MEllora 950×100

ବିବାଦର ସୀମା

ଗୁଳିକାଣ୍ଡ ଯେପରି ଆସାମ ଓ ମେଘାଳୟ ମଧ୍ୟରେ ଜାରି ରହିଥିବା ସୀମା ସମାଧାନ ଆଲୋଚନାକୁ ପ୍ରଭାବିତ ନକରେ, ସେଥିପ୍ରତି ଯତ୍ନବାନ ହେବା ଉଚିତ

ନିଜକୁ ଅନ୍ୟଠୁ ଅଲଗା କରି ରଖିବାର ଆବଶ୍ୟକତାରୁ ‘ସୀମା’ର ସୃଷ୍ଟି। କ୍ଷମତାସୀନଙ୍କ କର୍ତ୍ତୃତ୍ବ ସାଧନ ପାଇଁ ମଧ୍ୟ ଏହା ଲୋଡ଼ା। ତେଣୁ ସୀମା ଥିଲେ ବିବାଦ, କନ୍ଦଳ ହେବା ଅସ୍ବାଭାବିକ ନୁହେଁ। ସୀମା ଚିହ୍ନଟ ମାତ୍ରେ ହିଁ ବିବାଦର ମଞ୍ଜି ପୋତିବା, ଏହା ବୁଝିବା ଦରକାର। ସେହି କାରଣରୁ କେବଳ ଘର, ଗ୍ରାମ ବା ରାଜ୍ୟ ନୁହେଁ, ଦେଶଦେଶ ମଧ୍ୟରେ ବି ସୀମା ବିବାଦ ଯୁଗଯୁଗର। ଏବେ ଆସାମ ଓ ମେଘାଳୟ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ପୁୁରୁଣା ସୀମା ବିବାଦ ପୁଣି ଥରେ ମୁଣ୍ଡ ଟେକିବାର ଆଶଙ୍କା ଦେଖାଦେଇଛି। ଏହାର କାରଣ ଗତ ମଙ୍ଗଳବାର ଏହି ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ କର୍ବି ଆଙ୍ଗ୍‌ଲଙ୍ଗ୍‌ ଜିଲାର ପଶ୍ଚିମ ଜାଇଁତିଆ ବନାଞ୍ଚଳରେ ପାଞ୍ଚ ଜଣ ଆଦିବାସୀଙ୍କୁ ଆସାମ ପୁଲିସ ଗୁଳିକରି ହତ୍ୟା କରିଥିଲା। ଏଥିରେ ଆସାମର ଜଣେ ବନରକ୍ଷୀ ମଧ୍ୟ ନିହତ ହୋଇଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କାଠଚୋରି ଘଟନାକୁ ନେଇ କେତେକ ଲୋକ ଓ ଆସାମ ପୁଲିସ ମଧ୍ୟରେ ସଂଘର୍ଷ ସମୟରେ ଆସାମ ପୁଲିସ ଗୁଳି ଚଳାଇଥିଲା। ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ଼ ସାଙ୍ଗମା ଗୁଳି ଚଳାଇବା ଭଳି ପରିସ୍ଥିତି ନଥିଲେ ମଧ୍ୟ ଆସାମ ପୁଲିସ ଗୁଳି ଚଳାଇଥିବା ଅଭିଯୋଗ କରିବା ସହ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ତଦନ୍ତ ଦାବି କରିଥିଲେ। ମେଘାଳୟ ସରକାର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଢ଼ିବା ସହ ନ୍ୟାୟିକ ଆୟୋଗ ଗଠନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମା କହିଛନ୍ତି। ଅନ୍ୟପକ୍ଷରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମଧ୍ୟ ବୁଧବାର ମାନିଛନ୍ତି ଯେ ପୁଲିସ ନିଜକୁ ନିୟନ୍ତ୍ରଣରେ ରଖିବା ଉଚିତ ହୋଇଥାନ୍ତା। ଶ୍ରୀ ଶର୍ମା ସୀମାରେ ସତର୍କତା ରକ୍ଷା କରିବାକୁ ନିର୍ଦେଶ ଦେଇଛନ୍ତି। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଆସାମ ଓ ମେଘାଳୟ ମଧ୍ୟରେ ଚାଲିଆସିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ରାଜ୍ୟ ଆଲୋଚନା ଜାରି ରଖିବାକୁ ରାଜି ହେବାର ଆଠ ମାସ ନ ପୂରୁଣୁ ଘଟିଥିବା ଏହି ଘଟନା ଯେପରି ପୁନର୍ବାର ସୀମାରେ ଶାନ୍ତିଭଙ୍ଗର କାରଣ ନହୁଏ, ସେଥିପ୍ରତି ଉଭୟ ରାଜ୍ୟର ସରକାର ଯତ୍ନବାନ ହେବା ଉଚିତ।
