MEllora 950×100

ମାଗଣାଖିଆରୁ ମଧ୍ୟବିତ୍ତ

କ୍ଷମତା ପାଇଁ ସବୁ ସମୟରେ ଅନୁକୂଳ ରିପୋର୍ଟ ହିଁ ଗ୍ରହଣଯୋଗ୍ୟ; ତେଣୁ ତାହାର ହିଁ ପ୍ରଚାରପ୍ରସାର ସବୁଠୁ ବେଶି

କୋଭିଡ଼ ଅତିମାରୀରେ କିଏ କେତେ ମରିହଜି ଗଲେ। ଆମ ସ୍ବାସ୍ଥ୍ୟାବସ୍ଥାରେ ଥିବା ଦୁର୍ବଳତା କିନ୍ତୁ ପଦାରେ ପଡ଼ିଗଲା। ସରକାର ଯେତେ ବିକାଶର ଧ୍ବଜା ଉଡ଼ାନ୍ତୁ ନା କାହିଁକି, ଆମେ ଯେ ସର୍ବନିମ୍ନ ସ୍ବାସ୍ଥ୍ୟଗତ ସୁବିଧାରୁ ବଞ୍ଚିତ ତାହା ସ୍ପଷ୍ଟ ହୋଇଥିଲା। ବ୍ୟବସ୍ଥା ଏ​‌େ​‌ବ ବି ସୁଧୁରିନି। ସବୁଦିନ କିଛି ନା କିଛି ଅବ୍ୟବସ୍ଥା ଓ ଅସହାୟତାର ଚିତ୍ର ଦୃଷ୍ଟିକୁ ଆସୁଛି। ସରକାର କୋଭିଡ଼ ସମୟରେ ଦେଶର ୮୦ କୋଟି ଲୋକଙ୍କୁ ଯୋଗାଉଥିବା ମାଗଣା ରାସନ ଏବେ ମଧ୍ୟ ଜାରି ରହିଛି। ଅତଏବ ସ୍ଥିତିରେ ସୁଧାର ଆସିଥିବା ଏବଂ ‘ଆମ ଅର୍ଥନୀତି ସମଗ୍ର ବିଶ୍ବରେ ଦ୍ରୁତତମ’ ବୋଲି ଦାବି କରାଯାଉଥିବାବେଳେ ମାଗଣାଖିଆଙ୍କ ସଂଖ୍ୟା କମିନି। ‘ପ୍ରାଇସ୍‌’ ରିପୋର୍ଟ ପଢ଼ିଲା ପରେ ଭାରି ବ୍ୟସ୍ତବିବ୍ରତ ଲାଗିଲା ଯେ ଆମ ଲୋକଚରିତ୍ରର ଅବକ୍ଷୟ ଘଟିଛି ନା ସରକାର ଲୋକଙ୍କୁ ଅନୁଗୃହୀତ କରି ବାହାବା ନେବାକୁ ପ୍ରୟାସୀ? ଭାରତୀୟ ଖାଉଟି ଅର୍ଥନୀତିର ଜନ ଗବେଷଣା ସଂସ୍ଥାର ସଂକ୍ଷିପ୍ତ ପରିଚୟ ହେଉଛି ‘ପ୍ରାଇସ୍‌’। ଏହି ସଂସ୍ଥାର ସର୍ବେକ୍ଷଣ ରିପୋର୍ଟ କହେ ଯେ ପ୍ରତି ୩ ଜଣ ଭାରତୀୟଙ୍କ ମଧ୍ୟରେ ଜଣେ ମଧ୍ୟବିତ୍ତ, ଯେଉଁମାନଙ୍କର ବାର୍ଷିକ ଆୟ ୫ ଲକ୍ଷରୁ ୩୦ ଲକ୍ଷ ଟଙ୍କା। ଦେଶର ୧୪୦ କୋଟି ଲୋକଙ୍କ ମଧ୍ୟରୁ ଏହି ମଧ୍ୟବିତ୍ତଙ୍କ ସଂଖ୍ୟା ପ୍ରାୟ ୪୬ କୋଟି। ଏଥିରୁ ସ୍ପଷ୍ଟ ହେଉଛି ଯେ ବହୁ ଦରିଦ୍ରଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିଛି ଓ ଏହି ପ୍ରକ୍ରିୟା ଜାରି ରହିଥିବାରୁ ଆଗକୁ ଏହି ମଧ୍ୟମବର୍ଗଙ୍କ ମାସିକ ଉପାର୍ଜନ ୪୧ ହଜାର ଟଙ୍କାରୁ ନିଶ୍ଚୟ ଅଧିକ ହେବ। ଏହି ଉପାର୍ଜନ ହାରରୁ ଯେଉଁମାନେ ତଳେ ଅଛନ୍ତି ସେମାନଙ୍କୁ ଗରିବ ବା ଦରିଦ୍ର କୁହାଯିବ। ଏହି ବର୍ଗ ବିଶ୍ଳେଷଣକୁ ନେଇ ସାଧାରଣରେ ନିଶ୍ଚୟ ବିଭ୍ରାନ୍ତି ସୃଷ୍ଟି ହେବ। ଆମ ହିସାବରେ ବର୍ଗ ନିର୍ଦ୍ଧାରଣ ବେଳେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଏକ ସ୍ବତନ୍ତ୍ର ଶ୍ରେଣୀକୁ ନେଇ ତର୍ଜମା କରିବା ଉଚିତ ଥିଲା।
‘ପ୍ରାଇସ୍‌’ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଆମ ଭାରତୀୟଙ୍କ ଉପାର୍ଜନ କ୍ଷମତା ବଢ଼ିଛି। ବହୁ ଦରିଦ୍ର ଏଥିମଧ୍ୟରେ ମଧ୍ୟବିତ୍ତ ବର୍ଗରେ ଉପନୀତ ହୋଇଛନ୍ତି। ସେହିଭଳି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କର ଆର୍ଥିକ ସ୍ଥିତି ଯେଉଁଠି ଥିଲା ସେଇଠି ରହିଯାଇ ନାହିଁ ନିଶ୍ଚୟ। ସେମାନେ ସରକାରୀ ମାଗଣା ବ୍ୟବସ୍ଥାର ହିତାଧିକାରୀ ହୋଇପାରନ୍ତି; ହେଲେ ସେମାନଙ୍କ ଅବସ୍ଥାରେ ମଧ୍ୟ ଉନ୍ନତି ଘଟିଛି। ଆମ ଲୋକଚରିତ୍ରର ଅବକ୍ଷୟ ଧାରା ଏପରି ଯେ କିଛି ବି ମାଗଣା ମିଳୁ, ସେହି ଧାଡ଼ିରେ ଆସି ଠିଆ ହୋଇଯିବେ। ମାଗଣା ପାଇଁ ନିଜର ମର୍ଯ୍ୟାଦା ଓ ସମ୍ମାନକୁ ବଳି ଦେବାପାଇଁ ସେମାନେ ଆଦୌ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ୨୦୪୭ ବେଳକୁ ଏହି ମଧ୍ୟବିତ୍ତଙ୍କ ହାର ୬୩ ପ୍ରତିଶତକୁ ବୃଦ୍ଧି ପାଇବ। ୨୦୦୪-୦୫ରୁ ଏଥିମଧ୍ୟରେ ଲୋକଙ୍କ ଆର୍ଥିକ ସ୍ଥିତିରେ ଆକାଶଛୁଅଁା ପରିବର୍ତ୍ତନ ଘଟିଛି; ତେଣିକି ଉପାର୍ଜନର ମାଧ୍ୟମ ଯାହା ହେଉନା କାହିଁକି। ସେହିଭଳି ମହାଧନୀ ବା ଧନ କୁବେରଙ୍କ ସଂଖ୍ୟା ମଧ୍ୟ ଆନୁପାତିକ ଭାବେ ବୃଦ୍ଧି ପାଇଛି। ତେବେ ଏଠାରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ହେଉଛି ଆକାଂକ୍ଷୀ ଓ ପ୍ରତ୍ୟାଶୀ ବର୍ଗ। ଆକାଂକ୍ଷୀ ବର୍ଗଙ୍କ ଆର୍ଥିକ ପ୍ରଗତି ଦ୍ରୁତତର ହେଉଛି। ଏମାନଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ସୀମିତ। ବ୍ୟବସ୍ଥାରେ ଥିବା ସମସ୍ତ ସୁବିଧା ଓ ସୁଯୋଗ ହାସଲ କରି ଗୋଟିକ ପରେ ଗୋଟିଏ ପାହାଚ ଅତିକ୍ରମ କରିବା ସକାଶେ ସେମାନେ ଯେକୌଣସି ସ୍ତରକୁ ଯାଇପାରିବେ। ତେଣୁ ଏମାନଙ୍କ ବିକାଶ ବା ପ୍ରଗତିର ବେଗ ବା ହାର ସବୁଠାରୁ ଅଧିକ। ଅନ୍ୟପକ୍ଷରେ ପ୍ରତ୍ୟାଶୀ ବର୍ଗଙ୍କ ବାର୍ଷିକ ଆୟ ୧.