର ହ୍ରାସ ପାଇ ୧୪୧ କୋଟିରେ ପହଞ୍ଚିଛି। ଆମେ ଏଠାରେ ଏତିକି କହିପାରିବା ଯେ ଜନ୍ମହାର ହ୍ରାସ ଓ ବର୍ଦ୍ଧିତ ମୃତ୍ୟୁହାର ଯୋଗଁୁ ଚୀନ ଏହି ବିରଳ ରେକର୍ଡ ହାସଲ କରିବାକୁ ସମର୍ଥ ହୋଇଛି। ଉଲ୍ଲେଖଯୋଗ୍ୟ କି ଚିକିତ୍ସା ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ବାସ୍ଥ୍ୟସେବା ଜନସମୁଦାୟର ନିକଟବର୍ତ୍ତୀ ହୋଇଥିବାରୁ ବିଶ୍ବର ବିକଶିତ ଓ ବିକାଶଶୀଳ ରାଷ୍ଟ୍ରରେ ମୃତ୍ୟୁହାର କ୍ରମାଗତଭାବେ ହ୍ରାସ ପାଇଛି। ତେଣୁ ବୟସ୍କଙ୍କ ସଂଖ୍ୟା ଅଧିକାଂଶ ରାଷ୍ଟ୍ରରେ ଆଖିଦୃଶିଆ ହୋଇଛି। ଆମ ଦେଶ ଭାରତରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଉଥିବାବେଳେ ସେହି ଅନୁପାତରେ ଜନ୍ମହାର ନିୟନ୍ତ୍ରିତ ହୋଇପାରୁନଥିବାରୁ ଜନ୍ମସଂଖ୍ୟା ବୃଦ୍ଧି ପାଉଛି। ଅବଶ୍ୟ ଏ କଥା ସତ ଯେ କ୍ରମେ ସଚେତନତା ବୃଦ୍ଧି ପାଉଥିବାରୁ ଜନ୍ମହାର କିଛିଟା ହ୍ରାସ ପାଇଛି। ଏସବୁ ସତ୍ତ୍ବେ ଜନସଂଖ୍ୟାରେ ଆମେ ଚୀନକୁ ଚଳିତବର୍ଷ ହିଁ ଅତିକ୍ରମ କରିଯିବା। ସମଗ୍ର ବିଶ୍ବରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଏକନମ୍ବର ହେବ।
ମିଳିତ ଜାତିସଂଘର ପରିସଂଖ୍ୟାନ ଅନୁଯାୟୀ ଭାରତ ଆଜି ସୁଦ୍ଧା ୧୪୧ କୋଟି ୪୪ ଲକ୍ଷ ୯୬ ହଜାର ୬୯ ଜନସଂଖ୍ୟାରେ ପହଞ୍ଚିଲାଣି। ଏଠାରେ ଚୀନ ଜାତୀୟ ପରିସଂଖ୍ୟାନ ବ୍ୟୁରୋ ଯେଉଁ ତଥ୍ୟ ପ୍ରଦାନ କରିଛି ସେଥିରେ ଦେଶର ଜନସଂଖ୍ୟା ୨୦୨୧ରେ ୧୪୧ କୋଟି ୨୬ ଲକ୍ଷ ଥିବାବେଳେ ୨୦୨୨ରେ ୧୪୧ କୋଟି ୧୮ ଲକ୍ଷକୁ ହ୍ରାସପାଇଛି। ଏଥିରୁ ସ୍ପଷ୍ଟ ଯେ ଆମେ ଏଥିମଧ୍ୟରେ ଜନସଂଖ୍ୟାରେ ଚୀନକୁ ଅତିକ୍ରମ କରିସାରିଲୁଣି। ଚୀନର ସରକାରୀ ତଥ୍ୟ ଯାହା କହୁନା କାହିଁକି, କୋଭିଡ୍‌ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥିବାରୁ ତାହା ଜନ୍ମହାର ତୁଳନାରେ ଅଧିକ ହୋଇଛି। ତଥ୍ୟ କହେ ଯେ ୨୦୨୧ରେ ପ୍ରତି ୧୦୦୦ ଲୋକରେ ମୃତ୍ୟୁ ସଂଖ୍ୟା ୭.୩୭ ଥିବାବେଳେ ଗତବର୍ଷ ଏହା ୭.