ନିକଟ ଅତୀତରେ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା କୁହାଯାଇ ‘ଏନ୍‌କାଉଣ୍ଟର’ କରି ବହୁ ଲୋକଙ୍କୁ ଅକାରଣରେ ହତ୍ୟା କରାଯାଉଥିବା ଅଭିଯୋଗ ଆସାମ ପୁଲିସ ବିରୋଧରେ ଆସିଥିଲା। ଏହା ପଛରେ ରାଜ୍ୟ ସରକାରଙ୍କ ଅଭୟ ହସ୍ତ ରହିଥିବା କୁହାଯାଇଥିଲା। ଏଥିରେ ସନ୍ଦେହ ନାହିଁ ଯେ ଏନ୍‌କାଉଣ୍ଟର କରାଯାଇଥିବା ଲୋକଙ୍କ ମଧ୍ୟରେ କେତେକ ଅାଇନ ଶୃଙ୍ଖଳା ଭଙ୍ଗକାରୀ, ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଆଦି ରହିଥିବେ; କିନ୍ତୁ ଏନ୍‌କାଉଣ୍ଟର ନାଁରେ ଯେଉଁପରି ଅଧିକ ସଂଖ୍ୟକ ଲୋକଙ୍କୁ ସୁରକ୍ଷା କର୍ମୀ ହତ୍ୟା କରିଛନ୍ତି, ସେ ନେଇ ପ୍ରଶ୍ନ ଉଠିବା ଅସ୍ବାଭାବିକ ନୁହେଁ। ଏବେ ଗୌହାଟି ଉଚ୍ଚ ନ୍ୟାୟାଳୟରେ ଏନ୍‌କାଉଣ୍ଟର ହତ୍ୟା ସମ୍ପର୍କରେ ଏକ ଜନସ୍ବାର୍ଥ ମାମଲା ବିଚାରାଧୀନ ରହିଛି। ଆସାମ ସରକାର ଗତ ଜୁଲାଇ ମାସରେ ଅଦାଲତରେ ଦାଖଲ କରିଥିବା ଏକ ସତ୍ୟପାଠ ଅନୁସାରେ, ମେ ୨୦୨୧ରୁ ଜୁନ ୨୦୨୨ ମଧ୍ୟରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ୫୧ ଜଣ ନିହତ ହୋଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି କାରଣରୁ ସୁରକ୍ଷା ବଳ କରୁଥିବା ‘ଏନ୍‌କାଉଣ୍ଟର୍‌’ ହତ୍ୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ଅବଶ୍ୟ ସବୁବେଳେ ସଫେଇ ଦେଉଛନ୍ତି ଯେ ପୁଲିସ ତା’ର ସୀମା ଲଙ୍ଘନ କରିନାହିଁ। କେବଳ ଆସାମରେ ନୁହେଁ, ଉତ୍ତରପ୍ରଦେଶରେ ମଧ୍ୟ ପୁଲିସ ‘ଏନ୍‌କାଉଣ୍ଟର’ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠିଆସିଛି। ତେବେ ପୁଲିସ ବିରୋଧରେ ସ୍ବର ଉତ୍ତୋଳନ କରିବା ବା ସ୍ବର ଉତ୍ତୋଳନ ହେଲେ ମଧ୍ୟ ସତ୍ୟକୁ ପଦାକୁ ଆଣିବା ସହଜ କଥା ହୋଇନଥିବାରୁ ଏହି ବେଆଇନ ପ୍ରକ୍ରିୟାକୁ ବନ୍ଦ କରିବା ଅଦାଲତ ପକ୍ଷେ ମଧ୍ୟ ସହଜସାଧ୍ୟ ବୋଲି ମନେହେଉ ନାହିଁ।
ସୂଚନାଯୋଗ୍ୟ, ୧୯୭୨ ମସିହାରେ ଆସାମରୁ ମେଘାଳୟ ଅଲଗା ହୋଇ ଏକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ହାସଲ କରିଥିଲା। ତେବେ ଯେଉଁ ଆଇନ ବଳରେ ଏହା ସମ୍ଭବ ହୋଇଥିଲା, ସେହି ‘ଆସାମ ପୁନର୍ଗଠନ ଆଇନ ୧୯୬୯’ରେ ରହିଥିବା କେତେକ ସୀମା ସମ୍ବନ୍ଧୀୟ ବ୍ୟବସ୍ଥାକୁ ନେଇ ମେଘାଳୟ ଆପତ୍ତି କରି ଆସୁଛି। ଗତବର୍ଷ ଜୁଲାଇ ମାସ ପରେ ସୀମା ବିବାଦକୁ ନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଆସିଛନ୍ତି। ଚଳିତମାସ ଶେଷ ବେଳକୁ ପୂର୍ବରୁ ସ୍ଥଗିତ ରହିଥିବା ତାଙ୍କର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥରର ଗୁଳିକାଣ୍ଡ ସେହି କାର୍ଯ୍ୟକ୍ରମ ଉପରେ କିଛି ପ୍ରଭାବ ନପକାଇଲେ ଭଲ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅବଶ୍ୟ ସୀମା ବିବାଦ ନେଇ ଚାଲିଥିବା ଆଲୋଚନା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି କହିଛନ୍ତି। ପ୍ରକାଶଥାଉ କି, ଆସାମ ଓ ମେଘାଳୟ ୮୮୪ କିଲୋମିଟର ସୀମାର ଅଂଶୀଦାର ହୋଇଥିବାବେଳେ ୧୨ଟି ସ୍ଥାନରେ ବିବାଦ ରହିଛି। ଗୁଳିକାଣ୍ଡ ହୋଇଥିବା ସ୍ଥାନଟି ସେଥିମଧ୍ୟରୁ ଗୋଟିଏ। ଆଗକୁ ଯେପରି ଏଭଳି ଘଟନା ଘଟିବ ନାହିଁ, ସେଥିପ୍ରତି ଦୁଇ ରାଜ୍ୟ ଯତ୍ନବାନ ହେବା ଉଚିତ।

Comments are closed.