୨୫ ଲକ୍ଷରୁ ୫ ଲକ୍ଷ ଟଙ୍କା। କଠିନ ପରିଶ୍ରମ ଓ ଜୀବନକୁ ବାଜି ଲଗାଇ ଏମାନେ ଦାରିଦ୍ର୍ୟକୁ ଅତିକ୍ରମିବା ସକାଶେ ଚେଷ୍ଟା ଜାରି ରଖିଥାନ୍ତି। ନିଜର ମର୍ଯ୍ୟାଦା ଓ ଆତ୍ମସମ୍ମାନ ପ୍ରତି ସତର୍କ ରହୁଥିବା ଏହି ବର୍ଗ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି କୋଭିଡ୍‌ ସମୟରେ। ପରିସ୍ଥିତି ବଦଳିଥିଲେ ମଧ୍ୟ ସେମାନେ ଯେଭଳି ଉପକୃତ ହେବା କଥା ହୋଇପାରିନାହାନ୍ତି। ଅନ୍ୟପକ୍ଷରେ ଏମାନେ ମଧ୍ୟ ସାମୂହିକ ସ୍ବାର୍ଥରକ୍ଷା ପାଇଁ ଲଢ଼ିବା ସକାଶେ ଆଗକୁ ଆସିଥାନ୍ତି। ଆକାଂକ୍ଷୀ ଓ ପ୍ରତ୍ୟାଶୀଙ୍କ ମଧ୍ୟରେ ଥିବା ଏହି ପାର୍ଥକ୍ୟ ଅନେକ ସମୟରେ ବିଭ୍ରାନ୍ତି ସୃଷ୍ଟି କରିଥାଏ। ଜଣେ ନିଜର ସ୍ବାର୍ଥ ହାସଲ ପାଇଁ ସବୁକିଛି ହାତେଇବାକୁ ପ୍ରସ୍ତୁତ ଥିବାବେଳେ ପ୍ରତ୍ୟାଶୀ ପରିବର୍ତ୍ତନର ବାର୍ତ୍ତାବହ ସାଜି ତ୍ୟାଗ କରିବାକୁ ଆଗେଇ ଆସିଥାଏ। ସର୍ବେକ୍ଷଣ ରିପୋର୍ଟରେ ଏହି ପ୍ରତ୍ୟାଶୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର କେତେ ପ୍ରତିଶତ ତାହା ସ୍ପଷ୍ଟ ହୋଇନାହିଁ; ତେବେ ନିଶ୍ଚିତ ଯଥେଷ୍ଟ କମ୍‌, ନହେଲେ ପରିବର୍ତ୍ତନ ପ୍ରୟାସ ନିଶ୍ଚୟ ଦାନା ଧରିଥାନ୍ତା।
ବିଭିନ୍ନ ସଂସ୍ଥା ପକ୍ଷରୁ ହେଉଥିବା ସର୍ବେକ୍ଷଣ ରିପୋର୍ଟ ବେଶ୍‌ ଆଶା ସଂଚାରକ ହୋଇଥାଏ। ତାହାକୁ ନେଇ ସମ୍ଭାବନାର ଅଙ୍କକଷା ମଧ୍ୟ ଚାଲେ; କିନ୍ତୁ ଶେଷ ପରିଣତି କ’ଣ? ସବୁ ମିଛ ଓ ଅବାସ୍ତବ। ତୃଣମୂଳ ସ୍ତରର ଚିତ୍ର ଆହୁରି ଅଧିକ ଭୟଙ୍କର। କିଏ କାହାକୁ ଖୁସି କରିବା ପାଇଁ ଅଳ୍ପ କିଛି ନମୁନା ଦେଇ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। କ୍ଷମତା ପାଇଁ ସବୁ ସମୟରେ ଅନୁକୂଳ ରିପୋର୍ଟ ହିଁ ଗ୍ରହଣଯୋଗ୍ୟ; ତେଣୁ ତାହାର ହିଁ ପ୍ରଚାରପ୍ରସାର ସବୁଠୁ ବେଶୀ। ଏସବୁ ସତ୍ତ୍ବେ ‘ପ୍ରାଇସ୍‌’ ରିପୋର୍ଟ ଅନେକଙ୍କ ମନରେ ନିଶ୍ଚୟ ଆଶା ସଂଚାର କରିବ।

Comments are closed.