୧୮ ହୋଇଛି। କୋଭିଡ୍‌ ଅତିମାରୀର ବିପର୍ଯ୍ୟୟ କେବଳ ଅର୍ଥନୀତିକୁ ପ୍ରଭାବିତ କରିନାହିଁ, ହିସାବ ବହିର୍ଭୂତ ବହୁସଂଖ୍ୟକ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟାଇଛି। ଏହା ସତ୍ତ୍ବେ ଭାରତର ଜନସଂଖ୍ୟା ୧୪୧ କୋଟି ଅତିକ୍ରମ କରିବା ଆମ ପାଇଁ ନିଶ୍ଚୟ ଏକ ନକାରାତ୍ମକ ପରିସଂଖ୍ୟାନ। ଏ କଥା ସ୍ବୀକାର୍ଯ୍ୟ ଯେ ଅନିୟନ୍ତ୍ରିତ ଜନସଂଖ୍ୟା ଯେ କୌଣସି ରାଷ୍ଟ୍ରର ପ୍ରଗତିରେ ବାଧକ। ଯୋଜନାର ଜନ କଲ୍ୟାଣକାରୀ ଆଭିମୁଖ୍ୟକୁ ଦିଗଭ୍ରଷ୍ଟ କରିବାରେ ତାହା ହିଁ ଅନ୍ୟତମ ମୁଖ୍ୟ କାରଣ। ଏହି ଦିଗ ପ୍ରତି ସଚେତନ ହୋଇ ଚୀନ ୧୯୮୦ରୁ ପରିବାର ପିଛା ଏକକ ସନ୍ତାନ ନୀତିକୁ କାର୍ଯ୍ୟକାରୀ କରିଥିଲା। ସେତେବେଳେ ଥିବା ୯୮ କୋଟି ଜନସଂଖ୍ୟା ଯେଉଁ ହାରରେ ବଢୁଥିଲା ତାହା ଯୋଜନା ପ୍ରଣୟନକାରୀଙ୍କ ପାଇଁ ଚିନ୍ତା ଓ ଉଦ୍‌ବେଗର କାରଣ ହୋଇପଡ଼ିଥିଲା। ତାହା ପାଇଁ ଯେ ବିପରୀତ ଧର୍ମୀ ଦୃଶ୍ୟପଟର ସମ୍ମୁଖୀନ ହେବାକୁ ପଡ଼ିବ ଏ କଥା କେହି ଚିନ୍ତା କରିନଥିଲେ। ପରିସ୍ଥିତି ଏପରି ହେଲା ଯେ କ୍ରମେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଲା। ଏମାନେ ରାଷ୍ଟ୍ରର ପ୍ରଗତିରେ ଯେଉଁ ମାନବ ସମ୍ବଳ ଆବଶ୍ୟକ ତାହା ତ ଭରଣା କରିପାରିବେନି ବରଂ ଅନେକ ସମୟରେ ବୋଝ ହୋଇପଡ଼ିବେ। ସେ ଦୃଷ୍ଟିରୁ ଭାରତୀୟ ସଂସ୍କୃତି କିନ୍ତୁ ଭିନ୍ନ। ଅଭିଜ୍ଞତା ପ୍ରସୂତ ବୟସ୍କଙ୍କ ସୁଚିନ୍ତିତ ପରାମର୍ଶ ଓ ଯୁବବର୍ଗଙ୍କୁ ସୁଚିନ୍ତିତ ସହାୟତାର ମାର୍ଗଦର୍ଶନ ବଳିଷ୍ଠ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ସେ ଯାହା ହେଉ ଏହା ଏକ ଭିନ୍ନ ଚିନ୍ତନ ଓ ଭାବଧାରା।
ଆମ ଦେଶରେ ପରିବାର ନିୟନ୍ତ୍ରଣ ବା କଲ୍ୟାଣ ଯୋଜନା ଦିଗହରା ହୋଇଥିଲେ ହେଁ ଶିକ୍ଷିତ ଯୁବବର୍ଗ ଏ ଦିଗରେ ଆ​‌େ​‌ପ ଆପେ ସଚେତନ ହୋଇଛନ୍ତି। ଆଜିକାଲି ସାମାଜିକ ବ୍ୟବସ୍ଥାରେ ଏକକ ସନ୍ତାନ ନୀତିକୁ ଅନେକେ ଆଦରି ନେଲେଣି। ସମୟ ଥିଲା, ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ, ପାରିବାରିକ ଆବଶ୍ୟକତା ଦୃଷ୍ଟିରୁ ପୁତ୍ର ସନ୍ତାନର ଅପରିହାର୍ଯ୍ୟତା କ୍ରମେ ଜନମାନସରୁ ଦୂରେଇଗଲାଣି। ଝିଅ ଯେ ପୁଅଙ୍କଠାରୁ କିଛି କମ୍‌ ନୁହେଁ ତାହା ଆଜି ଯୁବଦମ୍ପତି ଅନୁଭବ କଲେଣି। ତେଣୁ ପୁଅ ଝିଅ ନିର୍ବିଶେଷରେ ଗୋଟିଏ ସନ୍ତାନକୁ ସେମାନେ ଆଦରି ନେଉଛନ୍ତି। ଏହି ଧାରା କେବଳ ଶିକ୍ଷିତ ଓ ପାରଦର୍ଶୀ ବର୍ଗରେ ଅନୁଭୂତ ହେଉଛି। କାରଣ ଆଜିର ଦୁନିଆରେ ବ୍ୟୟବହୁଳ ଶିକ୍ଷା ଓ ସୁଯୋଗ ନିଜ ପିଲାଙ୍କୁ ସାମର୍ଥ୍ୟ ଅନୁଯାୟୀ ଯୋଗାଇବା ବେଶ୍‌ କଷ୍ଟକର। ତେଣୁ ଏଠାରେ ଆମ କହିବା କଥା ହେଲା ଦେଶର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ବିକଶିତ ହେଲେ ସରକାରଙ୍କୁ ଜନ୍ମ ନିୟନ୍ତ୍ରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ନାହିଁ; ତାହା ଆପେ ଆପେ ସୁଧୁରିଯିବ। ସରକାରଙ୍କ ବାର୍ଷିକ ଯୋଜନା ବା ବଜେଟ୍‌ ବ୍ୟବସ୍ଥାରେ ଏହି ଦୁଇଟି ମୌଳିକ ଆବଶ୍ୟକତା ପୂରଣ ପାଇଁ ଏ ପର୍ଯ୍ୟନ୍ତ ବରାଦ ସେଭଳି ଆଖିଦୃଶିଆ ହୋଇପାରି ନାହିଁ। ତୃଣମୂଳସ୍ତରରୁ ପିଲାଙ୍କୁ ଦେଶର ଭବିଷ୍ୟତକୁ ଆଖିରେ ରଖି ଗଢ଼ିବା ପ୍ରୟାସର ନିଅଁ ଏତେ ଦୁର୍ବଳ ଯେ ତାହା ଉପରେ ରାଷ୍ଟ୍ରଗଠନର ବିଶାଳ ଦାୟିତ୍ବ ଲଦିଦେବା ସମ୍ଭବ ନୁହେଁ। ଦେଶର ଜନସଂଖ୍ୟା ଅନୁପାତ ଦୃଷ୍ଟିରୁ ଯୁବକଙ୍କ ସଂଖ୍ୟା ଅଧିକ ହୋଇଥିଲେ ହେଁ ସେମାନଙ୍କୁ ସମୟର ଆବଶ୍ୟକତାକୁ ଚାହଁି ଆମେ ଗଢ଼ିପାରିନଥିବାରୁ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସାମାଜିକ ଓ ରାଷ୍ଟ୍ରୀୟ ଦାୟିତ୍ବ ତୁଲାଇବାରେ ସେମାନଙ୍କ ଅସାମର୍ଥ୍ୟ ବାରି ହୋଇପଡୁଛି। ତାହା ରାଷ୍ଟ୍ରନୀତି, ରାଜନୀତି ଓ ସାମାଜିକ ନୀତିକୁ ପ୍ରଭାବିତ କରୁଥିବାର ଆମେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନୁଭବ କରୁଛେ। ଏଭଳି ସ୍ଥିତିରେ ଜନଗଣନା ବା ଜନସୁମାରିକୁ ସରକାର ଘୁଞ୍ଚାଇ ଚାଲିଥିଲେ ମଧ୍ୟ ଏଥିନେଇ ପ୍ରତିକ୍ରିୟା ଶୂନ୍ୟତାରୁ ଜଣାପଡୁଛି ଆମ ସଚେତନତା।

Comments are closed.